spot_img
Home Blog Page 2921

ମୁଖ୍ୟମନ୍ତ୍ରୀଙ୍କ ସବୁ ଲୋକାଭିମୁଖୀ ଯୋଜନା ଶତ ପ୍ରତିଶତ ସଫଳ, ପ୍ରତ୍ୟେକ ବ୍ୟକ୍ତି ପାଇବେ ଲାଭ

ଭୁବନେଶ୍ୱର: ମୋ ଘର, ଆମ ଓଡ଼ିଶା, ନବୀନ ଓଡ଼ିଶା । ହସିବ ଗାଁ, ହସିବ ଓଡ଼ିଶା । ବିକଶିତ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ମାଇଲଖୁଣ୍ଟ । ପଞ୍ଚମ ପାଳିରେ ନବୀନଙ୍କ ସବୁ ଲୋକାଭିମୁଖୀ ଯୋଜନା ସଫଳ । ୨୫ ବର୍ଷ ଧରି ଜନସେବା ଜାରି ରଖିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେଡି ଅଣ୍ଟା ଭିଡ଼ିଛି । ୨୦୨୪ ନିର୍ବାଚନ ପ୍ରସ୍ତୁତି ସହ ସବୁ ନିର୍ବାଚନୀମଣ୍ଡଳୀରେ ଦଳ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ପହଞ୍ଚାଯିବ । ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ନିର୍ବାଚନରେ ବଡ଼ ବିଜୟ ହେବ ବୋଲି ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ଯୁକ୍ତି ବାଢ଼ିଛନ୍ତି । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ମନସ୍ଥ କରିଥିବା ବିଜେଡି କହିଛି ।

ସବୁକ୍ଷେତ୍ରରେ ଦେଶର ୧ ନମ୍ବର ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ କାମ କରିଚାଲିଛନ୍ତି । ଶିଳ୍ପ, କୃଷି, ସ୍ବାସ୍ଥ୍ୟ, କ୍ରୀଡ଼ା ଓ ପର୍ଯ୍ୟଟନର ବିକାଶଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ବିଜେଡିର ଲଢ଼େଇ ଜାରି ରହିବ । ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରିବାକୁ ବିଜେଡି ଲକ୍ଷ୍ୟ‌ ରଖିଛି।

ଦେଶ ଓ ରାଜ୍ୟରେ ନିର୍ବାଚନ ହାଓ୍ବା ବହିଲାଣି । ସବୁ ଦଳ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ନିର୍ବାଚନ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିକଶିତ ଓଡ଼ିଶା ଗଠନ ପାଇଁ ବିଜେଡି ନେତା ଓ କର୍ମୀ କାମ କରୁଛନ୍ତି । ଏପରି ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାବାସୀଙ୍କର ଅକୁଣ୍ଠ ଆଶୀର୍ବାଦ ରହିଛି ।

କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାର ହଜାର କୋଟି ଠକେଇ ମାମଲା, ଗିରଫ ଦୁଇଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାର କୋଟିର ଠକେଇ ଘଟଣା । ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା EOW । ଗତକାଲି ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲେ ଅର୍ଥନୈତିକ ଅପରାଧ ଶାଖା । ତିନି ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଧୁ ଓ ନିରଦ ଦାସ । କ୍ରିପ୍ଟୋ ଇନଭେଷ୍ଟ ନାଁରେ ସାରା ଭାରତରେ ୧୦୦୦ କୋଟିର ଚୁନା ଲଗାଇ ଥିଲା ଏହି ସଂସ୍ଥା । ସଂସ୍ଥାର ଭାରତ ମୁଖ୍ୟ ଓ ଓଡ଼ିଶା ମୁଖ୍ୟଙ୍କୁ ଗିରଫ କରିଥିଲା EOW । ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ EOW ।

