ଶିଳ୍ପ ବିକାଶ ଓ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ସମୀକ୍ଷା

ଭୁବନେଶ୍ବର: ଅବ୍ୟବହୃତ ଶିଳ୍ପାନୁଷ୍ଠାନ ଜମିରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା ହେବ। ଶିଳ୍ପ ବିକାଶ ଓ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବା ଅଭିଯୋଗ ଉପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧିଷ୍ଚ ସମୟ ସୀମା ମଧ୍ୟରେ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରି ସମାଧାନ କରିବା ନେଇ ସିଏମଓ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମରେ ମଙ୍ଗଳବାର ଶିଳ୍ପର ବିକାଶ ଓ ନିଯୁକ୍ତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା ।

ବୈଠକରେ ସବୁ ଶିଳ୍ପ ପ୍ରକଳ୍ପକୁ ଆବଶ୍ୟକ ଲୋକ ବଳ ଓ କୁଶଳୀ ୱାର୍କଫୋର୍ସ ପାଇଁ ଆଇଟିଆଇ ଓ ପଲିଟେକ୍ନିକ୍‌ ପରି ଦକ୍ଷତା ବିକାଶ ଅନୁଷ୍ଠାନ ସହ ସଂଯୋଗ କରାଯିବ । ବ୍ରଜରାଜନଗର, ଝାରସୁଗୁଡାରେ ଜନଶୁଣାଣୀ ସମୟରେ ଓଡିଏଣ୍ଟ ପେପର ମିଲକୁ ଦିଆଯାଇଥିବା ଲିଜ ଜମିର ବହୁ ଜମି ବ୍ୟବହାର ହୋଇନପାରି ପଡିରହିଥିବା ଲୋକେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଝାରସୁଗୁଡା ଜିଲ୍ଲାପାଳ ଓ ଇଡକୋ ଅନୁଧାନ କରି ବୈଠକରେ ଏକ ରିପୋର୍ଟ ଉପସ୍ଥାପନା କରିଥିଲେ । ଏହି ରିପୋର୍ଟ ଆଧାରରେ ଓଡିଏଣ୍ଟର ଅବ୍ୟବହୃତ ଜମିରେ  ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଇଡକୋକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଚୌଦ୍ବାର ସ୍ଥିତ ଓଟିଏମର ୫୨୧ ଏକର ଜମିକୁ ସରକାର ନିଜ ଦଖଲକୁ ନେଇଛନ୍ତି । ଓଟିଏମର ସବୁ କର୍ମଚାରୀଙ୍କ ବକେୟା ଅର୍ଥ ମଧ୍ୟ ସରକାର ପ୍ରଦାନ କରିସାରିଛନ୍ତି । ଏହି ଜମିରେ ଏବେ ବିଭିନ୍ନ ଟେକ୍ସଟାଇଲ ଓ ଲୋକମୋଟିଭ ଶିଳ୍ପ ପ୍ରତିଷ୍ଠା ପାଇଁ କିଛି ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଅଞ୍ଚଳରେ ଜନଶୁଣାଣୀ ସମୟରେ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ଭିତ୍ତିକ ଶିଳ୍ପ ପାଇଁ ଦାବି କରିଥିଲେ । ଇଡକୋ ଓ ଇପିକଲ ଏହି ଜମିର ବ୍ୟବହାରକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।

ଏହି ରିପୋର୍ଟ ଆଧାରରେ ଓଡିଏମ ଜମିର ଏକ ଅଂଶରେ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଇପିକଲ ପକ୍ଷରୁ ଆଗ୍ରହୀ ଶିଳ୍ପାନୁଷ୍ଠାନକୁ ପୁଂଜିନିବେଶ ନେଇ ପ୍ରସ୍ତାବ ଦିଆଯିବ । ପର୍ଯ୍ୟାୟ କ୍ରମେ ଶିଳ୍ପ ପାର୍କ ପ୍ରତିଷ୍ଠା ହେବା ସହ ପାନୀୟ ଜଳ, ବିଦ୍ୟୁତ ଯୋଗାଯୋଗ ଓ ଆପ୍ରୋଚ ରୋଡ କାର୍ଯ୍ୟ ଇପିକଲ କରିବ । ବୈଠକରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତିନୋଟି ବୃହତ କମ୍ପାନୀ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ୟୁଟିଲିଟି କରିଡର ପ୍ରତିଷ୍ଠା କରିବାକୁ ଇଡକୋଟି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବରପାଲି ଓ ହିଂଜିଲିରେ ପ୍ରସ୍ତାବିତ ଏମଏସଏମଇ ପାର୍କରେ ପୁଂଜିନିବେଶ ପାଇଁ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦିଆଯିବ ।