ପ୍ରଥମ ଥର ଆଷ୍ଟ୍ରଏଡରୁ ପଥରଗୁଣ୍ଡ ଧରି ପୃଥିବୀ ଫେରିଲା ନାସାର କ୍ୟାପସୁଲ୍‌

1 min read

ୱାଶିଂଟନ: ନାସାର ଓସିରିସ-ରେକ୍ସ ମିସନକୁ ବଡ଼ ସଫଳତା । ଆମେରିକା ପ୍ରତିରକ୍ଷା ବିଭାଗ ଅନ୍ତର୍ଗତ ଉଟାହ ଟେଷ୍ଟ ଆଣ୍ଡ ଟ୍ରେନିଂ ରେଞ୍ଜରେ ଅବତରଣ କରିଛି ନାସାର କ୍ୟାପସୁଲ । ପ୍ରାୟ ୨୦୦ ନିୟୁତ ମାଇଲ ଦୂରରେ ଥିବା ଆଷ୍ଟରଏଡରୁ ଏକ କପ୍ ନମୁନା ସଂଗ୍ରହ କରି ଫେରିଛି କ୍ୟାପସୁଲ । ପ୍ରାୟ ୭ ବର୍ଷ ତଳେ ଏହାକୁ ପଠାଯାଇଥିଲା । ସଂଗୃହୀତ ପଥର ଗୁଣ୍ଡ ଓ ଅନ୍ୟାନ୍ୟ ଦ୍ରବ୍ୟ ପୃଥିବୀର ବୟସଠାରୁ ବି ପୁରୁଣା ଥିବା ଜାଣିବାକୁ ପାଇଛି ନାସା ।

ବେନ୍ନୁ ନାମକ ଏହି ଆଷ୍ଟରଏଡରୁ ଏହା ସଂଗୃହୀତ ହୋଇଥିଲା । ପୃଥିବୀ ଉପରେ ଅନେକ ସମୟରେ ଉଲକାପିଣ୍ଡ ପଡୁଥିବାବେଳେ ସେଗୁଡିକ ସମ୍ପର୍କରେ ଗବେଷଣା ଲାଗି ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି । ସେଗୁଡିକର ରାସାୟନିକ ପ୍ରକ୍ରିୟା ଜରିଆରେ ପୃଥିବୀରେ ଜୀବନ ସୃଷ୍ଟିର ସମ୍ଭାବନା ପ୍ରସଙ୍ଗରେ ଗବେଷଣା ଜାରି ରହିଛି । ସଂଗୃହୀତ ଦ୍ରବ୍ୟକୁ ପୃଥିବୀର ଜଳବାୟୁର ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ନାଇଟ୍ରୋଜେନ ଗ୍ୟାସ ଆଚ୍ଛାଦିତ ପରିସରରେ ରଖାଯାଇଛି ।

ଏହାକୁ ବର୍ତ୍ତମାନ ନାସାର ହଷ୍ଟନସ୍ଥିତ ଜନସନ ସ୍ପେସ ସେଣ୍ଟରରେ ରଖାଯାଇଛି । ଉଟାହରେ ଓସିରିସ-ରେକ୍ସ ସ୍ପେସକ୍ରାଫ୍ଟରୁ କ୍ୟାପସୁଲଟି ବାହାରିବା ପରେ ଏକ ହେଲିକପ୍ଟର ଜରିଆରେ ତାହାକୁ ସ୍ଥାନାନ୍ତରିତ କରାଯାଇଛି । ଗତ ୨୦୧୬ରେ ନାସାର ଓସିରିସ-ରେକ୍ସ ସ୍ପେସକ୍ରାଫ୍ଟକୁ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ ତାହା ଏମ୍ପାୟାର ଷ୍ଟେଟ ବିଲଡିଂ ଆକାରର ଏକ ଆଷ୍ଟରଏଡ ବେନ୍ନୁରେ ପହଞ୍ଚିଥିଲା । ଏହି ସ୍ପେସକ୍ରାଫ୍ଟ ପ୍ରାୟ ବର୍ଷ ଧରି ରହିଥିଲା ଏବଂ ଶେଷରେ ତାହା ଫେରିଥିଲା ।