ରାଜ୍ୟସଭାରେ ମାନସଙ୍କ ପ୍ରଶ୍ନ, ବିଜେଡି ସାଂସଦଙ୍କ ପ୍ରଶ୍ନରେ ଉତ୍ତର ରଖିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ପ୍ରତିଷେଧକମୂଳକ ସ୍ବାସ୍ଥ୍ୟ ପରୀକ୍ଷାରେ ଟିକସ ରିହାତି ପ୍ରସଙ୍ଗ । ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ବିଜେଡିର ୩ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି । ଏଥିରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌବେ ଉତ୍ତର ଦେଇଛନ୍ତି । ପ୍ରତିଷେଧକମୂଳକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନାହିଁ ଟିକସ ରିହାତି । ଆୟକର ଆଇନ ୧୯୬୧ରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । କେନ୍ଦ୍ର ସରକାର ଆୟକର ଆଇନରେ ସରଳୀକରଣ ପାଇଁ ଯୋଜନା କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇଛନ୍ତି ।

ସେହିପରି ରାଜ୍ୟସଭାରେ ଉଠିଲା ଦିବ୍ୟାଙ୍ଗକୁ GST ରିହାତି ସାର୍ଟିଫିକେଟ ପ୍ରସଙ୍ଗ । ଅଣତାରକା ପ୍ରଶ୍ନ ମାଧ୍ୟମରେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି । ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌବେ । ଓଡ଼ିଶାରୁ ୧୨ଜଣ ଦିବ୍ୟାଙ୍ଗଙ୍କୁ ମିଳିଛି GST ରିହାତି । ନିର୍ଦ୍ଦିଷ୍ଟ କିଛି ଗାଡ଼ି କିଣିବାକୁ ମିଳିଛି GST ରିହାତି । ଏଥିସହ ଶାରୀରିକ ଅକ୍ଷମତା ହାର ୩୦ ପ୍ରତିଶତକୁ ହ୍ରାସ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବୈଷୟିକ ଶିକ୍ଷାରେ ଓଡ଼ିଶା ରୋଲ୍ ମଡେଲ୍, ପ୍ରଦର୍ଶନ ଅନୁଯାୟୀ ପଲିଟେକନିକ୍ କଲେଜ ରାଙ୍କିଂ

ଭୁବନେଶ୍ୱର: ଭଲ ପଲିଟେକନିକ୍ କଲେଜରେ ପଢିବାକୁ ଚାହୁଁଛନ୍ତି କି ? ତେବେ ଓଡ଼ିଶା ଆସନ୍ତୁ । କାରଣ ଏଠାରେ ପଲିଟେକନିକ୍ କଲେଜ ଗୁଡ଼ିକୁ ପ୍ରଦର୍ଶନ ଅନୁଯାୟୀ ଦିଆଯାଉଛି ରାଙ୍କିଂ । ସାରା ଦେଶରେ ଏକମାତ୍ର ରାଜ୍ୟ ଭାବେ ପଲିଟେକନିକ କଲେଜ ଗୁଡ଼ିକୁ ପ୍ରଦର୍ଶନ ଆଧାରରେ ରାଙ୍କ ଦେଉଛି ଓଡ଼ିଶା । ଉତ୍ତମ ବୈଷୟିକ ଶିକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ମିଳିଛି କେନ୍ଦ୍ରୀୟ ସ୍ବୀକୃତି । ରାଙ୍କିଂ ବ୍ୟବସ୍ଥାକୁ ସ୍ଵଚ୍ଛ କରିବା ପାଇଁ କ୍ବାଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଥିଲା। ନ୍ୟାସନାଲ ଆକ୍ରିଡିଏସନ ବୋର୍ଡ ଫର୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ବୋର୍ଡର କ୍ବିସିଆଇ ରାଙ୍କିଙ୍ଗରେ ସ୍ଥାନ ପାଇଥିବା ସମସ୍ତ ଶହେ ପଲିଟେକନିକାଲ କଲେଜ ପରିଦର୍ଶନ କରିବା ସହ ଏକାଧିକ ପର୍ଯ୍ୟାୟରେ ମୂଲ୍ୟାଙ୍କନ କାର୍ଯ୍ୟ କରିଛନ୍ତି । ସମସ୍ତ ଅଭିଯୋଗ ସମାଧାନ ଓ ଅପିଲ୍ ରିଜୋଲ୍ୟୁସନ୍ ପରେ ଚୂଡ଼ାନ୍ତ ମାନ୍ୟତା ଦିଆଯାଇଛି। ଉଭୟ ସରକାରୀ ଓ ଘରୋଇ ପଲିଟେକନିକ କଲେଜକୁ ନେଇ ରାଙ୍କିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଆଧାରରେ ରାଙ୍କିଂ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ରାଙ୍କିଂ ପଦ୍ଧତିକୁ କେନ୍ଦ୍ରୀୟ ଏଜେନସି କ୍ବିସିଆଇ ପ୍ରଶଂସା କରିଛି। ଏହା ପଲିଟେକନିକ୍ କଲେଜ ଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବଢାଇବା ଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ । ଅନ୍ୟ ରାଜ୍ୟ ବି ଓଡ଼ିଶାର ଏହି ମଡେଲକୁ ଅନୁସରଣ କରି ବୈଷୟିକ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଗୁଣବତ୍ତା ବୃଦ୍ଧି କରିବା ନେଇ ମତ ଦେଇଛି ନାବେଟ୍ ।

