spot_img
Home Blog Page 2929

ବିଜେପି ବିଧାୟକଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ନାବାଳିକା ବିଧାୟକଙ୍କ ବଡ଼ ଭାଇଙ୍କ ଝିଅ ବୋଲି ପୋଲିସ ସୂଚନା ଦେଇଛି । କେଉଁ କାରଣରୁ ସେ ପଙ୍ଖାରେ ଝୁଲି ପଡିଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଖାରବେଳ ନଗର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବିଧାୟକ ନବ ଚରଣ ମାଝୀ ଏମ୍‌ଏଲ୍‌ଏ କଲୋନୀର ଡିଏସ୍ ୧୦/୧ କ୍ବାର୍ଟର୍ସରେ ରହୁଛନ୍ତି ।

ତାଙ୍କ ଝିଆରୀ ଏଠାରେ ମାସେ ହେବ ରହୁଥିଲେ । ସେ ନୟାପଲ୍ଲୀ ସ୍ଥିତ ଏକ କଲେଜରେ ଯୁକ୍ତ-୨ର ଛାତ୍ରୀ ଅଟନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ରାତି ୧୦ ଟାରେ ସେମାନେ ତାଙ୍କୁ ଦେଖିଥିଲେ । ନାବାଳିକା ଜଣକ ଶୋଇବାକୁ ରୁମ୍‌କୁ ଯାଇଥିଲେ । ରବିବାର ଥିବାରୁ ଡେରିରେ ଉଠିବେ ଭାବି ପରିବାର ଲୋକେ ସକାଳୁ କବାଟ ବାଡେଇ ନଥିଲେ । ହେଲେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପରିବାର ଲୋକ କବାଟ ବାଡେଇଥିଲେ, ହେଲେ ଝିଅ କବାଟ ଖୋଲି ନଥିଲା ।

ପରେ ଝରକା ବାଟେ ଦେଖିବାରୁ ଝିଅର ଝୁଲନ୍ତା ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଖାରବେଳନଗର ପୋଲିସ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ମୋବାଇଲ ମିଳିଛି । ସେଥିରେ ତାଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଜଣାପଡିଛି । ସେ କାହା ସହ କଥା ହେଉଥିଲେ । କେତେ ସମୟ କଥା ହେଇଛନ୍ତି । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯିବ । ତେବେ ତାଙ୍କ ମୃତ୍ୟୁ ପଛରେ କି କାରଣ ରହିଛି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

କଳିଙ୍ଗ ନଗରରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍, ୩ ଗୁରୁତର

ଚଣ୍ଡିଖୋଲ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍ ‌। ଯାଜପୁର ଜିଲ୍ଲା ଚଣ୍ଡିଖୋଲ କଳିଙ୍ଗନଗର 53 ନମ୍ବର ଜାତୀୟ ରାଜପଥର ଝାଟିଆପଡା ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ଗୁତୁତର ହୋଇଛନ୍ତି । କାର୍‌ଟି ଡୁବୁରୀରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା ।

ଘଟଣାସ୍ଥଳରେ ଧର୍ମଶାଳା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଏସସିବି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବ୍ରିଜର ସାଇଡ ରେଲିଂ ନଥିବାରୁ କାରଟି ବ୍ରିଜ ତଳକୁ ଖସି ପଡିଥିଲା । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନଥିବାରୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ଫିରିଙ୍ଗିଆ ଥାନା ଜାଳିବା ଘଟଣାରେ ଅଭିଯୁକ୍ତଙ୍କ ଜାମିନ୍ ଖାରଜ, ୧୯ ଜଣ କୋର୍ଟ ଚାଲାଣ

ଫୁଲବାଣୀ: ଫିରିଙ୍ଗିଆ ଥାନା ଜାଳିବା ଘଟଣାରେ ଆକ୍ସନ ମୋଡ଼ରେ ପୋଲିସ୍ । ଥାନା ପୋଡି ଘଟଣାରେ ସଂପୃକ୍ତ ଥିବା ଦୋଷୀକୁ ଗିରଫ କରୁଛି ପୋଲିସ । ଫିରିଙ୍ଗିଆ ଥାନା ପୋଡ଼ି ଏବଂ ପୋଲିସକୁ ଆକ୍ରମଣ କରିବାକୁ ନେଇ ଫିରିଙ୍ଗିଆ ଥାନାରେ ପୂର୍ବତନ ଥାନା ଅଧିକାରୀ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲା ଆଧାରରେ ପୋଲିସ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତଙ୍କ ଜାମିନ୍ ଖାରଜ ପରେ ସମସ୍ତଙ୍କୁ ଫୁଲବାଣୀ କାରାଗାରକୁ ପଠାଇ ଦିଆଯାଇଛି । ଶନିବାର ଫିରିଙ୍ଗିଆରେ ପୋଲିସ ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଥିଲେ ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଥିଲେ ଗଞ୍ଜେଇ ମାଫିଆ । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ୍‌ ହୋଇଥିବା ଗାଡ଼ି ଓ ବନ୍ଧୁକ ଗଞ୍ଜେଇ ମାଫିଆ ଲୁଟି ନେଇଥିଲେ ।

