spot_img
Home Blog Page 2920

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ, କଠିନ ପରିଶ୍ରମ କର, ନିଜର କ୍ୟାରିୟର୍ ଲକ୍ଷ୍ୟ ହାସଲ କରିବା ନେଇ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା 5 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି 5ଜଣ ଛାତ୍ରଛାତ୍ରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ ଏହି ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆ ଯାଇ କର୍ଟିନ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ୍ କେମିକାଲ ଇଞ୍ଜିନିୟରିଂ(WASM: MECE)ରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଥିଲେ। ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାପାଇଁ ଶୁଭେଚ୍ଛା ଜଣାଇବା ସାଙ୍ଗକୁ କଠିନ ପରିଶ୍ରମ କରି ନିଜର କ୍ୟାରିଅର୍ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରକାଶ ଯେ,  ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗମାନଙ୍କର ସହ ସମ୍ପର୍କ, ଉଚ୍ଚ-ପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ଏହା ସମଗ୍ର ବିଶ୍ୱରେ ପରିଚିତ। ଏହି ଶିକ୍ଷାନୁଷ୍ଠାନ ଲଗାତାର 7 ବର୍ଷ ଧରି ମିନେରାଲ୍ ଏବଂ ମାଇନିଂ ଇଞ୍ଜିନିୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଆସୁଛି। ଏଠାରେ ଅଧ୍ୟୟନ କରିବା ପାଇଁ କେନ୍ଦୁଝର ଜିଲ୍ଲାରୁ ଯେଉଁ 5 ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି ସେମାନେ ହେଲେ, ମିନର୍ଭା ସାହୁ, ଅଦ୍ୱିକ କୁମାର, ଆକିବ୍ ଅହମ୍ମଦ, ଗିତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା।

ଏହି ସମସ୍ତ ଛାତ୍ରଛାତ୍ରୀ ପ୍ରଫେସନାଲ୍ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ। ଏଥିପାଇଁ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଛି। ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ୍ ରହିଛି। ଯେଉଁଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ୍ ରେକର୍ଡ଼ ମଧ୍ୟ ରହିଛି।

କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ମଧ୍ୟରେ ହୋଇଥିବା ଏହି ବୁଝାମଣା ପଛରେ ଏକ ବଡ଼ ଏବଂ ମହତ ଉଦ୍ଦେଶ୍ୟ ରହିଛି। କେନ୍ଦୁଝର ଏକ ଜନଜାତି ବହୁଳ ଜିଲ୍ଲା ହେବା ସାଙ୍ଗକୁ ଏଠାରେ ଖଣିଜ ସମ୍ପଦର ଭଲ ଉପସ୍ଥିତି ମଧ୍ୟ ରହିଛି। ଏଣୁ ଜିଲ୍ଲାର ଶୈକ୍ଷିତ ବାତାବରଣକୁ ଉତ୍କୃଷ୍ଟତା ପ୍ରଦାନ କରିବା ଏବଂ ଏଠିକାର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏହା ଜିଲ୍ଲା ପ୍ରଶାସନକୁ ଏକ ସୁଯୋଗ ପ୍ରଦାନ କରିଛି।

ଏହି ବୁଝାମଣାର ଉଦ୍ଦେଶ୍ୟ କେବଳ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଯୋଗାଇଦେବା ନୁହେଁ, କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ପ୍ରତିଭାମାନଙ୍କର ପରିପୋଷଣ ମଧ୍ୟ ଏହାର ଲକ୍ଷ୍ୟ। ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଞ୍ଚଳର ବିକାଶରେ ନିୟୋଜନ କରାଇବା ଏବଂ ନେତୃତ୍ୱ ନେବାର ସୁଯୋଗ ଦେବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଉଦ୍ଦେଶ୍ୟ। ଯାହାକି ଶୈକ୍ଷିକ ସଫଳତା ଏବଂ ଦାୟିତ୍ୱପୂର୍ଣ୍ଣ ମାନବ ସମ୍ବଳ ପରିଚାଳନାର ଏକ ଉଜ୍ଜଳ ଉଦାହରଣ ରୂପେ ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ସମୟରେ 5T ସଚିବ ଭିକେ ପାଣ୍ଡିଆନ୍ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ଥିଲେ।

