ବିରୋଧୀଙ୍କ ମୁହଁ ବନ୍ଦ କରିଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଲୋକଙ୍କ ପାଖରେ ପହଞ୍ଚୁଛି, ଲୋକଙ୍କ ପାଇଁ କାମ କରୁଛି ସିଏମଓ। ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ସମସ୍ୟାକୁ ମୋ ସରକାର ସର୍ବାଧିକ ଗୁରୁତ୍ୱ ଦେଇଥାଏ। କରୋନା ପୂର୍ବରୁ ଭୁବନେଶ୍ବରରେ ଲୋକଙ୍କ ସମସ୍ୟା ଶୁଣୁଥିଲା CMO । ସାରା ରାଜ୍ୟରୁ ଲୋକେ ଆସି ନିଜ ସମସ୍ୟା ରଖୁଥିଲେ। କୋଭିଡ କଟକଣା ପାଇଁ ୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। କୋଭିଡ ପରେ ପୁଣି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚାଲୁ ହୋଇଛି। ତେବେ କୋଭିଡ୍ ପରେ ଅଭିଯୋଗ କମିଛି। ତେଣୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ପାଖକୁ ନେବାକୁ ଚିନ୍ତା କରାଯାଇଥିଲା। କୋଭିଡ ପରେ ଲୋକଙ୍କ ଦୁଆରକୁ ଯାଇଛି ସିଏମଓ ।

ତାଙ୍କ ନିର୍ଦ୍ଦେଶରେ ସିଏମଓର ଅଧିକାରୀ ବିଭିନ୍ନ ଜିଲ୍ଲାକୁ ଯାଇଛନ୍ତି ବୋଲି କହିଛନ୍ତି ମୁଖ୍ରମନ୍ତ୍ରୀ। ଗତ ୬ମାସରେ ୧୯୦ଟି ସ୍ଥାନ ବୁଲିଛନ୍ତି ସିଏମଓ ଅଧିକାରୀ। ଲୋକଙ୍କ ଠାରୁ ୫୭ ହଜାର ୪୪୨ଟି ଅଭିଯୋଗ ଗ୍ରହଣ କରିଛନ୍ତି। ଏହା ମଧ୍ୟରୁ ଏବେସୁଦ୍ଧା ୪୩ହଜାର ୫୩୬ଟି ଅଭିଯୋଗର ସମାଧାନ ହୋଇସାରିଛି । ଏନେଇ ଜନଶୁଣାଣି ପୋର୍ଟାଲରେ ସମସ୍ତ ତଥ୍ୟ ରହିଛି। ବର୍ଷ ବର୍ଷ ଧରି ପଡି ରହିଥିବା ଜମିଜମା ସମସ୍ୟାର ସମାଧାନ ହୋଇଛି। ଏହା ଦେଶରେ ସବୁଠୁ ପ୍ରଭାବଶାଳୀ ଅଭିଯୋଗ ଶୁଣାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ସମୟରେ ମଧ୍ୟ ଅନୁଧ୍ୟାନ କରିବାକୁ ବରିଷ୍ଠ ଅଧିକାରୀଙ୍କର ସମାନ୍ ଟିମ୍ ପଠାଇଥିଲେ। କରୋନା ସଂକଟରେ ବି ସିଏମଓ ଟିମ୍ ଜିଲ୍ଲା ଗସ୍ତ କରି କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଥିଲେ।

ସିଏମଓ ଦ୍ୱାରା ସବୁବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପରିଚାଳିତ ହୁଏ। ମନ୍ତ୍ରୀମାନେ ଏଥିରେ ସାମିଲ ହେବା ଆବଶ୍ୟକ ନାହିଁ। ଅଭିଯୋଗ ମିଳିବା ପରେ ସଂପୃକ୍ତ ବିଭାଗକୁ ପଠାଯାଏ। ତେଣୁ ଏଥିରେ ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ କେଉଁଠି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଅଭିଯୋଗ ସମାଧାନ ଦିଗରେ ମନ୍ତ୍ରୀମାନେ ବିଭାଗୀୟ ମୁଖ୍ୟ ଭାବେ ପ୍ରମୁଖ ଭୂମିକା ନିଅନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ସର୍ବୋଚ୍ଚସ୍ତରର ଦଳଗତ କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ଅଭିଯୋଗକୁ ସମାଧାନ କରିବା ହିଁ ଲକ୍ଷ୍ୟ। ଯଦି ସମସ୍ତ ୫୭ହଜାର ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ,  ସେମାନେ କେତେ ଖର୍ଚ୍ଚାନ୍ତ ହୋଇଥାନ୍ତି? କେତେ ମଜୁରୀ ହରାଇଥାନ୍ତେ? ସେମାନଙ୍କ ପାଖରେ ପହଞ୍ଚି ଏହା ରୋକିବାରେ ସଫଳ ହୋଇଛି ସିଏମଓ। ସେହିପରି ଚପର ବ୍ୟବହାର ନେଇ ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ସଡ଼କ ପଥରେ ସବୁ ଜିଲ୍ଲାକୁ ଗସ୍ତ କରିବାରେ ଦେଢ଼ ବର୍ଷ ସମୟ ଲାଗିଥାନ୍ତା। ସେହିପରି ଲୋକଙ୍କ ପାଇଁ ସୁବିଧାଜନକ ସମୟ ସକାଳ ୧୦ଟାରୁ ୩ଟା ମଧ୍ୟରେ ପ୍ରତିଦିନ ୩ରୁ ୫ଟି ମିଟିଂ କରିବା ବି ଅସମ୍ଭବ। ଗତ ସାଢ଼େ ତିନି ବର୍ଷରେ ଚପରରେ ୪୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାସକୁ ହାରାହାରି ୧ରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ୬ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଚପର ବ୍ୟବହାର କରାଯାଇଥିଲେ ବି ଖର୍ଚ୍ଚ ମାସକୁ ୧ରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚପରରେ ଅତ୍ଯଧିକ ଖର୍ଚ୍ଚ ନେଇ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ସେଲ୍ କରାଯାଇଛି। ଏହାଦ୍ବାରା ଲୋକେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ପ୍ରକଳ୍ପ ପାଇଁ ମଂଜୁର ପାଣ୍ଠି ସଂପର୍କରେ ଅବଗତ ହୋଇଛନ୍ତି। ଅଭିଯୋଗ ସମାଧାନ ପାଇଁ ସମୟସୀମା ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ଅଭିଯୋଗର ସମାଧାନକୁ କିଏ କେମିତି ବିରୋଧ କରିପାରିବ ବୋଲି ନବୀନ କହିଛନ୍ତି। ଏଭଳି ବିରୋଧ ଜନବିରୋଧୀ । ଲୋକେ ଏହାର ଜବାବ ଦେବେ। ଜନସେବାରେ ସମସ୍ତେ ଥିବା ବେଳେ ଲୋକଙ୍କ ଅଭିଯୋଗ ହିଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକେ ଖୁସି, ଜନପ୍ରତିନିଧି ଖୁସି। ରାଜନୈତିକ କାରଣ ପାଇଁ ବିରୋଧୀ ଅସନ୍ତୁଷ୍ଟ ହେବା ଉଚିତ୍ ନୁହେଁ।  ମୋ ସରକାର ପାଇଁ, ଲୋକେ ପ୍ରଥମ, ଲୋକଙ୍କ ସମସ୍ୟାର ସମାଧାନ ପ୍ରାଥମିକତା ଏବଂ ଏହା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।