ସ୍ଥିତିକୁ ନଜରରେ ରଖି ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ଦୋକାନ ବଜାର ବନ୍ଦ ରହିଥିଲା ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନ ଆରମ୍ଭ, ମାଉଣ୍ଟ ଏଲବ୍ରସ ଚଢିବେ ଓଡିଆ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି କ୍ରୀଡା ନିର୍ଦ୍ଦେଶକ ସିର୍ଦ୍ଧାର୍ଥ ଦାସ । ଓଡିଆ ପର୍ବତାରୋହୀ ନୀଳାଚଳ ପରିଡା ଏହି ଅଭିଯାନ ଦଳର ନେତୃତ୍ୱ ନେବେ । ସେଥିରେ ଓଡିଶାର ପାଞ୍ଚ ଜଣଙ୍କୁ ମିଶାଇ 17 ଜଣ ସଦସ୍ୟ ଅଛନ୍ତି । ୟୁରୋପର ସବୁଠୁ ବଡ଼ ପର୍ବତ ମାଉଣ୍ଟ ଏଲବ୍ରସ ଚଢିବେ ପର୍ବତାରୋହୀ ।

ଆଜିଠୁ ଏହି ଅଭିଯାନ ଆରମ୍ଭ ହୋଇ 21 ଅଗଷ୍ଟରେ ଶେଷ ହେବ । ଏହି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅଧିକାରୀଙ୍କ ସହ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ମଧ୍ୟ ଉପସ୍ଥିତ ଥିଲେ । ନୀଳାଚଳଙ୍କ ସହ ଓଡିଶାର ପର୍ବତାରୋହୀମାନେ ହେଉଛନ୍ତି ଚିନ୍ମୟ ସିଂ, ଶ୍ରୀକାନ୍ତ ଖୁଣ୍ଟିଆ, ରଣଜିତ୍ ବିରା ଏବଂ ଆଦିତ୍ୟ ପ୍ରସାଦ ଖଡାଗା ।

ସ୍ବାଧୀନତା ଦିବସ ଅବସରରେ ଏହି ଦଳ ମାଉଣ୍ଟ ଏଲବ୍ରସର 575 ଫୁଟରେ ତ୍ରିରଙ୍ଗା ଉଡାଇବା ସହ କୋଭିଡ ସମୟରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ପର୍ବତାରୋହୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ।

ମହିଳାଙ୍କ ଶିକ୍ଷା ଉପରେ ବଡ଼ ରୋକ, ଆଫଗାନିସ୍ତାନରେ ତୃତୀୟ ଶ୍ରେଣୀରୁ ଅଧିକ ପାଠ ପଢିପାରିବେ ନାହିଁ

କାବୁଲ: ମହିଳା ଅଧିକାରକୁ ବାରମ୍ବାର କ୍ଷୁର୍ଣ୍ଣ କରୁଥିବା ଆଫଗାନିସ୍ତାନର ତାଲିବାନ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛି । ମହିଳାଙ୍କ ଶିକ୍ଷା ଉପରେ ବଡ଼ ରୋକ ଲଗାଇବାକୁ ଯାଉଛି । ୧୦ ବର୍ଷରୁ ଅଧିକ ବୟସର ଝିଅ ମାନେ ପାଠ ପଢିପାରିବେ ନାହିଁ ବୋଲି ଦେଶର ବିଭିନ୍ନ ରାଜ୍ୟରେ ଏହି ନିୟମ ଲାଗୁ କରିବାକୁ ଯାଉଛି । ୧୦ ବର୍ଷ ନଚେତ ତୃତୀୟ ଶ୍ରେଣୀରୁ ଅଧିକ ପାଠ ପଢିପାରିବେ ନାହିଁ ବୋଲି ନିୟମ ଲାଗୁ ହେବାକୁ ଯାଉଛି ।

