କଟକ : କଟକ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିଛନ୍ତି । ଲୋକଙ୍କୁ ଭେଟିବା ସହ ଦରଖାସ୍ତ ଗ୍ରହଣ କରୁଛନ୍ତି 5T ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ଦେଉଛନ୍ତି ପ୍ରତିଶ୍ରୁତି । ସେହିପରି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି 5T ସଚିବ । ଜନଶୁଣାଣୀ ସଭାରେ ବହୁ ସଂଖ୍ୟାରେ ମିଶନ ଶକ୍ତି ମାଆ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଯବାନଙ୍କ ଠାରୁ ୧୦ ଲକ୍ଷ ଠକେଇ ଘଟଣା : ୪ ଠକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
କଟକ : କଟକ ଷଷ୍ଠ ବାଟାଲିୟନ ଯବାନଙ୍କ ଠାରୁ ୧୦ ଲକ୍ଷ ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ୪ ଠକଙ୍କ ନିକଟରୁ ୪ ଭରି ସୁନା ସହ ୨ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଷଷ୍ଠ ବାଟାଲିୟନର ଯବାନ ମାନସ ବାରିକ ଲୋଭର ବଶବର୍ତ୍ତୀ ହୋଇ ଠକେଇର ଶିକାର ହୋଇଥିଲେ । ଦୁଇ ଲକ୍ଷ ଟଙ୍କା ଲାଭ ପାଇବା ଲୋଭରେ ୧୦ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିଲେ । ୧୦ ଲକ୍ଷ ପାଞ୍ଚ ଶହ ଟଙ୍କିଆ ଦେଲେ ଠକ ତାଙ୍କୁ ୧୦୦ ଓ ୨୦୦ ଟଙ୍କିଆ କରି ବାର ଲକ୍ଷ ଦେବ ବୋଲି କହିଥିଲେ ଠକ ।
ମାନସ ଓ ତାଙ୍କର ଜଣେ ସାଙ୍ଗକୁ ଏହି ଟଙ୍କା ଦେବା ପାଇଁ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ସ୍ଥାନକୁ ଡକାଇଥିଲେ । ପରେ ଦୁଇ ଦୁର୍ବୃତ୍ତ ଉଭୟ ପୋଲିସ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଦୁଇ ପୋଲିସ କର୍ମଚାରୀ ଏ ବାବଦରେ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର
କଟକ : ଆଜି ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ହାଇକୋର୍ଟର ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ତାଳପତ୍ର ଏବେ ବରିଷ୍ଠ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି ।
ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ ଅନୁସାରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି । ଏନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପୂର୍ବରୁ ପ୍ରକାଶ ପାଇଥିଲା । ୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି ।
ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରା ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ।
୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି । ସୋମବାର ଦିନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅବସର ନେଇଥିବା ବେଳେ ଆଜି ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।
୨ ଘଣ୍ଟା ପରେ ମିଳିଲା ନିଖୋଜ କାଉଡିଆଙ୍କ ମୃତଦେହ
ସୋର : ୨୨ ଘଣ୍ଟା ପରେ ୨ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର । ସାଳନ୍ଦୀ ନଦୀରେ ଭାସି ନିଖୋଜ ଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜଳଲାଗି ପାଇଁ ନଦୀରୁ ପାଣି ଉଠାଇବା ବେଳେ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲା ବରଦା ଗାଁ ଦେଇ ଯାଇଥିବା ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ ଗାଁର ୧୮ ଜଣ କାଉଡ଼ିଆ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ନେବା ପାଇଁ ଯାଇଥିଲେ ।
ସମସ୍ତେ ଆଗପଛ ହୋଇ ପାଣି ନେଉଥିବା ବେଳେ ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସିଯିବାରୁ ସେ ଭାଶି ଯାଇଥିଲେ । ଗତକାଲି ଠାରୁ ଓଡ୍ରାଫ ଟିମ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳିନଥିଲା, ଓଡ୍ରାଫ ଟିମ ସାନ ଜୟୀପୁର ଗାଁର ସୁବ୍ରତ ମହାକୁଡ଼ଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି । ଅଞ୍ଚରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
