ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ବସିବ ମାଓ ମୁକାବିଲା ଉଚ୍ଚସ୍ତରୀୟ ବୈଠକ

1 min read

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ । ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ  । ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ । ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶ  ସୁନୀଲ ବଂଶଲ ବୈଠକରେ ଯୋଗଦେବେ  । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା କରାଯିବ । ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ପ୍ରଶଂସନୀୟ । କେନ୍ଦ୍ର ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗୁଆ । ମାଓ ଦମନ, ମାଓ ପ୍ରଭାବିତ ଅଞ୍ଚଳର ଲୋକଙ୍କର ପ୍ରଶାସନ ଉପରେ ବିଶ୍ବାସ ସୃଷ୍ଟି କରିବାରେ ରାଜ୍ୟ ସରକାର ଭଲ କାମ କରିଛନ୍ତି । ପୋଲିସର ଆଧୁନିକୀକରଣ, ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଫଳରେ ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଆକ୍ରମଣ ମାମଲା ୩୦ ପ୍ରତିଶତ ହ୍ରାସ ପାଇଛି ।Maoists | Dent in Maoist support base: 650 members surrender before Odisha  police - Telegraph India

ଗୁଳି ବିନିମୟ ଓ ମୁହାଁମୁହିଁ ଘଟଣା ୩୨ ପ୍ରତିଶତ କମିଥିବା ବେଳେ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ ୫୬ ପ୍ରତିଶତ ହ୍ରାସ ପାଇଛି । ୨୦୧୨ରେ ଓଡ଼ିଶାରେ ୧୯ଟି ଜିଲ୍ଲା ମାଓ ପ୍ରବଣ ଥିବା ବେଳେ ୨୦୨୨ରେ ୧୦ଟି ଜିଲ୍ଲା ସରକାରୀ ଭାବେ ମାଓ ପ୍ରବଣ ଜିଲ୍ଲା ରହିଛି । ହେଲେ ଏହି ୧୦ଟି ଜିଲ୍ଲା ମଧ୍ୟରୁ ୨-୩ଟି ଜିଲ୍ଲା ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିବା ବେଳେ ବାକି ସବୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି କମିବାରେ ଲାଗିଛି । ରାଜ୍ୟ ସରକାରଙ୍କ ନକ୍ସଲ ଦମନ ନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରାଉଣ୍ଡ ଜିରୋରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ କେନ୍ଦ୍ର ଓଡ଼ିଶାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛି  ।