ନୂଆଦିଲ୍ଲୀ: ଆଜିଠୁ ଏସିଆ କପ୍ । ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ପାକିସ୍ତାନ-ନେପାଳ । ଏଥର ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା । କିନ୍ତୁ ଭାରତ ପାକିସ୍ତାନ ଯିବାକୁ ମନା କରିବାରୁ ଶ୍ରୀଲଙ୍କା ଏହାର ସହ ଆୟୋଜକ ହୋଇଛି । ପାକିସ୍ତାନରେ କେବଳ ୪ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ, ବାକି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ । ଭାରତ ସର୍ବାଧିକ ୭ ଥରର ବିଜେତା ରହିଛି । ଅଷ୍ଟମ ଟାଇଟଲ୍ ଲକ୍ଷ୍ୟରେ ରହିଛି ଭାରତ । ଆସନ୍ତା ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଟିମ୍ ଇଲେଭେନ କିଏ ହେବେ ତାକୁ ନେଇ ଚିନ୍ତାରେ ଭାରତ । କେଏଲ ରାହୁଲ, ଶ୍ରେୟସ ଆୟର, ଯଶପ୍ରୀତ୍ ବୁମ୍ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ଦଳ ଧ୍ୟାନ ଦେବ। ୫୦ ଓଭର ପାଇଁ ଏମାନେ କେତେ ଫିଟ୍ ହୋଇଛନ୍ତି ତାହା ଏସିଆ କପ୍ରେ ଜଣାପଡ଼ିବ। ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସାରା ବିଶ୍ବ ନଜର ରଖିଛି।
ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ଟ୍ରି ରିଲୋକେସନ ପାଇଁ ଏସଓପି
ଭୁବନେଶ୍ବର: ଟ୍ରି ରିଲୋକେସନ ପାଇଁ SOP । ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ୱାରା ୩୪.୫ ପ୍ରତିଶତ ଗଛ ବୃଦ୍ଧି ହେଲାଣି । ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ ।
ହେନ୍ତାଳ ବଣ ସୃଷ୍ଟି କରିବାରେ ଦେଶରେ ଆମେ ଏକ ନମ୍ବର । ଜମି ଅଧିଗ୍ରହଣ ସମୟରେ ବହୁ ଗଛ କଟା ଯାଉଛି । ତେଣୁ SOP ହୋଇଛି ଯେ, ଗଛ ଗୋଟେ ଜାଗାରୁ ବାହାର କରାଯାଇ ଆଉ ଏକ ସରକାରୀ ଜମିରେ ଲଗାଯିବ । ଏଥିରେ ପ୍ରାୟ ୩୦ରୁ ୭୦ ପ୍ରତିଶତ ଗଛ ବଂଚିବା ସମ୍ଭାବନା ରହିଛି । ଫନି ସମୟରେ ଏହି କାମ ଶତ ପ୍ରତିଶତ ସଫଳ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକାରୀ ହେଉଛି । ଏହା ଏବେ ଅନୁମୋଦନ ପାଇଛି ବୋଲି ସେ କହିଛନ୍ତି ।
ରାଜଧାନୀରେ ସାବାଡ଼ ହେବେ ଅପରାଧୀ, ଆରମ୍ଭ ହେବ ‘ସହଭାଗିତା’
ଭୁବନେଶ୍ବର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।
ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ କରିବାରେ ଏହି ସିସିଟିଭି ଫୁଟେଜ ହେବ ସହାୟକ । ଦୋକାନୀଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।
ନା ଇଣ୍ଡିଆ ନା ଏନଡିଏ: ଲୋକସଭା ନିର୍ବାଚନ ଏକା ଲଢ଼ବେ ମାୟାବତୀ
ନୂଆଦିଲ୍ଲୀ: ବିଜେପିକୁ ଚେକ୍ ଦେବାକୁ ବିରୋଧୀ ଗୋଟିଏ ଛାତ ତଳେ ଏକାଠି ହେବାକୁ ଚଲାଇଥିବା ଉଦ୍ୟମକୁ ଲାଗିଛି ଝଟକା । ଏହି ମେଣ୍ଟରେ ନ ରହି ୨୦୨୪ ନିର୍ବାଚନ ଏକା ଲଢ଼ିବାକୁ ବିଏସପି ସୁପ୍ରିମୋ ମାୟାବତୀ ନେଇଛନ୍ତି ନିଷ୍ପତ୍ତି । ଟ୍ବିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି ମାୟାବତୀ ।
ଅନୁମାନ କରାଯାଉଥିଲା ବିଏସପି ଇଣ୍ଡିଆ ମେଣ୍ଟରେ ସାମିଲ ହେବ । ଏଥିପାଇଁ ଉଦ୍ୟମ ଜାରି ରହିଥିଲା । ହେଲେ ଟ୍ବିଟ କରି ମାୟାବତୀ ଏମିତି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । ଟ୍ବିଟରରେ ପୋଷ୍ଟ କରି ସେ ଉଲ୍ଲେଖ କରିଛନ୍ତି, ‘ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଗରିବ ବିରୋଧୀ । ଏହାସହ ଏହା ଜାତିବାଦ ଓ ପୁଞ୍ଜିବାଦ ନେତାଙ୍କ ଦଳ । ଏମିତି ନେତାଙ୍କ ବିରୋଧରେ ବିଏସପି ଲଢ଼େଇ କରୁଛି । ଏମିତି ସ୍ଥିତିରେ ଏହି ମେଣ୍ଟରେ ରହି ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି ।’
ମାୟାବତୀଙ୍କ ମତ ଏମିତି ସୟମରେ ଆସିଛି, ଯେଉଁ ସମୟରେ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଯାଉଛି । ଗତକାଲି ୩୧ ଅଗଷ୍ଟରେ ମୁମ୍ବାଇରେ ମେଣ୍ଟର ତୃତୀୟ ବୈଠକ ବସିବ । ଏଥିପାଇଁ ବିରୋଧୀ ଦଳର ନେତାମାନେ ମୁମ୍ବାଇରେ ପହଞ୍ଚିବାକୁ ଲାଗିଲେଣି ।
ନବଜାତ ଶିଶୁର ପରିବାରକୁ ଧମକାଇ ୧୫ ହଜାର ଟଙ୍କିଆ ବିଲେଇ ନେଇ ପଳାଇଲେ କିନ୍ନର
ଇନ୍ଦୋର: ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି ଅଜବ ମାମଲା । ଝିଅ ହୋଇଥିବା ଏକ ପରିବାର କିନ୍ନରଙ୍କୁ ଅଭିନନ୍ଦନ ଭେଟି (ନେଗ)ରେ ୫୧ ହଜାର ଟଙ୍କା ଦେଇ ନପାରିବାରୁ ଘରୁ ଏକ ବିଦେଶୀ ପ୍ରଜାତିର ବିଲେଇ ଉଠାଇ ନେଇଥିବା ହୋଇଛି ଅଭିଯୋଗ । ବିଲେଇଟିର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୫ ହଜାର ଟଙ୍କା ହେବ ।