ରାଜ୍ୟରେ ପଲିଟେକନିକ୍ କଲେଜ ଗୁଡ଼ିକର ଡିପ୍ଲୋମାସ୍ତରୀୟ ଶିକ୍ଷାର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ୨୦୨୨ ମସିହାରୁ ରାଙ୍କିଂ ପଦ୍ଧତି ଗ୍ରହଣ କରାଯାଇଛି । ଚଳିତ ବର୍ଷ କିଟ୍ ପଲିଟେକନିକ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଶ୍ରେଷ୍ଠ ୧୦ କଲେଜ ଭିତରେ ୬ଟି ସରକାରୀ ପଲିଟେକନିକ କଲେଜ ରହିଛି । ଆଗକୁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରିବାକୁ ସେମାନଙ୍କ ଅଭିନବ ପ୍ରକଳ୍ପକୁ ବି ରାଙ୍କିଂ ଦିଆଯିବାର ବ୍ୟବସ୍ଥା କରାଯାଉଛି । କ୍ରୀଡ଼ା ପରି ଶିକ୍ଷାର ହବ୍ ପାଲଟୁଛି ଓଡ଼ିଶା । ନୂଆ ନୂଆ ଶିକ୍ଷା ପଦ୍ଧତି ସହ 5T ଆଧାରରେ ବିକଶିତ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର। ଏଥିସହ ପ୍ରଦର୍ଶନ ଓ ପ୍ରତିଯୋଗିତାକୁ ପ୍ରାଥମିକତା ଦିଆଯାଉଛି ।

ମହାନଦୀକୁ ଗାଧୋଇବାକୁ ଯାଇ ଦୁଇ କଲେଜ ଛାତ୍ର ନିଖୋଜ

କଟକ: ମହାନଦୀକୁ ଗାଧୋଇବାକୁ ଯାଇ ଦୁଇ କଲେଜ ଛାତ୍ର ନିଖୋଜ । ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ଘଟିଛି ଅଘଟଣ । ଅପରାହ୍ନରେ ଏକ ଘରୋଇ କଲେଜର ଦୁଇ ନାବାଳକ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି । ନିଖୋଜ ଛାତ୍ର ହେଲେ ଆଦିତ୍ୟ ଅଭିଶେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀ । ଏମାନଙ୍କ ଘର କଟକ ମଙ୍ଗଳାବାଗ ଓ ଦେଉଳସାହି ବୋଲି ଜଣାପଡ଼ିଛି । ବାରଙ୍ଗ ଅଗ୍ନିଶମ ବାହିନୀ ଉଭୟଙ୍କୁ ଖୋଜାଖୋଜି କରୁଛି । ସେପଟେ ବାଙ୍କୀ ଥାନା ଗୟଳବାଙ୍କ ଦେବିଦ୍ୱାର ପୀଠରେ ଗାଧୋଇବା ବେଳେ ଭାସି ଯାଇ ଆଉଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଗୟଳବାଙ୍କ ଗାଁର ଲିଟୁ ମହାପାତ୍ର ।

