ପୁରୀ: ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ କୋଠ ଭୋଗ ପାଇଁ ପିପିଲି ଅଞ୍ଚଳରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ। ଗତିଶ୍ବର ପୀଠରୁ ଶ୍ରୀଜୀଉଙ୍କ ପାଇଁ 1800ରୁ ଉର୍ଦ୍ଧ୍ବ ନଡିଆ ପଠା ଯାଇଛି।ସ୍ୱତନ୍ତ୍ର ଗାଡି ଯୋଗେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିରକୁ ପଠା ଯାଇଥିଲା ନଡ଼ିଆ। ଚଳିତଥର 1800 ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ନାମ ସଂକୀର୍ତ୍ତନ କରି ଆଜି ଶ୍ରୀମନ୍ଦିରକୁ ପଠାଯାଇଛି ! ବିଶେଷକରି କୋଠଭୋଗ ପାଇଁ ପଠାଯାଇଥିବା ନଡ଼ିଆକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରା ଯାଇଥାଏ। ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ପାଇ ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା ପ୍ରକାଶ କରିଛନ୍ତି !
ରିପୋର୍ଟ୍ ଦେଖି ଏଚଆଇଭି ପଜିଟିଭଙ୍କୁ ପିଟିଲେ ଡାକ୍ତର, ଭିଡିଓ ଭାଇରାଲ
ଇନ୍ଦୋର : MY ହସ୍ପିଟାଲର ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀଙ୍କୁ ଜଣେ ଡାକ୍ତର ପିଟୁଛନ୍ତି। ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ଯେତେବେଳେ ତାଙ୍କର ରିପୋର୍ଟ ଦେଖିଲେ, ସେଥିରେ ଆହତସେ ଏଚ୍.ଆଇ.ଭି ପଜିଟିଭ୍ ଥିବା ଉଲ୍ଲେଖ ଥିଲା । ଯାହାକୁ ଦେଖି ଡାକ୍ତର ହିତାହାତ ଜ୍ଞାନ ହରାଇଥିଲେ । ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଡାକ୍ତର ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଡାକ୍ତରଙ୍କ ଭିଡିଓ ରେକର୍ଡ କରିଥିଲେ । ଯାହା ପରେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ MY ହସ୍ପିଟାଲ ଅଭିଯୁକ୍ତ ଡାକ୍ତରଙ୍କୁ ନିଲମ୍ବିତ କରିଛି। ଏହା ସହିତ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି।

ଏହି ପୁରା ଘଟଣା ଇନ୍ଦୋରର ସବୁଠାରୁ ବଡ ଡାକ୍ତରଖାନାରେ ଘଟିଛି । ଅଭିଯୋଗ ଘେରରେ ଥିବା ଡାକ୍ତରଙ୍କ ନାମ ହେଉଛି ଅର୍ଥୋପେଡିକ୍ସ ବିଭାଗର ଜୁନିଅର ଡାକ୍ତର ଆକାଶ କୌଶଲ । ରୋଗୀ ଜଣକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନା ଆସିଥିଲେ । ତାଙ୍କ ଦେହରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଡାକ୍ତର କୌଶଲ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ବ କରିଥିଲେ । କିନ୍ତୁ ରୋଗୀଙ୍କ ରିପୋର୍ଟ ପଢିବା ପରେ ତାଙ୍କ ମୁଣ୍ଡ ଗରମ ହୋଇଯାଇଥିଲା । ରିପୋର୍ଟରେ ରୋଗୀ ଏଚଆଇଭି ପଜିଟିଭ୍ ବୋଲି ଉଲ୍ଲେଖ ଥିବା ଦେଖି ସେ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହିତ ଚାପୁଡା ମାରିବା ଆରମ୍ଭ କରିଥିଲେ ।