 

ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରେ ବିଚାର ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ ହୋଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି । କୋର୍ଟ ମାମଲାର ବିଚାର କରି ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ୩୭୦ ଧାରା ହଟିବା ବିରୋଧରେ ହୋଇଥିବା ଆବେଦନର ବିଚାର କୋର୍ଟରେ ୧୬ ଦିନ ଧରି ଚାଲିଥିଲା ।

ମୁଖ୍ୟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମେତ ବିଚାରପତି ଏସକେ କୋଲ, ସଞ୍ଜୀବ ଖାନା, ବି.ଆର. ଗବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରିଥିଲେ ।

୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ ।

ମାମଲାର ବିଚାର କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଉଭୟ ପକ୍ଷଙ୍କୁ ଯଦି କିଛି କହିବାର ଥିବ ତେବେ ଲିଖିତ ଆକାରରେ ତିନିଦିନ ମଧ୍ୟରେ ଜଣାଇବାକୁ କୁହାଯାଇଛି ।

ପଲିଥିନ ଘରେ କଟୁଛି ବୃଦ୍ଧାଙ୍କ ଜୀବନ

ସୁନ୍ଦରଗଡ଼: ପଲିଥିନ ଘରେ କଟୁଛି ଜୀବନ । ସ୍ୱାମୀ ଏବଂ ପିଲା ଆରପାରିକୁ ଚାଲିଗଲା ପରେ ଦିର୍ଦ୍ଦିନରେ କଟୁଛି ଦିନ । ଘର ଖଣ୍ଡେ ପାଇଁ ପ୍ରଶାସନ ପାଖରେ ନେହୁରା ହୋଇଛନ୍ତି ସୁନ୍ଦରଗଡ କିରେଇ ପଂଚାୟତ ଭବାନୀପୁର ଗ୍ରାମର ବୃଦ୍ଧା ପାର୍ବତୀ ଇନ୍ଦୁଆର। ପଡୋଶୀଙ୍କ ଠାରୁ ହାତ ପାତି ଯାହା  ମିଳୁଛି ସେସବୁ ଖାଇ ବଞ୍ଚୁଛନ୍ତି । ପାର୍ବତୀଙ୍କୁ ପକ୍କା ଘର ଯୋଗାଇଦେବାକୁ ଦାବି କରିଛନ୍ତି ପଡୋଶୀ  ।ଘର ନଥିବାରୁ ପାଖ ପଡିଶା ସରପଂଚଙ୍କୁ କହି ପଲିଥିନ ଖଣ୍ଡେ ଆଣି ଝାଟିର କୁଡିଆଟେ କରିଦେଇଛନ୍ତି । ପାର୍ବତୀଙ୍କ ବୟସ ପାଖାପାଖି ୮୦ । ସଂପର୍କୀୟ ଅଛନ୍ତି ହେଲେ କେହି ତାଙ୍କୁ ପଚାରୁନାହାନ୍ତି । ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି ତାଙ୍କ ଦୁଃଖ ।

ଇଣ୍ଡିଆକୁ ନେଇ ଚର୍ଚ୍ଚା: ନାଁ ବଦଳିରେ କ’ଣ ଇସ୍ରୋ ହୋଇଯିବ ବିସ୍ରୋ ?

