ମୁମ୍ବାଇ: ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ ଧନକର ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଛି । ଏହା ସର୍ବଶେଷ ଓ ସପ୍ତମ ଷ୍ଟିଲ୍ଥ ଯୁଦ୍ଧ ଜାହଜ । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା । ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ ନୌସେନାରେ ସାମିଲ ହୋଇସାରିଛି । ଭାରତ ଯୁଦ୍ଧ ଜାହଜ ନିର୍ମାଣରେ ଆତ୍ମନିର୍ଭର ହୋଇଥିବା କୁହାଯାଉଛି ।
ଆଜି ଉତ୍କେଲା ବିମାନବନ୍ଦର ଉଦଘାଟନ, ପ୍ରଥମ ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି: ଆଜି ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର । ସଜେଇ ହୋଇଛି ବିମାନ ବନ୍ଦର । ଦିନ ୧୦ଟା ୩୦ରେ ବିମାନ ବନ୍ଦର ଉଦଘାଟନ ହେବାକୁ ଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି । ଆଉ କିଛି ସମୟରେ ପରେ ଭୁବନେଶ୍ବରକୁ ଉତ୍କେଲାକୁ ଉଡ଼ିବ ବିମାନ । ସବୁଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ ଉଡିବ ବିମାନ ସେବା । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଶୁଭାରମ୍ଭ କରିବେ । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଂଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଂଚିବ ।
୯ଟି ସିଟ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିବେ । ଏଥିପାଇଁ ଟିକେଟର ଦାମ ୯୯୯ ଟଙ୍କା । ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚିବେ । ଗତ ୭ରେ ଡିଜିସିଏ ପକ୍ଷରୁ ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।
ଆଜି ମୁମ୍ବାଇରେ ମେଗା ଶୋ, ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ
ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ରୋଡମ୍ୟାପ । ଏନଡିଏ ବିରୋଧରେ ଇଣ୍ଡିଆମେଣ୍ଟର ମେଗାମେଳି । ଆଜିଠୁ ମୁମ୍ବାଇରେ ଦୁଇଦିନିଆ ଇଣ୍ଡିଆ ମେଣ୍ଟର ସମ୍ମିଳନୀ । ବୈଠକରେ ସାମିଲ ହୋଇପାରନ୍ତି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୬ଟି ଜାତୀୟ ଦଳ ଓ ଆଞ୍ଚଳିକ ଦଳର ନେତା । ଇଣ୍ଡିଆମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ଆଲୋଚନା । ମେଣ୍ଟର ଲୋଗୋ ବି ହୋଇପାରେ ଚୂଡ଼ାନ୍ତ ।

