ଦୀପାବଳିରେ ଦିଲ୍ଲୀରେ ଫୁଟିଲାନି ବାଣ

ନୂଆଦିଲ୍ଲୀ: ସଚେତନ ହେଲେ ଦିଲ୍ଲୀବାସୀ । ଦୀପାବଳିରେ ଫୁଟିଲାନି ବାଣ । ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁଗୁଣବତ୍ତା ଦୀପାବଳିରେ ଭଲ ରହିଥିବା ସୂଚନା ମିଳିଛି । ଗତବର୍ଷ ଦୀପାବଳିରେ ଏକ୍ୟୁଆଇ ୩୧୨ ଥିଲାବେଳେ ଚଳିତ ବର୍ଷ ଏକ୍ୟୁଆଇ ରହିଥିଲା ୨୧୮ । ୨୦୨୦ରେ ଏକ୍ୟୁଆଇ ୪୧୪ ଥିବାବେଳେ ୨୦୨୧ରେ ଏହା ଥିଲା ୩୮୨ । ବାଣ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଥିବାରୁ ଚଳିତ ବର୍ଷ ସ୍ଥିତି ହୋଇଛି ସୁଧାର ।

ତେବେ ଦିଲ୍ଲୀ ସୀମା ଅନ୍ତର୍ଗତ ପଞ୍ଜାବ, ହରିଆଣାରେ ନଡା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ପରିବେଶ ଉପରେ ପଡିଛି । ସେପଟେ ଖୋଲାରେ ବର୍ଜ୍ୟପଦାର୍ଥ ଜାଳିବା ନେଇ ୩୮୩ ଜଣଙ୍କ ବିରୋଧରେ ଚାଲାଣ କାଟିଛି ଦିଲ୍ଲୀ ମହାନଗର ନିଗମ । ସେହିପରି ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ୮୨୩ଟି ଚାଲାଣ ବି କଟାଯାଇଛି । ଉଭୟ କ୍ଷେତ୍ରରେ ୧ କୋଟି ୭୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । ପ୍ରବଳ ଗହଳି ହେଉଥିବା ଅଞ୍ଚଳକୁ ନ ଯିବା ଲାଗି ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଘରୁ ନବାହାରିବା ସହ ରାସ୍ତାରେ ଦୌଡିବା, ମର୍ଣ୍ଣିଂଓ୍ବାକ, ଶାରୀରିକ ବ୍ୟାୟାମ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ନିୟମିତ ଆଖି ଧୋଇବା, କୁଳୁକୁଚା କରିବା ଲାଗି ମଧ୍ୟ କହିଛି ସ୍ବାସ୍ଥ୍ୟ ବିଭାଗ ।