ନୂଆଦିଲ୍ଲୀ: ଏବେ ଇଣ୍ଡିଆ ନାଁକୁ ନେଇ ସବୁଠି ଚର୍ଚ୍ଚା । ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏହି ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ଏବେ ସବୁଠାରୁ ଅଧିକ ଚର୍ଚ୍ଚା ଇଣ୍ଡିଆ ନାଁ ବଦଳି ଭାରତ ହେଲେ କ’ଣ ହେବ ? କାରଣ, ଯଦି ସାମ୍ବିଧାନୀକ ଭାବେ ଇଣ୍ଡିଆର ନାଁ ବଦଳି ଭାରତ ହେବ, ତେବେ ସେ ସବୁ ସ୍ଥାନ ଓ ସଂସ୍ଥାର ନାଁ ବି ହୋଇଯିବ ପରିବର୍ତ୍ତନ । ଏମିତି ହେଲେ ବହୁତ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ନାଁ ପରିବର୍ତ୍ତନ ହୋଇଯିବ ।

ସାରା ଦୁନିଆରେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଭାରତର ଇସ୍ରୋର ବି ନାଁ ପରିବର୍ତ୍ତନ ହୋଇଯିବ । ‘ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ’ରୁ ଇଣ୍ଡିଆ ନାଁ ହଟି ଭାରତ ଲାଗିଯିବ ଓ ନୂଆ ନାଁ ‘ଭାରତ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ’ ବା ବିସ୍ରୋ ହୋଇଯିବ । ଇଣ୍ଡିଆ ଗେଟର ନାଁ ବଦଳି ଭାରତ ଦ୍ବାରା ହୋଇଯିବ । କେବଳ ଏହି ଦୁଇଟି ଉଦାହରଣ ନୁହେଁ ଆଇଆଇଟି, ଆଇଆଇଏମ ସହ ଏମିତି ଶହ ଶହ ସ୍ଥାନ ଓ ସଂସ୍ଥାର ନାଁ ପରିବର୍ତ୍ତନ ହୋଇଯିବ ।

ଇଣ୍ଡିଆର ନାଁ ପରିବର୍ତ୍ତନ ହୋଇ ଭାରତ କରାଯିବାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି । କିଛି ଲୋକ ଏହାକୁ ସ୍ବାଗତ କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଏମିତି ନାଁ ପରିବର୍ତ୍ତନ ହେଲେ ଦୁଃଖରେ ଭାଙ୍ଗି ପଡ଼ିବେ । ବିଶେଷ କରି ସେହି ବିଦେଶୀ ଯିଏ ନିଜ ପତ୍ନୀଙ୍କ ଦେଶର ନାଁ ଅନୁସାରେ ନିଜ ପିଲାର ନାଁରେ ଇଣ୍ଡିଆ ରଖିଛନ୍ତି । ଏମିତି ଜଣେ ଖେଳାଳି ହେଉଛନ୍ତି, ନ୍ୟୁଜିଲାଣ୍ଡର ବିଜନେସ ମ୍ୟାନ ଏବଂ ପୂର୍ବତନ କ୍ରିକେଟର ଡିଓନ ନ୍ୟାସ । ଯିଏ ତାଙ୍କ ଝିଅର ନାଁ ଇଣ୍ଡିଆ ଲିଲି ନ୍ୟାସ ରଖିଛନ୍ତି ।

ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଗୁରୁବ୍ରହ୍ମା ସମ୍ମାନ, ୧୫ ଶିକ୍ଷକ ସମ୍ମାନିତ

ଭୁବନେଶ୍ବର: ପବିତ୍ର ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ । ନନ୍ଦିଘୋଷ ଚିଭି ଓ ଦୈନିକ ସକାଳ ପକ୍ଷରୁ ଆଜି ରାଜ୍ୟର ୧୫ ଜଣ କୃତୀ ଶିକ୍ଷକ ଏବଶିକ୍ଷୟିତ୍ରୀଙ୍କୁ ଗୁରୁବ୍ରହ୍ମା ସମ୍ମାନ ସହ ସମ୍ବର୍ଦ୍ଧନା ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଗୁରୁମାନଙ୍କୁ ସମ୍ମାନିତ କରିଥିଲେ । ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସମ୍ପାଦକ ଉମାକାନ୍ତ ମିଶ୍ର, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ଅଧ୍ୟକ୍ଷ ପ୍ରଫେସର ସଞ୍ଜୀବ ରାଉତ, ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନୱର, ସକାଳର ସିଇଓ ସୁବ୍ରତ ଦାସ ପ୍ରମୁଖ ସମ୍ମାନ ପ୍ରଦାନ କରିଥିଲେ ।