ଏନେଇ ସେମାନଙ୍କର ଅଭିଭାବକଙ୍କୁ କଡା ନିର୍ଦ୍ଦେଶ ଦେଇଛି ତାଲିବାନ । ନିର୍ଦ୍ଦେଶରେ ଅବମାନନା ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଫଗାନିସ୍ତାନର ଅନେକ ସ୍ଥାନରେ ଯେଉଁ ଝିଅ ମାନେ ଡେଙ୍ଗା ଓ ୧୦ ବର୍ଷରୁ ଅଧିକ ସେମାନଙ୍କୁ ସ୍କୁଲ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଝିଅ ମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଥିଲା । ଏଥିସହ ସେମାନେ ବିୟୁଟି ପାର୍ଲର, ପାର୍କ, ଜିମ୍ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଥିଲା ।

ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍, ଏନଡିଏ ପକ୍ଷରେ ଅଧିକ ସମର୍ଥନ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦିଲ୍ଲୀ ସେବା ବିଧେୟକ ଆଗତ କରିବେ । ଗତ ତିନି ତାରିଖରେ ଏହି ବିଲ ଲୋକସଭାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବିଲ ଆଗତ ହେବା ପୂର୍ବରୁ ନିଜର ସବୁ ରାଜ୍ୟସଭା ସାଂସଦଙ୍କୁ ଆଜି ଓ କାଲି ଉପସ୍ଥିତ ରହିବାକୁ ଆପ ହୁଇପ ଜାରି କରିଛି ।

କଂଗ୍ରେସ ମଧ୍ୟ ନିଜ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହୁଇପ ଜାରି କରିଛି । ରାଜ୍ୟସଭାରେ ବିଲକୁ ରୋକିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ ଭରପୁର ଉଦ୍ୟମ କରିବେ । ପୂର୍ବରୁ ବିଭିନ୍ନ ଦଳକୁ ଭେଟି ସମର୍ଥନ ମାଗିଥିଲେ କେଜ୍ରିଓ୍ବାଲ । ତେବେ ଲୋକସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍‌ଟି ବିନା ବାଧାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବି ଏନଡିଏ ପକ୍ଷରେ ଅଧିକ ସମର୍ଥନ ରହିଥିବା କୁହାଯାଉଛି । ଏଣୁ ବିଲ ପାରିତ ହେବା ସମ୍ଭାବନା ଅଧିକ ରହିଛି ।

ଚନ୍ଦ୍ରଯାନ-୩ ଦ୍ୱାରା କଏଦ ଚନ୍ଦ୍ରର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ନନ୍ଦିଘୋଷ ବ୍ୟୁରୋ: ମହାକାଶରୁ ଆସିଲା ଖୁସି ଖବର । ଚନ୍ଦ୍ରର ପ୍ରଥମ ଫଟୋ ଜାରି କରିଛି ଚନ୍ଦ୍ରଯାନ ୩ । ଏନେଇ ଇସ୍ରୋପକ୍ଷରୁ ସୂଚନା ଦିଆଯାଇଛି । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ ୩ ପ୍ରଥମ ଥର ପାଇଁ ଏକ ସ୍ପଷ୍ଟ ଚିତ୍ର ପଠାଇଛି । ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ ପଠାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଏଯାଏ ଚନ୍ଦ୍ରଯାନ-୩ର ସମସ୍ତ ପର୍ଯ୍ୟାୟ ସଫଳତାର ସହିତ ଜାରି ରହିଛି । ଏକ ସରଳ ଯାତ୍ରା କରୁଛି ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଦୁଇ ତୃତୀୟାଂଶରୁ ଅଧିକ ଦୂର ଅତିକ୍ରମ କରିସାରିଲାଣି ।

https://twitter.com/chandrayaan_3/status/1688215948531015681?s=20

+ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବା ବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବା ବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି ।

