ବିଶ୍ବକପରେ କେଉଁ ଦଳ ଅଧିକ ଶକ୍ତିଶାଳୀ?

ନନ୍ଦିଘୋଷ ବ୍ୟୁରୋ: ବିଶ୍ବକପ କାଉଣ୍ଟଡାଉନ୍ । ଆରମ୍ଭ ହୋଇଗଲାଣି କ୍ରିକେଟ ମହାକୁମ୍ଭର ଓଲଟା ଗଣତି। ଦାବିଦାର ବିଶ୍ବର ୧୦ ଶକ୍ତିଶାଳୀ ଟିମ୍ । ଆଜି ଶେଷ ୱାର୍ମଅପ୍ ମ୍ୟାଚ । ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇଯିବ ମହାଲଢ଼େଇ । ଏଥର ଭାରତରେ ଖେଳାଯାଉଛି କ୍ରିକେ୍ଟ ମହାକୁମ୍ଭର ସମସ୍ତ ମ୍ୟାଚ୍ । ଗୁଜରାଟର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ୍ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। କିଏ ଡାର୍କ ହର୍ସ, କିଏ ମାରିବ ବାଜି । ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ନା କ୍ରିକେଟକୁ ଏଥର ମିଳିବ ନୂଆ ବିଜେତା । କ୍ରିକେଟ ବିଶ୍ବକପ ପାଇଁ ଆଇସିସି ଓ ବିସିସିଆଇ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

୧୦ ଶକ୍ତିଶାଳୀ ଟିମ୍  । ୧୦ ସହର । ଦେଢମାସରୁ ଅଧିକ ସମୟର ରୋମାଂଚ । ଆଉ ଟାର୍ଗେଟ୍ ବିଶ୍ବକପ୍  । ଜୋରଦାର ହେବ ୨୩ କ୍ରିକେଟ ବିଶ୍ବକପ୍ ସଂଘର୍ଷ  । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ । ଅଂଶଗ୍ରହଣ କରୁଥିବା ୧୦ ଦେଶ ମଧ୍ୟରୁ ୫ ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ବିଶ୍ବକପରେ ଖେଳିବାକୁ ଅଧିକାଂଶ ଦଳ ଭାରତରେ  ପହଞ୍ଚି ସାରିଛନ୍ତି । ପ୍ରାୟ ସବୁ ଦଳ ଫାଇନାଲ ୧୫ ଜଣିଆ ସ୍ବ୍କାଡ୍ ଘୋଷଣା କରି ଖେଳୁଛନ୍ତି ୱାର୍ମ ଅପ ମ୍ୟାଚ  ।

ଭାରତର ୧୦ ସହରରେ ଖେଳାଯିବ କ୍ରିକେଟର ଏହି ମହାକୁମ୍ଭ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ  । ପରସ୍ପରକୁ ଭେଟିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ  । ୧ ଲକ୍ଷରୁ ଅଧିକ ଦର୍ଶକ ଏହି ମ୍ୟାଚ୍ ଦେଖିପାରିବେ। ବିଶ୍ବକପ ଖେଳାଯିବାକୁ ଥିବା ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ରହିଛି ୧ ଲକ୍ଷ ୩୨ ହଜାର  । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ହେଇଛି ଆଉ ଏକ ଭେନ୍ୟୁ । କୋଲକାତା, ଧର୍ମଶାଳା, ଲକ୍ଷ୍ନୌ,ମୁମ୍ବାଇ, ପୁଣେ, ଚେନ୍ନାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ଖେଳାଯିବ ବିଶ୍ବକପର ଅନ୍ୟ ସମସ୍ତ ମ୍ୟାଚ । ଭାରତର ତାର ପ୍ରଥମ ମ୍ୟାଚ ଖେଳିବ ଅକ୍ଟୋବର ୮ ତାରିଖରେ  ।

ବିଶ୍ବକପର ଅନ୍ୟ ପ୍ରମୁଖ ଦାବିଦାର ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।  ୧୪ ଅକ୍ଟୋବର ଶନିବାର ଦିନ ଖେଳାଯିବ ସବୁଠାରୁ ରୋମାଂଚକର ମ୍ୟାଚ୍ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ସହ ଲଢ଼ିବ ଭାରତୀୟ କ୍ରିକେଟ ଟିମ  । ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ ହେବ କୋଲକାତାର ଇଡେନ ଗାର୍ଡନ ଷ୍ଟାଡିୟମରେ  । ୧୬ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ ସେମି ଖେଳାଯିବ । ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା ।

ବିଶ୍ବକପର ପ୍ରମୁଖ ଦାବିଦାର ମଧ୍ୟରେ ସବୁଠାରୁ ଆଗରେ ରହିଛି ଭାରତ । ଚଳିତ ବିଶ୍ବକପରେ ଶୁଭମନ ଗିଲ ଗେମ ଚେଂଜର ହେବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ । ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଭାବେ ସ୍ଥାନ ପାଇବାକୁ ଗିଲଙ୍କ ପାଖରେ ସମସ୍ତ ସାମର୍ଥ୍ୟ ଅଛି ବୋଲି କହିଛନ୍ତି ଯୁବରାଜ । ବିଶ୍ବକପ ଲାଗି ଭାରତ ପୂର୍ବରୁ ସ୍କ୍ବାଡ୍ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନଙ୍କ ନାଁ ଘୋଷଣା କରିଛି ।

ଆଘାତ ଜନିତ କାରଣରୁ ସୁସ୍ଥ ନହୋଇପାରିବାରୁ ଅକ୍ଷର ଟିମରୁ ବାଦ ପଡିଛନ୍ତି  । ସେହିପରି ଶେଷ ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ମଧ୍ୟ ତାର ସ୍କ୍ବାଡରେ ପରିବର୍ତ୍ତନ କରିଛି । ସ୍ପିନର ଆଷ୍ଟନ ଆଗରଙ୍କ ସ୍ଥାନରେ ମାର୍ନସ ଲାବୁସାଙ୍ଗେ ଦଳରେ ସ୍ଥାନ ପାଇଛନ୍ତି  । ଭାରତ ମାଟିରେ କେବଳ ଜଣେ  ସ୍ପିନର ଆଡାମ ଜାମ୍ପାକୁ ନେଇ ଖେଳିବ ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡର ଚଳିତ ବିଶ୍ବକପର ଡାର୍କ ହର୍ସ ବୋଲି କୁହାଯାଉଛି । ୨୦୧୫  ଓ ୨୦୧୯ର ସେମି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ନ୍ୟୁଜିଲାଣ୍ଡ  ।