ତିନିଟି ବର୍ଗରେ ୧୫ ଜଣ କୃତୀ ଶିକ୍ଷକ ପୁରସ୍କୃତ ହୋଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ବର୍ଗରେ କେନ୍ଦୁଝର ଜିଲ୍ଲାର ଶିକ୍ଷକ ରୋହିତ କୁମାର ବେହେରା, ନବରଙ୍ଗପୁର ଜିଲ୍ଲାର ଶିକ୍ଷୟିତ୍ରୀ ପ୍ରଭାତୀ ଦେବନାଥ ଏବଂ କଟକ ଜିଲ୍ଲାର ଶିକ୍ଷକ ସୌଭାଗ୍ୟ କୁମାର ବରାଳଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ବିଶେଷ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ଶିକ୍ଷକ ସରୋଜ କୁମାର ଦାଶ ଓ ବଲାଙ୍ଗୀର ଜିଲ୍ଲାର ଶିକ୍ଷକ ଆଲୋକ କୁମାର ପଣ୍ଡା ପୁରସ୍କୃତ ହୋଇଛନ୍ତି । ସେହିପରି ମାଧ୍ୟମିକ ବିଦ୍ୟାଳୟ ବର୍ଗରେ ରଞ୍ଜନ କୁମାର ଦାସ, ଅଜିତ କୁମାର ଜେନା ଓ ପ୍ରସନ୍ନ କୁମାର ନାୟକଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ବିଶେଷ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଓ କନ୍ଧମାଳ ଜିଲ୍ଲାର ଶ୍ୟାମସୁନ୍ଦର ସାହୁ ପୁରସ୍କୃତ ହୋଇଛନ୍ତି ।

ଉଚ୍ଚ ମାଧ୍ୟମିକ ବର୍ଗରେ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷକ ତାପସ କୁମାର ମହାନ୍ତି, ନବରଙ୍ଗପୁର ଜିଲ୍ଲାର ଶିକ୍ଷକ ସନ୍ତୋଷ କୁମାର ଷଡ଼ଙ୍ଗୀ ଓ ବାଲେଶ୍ବର ଜିଲ୍ଲାର ଶିକ୍ଷକ ଡକ୍ଟର ପଙ୍କଜ କୁମାର ଜେନାଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ବିଶେଷ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାର ଶିକ୍ଷକ ବିଜୟ କୁମାର ସାହୁ ଓ ଡକ୍ଟର ସୁବ୍ରତ କୁମାର ପାଣିଗ୍ରାହୀ ପୁରସ୍କୃତ ହୋଇଛନ୍ତି ।

ଗୁରୁବ୍ରହ୍ମା ସମ୍ମାନ ପାଇଁ ସାରା ରାଜ୍ୟରୁ ୩ ଶହରୁ ଅଧିକ ଶିକ୍ଷକ ଆବେଦନ କରିଥିଲେ । ଯାହାର ବିଚାର କରିଥିଲେ ୫ ଜଣିଆ ବିଚାରକ ମଣ୍ଡଳୀ । ଏହି ବିଚାରକ ମଣ୍ଡଳୀରେ ଶିକ୍ଷାବିତ ନିରଞ୍ଜନ ଚନ୍ଦ୍ର ପଣ୍ଡା, ଐତିହାସିକ ଓ ଶିକ୍ଷାବିତ ପ୍ରଫେସର ନିହାରରଞ୍ଜନ ପଟ୍ଟନାୟକ, ଶିକ୍ଷାବିତ ପ୍ରଫେସର ପ୍ରିୟଦର୍ଶୀ କାନୁନଗୋ, ଶିକ୍ଷାବିତ ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ ଏବଂ ଶିକ୍ଷାବିତ ପ୍ରଫେସର ତୁଷାରକାନ୍ତି ତ୍ରିପାଠୀ ସଦସ୍ୟ ଥିଲେ । କାର୍ଯ୍ୟକ୍ରମରେ ସାଇ କଳା ସଂସଦ ପକ୍ଷରୁ ଗୁରୁବନ୍ଦନା ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁଶିଷ୍ୟ ପରମ୍ପରାର ମହତ୍ବ ବୁଝିଥିଲେ ।