ପାଟନା ଓ ବେଙ୍ଗାଳୁରୁ ପରେ ମୁମ୍ବାଇ ବୈଠକକୁ ନେଇ ବଢିଛି କଳ୍ପନାଜଳ୍ପନା । ବୈଠକରେ ମୁମ୍ବାଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଇଣ୍ଡିଆମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ମତ ରଖିଛନ୍ତି ଆପ୍ ମୁଖପାତ୍ର ପ୍ରିୟାଙ୍କ କକ୍କର । ତେଣେ ଲୋକସଭା ନିର୍ବାଚନ ପରେ ହିଁ ପ୍ରଧାନମନ୍ତ୍ରୀ ଚୟନ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ପିଏଲ ପୁନିଆ ।
ରିଲିଜ୍ ହେଲା ବର୍ଷା କ୍ରିଏସନ୍ସର ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ
ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହେଲା ବର୍ଷା କ୍ରିଏସନ୍ସର ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ । ଏହି ଅବସରରେ ଏହାର ଏକ ସିଡି ଉନ୍ମୋଚନ କରାଯାଇଥିଲା । ଉତ୍ସବରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଭିଡିଓରେ ମୁଖ୍ୟ ଚରିତ୍ରରେ ଏଥର ରଜ କୁଇନ୍ର ପ୍ରଥମ ରନର୍ସଅପ୍ ବିଜୟିନୀ ବର୍ଷା, ଭଉଣୀ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତା ପ୍ରେମ୍ ଭାଇ ଚରିତ୍ରରେ ଅଭିନୟ କରିଛନ୍ତି। ଏଥିସହ ବାପା ଓ ମା ଭୂମିକା ରେ ବାବୁ ପ୍ରଧାନ ଓ ଦେବଶ୍ରୀ ଦାସଙ୍କୁ ଦେଖିବାକୁ ମିଳିଛି ।

ତେବେ ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡ଼ିଓକୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଶା କରୁଛନ୍ତି ନିର୍ମାତା |
ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ୍
ଭୁବନେଶ୍ୱର: ଆକାଶରେ ସୁପର ମୁନ ବା ବ୍ଲୁ ମୁନ୍ ଦେଖିଲେ ଲୋକେ । ଆଜି ରାତିରେ ଜହ୍ନ ଅନ୍ୟ ଦିନ ଅପେକ୍ଷା ଅଧିକ ବଡ଼ ଦେଖାଯିବା ସହ ଆହୁରି ଉଜ୍ଜଳ ଦେଖାଯାଉଛି । ଏଭଳି ନିଆରା ଦୃଶ୍ୟ ଆସନ୍ତା କିଛି ବର୍ଷରେ ଦେଖିବାକୁ ପାଇବେ ନାହିଁ ବୋଲି ମଧ୍ୟ କୁହାଯାଉଛି । ବ୍ଲୁ ମୁନ୍ ହେଉଛି କେବଳ ଏକ ଶବ୍ଦ । ଏଥିରେ ଜହ୍ନର ରଙ୍ଗ ନୀଳ ଦେଖାଯାଉନାହିଁ । ଆକାଶୀୟ ପିଣ୍ଡ ସାମାନ୍ୟଠୁ ଅଧିକ ପୃଥିବୀର ନିକଟତର ହେବ । ସାଧାରଣତଃ ପୂର୍ଣ୍ଣିମା ମାସକୁ ଥରେ ପଡ଼ିଥାଏ । ହେଲେ ଯେତେବେଳେ ବ୍ଲୁ ମୁନ୍ ହୁଏ ସେତେବେଳେ ଏହା ଦ୍ବିତୀୟ ଥର ପଡ଼ିଥାଏ ।
ଯାଜପୁରରେ ଖୋଲିଲା ମିଶନ ଶକ୍ତି କାଫେ
ଯାଜପୁର: ଯାଜପୁରରେ ଖୋଲିଲା ମିଶନ ଶକ୍ତି କାଫେ । ବିରଜା ମନ୍ଦିର ସଂଲଗ୍ନ ବିରଜା ପାନ୍ଥ ନିବାସ ପରିସରରେ କାଫେର ଶୁଭାରମ୍ଭ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ମହିଳା ମହାସଂଘ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି କାଫେରେ ଅତ୍ୟାଧୁନିକ ସୁବିଧା ରହିଛି । ଏହି କାଫେ ଖୋଲିବା ପରେ ଯାଜପୁରକୁ ଆସୁଥିବା ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏଠାରେ ଖାଣ୍ଟି ଓଡ଼ିଆ ଖାଦ୍ୟ ସହିତ ଇଣ୍ଡିଆନ, ଚାଇନିଜ ଖାଦ୍ୟ ମିଳିବ । ଉଦଘାଟନ ସମୟରେ ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଦରଦାମ ତାତିରୁ ଖାଉଟିଙ୍କୁ ମିଳିବନି ଆଶ୍ବସ୍ତି, ଆହୁରି ବଢ଼ିବ ଖାଇବା ତେଲ ଓ ଡାଲିର ମୂଲ୍ୟ