ଭିଡିଓ ସାମ୍ନାକୁ ଆସିବା ପରେ ଡାକ୍ତରଖାନା ସଂପୃକ୍ତ ଡାକ୍ତରଙ୍କୁ ନିଲମ୍ବନ କରିଛି। ପୀଡିତା ଇନ୍ଦୋରର ସେଭର୍ ରୋଡ୍ର ବାସିନ୍ଦା। ଏକ ସଡକ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କୁ ପ୍ରଥମେ ଉଜ୍ଜୟନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ସେଠାରୁ ତାଙ୍କୁ ଇନ୍ଦୋରକୁ ରେଫର୍ କରାଯାଇଥିଲା। ଏଠାରେ ପହଞ୍ଚିବା ପରେ ଡାକ୍ତର ଆକାଶ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ସମୟରେ ଗୋଡରୁ ବହୁତ ରକ୍ତସ୍ରାବ ହୋଇଥିଲା। ଏଥି ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କର ଯତ୍ନ ନେବାକୁ ପ୍ରସ୍ତୁତ ନଥିଲେ।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ଆକାଶ କହିଛନ୍ତି ଯେ ସୂଚନା ଅଭାବରୁ ମୁଁ କୌଣସି HIV ପ୍ରତିଶେଧକ ବ୍ୟବସ୍ଥା ନନେଇ ଜଣେ ଏଚ୍ଆଇଭି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲି। ଯାହା ମୋତେ କ୍ଷୁବ୍ଧ କରିଥିଲା । ସୂଚନାଯୋଗ୍ୟ ଯେ ଏଚ୍ଆଇଭି ରୋଗୀଙ୍କ ପ୍ରତି ଅସଦାଚରଣ ଏବଂ ଭେଦଭାବ ଅଭିଯୋଗରେ ଜଣକୁ ଦୁଇରୁ ତିନି ବର୍ଷ ଜେଲଦଣ୍ଡ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।
ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା
ଭୁବନେଶ୍ୱର : ଅକ୍ଟୋବର ୨୯, ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ବିପର୍ଯ୍ୟୟ ସମୟରେ ମିଶନ ଜିରୋ କାଜୁଆଲଟିରେ କାମ କରୁଛନ୍ତି ଓଡ଼ିଶା ସରକାର । ପ୍ରତି ବର୍ଷ ଅକ୍ଟୋବର ୨୯କୁ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଉଛି । ଏବର୍ଷର ଥିମ୍ ରହିଛି, ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ପ୍ରତି ଗାଁକୁ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରସ୍ତୁତ କରାଯିବ । ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଏସଆରସି ସତ୍ୟବ୍ରତ ସାହୁ, ଓସଡମା ଏମଡି ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ ।
ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି । ପ୍ରତି ଗାଁକୁ କରାଯିବ ପ୍ରସ୍ତୁତ, ବିପର୍ଯ୍ୟୟ ପ୍ରଶମନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା । ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ମିଶନ ଜିରୋ କାଜୁଆଲଟିରେ କାମ କରୁଛି ରାଜ୍ୟ ।
ଗୁରୁତର ସ୍ଥିତି ଆଡକୁ ମୁହାଁଇଛି ଦିଲ୍ଲୀ ବାୟୁମଣ୍ଡଳ
ଦିଲ୍ଲୀ : ଅତି ଗୁରୁତର ସ୍ଥିତି ଆଡକୁ ମୁହାଁଇଛି ଦିଲ୍ଲୀ ବାୟୁମଣ୍ଡଳ । ଜାହାଙ୍ଗୀରପୁରାରେ ସ୍ଥିତି ହୋଇଛି ଉଦବେଗଜନକ । ସେଠାରେ ଏକ୍ୟୁଆଇ ରହିଛି ୫୬୬ । ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ୪୦୦ ପାର । ଦିଲ୍ଲୀ ,ନୋଏଡା ,ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୨୨୧ରୁ ୩୪୧ରେ ପହଞ୍ଚିଛି । ଦିଲ୍ଲୀ ପ୍ରଦୂଷଣ ରୋକିବାରେ ଶୁକ୍ରବାର ଠାରୁ ରେଡ ଲାଇଟ ଅନ ଗାଡି ଅଫ ଆଇନ ଲାଗୁକରାଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ସରକାରଙ୍କ ପକ୍ଷରୁ ୧୫ଟି ଆକ୍ସନ ପ୍ଲାନ ଜାରି କରାଯାଇଛି । ପ୍ରଦୂଷଣ ରୋକିବା ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି କରାଯାଇଛି । ହଟସ୍ପଟ ପାଲଟିଥିବା ସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି । ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଏହାର ଯାଞ୍ଚ ପାଇଁ ୫୯୧ଜଣିଆ ଟିମ୍ ଗଠନ କରାଯାଇଛି । ୮୨ଟି ରାସ୍ତା ସଫେଇ ମେସିନ ଲଗାଯାଇଛି ।
ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ ସମସ୍ତ ଗାଡିର ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ଉପରେ ନଜର ରଖିବାପାଇଁ ୬୬ ଜଣିଆ ଟିମ୍ ଗଠନ କରାଯାଇଛି । ସବୁଠାରୁ ବଡ କଥା ହେଉଛି ଗ୍ରୀନବାର ରୁମ ତିଆରି କରାଯାଇଛି ଯାହାକି ୨୪ ଘଣ୍ଟା ମନିଟରିଙ୍ଗ କରିବ । ଏଥିପାଇଁ ୯ ଜଣିଆ ବିଶେଷଜ୍ଞ ଟିମ୍ ନିୟୋଜିତ ରହିଛନ୍ତି । ଚଳିତ ବର୍ଷ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।
କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ, ଜଣେ ମୃତ ୨୩ରୁ ଅଧିକ ଆହତ
କେରଳ : କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବାବେଳେ ୨୩ରୁ ଅଧିକ ଆହତ ହୋଇଛନ୍ତି । ଏର୍ଣ୍ଣାକୁଲମର କାଲାମସେରୀସ୍ଥିତ ଏକ କନଭେନସନ ସେଣ୍ଟରରେ ଆତଙ୍କୀ ହମଲା ଆଶଙ୍କା କରାଯାଉଛି । କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ବମ୍ବସ୍କ୍ବାଡ ଓ ଫରେନସିକ ଟିମ ଯାଞ୍ଚ କରିଛି । ପ୍ରାର୍ଥନା ଉତ୍ସବରେ ୨ହଜାରରୁ ଅଧିକ ଲୋକ ସମବେତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଛି । ଏହି କନଭେନସେଣ୍ଟରରେ ଜିହୋବା ସମ୍ପ୍ରଦାୟ ପକ୍ଷରୁ ବାର୍ଷିକ ସମ୍ମେଳନ ହେଉଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା । କନଭେନସେଣ୍ଟର ଭିତରେ ବିସ୍ଫୋରଣ ଘଟିଥିବାରୁ ଏହା ଏକ ଆତଙ୍କୀ ହମଲା ବୋଲି କୁହାଯାଉଛି ।
ବିସ୍ଫୋରଣ ପରେ ଲୋକମାନେ ଜୀବନ ବିକଳରେ କନଭେନସନ ସେଣ୍ଟରରୁ ପଦାକୁ ଚାଲିଆସିଥିଲେ । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପି. ରାଜୀବ । ଏହି ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ୪ ଜଣିଆ ଟିମ୍ । ଆହତ ଲୋକଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି I ସକାଳ ୭.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ “ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା” ଶୀର୍ଷକ ବିଷୟକୁ ଗୁରୁତ୍ୱ ଦେଇଥିବା ଏହି ମିନି ମାରାଥନରେ କ୍ରୀଡ଼ା ହଷ୍ଟେଲ, କଳିଙ୍ଗ ଷ୍ଟାଡିୟମ ଏଚପିସି ଅନ୍ତର୍ଗତ ହକି, ସୁଟିଂ, ସନ୍ତରଣ, ଆଥଲେଟିକ୍ସ, ଭାରତ୍ତୋଳନ, ଆଦି ବିଭିନ୍ନ କ୍ରୀଡ଼ା ଶୃଙ୍ଖଳର ଅନ୍ତେବାସୀ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସଡିଏମଏ ର ପ୍ରାୟ ୫୦୦ ରୁ ଅଧିକ ସାମିଲ ହୋଇଥିଲେ । 
ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ ଏକ ନମ୍ବର ଗେଟରୁ ବାହାରି ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ ଛକ, ପାୱାର ହାଉସ ଛକ ଦେଇ ରାଜଭବନରେ ପହଂଚି ପୁଣି କଳିଙ୍ଗ ଷ୍ଟାଡିୟମ ପ୍ରତ୍ୟାବର୍ତ୍ତନ କରିଥିଲା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସଚେତନତା ଓ ପୂର୍ବ ପ୍ରସ୍ତୁତି ସହ ଏହାକୁ ମୁକାବିଲା କ୍ଷେତ୍ରରେ ସଶକ୍ତ ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା ଲକ୍ଷ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା I ଏହି ଉତ୍ସବରେ କ୍ରୀଡ଼ା ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ଓଏସଡିଏମଏ ପରିଚାଳନା ନିର୍ଦେଶକ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ସମେତ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I