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ, ବାଦ୍ ପଡ଼ିଲେ ସାମସନ-ଚହଲ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ଏସିଆ କପରେ ଖେଳୁଥିବା ଟିମରୁ ସଞ୍ଜୁ ସାମସନ ଓ ତିଲକ ବର୍ମା ବାଦ ପଡ଼ିଥିବା ବେଳେ ଇଶାନ କିଷନ, ଅକ୍ଷର ପଟେଲ ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ସିରାଜ ପ୍ରଥମ ଥର ଲାଗି ବିଶ୍ବକପ ଖେଳିବେ । ସେହିପରି ଦଳରେ ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲଙ୍କୁ ସାମିଲ କରାଯାଇଛି ।

ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ବ ତୁଲାଇବେ । କେ ଏଲ ରାହୁଲ ଓ ଇଶାନ କିଷନ ଉଇକେଟ ରକ୍ଷକ ଦାୟିତ୍ବ ତୁଲାଇବେ । ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଅଲରାଉଣ୍ଡିଂ ଦକ୍ଷତା ଥିବା ବେଳେ ବୋଲିଂ ବାହିନୀରେ କୁଲଦୀପ ଯାଦବ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ ଯଶପ୍ରୀତ ବୁମରା । ଏସିଆ କପ୍ ଭଳି ବିଶ୍ୱକପ ସ୍କ୍ୱାଡରେ ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଏବେ ଆସନ୍ତୁ ନଜର ପକାଇବା ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ ଉପରେ ।

ଭାରତୀୟ ସ୍କ୍ୱାଡ୍: ରୋହିତ ଶର୍ମା- ଅଧିନାୟକ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲ (ଉଇକେଟ ରକ୍ଷକ), ଇଶାନ କିଷନ(ଉଇକେଟ ରକ୍ଷକ), ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି,
ମହମ୍ମଦ ସିରାଜ, ଯଶପ୍ରୀତ ବୁମରା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ଏନକାଉଣ୍ଟର, ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ଏନକାଉଣ୍ଟର । ୨ ମାଓବାଦୀ ନିହତ । ତାଡ଼ମେଟଲା ଅଞ୍ଚଳରେ ଯବାନ -ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ଗୁଳିରେ ୨ ମାଓବାଦୀ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଡିଆରଜି ଓ ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ଏନେଇ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

୬ ରାଜ୍ୟର ୭ ବିଧାନସଭା ଆସନରେ ଆଜି ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏସିଡ ଟେଷ୍ଟ । ଝାଡଖଣ୍ଡର ଡୁମରି ଓ ବକ୍ସରନଗର, ତ୍ରିପୁରାର ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଶି, ଉତ୍ତରାଖଣ୍ଡର ବାଗେଶ୍ବର ଓ କେରଳର ପୁଥୁପଲ୍ଲୀ ଆସନ ପାଇଁ ଆସି ସକାଳୁ ଆରମ୍ଭ ହୋଇଛି ଭୋଟିଂ । 5ଆସନରେ ବିଧାୟକଙ୍କ ମୃତ୍ୟୁ ହୋଥିବା ବେଳେ ଦୁଇ ଜଣ ନିଜ ଆସନରୁ ଇସ୍ତଫା ଦେଇଛନ୍ତି । ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ହେଉଛି ପ୍ରଥମ ନିର୍ବାଚନ ଲଢେଇ ।

