ଉତ୍ତରକାଶୀ ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ, ଉଦ୍ଧାର କାମ ଜାରି

1 min read

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଧସିବା ଘଟଣାରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ  ପକ୍ଷରୁ ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ । ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ତାଲିକା ଘୋଷଣା କରିଛି ନବଯୁଗ କନଷ୍ଟ୍ରକସନ କମ୍ପାନି ।

୭ ରାଜ୍ୟ ମଧ୍ୟରୁ ଝଡଖଣ୍ଡରୁ ସର୍ବାଧିକ ୧୫ ଜଣ ଅଛନ୍ତି । ସେହିପରି ଓଡ଼ିଶାରୁ ୫ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ଏହି ୫ ଓଡ଼ିଆ ଶ୍ରମିକ ହେଲେ ତପନ ମଣ୍ଡଳ, ଭଗବାନ ପତ୍ରା, ବିଶ୍ବେଶ୍ବର ନାୟକ, ରାଜୁ ନାୟକ ଓ ଧୀରେନ୍ । ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏକ ମୋଟର ଜରିଆରେ ଶ୍ରମିକମାନେ ପାଣିକୁ ବାହାରକୁ କାଢିବାରେ ସକ୍ଷମ ହୋଇଛନ୍ତି । ଖୁବ ଶୀଘ୍ର ଧସିଥିବା ମାଟିକୁ ବାହାର କରାଯିବା ଆଶା ରହିଛି । କର୍ତ୍ତୃପକ୍ଷଙ୍କ ପକ୍ଷରୁ ହେଲପଲାଇନ ନମ୍ବର 7455991223 ଜାରି ହୋଇଛି ।

ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ, ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି । ବ୍ରହ୍ମଖାଲ-ଯମୁନେତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲରେ ଘଟିଛି ଏହି ଦୁର୍ଘଟଣା । ସିଲକୟାରା-ଡଣ୍ଡଲଗାଓଁକୁ ସଂଯୋଗ କରୁଥିବା ରାସ୍ତାରେ ଚାଲିଥିଲା ଏହି ଟନେଲ କାମ। ଫସି ରହିଥିବା ଭର୍ଟିକାଲ ଡ୍ରିଲିଂ ମେସିନ ଜରିଆରେ ଟନେଲ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି । ଟନେଲର ଆରମ୍ଭ ସ୍ଥଳରୁ ୨୦୦ ମିଟର ପରେ ଟନେଲ ଧସିଛି ବୋଲି କହିଛନ୍ତି ଉତ୍ତରକାଶୀ ଏସପି ଅର୍ପଣ ଯଦୁବଂଶୀ । ଫସିଥିବା ଶ୍ରମିକଙ୍କ ନିକଟକୁ ଖାଦ୍ୟ ବି ପଠାଯାଉଛି । ସେମାନଙ୍କୁ ନିରାପଦରେ ବାହାର କରିବା ଲାଗି ସମସ୍ତ ପ୍ରୟାସ ଜାରି ରହିଛି ।

ଏହି ଟନେଲ ହେଉଛି ଚାରଧାମ ପ୍ରକଳ୍ପର ସବୁଦିନିଆ ରାସ୍ତା ପ୍ରକଳ୍ପ । ଏହି ପ୍ରକଳ୍ପ ଯୋଗୁ ଉତ୍ତରକାଶୀରୁ ଯମୁନେତ୍ରୀ ଦୂରତା ୨୬ କିଲୋମିଟର କମିବ ।