ଭୁବନେଶ୍ୱର: ଏବେ ଦରଦାମ ତାତିରୁ ଖାଉଟିଙ୍କୁ ମିଳିବନି ଆଶ୍ବସ୍ତି । ଆଗକୁ ଖାଇବା ତେଲ ଏବଂ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ । ଅଗଷ୍ଟରେ ହାରାହାରି ତୁଳନାରେ ବହୁତ କମ୍ ବର୍ଷା ହୋଇଛି ଏବଂ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମାନ ଅବସ୍ଥା ଜାରି ରହିବ । ପ୍ରଭାବରେ ଡାଲି ଏବଂ ତେଲ ବିହନର ଅମଳ ପ୍ରଭାବିତ ହେବ । ଫଳରେ ବଜାରରେ ଡାଲି ଏବଂ ଖାଇବା ତେଲ ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ । ମାତ୍ର ବର୍ଷକ ମଧ୍ୟରେ ହରଡ଼ ଡାଲି ଦର ୨୭ ପ୍ରତିଶତ ବୃଦ୍ଧି ଘଟିଛି ।
ଚଳିତବର୍ଷ ମୌସୁମୀରେ କମ୍ ବର୍ଷା ଯୋଗୁ ଆସନ୍ତା ଦିନରେ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଖରିଫ ଫସଲ ଅମଳ ଋତୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ହେଉଥିବା ବର୍ଷା ଉପରେ ନିର୍ଭର କରେ। ଏଭଳି ପରିସ୍ଥିତିରେ ଦେଶରେ ଦୁଇ ବର୍ଷ ମଧ୍ୟରେ କମ୍ ବର୍ଷା ହେତୁ ଧାନ, ଆଖୁ, ଡାଲି ଏବଂ ତେଲ ବିହନ ଉତ୍ପାଦନ ପ୍ରଭାବିତ ହୋଇପାରେ । ରାଜ୍ଯ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ଦରଦାମ ନିୟନ୍ତ୍ରଣ ଏବେ କର୍ପୋରେଟ ହାଉସ ନିର୍ଦ୍ଧାରଣ କରୁଛି । ଡାଲିଜାତୀୟ ଜିନିଷ, ଗହମ ଓ ଚାଉଳ ଦାମ ଆଗକୁ ବଢିବାର ସମ୍ଭାବନା ରହିଛି । ଉତ୍ପାଦନ କମିଲେ ପରିସ୍ଥିତି ସାଂଘାତିକ ହେବ ଓ ଲୋକମାନେ ପ୍ରଭାବିତ ହେବେ ।
ବିକାଶ ନାଁରେ ଆଉ ବଳି ପଡିବନି ଗଛ, ବୃକ୍ଷ ପୁନଃରୋପଣ ପାଇଁ ସ୍ଵତନ୍ତ୍ର ଏସ୍ଓପି
ଭୁବନେଶ୍ୱର: ଉନ୍ନୟନ ପ୍ରକଳ୍ପ ପାଇଁ ରାଜ୍ୟରେ କଟାଯାଉଛି ଲକ୍ଷ ଲକ୍ଷ ଗଛ । ଏହି ଗଛଗୁଡ଼ିକୁ ବଢ଼ାଇବା ପାଇଁ ଅନେକ ପରିଶ୍ରମ ସହିତ ସମୟ ଲାଗୁଛି । ହେଲେ ବିଭିନ୍ନ ପ୍ରକଳ୍ପ ପାଇଁ ଆଖି ପିଛୁଳାକେ ଗଛ କାଟି ଦିଆଯାଉଛି । ଫଳରେ ରାଜ୍ୟରେ ସବୁଜିମା ପ୍ରତି ଆହ୍ବାନ ସୃଷ୍ଟି ହେବା ସହ ଅନ୍ୟ ସମସ୍ୟାଗୁଡ଼ିକ ମୁଣ୍ଡ ଟେକୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ବୃକ୍ଷ ପୁନଃରୋପଣ’ ପାଇଁ ଏକ ସ୍ଵତନ୍ତ୍ର ଏସଓପି ଆଣିଛନ୍ତି । ବିଭାଗ ପକ୍ଷରୁ ଜାରି ଏସଓପି ପାଳନ କରି ଗଛ ନ କାଟି ଅନ୍ୟତ୍ର ପ୍ରତ୍ୟାରୋପଣ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଗତ ୨୦୧୦-୧୧ରୁ ୨୦୨୦-୨୧ ମଧ୍ୟରେ ରାଜପଥ ନିର୍ମାଣ ଓ ଅନ୍ୟ ପ୍ରକଳ୍ପ ପାଇଁ ରାଜ୍ୟର ୧.