ପୋଲିସ ପରିଚୟ ଦେଇ ଠକେଇ, କମିଶନ ଲୋଭ ଦେଖାଇ ଲଗାଉଥିଲେ ଚୂନ

କଟକ: ଠକେଇର ଶିକାର ହେଲେ ପୋଲିସ୍ କର୍ମଚାରୀ । ନକଲି ପୋଲିସ ସାଜି ଲଗାଇଲ ଚୂନ । କମିଶନ ଲୋଭରେ ପଡ଼ି ହରାଇଲେ ଟଙ୍କା । ୪ ଜଣ ଠକଙ୍କୁ ବାନ୍ଧିଲା କଟକ ମଙ୍ଗଳାବାଗ ପୋଲିସ୍ । ଏକ ଲକ୍ଷ ୫୦୦ ଟଙ୍କିଆ ଦେଲେ ୧୦୦ ଓ ୨୦୦ ଟଙ୍କିଆ ଲକ୍ଷେ କୋଡିଏ ହଜାର ପାଇବ । ଏକଥରକେ ୨୦ ପ୍ରତିଶତ କମିଶନ । ଏପରି ଲୋଭ ଦେଖାଇ ସରକାରୀ ଚାକିରିଆ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ । କଟକ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ମାନସ ବାରିକ ଠକେଇର ଶିକାର ହେବା ପରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଗ୍ୟାଙ୍ଗର ମୁଖ୍ୟ  ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ଭରି ସୁନା, ୧ ଲକ୍ଷ ୩୨ ହଜାର ନଗଦ ଟଙ୍କା ସହ ଏକ କାର ଜବତ କରିଛି । ତେବେ ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ଠକେଇ ମାମଲା ରହିଛି । ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରୋଜ ନିଜକୁ ସ୍ପେଶାଲ ସ୍କ୍ବାଡ ପୋଲିସ ପରିଚୟ ଦେଇ ଠକେଇ ପାଇଁ ଲୋକ ଯୋଗାଡ଼ କରୁଥିଲା । ଅନ୍ୟ ଅଭିଯୁକ୍ତ ରାଜେଶ ଖୁଣ୍ଟିଆ, ସୁଶାନ୍ତ ସେଠୀ, ମନୋଜ ପଟ୍ଟନାୟକ ଓ ୨ ଫେରାର ଥିବା ସଦସ୍ୟ କାରବାରକୁ କାର୍ଯ୍ୟକାରୀ କରୁଥିଲେ । ଲୋକ ଅଧିକ ଟଙ୍କା ପାଇବା ଲୋଭ ଦେଖାଇ ଏକ ସୁରକ୍ଷିତ ସ୍ଥାନକୁ ଡକାଇ ପ୍ରଥମେ ଟଙ୍କା ନେଉଥିଲେ । ପରେ ପୋଲିସ ଆସୁଥିବା ଡର ଦେଖାଇ ଏକ କଳା ବ୍ୟାଗରେ କାଗଜବିଡାରେ କିଛି ୧୦୦, ୨୦୦ ଟଙ୍କିଆ ଲଗାଇ ତାଙ୍କୁ ଧରାଇଦେଇ ଚମ୍ପଟ ମାରୁଥିଲେ । ଏକ କାରବାର ପାଇଁ ମସୁଧା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ୍ । ଏପରି ଲୋଭରେ ବସବର୍ତ୍ତି ନହୋଇ ଘଟଣା ନଜର ଆସିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦେଇଛି ପୋଲିସ୍ ।

ଖୋଲିବ ରାଜ୍ୟର ପ୍ରଥମ ହାଇଟେକ୍‌ ଆହାର କେନ୍ଦ୍ର, ୫ କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ କରୁଛି CMC

କଟକ: ଖୋଲିବ ପ୍ରଥମ ହାଇଟେକ ଆହାର କେନ୍ଦ୍ର । କଟକ ନେତାଜୀ ବସ୍ ଟର୍ମିନାଲରେ ଅତ୍ୟାଧୁନିକ କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ କେନ୍ଦ୍ରରେ ମିଳିବ ଭୋଜନ । ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ । କଟକ ନେତାଜୀ ବସ୍ ଟର୍ମିନାଲରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ ଏହି ବିଲ୍ଡିଙ୍ଗରେ ଏକାସାଙ୍ଗରେ ଦେଢ ଶହରୁ ଦୁଇଶହ ଲୋକ ବସି ଖାଇବାର ବ୍ୟବସ୍ଥା କରାଯାଇଛି । ତାରକା ହୋଟେଲ ଢାଞ୍ଚାରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଖାଲି ସେତିକି ନୁହେଁ ଖବରକାଗଜ, ପତ୍ରିକା ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥା ଫୁଲ୍ ଅଟୋମେଟିକ୍ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାକୁ ଯାତ୍ରୀମାନେ ସ୍ୱାଗତ କରିଥିବବେଳେ କଟକର ମାଆ ତାରିଣୀ SHG କୁ ଦାୟିତ୍ୱ ଦେଇଛି CMC ।

