ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ, କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଆହତ ଭର୍ତ୍ତି

ଭଦ୍ରକ: ଭଦ୍ରକରେ ବାଣ ବିସ୍ଫୋରଣରେ ୫ ଶିଶୁ ଗୁରୁତର । ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସମୟରେ ଅଘଟଣ ଘଟି ୫ ଜଣ ପିଲା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲାର ସୁଗୋ, ଯାହାଙ୍ଗୀର, କେଦାରପୁର, ସରମରା ଅଂଚଳରେ ଅଘଟଣ ଘଟିଛି । ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆ ବଜାରରେ ବାଣ ବିସ୍ପୋରଣରେ ଜଣେ ଗୁରୁତର ହୋଇଛନ୍ତି । ଶଶିକାନ୍ତ ନାୟକଙ୍କ ଡାହାଣ ହାତର ଗୋଟିଏ ଆଙ୍ଗୁଠି ଉଡ଼ିଯାଇଥିବା ସୂଚନା ମିଳିଛି  ।

ସେପଟେ ଢେଙ୍କାନାଳ ସଦର ବ୍ଲକ ଠେଙ୍ଗିଆ ସାହିରେ ବାଣ ପଡ଼ି ଜଳିଗଲା ଘର । ପ୍ରଥମେ ବାଣ ପଡ଼ି ଏକ ଚାଳଘରେ ନିଆଁ ଲାଗିଯାଇଥିଲା । ପରେ ଆଉ ଏକ ଘରକୁ ନିଆଁ ବ୍ୟାପିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି ।

ରାଜଧାନୀରେ ମଧ୍ୟ ବାଣ ଫୁଟାଇବା ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବରମୁଣ୍ଡା, ସାମନ୍ତରାପୁର, ଟଙ୍କପାଣି ରୋଡ୍ , ବାଲିପାଟଣା, ଯଦୁପୁରରେ ବାଣ ଫୁଟି ଅନେକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଆହତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ସମସ୍ତଙ୍କୁ କାଜୁଆଲଟିରେ ଚିକିତ୍ସା କରାଯାଉଛି  । କାହାର ଅବସ୍ଥା ଗୁରୁତର ନଥିବା ସୂଚନା ମିଳିଛି  । ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ତରଫରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି  ।

ସୋରର ବିଭିନ୍ନ ସ୍ଥାନରୁ ବାଣ ଫୁଟାଇ ୧୦ରୁ ଉର୍ଦ୍ଧ୍ବ ଗୁରୁତର । ଆହତ  ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଟେଣ୍ଟେଇ ଗାଁରେ ବାଣ ନିଆଁରେ ଚାରି ବଖରା ଘର ଜଳି ଯାଇଛି। ଦୀପାବଳି ଅବସରରେ ସନ୍ଧ୍ୟାରେ ବ୍ଲକରେ ବିଭିନ୍ନ ଗ୍ରାମରେ ବାଣ ଫୁଟାଇଥିଲେ ଲୋକେ । ବାଣ ନିଆଁରେ ଜଣେ ଶିଶୁ ସମେତ ଦଶରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।