ଲାଞ୍ଚନେବା ବେଳେ ପୋଲିସ ଏସଆଇଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ: ଭିଜିଲାନ୍ସ ପଞ୍ଝାରେ ଆଉଜଣେ ପୋଲିସ ଅଧିକାରୀ । ଲାଞ୍ଚ ନେବାବେଳେ ଧରିଲା ଜୟପୁର ଭିଜିଲାନ୍ସ ବିଭାଗ । କୋରାପୁଟ ଜିଲ୍ଲା ଅମ୍ବାଗୁଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜୟପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । SI ପ୍ରଶାନ୍ତ ମହାନ୍ତିଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରାଯାଇଛି । ପ୍ରଶାନ୍ତଙ୍କ ସରକାରୀ ବାସଭବନରୁ 6 ଲକ୍ଷ ଟଙ୍କା ସହିତ 160 ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ । ଅଧିକ ତଦନ୍ତ ପାଇଁ ଜୟପୁର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକ୍ ଟିମ୍, ମଞ୍ଜୁରୀ ଦେଲେ ପାକିସ୍ତାନ ସରକାର

ନନ୍ଦିଘୋଷ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍ । ଭାରତ ଆସିବା ନେଇ ପାକ୍ ଟିମକୁ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଖେଳକୁ ରାଜନୀତିଠୁ ସବୁବେଳେ ଦୂରରେ ରଖିବା ଆବଶ୍ୟକ । ପାକିସ୍ତାନ ଏଥିପାଇଁ ନିଜ ଦଳକୁ ୨୦୨୩ ଆଇସିସି ବିଶ୍ୱକପ୍ ପାଇଁ ଭାରତ ପଠାଇବା ପାଇଁ ପ୍ରସ୍ତୁତ ଅଛି । ଭାରତରେ ଦିନିକିଆ ବିଶ୍ୱକପ୍ ଦୁଇମାସ ପରେ ଅର୍ଥାତ ଅକ୍ଟୋବରରେ ଖେଳାଯିବ । ପାକିସ୍ତାନର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ୍ସ ସହ ଅଛି ।

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଉଭୟ ଦେଶର ରାଜନୈତିକ ବିବାଦକୁ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟକୁ ଟାଣିବା ଠିକ୍ ନୁହେଁ । ଭାରତୀୟ ଦଳ ଅବଶ୍ୟ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସିପାରେ ହେଲେ ପାକିସ୍ତାନ ନିଜ ଦଳ ସହ ଏପରି କରିବ ନାହିଁ । ଆମେ ଆମ ଦଳକୁ ଭାରତ ପଟାଇବୁ । ପାକିସ୍ତାନକୁ ଏବେବି ନିଜ କ୍ରିକେଟ ଟିମର ସୁରକ୍ଷା ଚିନ୍ତା ରହିଛି । ଆମେ ଆଇସିସି ଏବଂ ବିସିସିଆଇକୁ ଏ ସମ୍ପର୍କରେ ସୂଚିତ କରିଛୁ ।

ଆମକୁ ଆଶା ଅଛି ଯେ ଭାରତରେ ପାକିସ୍ତାନ କ୍ରିକେଟ ଦଳର ସିକ୍ୟୁରିଟି ଏବଂ ସେଫଟିର ଧ୍ୟାନ ରଖାଯିବ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନ କ୍ରୀଡା ମନ୍ତ୍ରଣାଳୟ ଏବଂ ପିସିବି ପକ୍ଷରୁ କୁହାଯାଇଥିଲା ଯେ ଯଦି ଭାରତ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସେ ତେବେ ପାକ୍ ଟିମ୍ ମଧ୍ୟ ବିଶ୍ୱକପ୍ ଖେଳିବାକୁ ଭାରତ ଯିବନାହିଁ । ତେବେ ପାକ୍ ଟିମ୍ ଭାରତ ଆସିବ କି ନାହିଁ ଏହା ଉପରେ ସନ୍ଦେହ ଲାଗି ରହିଥିଲା । ହେଲେ ଆଜି ପାକ୍ ଦଳ ଆସିବା ନେଇ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଚଳିତଥର ଦିନିକିଆ ବିଶ୍ୱକପ୍ ବାରତରେ ଅକ୍ଟୋବର ୫ରୁ ଖେଳାଯିବ ।