କିଛିଦିତ ତଳେ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରିଥିଲେ 5T ସଚିବ । ତେବେ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ରାସ୍ତା କାମ କରାଯାଉଛି । ଖୁବଶୀଘ୍ର ଏହାର ଉଦଘାଟନ ହେବ । ସହରର ବାଦାମବାଡ଼ି, ବଡ଼ ଡାକ୍ତରଖାନା, ସିଟି ହସ୍ପିଟାଲ, ଶିଶୁ ଭବନ, ଜଗତପୁର, ମାଲଗୋଦାମ ଆଦି ଅଞ୍ଚଳଗୁଡିକରେ ଆହାର କେନ୍ଦ୍ର ପରିଚାଳିତ ହେଉଛି । ତେବେ ବସଷ୍ଟାଣ୍ଡ ନିକଟରେ ଏହି ଅତ୍ୟାଧୁନିକ ଆହାର କେନ୍ଦ୍ରରେ ଗୋଟିଏ ସ୍ଥାନରେ ଲୋକେ ଆହାର ଯୋଜନାରେ ଭାତ, ଡାଲମା, ଆଚାର ଖାଇବା ସହିତ କାଫେରୁ ଖାଦ୍ୟ କିଣିବାର ସୁବିଧା ପାଇପାରିବେ । ସୁନ୍ଦର ଆଲୋକ ସହ ଦାମୀ ଚୌକି, ଟେବୁଲ, ବେସିନ, ମାଗଣା ଓ୍ୱାଇଫାଇ ସୁବିଧା ମିଳିବ । ଲୋକଙ୍କ ମନୋରଞ୍ଚନ ପାଇଁ ଦୁଇଟି ବଡ଼ LED ଡିସପ୍ଲେ ଲଗାଯାଇଛି । CNBT କାର୍ଯ୍ୟକ୍ଷମ ହେବାପରେ ଏଠାରେ ୧୮୦ଟି ବସର ରହିବା ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀ ଆରାମଦାୟକ ଯାତ୍ର ସହ ଆହାର କେନ୍ଦ୍ରରେ ବସି ଖାଇବାର ସୁଯୋଗ ପାଇବେ ।

କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଗୁଳିକାଣ୍ଡ, ଗୁଳିମାଡ଼ରେ ଜଣେ ଯୁବକ ମୃତ

କଟକ: କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଚିନ୍ତାମଣି ସାହୁ । ଚିନ୍ତାମଣି ସୁଭଦ୍ରାପୁରରେ ଘରେ ଭଡ଼ା ନେଇ ରହୁଥିଲେ । ଦୁଇ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ଚିନ୍ତାମଣିଙ୍କ ମୁଣ୍ଡରେ ଗୁଳି ବାଜିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।

ଜଗ୍‌ ସାହାଯ୍ୟରେ ଉପରକୁ ଉଠୁଛି ଜଗନ୍ନାଥ ମନ୍ଦିର, ମନ୍ଦିରକୁ ୭ଫୁଟ ଉଚ୍ଚା କରୁଛନ୍ତି ହରିୟାଣା କାରିଗର

ଗଞ୍ଜାମ: ଜଗରେ ଉପରକୁ ଉଠୁଛି ଜଗନ୍ନାଥ ମନ୍ଦିର । ୬ରୁ ୭ ଫୁଟ ଉପରକୁ ଉଠାଉଛନ୍ତି ହରିୟାଣା କାରିଗର । ପୁରାତନ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମବାସୀଙ୍କ ପଦକ୍ଷେପ । ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଂଚଳର ସର୍ବପୁରାତନ ଜଗନ୍ନାଥ ମନ୍ଦିରରୁ ଉପରକୁ ଉଠାଯାଉଛି । ମନ୍ଦିରକୁ ଅଢେଇ ଶହ ବର୍ଷ ତଳେ ବିରୁଳି ଗଡ଼ର ରାଜା ନିର୍ମାଣ କରିଥିଲେ । କିନ୍ତୁ ଧିରେ ଧିରେ ଜନବସତି ବଢ଼ିବା ସହ ବାରମ୍ବାର ରାସ୍ତା ନିର୍ମାଣ ଯୋଗୁ ମନ୍ଦିର ପୋତି ହୋଇ ଯାଇଥିଲା । ଫଳରେ ପୁରାତନ କଳା ଓ ସଂସ୍କୃତିକୁ ବହନ କରୁଥିବା ଏହି ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମବସୀ ଉପରକୁ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ହରିୟାଣାର ଟିଡିବିଡି ହାଉସ ଲିପ୍ଟିଙ୍ଗ କମ୍ପାନୀ ସହିତ ଯୋଗାଯୋଗ କରି ମନ୍ଦିର ଉଠାକାର୍ଯ୍ୟ ଆରମ୍ଭ କରିଥିଲେ ।