ଘଟଣା ଇନ୍ଦୋର ଦ୍ବାରିକାପୁର ଅଞ୍ଚଳର । ଅମୋଧ ଗଡ଼କାରୀଙ୍କ ଘରକୁ ନନ୍ଦଲାଲାପୁରାର କିନ୍ନର କହି ଏକ ଦଳ ଅଭିନନ୍ଦନ ଭେଟି ନେବାକୁ ପହଞ୍ଚି ଥିଲେ । ଅପରାହ୍ଣରେ ସେମାନେ ଜୋର ଜବରଦସ୍ତ ଅମୋଧଙ୍କ ଘରେ ପଶି ଯାଇଥିଲେ । ଏହାପରେ ସେମାନେ ନାଚଗୀତ ଆରମ୍ଭ କରିବା ସହ ଝିଅ ଜନ୍ମ ହୋଇଥିବାରୁ ଅଭିନନ୍ଦନ ବାବଦକୁ ୫୧ ହଜାର ଟଙ୍କା ଦାବି କରିଥିଲେ ।
ଘରେ ଏତେ ଟଙ୍କା ନଥିବାରୁ ପରିବାର ଲୋକେ ଅସମର୍ଥତା ପ୍ରକାଶ କରିବା ସହ ଅଢେଇ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ କଳ୍ପନା ପାଲକ ଓ ବାଲ୍ ନାମକ ଦୁଇ କିନ୍ନର କ୍ୟୁଆର କୋଡରେ ଟଙ୍କା ପଠାଇବାକୁ କହିଥିଲେ । ହେଲେ ଏତେ ଟଙ୍କା ଯୋଗାଡ଼ ହୋଇ ନପାରିବାରୁ କିନ୍ନରମାନେ ନବଜାତ ଶିଶୁକୁ ନେଇ ଯିବାକୁ ବସିଥିଲେ ।
ଏହି ସମୟରେ ଘରେ କେହି ପୁରୁଷ ଲୋକ ଉପସ୍ଥିତ ନଥିଲେ । ଅମୋଧଙ୍କ ପରିବାରର ମହିଳାମାନେ କିନ୍ନରଙ୍କ ହାତଗୋଡ଼ ଧରି ଥିଲେ ବି ସେମାନେ କିଛି ଶୁଣି ନଥିଲେ । ଏହାପରେ ପିଲାକୁ ଜୀବନ୍ତ ପୋତି ଦେବାକୁ କିନ୍ନରମାନେ ଧମକାଇଥିଲେ । ଭୟରେ ମହିଳାମାନେ ଯାହା ଯେମିତି କରି ୨୧ ହଜାର ଟଙ୍କା ଯୋଗାଡ଼ କରିଥିଲେ । ଘରୁ ଯିବା ବେଳେ କିନ୍ନରମାନେ ଜାଣିବାକୁ ପାଇଥିଲେ ଘରେ ଏକ ଦାମୀ ବିଦେଶୀ ବିଲେଇ ଅଛି । ପରେ ସେମାନେ ଟଙ୍କା ବଦଳରେ ଜେନୀ ନାମକ ପର୍ଶିୟାନ ପ୍ରଜାତୀର ବିଲେଇଟିକୁ ଜୋର ଜବରଦସ୍ତ ନେଇ ଯାଇଥିଲେ । ବିଲେଇକୁ ଛାଡିବାକୁ କହିବାରୁ ୫୧ ହଜାର ଟଙ୍କା ଦିଅ ଓ ନେଇଯାଅ ବୋଲି କିନ୍ନରମାନେ କହିଥିବା ଥାନାରେ ଅଭିଯୋଗ ହୋଇଛି ।
ସୂର୍ଯ୍ୟ ମିଶନର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଆପଣ ବି ଦେଖନ୍ତୁ
ଶ୍ରୀହରିକୋଟା: ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ପ୍ରତିଦିନ କିଛି ନା କିଛି କରିସ୍ମା ଦେଖାଉଥିବା ବେଳେ ଏବେ ସବୁଠି ଭାରତର ସୂର୍ଯ୍ୟ ମିଶନ ଚର୍ଚ୍ଚା । ଏହାରି ଭିତରରେ ଦେଖିବାକୁ ମିଳିଛି ଆଦିତ୍ୟ ଏଲ-୧ର ପ୍ରଥମ ଝଲକ । ଟ୍ବିଟର ପେଜରେ ଇସ୍ରୋ ପୋଷ୍ଟ କରିଛି ଏହାର ପ୍ରଥ ଫଟୋ ।
ଆସନ୍ତା ୨ ତାରିଖରେ ଲଞ୍ଚିଂ ଥିବା ବେଳେ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ୧୧ଟା ୫୦ରେ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଧାର୍ଯ୍ୟ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଆଦିତ୍ୟ ଏଲ୧କୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା । ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ ।