ଓପନିଂ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ ଖେଳିବ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ଟିମର ୩ଟି ବିଶ୍ୱକପ୍ ମ୍ୟାଚ୍ ସୁରକ୍ଷା ଦୃଷ୍ଟିରୁ ରିଶିଡ୍ୟୁଲ କରାଯାଇପାରେ । ଭାରତ ସହ ତାର ମୁକାବିଲା ୧୫ ଅକ୍ଟୋବରରେ ହେବାର ଥିଲା ହେଲେ ଏହା ଏବେ ୧୪ ଅକ୍ଟୋବରରେ ହେବ । ଏହି କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ମୁକାବିଲା ୧୨ ତାରିଖ ପରିବର୍ତ୍ତେ ୧୦ ଅକ୍ଟୋବରକୁ ସ୍ଥାନାନ୍ତର କରାଯାଇପାରେ । ସେହିପରି ଇଂଲଣ୍ଡ ବିପକ୍ଷ କୋଲକାତାରେ ଦଳର ମୁକାଲିବା ୧୨ ନଭେମ୍ବର ବଦଳରେ ୧୧ ନଭେମ୍ବରକୁ ହୋଇପାରେ । ବିସିସିଆଇ ଏବଂ ଆଇସିସି ଖୁବଶୀଘ୍ର ଟୁର୍ଣ୍ଣାମେଣ୍ଟର ଅପଡେଟେଡ ସିଡ୍ୟୁଲ ଜାରି କରିବ ।

ବିରେନ ସରକାରକୁ ଝଟକା, ସରକାରରୁ ସମର୍ଥନ ଫେରାଇନେଲା କୁକି ପିପୁଲ୍ସ ଆଲାୟନ୍ସ

ଇମ୍ଫାଲ: ମଣିପୁରରେ ୩ ମାସ ହେବ ହିଂସା ଜାରି ରହିଛି । ଦୁଇ ପ୍ରମୁଖ ସମ୍ପ୍ରଦାୟ କୁକି ଓ ମେଇତି ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏହି ହିଂସାରେ ଅନେକ ଧନଜୀବନ ନଷ୍ଟ ହୋଇଛି । ଏହାରି ମଧ୍ୟରେ ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସରକାରକୁ ବଡ଼ ଝଟକା ଲାଗିଛି । ଏନଡିଏ ସହଯୋଗୀ କୁକି ପିପୁଲ୍ସ ଦଳ ସରକାରରୁ ନିଜ ସମର୍ଥନ ଫେରାଇନେଇଛି । ରବିବାର ସନ୍ଧ୍ୟାରେ ଦଳ ଏହି ନିଷ୍ପତ୍ତି ନେଇ ଏହାର ଘୋଷଣା କରିଛି । ମଣିପୁରରେ ଜାରି ହିଂସା ତିନି ମାସ ପରେ ମଧ୍ୟ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟ ଦଳ ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରରେ କୁକି ପିପୁଲ୍ସ ଆଲିଆନ୍ସର ଦୁଇ ଜଣ ବିଧାୟକ ଥିଲେ । ସେହି ଦୁଇ ବିଧାୟକ ହେଲେ କିମ୍ନେଓ ହାଙ୍ଗସିଙ୍ଗ ଏବଂ ଚିନଲୁନ୍ଥାଙ୍ଗ ।

କୁକି ପିପୁଲ୍ସ ଆଲିଆନ୍ସ ଏହି ନିଷ୍ପତ୍ତି ଏପରି ସମୟରେ ନେଇଛି ଯେବେ ବିଧାନସଭା ଅଧିବେଶନ ୨୧ ଅଗଷ୍ଟରୁ ଆରମ୍ଭ ହୋଇପାରେ । ମଣିପୁର ମନ୍ତ୍ରିମଣ୍ଡଳ ରାଜ୍ୟପାଳଙ୍କୁ ୨୧ ଅଗଷ୍ଟରୁ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଏହି ଅଧିବେଶନରେ ଅଧିକାଂଶ କୁକି ବିଧାୟକ ସାମିଲ ନହେବାର ଆଶଙ୍କା କରାଯାଉଛି । ତେବେ ଏହା ପୂର୍ବରୁ କୁକି ପିପୁଲ୍ସ ଆଲିଆନ୍ସର ଅଧ୍ୟକ୍ଷ ତୋଙ୍ଗମାଙ୍ଗ ହାଓକିପ କହିଥିଲେ ଯେ ରାଜ୍ୟରେ ଜାରି ହିଂସା ଏବଂ ଭିନ୍ନ ପ୍ରଶାସନକୁ ନେଇ କୁକି ସମ୍ପ୍ରଦାୟକଙ୍କ ଦାବି ଉପରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସମାଧାନ ହୋଇନାହିଁ ଯେଉଁ କାରଣରୁ କୁକି-ଜୋମି-ହମାର ବିଧାୟକଙ୍କ ପାଇଁ ବିଧାସନଭା ଅଧିବେଶନରେ ସାମିଲ ହେବା ସମ୍ଭବ ନୁହେଁ ।