୩ ରୁ ୫ ମାସ ଭିତରେ କାମ ସାରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ହରିୟାଣା କାରିଗର । କାମ ପାଇଁ ୪୦୦ ଜଗ୍ ଓ ୮ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ମନ୍ଦିର ଉଠା ପାଇଁ ବର୍ଗଫୁଟକୁ ୨୫୦ ଟଙ୍କା ନେଉଛି କମ୍ପାନୀ । ଓଡ଼ିଶା ଓ ଓଡିଶା ବାହରେ ଏଭଳି ଅନେକ କାମ ସୂଚାରୂ ରୂପେ ସମ୍ପାଦନ କରିଛି କମ୍ପାନୀ । ଅଞ୍ଚଳରେ ଏଭଳି କାର୍ଯ୍ୟ ପ୍ରଥମଥର ହେଉଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି ।

କଳାହାଣ୍ଡିରେ ଖୁସିର ଲହରୀ, ଉତ୍କେଲା ବିମାନବନ୍ଦରରୁ ଖୁବଶୀଘ୍ର ଉଡ଼ିବ ବିମାନ

କଳାହାଣ୍ଡି: ଆକାଶମାର୍ଗରେ ନୂଆ ଇତିହାସ ସୃଷ୍ଟି କରିବ କଳାହାଣ୍ଡି । ବିଶ୍ଵ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇବ ଉତ୍କେଲା । କଳାହାଣ୍ଡିର ଉତ୍କେଲା ବିମାନବନ୍ଦରକୁ ମିଳିଛି ୨- ବି ଲାଇସେନ୍ସ । ଖୁବଶୀଘ୍ର ଉଡ଼ିବ ବିମାନ । ୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ୍‌ । ଏହା ୧୨ରୁ ୫୦ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ପାଇଁ ଉଦ୍ଦିଷ୍ଟ ଥିଲା । ୨୦୧୬-୧୭ରେ ଉଡ଼ାନ ଯୋଜନାରେ ଉତ୍କେଲା ବିମାନବନ୍ଦର ସାମିଲ ହେବା ପରେ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମେ ୩ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଥିରେ ରନୱେ ନିର୍ମାଣ ସହ ପାରିପାର୍ଶ୍ବିକ ବିକାଶ କରାଯାଇଥିଲା । ପରେ ଆହୁରି ଅନୁଦାନରେ ଅଧିକ ଉନ୍ନତି ହୋଇଛି ।

୫୫ କୋଟି ଟଙ୍କାରେ ଉତ୍କେଲା ଏୟାରପୋର୍ଟ ସମ୍ପ୍ରସାରିତ ହୋଇଛି । ଗତ ମାସରେ ଡିଜିସିଆଇର ୪ ଜଣିଆ ଟିମ୍ ବିମାନ ବନ୍ଦରର ଟିକନିଖ୍‌ ଯାଞ୍ଚ କରି ସନ୍ତୋଷ ପ୍ରକାଶ କରିଥିଲେ। ସୋମବାର ଏୟାରପୋର୍ଟକୁ ୨-B ଲାଇସେନ୍ସ ମିଳିଛି  । ଏହି ବିମାନବନ୍ଦର କାର୍ଯ୍ୟକାରୀ ହେଲେ କଳାହାଣ୍ଡି ସହିତ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିକ୍ଷେତ୍ରରେ ବୈପ୍ଲବିକ ବିକାଶ ହୋଇଥିବା ବେଳେ ଏବେ ଆକାଶମାର୍ଗରେ ଯୋଗାଯୋଗ ହୋଇପାରିବ ।