ମନ୍ଦିର ଭାଙ୍ଗି ପୋତାଧନ ଖୋଜୁଥିଲେ, ଗ୍ରାମବାସୀ ଆସି ଯିବାରୁ ଚମ୍ପଟ ମାରିଲେ
ଟିଟିଲାଗଡ଼: ପୋତାଧନ ପାଇବା ଆଶାରେ ଭାଙ୍ଗୁଥିଲେ ପୁରାତନ ମନ୍ଦିର । ଗ୍ରାମବାସୀ ଘେରିବାରୁ ବାଇକ୍ ଛାଡି ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ଟିଟିଲାଗଡ ଥାନା କୁମ୍ଭେଇପଡା ଗାଁରେ ।
ରାତି ପ୍ରାୟ ୧୦ଟାରେ ଗାଁ ମୁଣ୍ଡରେ ଥିବା ବହୁ ପୁରାତନ ମନ୍ଦିରରୁ କିଛି ଶବ୍ଦ ଓ ଲାଇଟ ଦେଖିବାକୁ ପାଇଥିଲେ ଗ୍ରାମବାସୀ । କ’ଣ ହେଉଛି ହଠାତ ବୁଝିନପରି ସମସ୍ତେ ଏକତ୍ରିତ ହୋଇ ମନ୍ଦିର ନିକଟକୁ ପହଞ୍ଚିଥିଲେ । ଏହି ସମୟରେ ଗ୍ରାମବାସୀ ମନ୍ଦିର ନିକଟକୁ ଆସୁଥିବା ଦେଖି ଦୁର୍ବୃତ୍ତ ଘାଟଣାସ୍ଥଳରୁ ନିଜ ବାଇକ୍ ଓ ମନ୍ଦିର ଖୋଲିବା ପାଇଁ ଆଣିଥିବା ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ଛାଡି ଅନ୍ଧାରର ସୁଯୋଗ ନେଇ ପଳାଇଥିଲେ । ଗ୍ରାମବାସୀ ଟିଟିଲାଗଡ ପୋଲିସକୁ ଖବର ଦେବା ପରେ ପୋଲିସ ଗାଁରେ ପହଞ୍ଚି ୩ଟି ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି ।
ମଣିପୁରରେ ପୁଣି ଫୁଟିଲା ଗୁଳି: ଚାଲିଗଲା ଦୁଇ ଜୀବନ, ୪ ଗିରଫ
ମଣିପୁର: ହିସାଂ ମଣିପୁରରେ ଥମିବାର ନାଁ ନେଉନି । ପୁଣି ଫୁଟିଛି ଗୁଳି, ଅଶାନ୍ତ ହୋଇଛି ମଣିପୁର । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ହୋଇଛି ଗୁଳିମାଡ଼ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ୭ ଜଣ ବନ୍ଧୁକ ଧାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୨ ମୃତକ ହେଲେ ଲାଇବୁଜମ ଇନାଓ ଓ ଜଙ୍ଗମିନଲେନ୍ ଗାଙ୍ଗଟେ । ଗତ ୩ ମାସ ପରେ ସାଧାରଣ ଜୀବନଶୈଳୀକୁ ଫେରି ପାରୁନାହାନ୍ତି ମଣିପୁରବାସୀ । ଏବେ ଚାଷ ଋତୁ ହୋଇଥିବାରୁ ଲୋକ କ୍ଷେତକୁ ଯାଉଥିବା ବେଳେ, ହିଂସାର ଶିକାର ହେଉଛନ୍ତି । ଗତ ମେ’ ମାସରୁ ରାଜ୍ୟରେ ହିଂସା ସ୍ଥିତି ଜାରି ରହିଥିବା ବେଳେ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି । ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ଏଭଳି ସ୍ଥିତିରେ ଗତକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ କୁକୀ ଓ ଜୋମି ସମ୍ପ୍ରଦାୟର ବିଧାୟକ ବିଧାନସଭା ଅଧିବେଶନକୁ ବହିଷ୍କାର କରିଛନ୍ତି ।