ପ୍ରେମରେ ବିଫଳ ହେବାରୁ ପ୍ରେମିକର ନାରକୀୟ କାଣ୍ଡ
ଭୁବନେଶ୍ୱର : ମଧ୍ୟରାତ୍ରୀରେ ନାରକୀୟକାଣ୍ଡ ଘଟାଇଲା ଦୁର୍ବୃତ୍ତ । ବ୍ଲେଡ୍ରେ ସ୍ୱାମୀର ତଣ୍ଟି କାଟିଲା, ସ୍ତ୍ରୀକୁ ଛୁରାମାଡ଼ କଲା । ମଞ୍ଚେଶ୍ବର ଥାନା ପଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ଅଘଟଣ । ଦୁଇ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ଗୋଟାଏ ବେଳେ ହସ୍ପିଟାଲ ନିଆଯାଇଛି । ସ୍ୱାମୀ ସତ୍ୟଘନ ସ୍ୱାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମଞ୍ଚେଶ୍ବର ପୋଲିସ ଘଟଣାର ଛାନଭିନ ଚଳାଇଛି । ପ୍ରେମରେ ବିଫଳ ହେବାରୁ ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ ।
ଲୋକସଭା ପରେ ରାଜ୍ୟସଭାରେ ପାସ୍ ହେଲା ଦିଲ୍ଲୀ ସେବା ବିଲ୍
ନୂଆଦିଲ୍ଲୀ : ରାଜ୍ୟସଭାରେ ପାସ ହେଲା ଦିଲ୍ଲୀ ସେବା ବିଲ୍ । ଲୋକସଭା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଭୋଟିଂ ମାଧ୍ୟମରେ ପାରିତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍ । ବିଲ୍ ସମର୍ଥନରେ ୧୩୧ଟି ଭୋଟ ପଡ଼ିଥିବାବେଳେ ବିରୋଧରେ ପଡ଼ିଥିଲା ୧୦୨ଟି ଭୋଟ୍ । ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।
ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। କେଜ୍ରିଓ୍ବାଲ କହିଛନ୍ତି କେନ୍ଦ୍ର ସରକାର ଅହଙ୍କାରୀ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ କେନ୍ଦ୍ର ସରକାର ମାନିଲା ନାହିଁ । ଆପକୁ ହରାଇବା ଅସମ୍ଭବ ବୋଲି ବିଜେପି ଜାଣିସାରିଛି । ଦିଲ୍ଲୀବାସୀ ୨୫ ବର୍ଷ ହେଲା ବିଜେପିକୁ ବନବାସରେ ରଖିଛନ୍ତି, ଏଣୁ ପଛ କବାଟ ଦେଇ ଦିଲ୍ଲୀର ଶାସନ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିବା କେଜ୍ରିଓ୍ବାଲ କହିଛନ୍ତି ।
ସେପଟେ ବିଲକୁ ଅସାମ୍ବିଧାନିକ କହି ବିଜେପି ଉପରେ ବର୍ଷିଥିଲା କଂଗ୍ରେସ । ଆଲୋଚନା ସମୟରେ ବିରୋଧୀ ଦଳର ସାଂସଦ ହଟଗୋଳ କରିଥିଲେ । ଦିଲ୍ଲୀରେ ବିଜେପି ସୁପର ସିଏମ ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ପ୍ରଥମ ଥର ଲାଗି ଏଭଳି ଏକ ନିୟମ ଲାଗୁ ହେବାକୁ ଯାଉଛି, ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀ ଦୁଇ ଜଣ ସଚିବଙ୍କ ତଳେ ରହିବେ । ଏହି ବିଲ ପାସ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୟ ସୃଷ୍ଟି କରିବା ବୋଲି କଂଗ୍ରେସ କହିଛି ।
ଶୁଭଲକ୍ଷ୍ମୀ ସୁଇସାଇଡ୍ ସସପେନ୍ସରୁ ଉଠୁଛି ପରଦା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ
କଟକ : ଶୁଭଲକ୍ଷ୍ମୀ ସୁଇସାଇଡ଼ ସସପେନ୍ସରୁ ଉଠୁଛି ପରଦା । ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଲକ୍ଷ୍ମୀସାଗର ପୋଲିସ ହାତରେ ଲାଗିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀ ନିଶା ସେବନ କରିଥିବା ସ୍ପଷ୍ଟ ହୋଇଛି । ତେବେ କିଏ ଓ କାହିଁକି ନିଶା ଦେଇଥିଲା ସେ ନେଇ ଚାଲିଛି ତଦନ୍ତ । ସେପଟେ SFSL ଗଲା ଭିସେରା ଓ ପୋଷ୍ଟମର୍ଟମ ସାମ୍ପୁଲ । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ ।