୮୫ କୋଟି ଗଛ କଟାଯାଇଛି । କେବଳ ଭୁବନେଶ୍ବରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ୭ ହଜାର ୮୦୦ ଗଛ କଟାଯାଇଛି । ଏହି ବ୍ୟବସ୍ଥାରେ ରୋକ୍ ଲଗାଇ ନୂତନ ଏସଓପି ପାଳନ କରି ବୃକ୍ଷ ପ୍ରତ୍ୟାରୋପଣ ପଦ୍ଧତିକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗ ପକ୍ଷରୁ ଜାରି ହୋଇଥିହବା ଏସଓପିରେ ଗଛର ସ୍ଥାନ, ବୟସ, ମୋଟେଇ, ପ୍ରଜାତି, ଔଷଧୀୟ ଓ ଧର୍ମୀୟ ଭାବନା ଆଦି ସମ୍ପର୍କରେ ଦର୍ଶାଯାଇଛି । ଗଛ ପ୍ରତ୍ୟାରୋପଣ ବେଳେ ଏହି ଦିଗ ପ୍ରତି ଗୁରୁତ୍ବ ଦିଆଯିବ । ଯାନ୍ତ୍ରିକ ପଦ୍ଧତି ଦ୍ବାରା ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମୟ ସାପେକ୍ଷ ବୋଲି ବିଭାଗ କହିଛି । ଏହାସହ କେଉଁସ୍ଥାନରୁ କେଉଁସ୍ଥାନକୁ ଗଛ ନିଆଯାଇ ପ୍ରତ୍ୟାରୋପଣ କରାଯିବ ତାକୁ ଦୃଷ୍ଟିରେ ରଖାଯିବ । ଯୁବ ଅବସ୍ଥାରେ ଥିବା ଗଛଗୁଡ଼ିକର ଚେର କମ୍ ରହିଥିବାରୁ ଏହା ପ୍ରତ୍ୟାରୋପଣ ପରେ ପୁନର୍ବାର ବଞ୍ଚିବାର ଅଧିକ ସମ୍ଭାବନା ରହିଥାଏ । ଏହି ପ୍ରକ୍ରିୟାରେ ଲଗାଯାଇଥିବା ଗଛ ଗୁଡ଼ିକ ମଧ୍ୟରୁ ପ୍ରଥମ ବର୍ଷରେ ୫୦-୮୦ ପ୍ରତିଶତ ଗଛ ବଞ୍ଚୁଥିବା ବେଳେ ହିତୀୟ ବର୍ଷରେ ୩୦-୭୦ ପ୍ରତିଶତ ଗଛ ବଞ୍ଚିବା ନେଇ ଜଣାପଡ଼ିଛି । ଯେଉଁ ଗଛଗୁଡ଼ିକ କାଟିବା ପରେ କୁଆଁ ବାହାର କରିବାର କ୍ଷମତା ରଖୁଥାଏ, ସେହି ଗଛ ପ୍ରତ୍ୟାରୋପଣ ପରେ ମଧ୍ୟ ବଞ୍ଚିବାର କ୍ଷମତା ସବୁଠୁ ଅଧିକ ରହିଥାଏ ।
ଗଛ କଟା ହେବାରୁ ପରିବେଶର ସନ୍ତୁଳନ ବିଗିଡି ଯାଉଛି । ନୂଆ ଚାରାକୁ ଗଛ ହେବାକୁ ସମୟ ଲାଗୁଛି । ଚଳିତ ଅଗଷ୍ଟରେ ବର୍ଷା ଦିନ ସତ୍ବେ ଆକାଶରୁ ନିଆଁ ବର୍ଷା ହେଉଛି । ଏପରି ସ୍ଥିତିରେ ବୃକ୍ଷ ପ୍ରତ୍ୟାରୋପଣକୁ ସ୍ବାଗତ କରିଛନ୍ତି ପରିବେଶବିତ । ସହରର କଂକ୍ରିଟ ଜଙ୍ଗଲରେ ବୃକ୍ଷ ନଷ୍ଟ ହେବାକୁ ଲାଗିଲାଣି । ପରିବେଶ ପ୍ରଦୂଷଣ ବଢୁଛି । ମୃତିକା ଅବକ୍ଷୟ ବି ହେଉଛି । ହେଲେ ମଣିଷର ପ୍ରକୃତ ବନ୍ଧୁ ଗଛକୁ ନୂଆ ଜୀବନ ଦେଲେ ସେ ବି ମଣିଷକୁ ଅମ୍ଳଜାନ ଯୋଗାଇବ ।
ଗ୍ରାମାଞ୍ଚଳରେ ବ୍ୟାପକ ଯୁବ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ, ମୁଖ୍ୟମନ୍ତ୍ରୀଙ୍କ ଫୋକସରେ MSME ସେକ୍ଟର
ଭୁବନେଶ୍ୱର: କ୍ଷୁଦ୍ର ଶିଳ୍ପରେ ବଡ଼ ସୁଯୋଗ । ଫୋକସରେ ଅର୍ଥନୈତିକ ବିକାଶ ଓ ବ୍ୟାପକ ନିଯୁକ୍ତି । MSME ସେକ୍ଟରକୁ ଦେବ ସ୍ରିମ୍ ସ୍କିମ୍ ବୁଷ୍ଟ । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ପ୍ରୋତ୍ସାହନ ପେଡି ଖୋଲିଲା ଓଡ଼ିଶା । ଶିଳ୍ପ ବିଭାଗ ଜାରି କଲା ସ୍ରିମ୍ ସ୍କିମ୍ ଯୋଜନାର ବିଧିବଦ୍ଧ ନୋଟିସ । ଛୋଟ ବ୍ୟବସାୟ, ବଡ ପ୍ରୋତ୍ସାହନ । କମିବ ବେକାରୀ ସମସ୍ୟା, ବଢିବ ରୋଜଗାର । ଅର୍ଥନୈତିକ ବିକାଶରେ କ୍ଷୁଦ୍ରଶିଳ୍ପ ନେବ ପ୍ରମୁଖ ଭୂମିକା । ଓଡ଼ିଶାରେ କ୍ଷୁଦ୍ର ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ସରକାର MSME ସେକ୍ଟର ପାଇଁ ମୁଖ୍ୟମନ୍ତ୍ରୀ ସ୍କିମ୍ ଫର୍ ରି-ଇମ୍ବରସମେଣ୍ଟ ଅଫ୍ ଇଣ୍ଟରେଷ୍ଟ ଟୁ MSME ବା ସ୍ରିମ୍ ସ୍କିମ୍ ଯୋଜନା ଆଣିଛନ୍ତି । ଏଣିକି MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇ ଦେବେ ରାଜ୍ୟ ସରକାର । ଏନେଇ ଶିଳ୍ପ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞନ୍ତି ପ୍ରକାଶ ପାଇଛି । ଗ୍ରାମାଞ୍ଚଳମାନଙ୍କରେ ଛୋଟ ବ୍ୟବସାୟୀ ଓ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଏହା ବେଶ ସହାୟକ ହେବ । ଗାଁ ଗାଁରେ କ୍ଷୁଦ୍ର ଉଦ୍ୟୋଗୀ ପ୍ରତିଷ୍ଠା କରିବା ସହ ଘରପାଖରେ ଯୁବପିଢିଙ୍କୁ ରୋଜଗାର ଯୋଗାଇ ଦେବାକୁ ରାଜ୍ୟ ସରକାର ଫୋକସ କରିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସ୍ରିମ୍ ସ୍କିମ୍ ଯୋଜନା ଅନୁସାରେ MSME ସେକ୍ଟରରେ ୧୦ ଲକ୍ଷ କୋଟି ନିବେଶ କରିଥିବା ନିବେଶକାରୀଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼ କରିବେ ରାଜ୍ୟ ସରକାର । ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିଥିବା ନିବେଶକାରୀଙ୍କୁ ୭୫ ପ୍ରତିଶତ, ୫୦ ଲକ୍ଷରୁ ଏକ କୋଟି ଯାଏଁ ୫୦ ପ୍ରତିଶତ, ଏକ କୋଟିରୁ ୩ କୋଟି ପର୍ଯ୍ୟନ୍ତ ନିବେଶକାରୀଙ୍କୁ ୨୫ ପ୍ରତିଶତ ଋଣ ରିହାତି ଯୋଗାଇ ଦିଆଯିବ । ଯାହା ଗ୍ରାମାଞ୍ଚଳ ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଫଳରେ ମହିଳାମାନେ ଅଧିକ ଉପକୃତ ହେଉଛନ୍ତି । ଯାହା ମହିଳା ସଶକ୍ତିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରଛି ବୋଲି ଶାସକ ଦଳ କହିଛି ।
ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏମଏସଏମଇ ସେକ୍ଟରର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଆର୍ଥିକ ସ୍ଥିତିକୁ ଅଧିକ ମଜଭୁତ କରିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ବୋଲି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ଟୁଇଟ କରି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି । ଓଡ଼ିଶାରେ ଶିଳ୍ପାୟନରେ ନୂଆ ଯୁଗ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କ୍ଷୁଦ୍ର, ମଧ୍ୟମ ଓ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ଲାଗି ପ୍ଲସ ଓ୍ବାନ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