ଆସନ୍ତା ୮ ତାରିଖରେ ଭୋଟ ଗଣତି ହେବ । ୪ଟି ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଧୁପଗୁଡି ଓ ପୁଥୁପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପାରସ୍ପର ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି । ସେପଟେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।

ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ହେବ । କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହୋଇଛନ୍ତି । ଉତ୍ତରପ୍ରଦେଶର ଘୋଶି ଆସନରୁ ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟି, ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ

ନୂଆଦିଲ୍ଲୀ: G-20 ଶିଖର ସମ୍ମିଳନୀ ପୂର୍ବରୁ ବଢ଼ିଲା ଇଣ୍ଡିଆ ବିବାଦ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଆସନ୍ତା ୯ ତାରିଖରେ ରାଷ୍ଟ୍ରପତି ଭବନରେ ରାତ୍ରଭୋଜନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ କରାଯାଇଛି ବୋଲି ଜୟରାମ ରମେଶ କହିଛନ୍ତି । ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରଖାଯିବା ପରେ ଏହି ନାଁ ଚର୍ଚ୍ଚାରେ ରହିଛି ।ବିଜେପି ନେତା ଲଗାତାର ମେଣ୍ଟ ନାଁକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ପୂର୍ବରୁ ବିଜେପି ସାଂସଦ ଦାବି କରିଛନ୍ତି ।

ମୃତ ଝିଅର ସ୍କଲାରସିପ୍‌ ଓ ଏଲଆଇସିର ୫ଲକ୍ଷ ଟଙ୍କାକୁ ରେଡକ୍ରସକୁ ଦାନ କଲେ ମା’

ନବରଙ୍ଗପୁର: ମୃତ ଝିଅର ସ୍କଲାରସିପ୍‌ ଓ ଏଲଆଇସିର ୫ଲକ୍ଷ ଟଙ୍କାକୁ ରେଡ଼କ୍ରସକୁ ଦାନ କଲେ ମା । ମାର ବାତ୍ସଲ୍ୟ ମମତା ଦୁନିଆରେ ସମସ୍ତ ସ୍ନେହ ଠାରୁ ଉର୍ଦ୍ଧରେ । ଆଉ ଯେବେ ମା ଆଖି ଆଗରେ ଛୋଟ ଛୁଆର ମୃତ୍ୟୁ ହୋଇଯାଏ ତେବେ ସେ ମା ପାଇଁ ଦୁନିଆର ସବୁ ଦୁର୍ଲଭ ବସ୍ତୁ ତୁଚ୍ଛ ଲାଗେ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚନ୍ଦନପାଲା ସ୍କୁଲରେ ଶିକ୍ଷକତା କରନ୍ତି ରଶ୍ମିତା ସେଠି ।

ତାଙ୍କର ଏକ ମାତ୍ର ଶିଶୁ କନ୍ୟା ଦିବ୍ୟମୟୀ ପାତିକା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ରକ୍ତ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କର ମୃତ୍ୟ ଘଟିଥିଲା । ମୃତ ଦିବ୍ୟମୟୀ ମେଧାବୀ ଆଉ ମେଳାପି ଥିଲେ । ତାଙ୍କ ମୃତ୍ୟ ପରେ ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହାସହ ଝିଅକୁ ମିଳିଥିବା ସ୍କଲାରସିପ୍‌ ସହ ତା ପାଇଁ ସୁକନ୍ୟା ଯୋଜନାରେ ଜମା କରିଥିବା ଟଙ୍କା ଆଉ ଏଲଆଇସିରେ ଜମା କରିଥିବା ମୋଟ ୫ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ ଭେଟି ରେଡ଼କ୍ରସକୁ ଦାନ କରିଦେଇଛନ୍ତି । ତାଙ୍କ ଝିଅ ତ ଆଉ ନାହିଁ ଯାହା କିଛି ନିଜ ଝିଅ ପାଇଁ ସାଇତି ରଖିଥିଲି ସେସବୁକୁ ଦାନ କରିଥିବା କହିଛନ୍ତି ।