ବାର୍ କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି ପୋଲିସ । କଟକ ରୋଡ଼ ଦୀପାଳି ଲଜ୍ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ପାଖକୁ କିଏ ଅବା ଶୁଭଲକ୍ଷ୍ମୀ କାହାକୁ ଫୋନ କରିଥିଲେ । କାହା ସହିତ ଶେଷଥର ପାଇଁ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ଏନେଇ ଏସଏଫଏସଏଲ ରିପୋର୍ଟ ତଥ୍ୟ ଅନୁସାରେ ତଦନ୍ତକୁ ଆହୁରି ଜୋରଦାର କରାଯିବ । ସେପଟେ ଶୁଭଲକ୍ଷ୍ମୀଙ୍କ ରିଲ୍ସରେ ନଜର ଆସୁଥିବା ପୁରୁଷବନ୍ଧୁଙ୍କୁ ମାରାଥନ ଜେରା କରିଛି ଲକ୍ଷ୍ମୀସାଗର ପୋଲିସ । ୨ ତାରିଖରୁ ୪ ତାରିଖ ମଧ୍ୟରେ ହୋଟେଲ ରୁମରେ ଶୁଭଲକ୍ଷ୍ମୀ କାହା ସହ ମିଶିଥିଲେ ? ସେ ସବୁ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରାଯାଇଛି । ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-ଟ୍ବେଣ୍ଟି ଲଢେଇ
ନୂଆଦିଲ୍ଲୀ : ଆଜି ଭାରତ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମୁକାବିଲା । ରାତି ୮ଟାରେ ଖେଳାଯିବ ମ୍ୟାଚ । ୫ ଟିକିଆ ସିରିଜରେ ଲଗାତର ଦୁଇଟି ମ୍ୟାଚ ଜିତି ୨-୦ରେ ଆଗୁଆ ରହିଛି ଘରୋଇ ଦଳ । ତେଣୁ ଆଜିର ମ୍ୟାଚ ଜିତି ସିରିଜ ବଞ୍ଚାଇବା ଲକ୍ଷ୍ଯରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରବିବାର ଦିନ ତ୍ରିନିଦାଦରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ଦୁଇ ଓ୍ବିକେଟର ଜିତିଥିଲା ଘରୋଇ ଦଳ ।
ସେହିପରି ପ୍ରଥମ ଟି-୨୦କୁ ୪ ରନରେ ଜିତିଥିଲା ଓ୍ବେଷ୍ଟଇଣ୍ଡିଜ୍ । ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮ଟି ଟି-୨୦ ସିରିଜ ଖେଳାଯାଇଥିବା ବେଳେ ୬ଟିରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । କାରବିଆନ ବାହିନୀ କେବଳ ଦୁଇଟି ସିରିଜରେ ସଫଳତା ହାସଲ କରିଛି । ତେବେ ଆଜିର ମ୍ୟାଚ ଉପରେ ରହିଛି କ୍ରିକେଟପ୍ରେମୀଙ୍କ ନଜର । ଆଜି ଯଦି ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ ଜିତେ ତେବେ ସିରିଜ ୩-୦ରେ ଆଗୁଆ ରହିବା ସହ ଆଗୁଆ ସିରିଜ୍ କବଜା କରିବାରେ ସଫଳ ହେବ ଘରୋଇ ଟିମ୍ ।
ପୁଣି ଆସନ୍ତା ୧୪ ରୁ ୧୭ ତାରିଖ ଯାଏଁ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତା ୧୪ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା । ୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଲଘୁଚାପରେ ପରିଣତ ନହେଲେ ବି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । କିଛି ସ୍ଥାନରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି ।
ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଗଜପତି, ମାଲକାନଗିରି ଏବଂ କୋରାପୁଟକୁ ଘଡଘଡି ବିଜୁଳି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ମୌସୁମୀ ନିମ୍ନଚାପରେଖା ଦୁର୍ବଳ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା
ଚଣ୍ଡିଗଡ଼ : ହରିୟାଣାରେ ସୁଧୁରୁନି ସ୍ଥିତି । ପାରିପାର୍ଶ୍ବିକ ଅବସ୍ଥାକୁ ନଜରରେ ରଖି ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ଥିତି ଉପରେ ପୋଲିସର ରହିଛି ତୀକ୍ଷ୍ଣ ନଜର । ଶାନ୍ତିରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ମୋବାଇଲ ସେବାକୁ ବନ୍ଦ ରଖାଯାଇଛି ।
ଗତ ୫ ତାରିଖରୁ ହିଂସାକୁ ଦୃଷ୍ଟିରେ ରଖି ନୁହରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଗତକାଲି ବୁଲଡୋଜରରାଜ ଉପରେ ହାଇକୋର୍ଟ ରୋକ୍ ଲଗାଇଥିବାବେଳେ ବନ୍ଦ ରହିଛି ଭଙ୍ଗାରୁଜା । ପ୍ରାୟ ଚାରି ଦିନ ଧରି ହିଂସାକୁ କେନ୍ଦ୍ର କରି ନୁହରେ ବୁଲଡୋଜରରାଜ୍ ଯୋଗୁ ଶହ ଶହ ଘର ମାଟିରେ ମିଶିଛି । ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଗତକାଲି ସକାଳ ୯ଟାରୁ ୪ ଘଣ୍ଟା ଲାଗି କର୍ଫ୍ୟୁ ହଟାଯାଇଥିଲା । କର୍ଫ୍ୟୁ କୋହଳ ପରେ ଧୀରେଧୀରେ ଯାନବାହନ ଚଳାଚଳ ଆରମ୍ଭ କରିଛି । ବସ୍ ଯାତ୍ରା ବି ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ବି ଜାରି ରହିଥିବା ବେଳେ ଉତ୍ତେଜନାପ୍ରବଣ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