ଓକିଲ ପୁଅ ଚୁଟି ଟାଣି ଅତି ବୀଭତ୍ସ ଭାବରେ ମା’କୁ ମାରୁଛି ମାଡ଼
ନନ୍ଦିଘୋଷ ବ୍ୟୁରୋ : ବୟସ୍କା ମା’ ଶେଷ କାଳରେ ପୁଅଠାରୁ ଚାହିଁଥାଏ ଆଶ୍ରା । ସାରା ଜୀବନ ପୁଅ ଲାଗି ତ୍ୟାଗ କରିଥିବା ଜଣେ ମା ଚାହିଁଥାଏ ପୁଅର ମଙ୍ଗଳକାମନା । ମା-ପୁଅର ପବିତ୍ର ସମ୍ପର୍କ କାଳ କାଳ ଧରି ଚାଲିଆସିଛି । ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ପୁଅ ଯଦି ଶଯ୍ୟାଶାୟୀ ମାକୁ ପିଟେ ତେବେ ଏହି ପୁଅକୁ କଣ କୁହାଯିବ । ଏପରି ଏକ ଘଟଣା ଘଟିଛି ପଞ୍ଜାବ ରୂପନଗରରେ । ଓକିଲ ହୋଇଥିବା ପୁଅ ଜଣକ ମା’ଙ୍କୁ ଏପରି ମାଡ ମାରୁଛନ୍ତି ତାହାର ଦୃଶ୍ୟ ଆମେ ଦେଖାଇପାରିବୁ ନାହିଁ । ମା’ କାନ୍ଦୁଥିବା ସତ୍ତ୍ବେ ପୁଅଜଣକ ତାଙ୍କୁ ଚାପୁଡା ମାରିବା, ଚୁଟି ଟାଣିବା ପରି ବୀଭତ୍ସ କାଣ୍ଡ ଘଟାଇଚାଲିଛନ୍ତି । କେବଳ ପୁଅ ନୁହେଁ, ବୋହୂ ଓ ନାତି ବି ତାଙ୍କୁ ପିଟୁଥିବା ଦେଖାଯାଉଛି । ସିସିଟିଭି କ୍ୟାମେରାର ଭିଜୁଆଲ ଲିକ୍ ହେବା ପରେ ଓକିଲ ପୁଅକୁ ଗିରଫ କରିଛି ପୋଲିସ । କିଛି ବର୍ଷ ତଳେ ହୃଦଘାତରେ ଆଶା ରାଣୀଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ପୁଅ, ବୋହୂ ଓ ନାତିଙ୍କୁ ଧରି ଅବଶିଷ୍ଟ ଜୀବନ ସୁଖରେ କାଟିବେ ବୋଲି ଆଶା କରିଥିଲେ ଆଶା ରାଣୀ ।
ମାତ୍ର ସବୁକିଛି ପାଲଟିଯାଇଥିଲା ଓଲଟପାଲଟ । ତାଙ୍କୁ ମାଡ ମରାଯାଉଥିବା ନେଇ ଆଶା ରାଣୀ ଝିଅ ଦୀପଶିଖାଙ୍କୁ କହିବା ପରେ ଘଟଣା ପଦାକୁ ଆସିଥିଲା । ଏପରିକି ନାବାଳକ ନାତି ମଧ୍ୟ ଆଶା ରାଣୀଙ୍କ ଶଯ୍ୟାରେ ପାଣି ଢାଳୁଥିବା ଦେଖାଯାଇଥିଲା । କିଛି ଦିନ ଧରି ପୁଅ ଅଙ୍କୁର ବର୍ମା, ପତ୍ନୀ ସୁଧା ଓ ନାତି ହିଂସ୍ର ଆଚରଣ କରିବା ନେଇ ସୂଚନା ପାଇବା ପରେ ଆଶାରାଣୀଙ୍କ ଝିଅ ଏକ ଏନଜିଓର ଦ୍ବାରସ୍ଥ ହୋଇଥିଲେ । ଏନଜିଓ ପକ୍ଷରୁ ମହିଳାଙ୍କୁ ଉଦ୍ଧାର କରାଯିବା ସହ ପୋଲିସ ଅଙ୍କୁରଙ୍କୁ ଗିରଫ କରିଥିଲା ।
ମହାବାତ୍ୟାକୁ ୨୪ ବର୍ଷ: ଆଜି ବି ଥରିଯାଏ ଛାତି, ଯେବେ ମନେ ପଡ଼େ ସେଦିନ
ଭୁବନେଶ୍ବର: ୧୯୯୯ ଅକ୍ଟୋବର ୨୯ ତାରିଖ, ଶୁକ୍ରବାର । ଅଭୁଲା ବାର, ପାଶୋରୀ ହେଉ ନଥିବା ତାରିଖ । ଭୁଲି ହେଉନଥିବା ଆତଙ୍କ । ସେଦିନ ଆଖି ଖୋଲିଲା ବେଳକୁ ପ୍ରକୃତି ଖେଳୁଥିଲା ମୃତ୍ୟର ଖେଳ । ଘୁ ଘୁ ଗର୍ଜନ କରି ମାଡି ଆସୁଥିଲା ପବନ, ବଞ୍ଚିବା ଆଶାରେ ଦୌଡୁଥିଲା ଜୀବନ ।
ଘଣ୍ଟା ପ୍ରତି ୨୯୦ କିଲୋମିଟର ବେଗର ବହିଥିଲା ପବନ । ଭାଙ୍ଗୁଥିଲା ଘର, ମାଟିରେ ଲୋଟୁଥିଲା ମହାଦ୍ରୁମ । ଜୁଆର ମାଡ଼ି ଆସୁଥିଲା । ମୂଷଳଧାରାରେ ବର୍ଷୁଥିଲା ବର୍ଷା । ବନ୍ଧୁ, ପରିଜନ, ଆତ୍ମୀୟ, କିଏ କେଉଁଠି ? କାହା ପାଖରେ ନଥାଏ କାହାରି ଖବର । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସଂସାର ବୁଡୁଥିଲା, ସର୍ବସ୍ୱ ଯାଉଥିଲା । ଯୁଆଡ଼େ ଚାହିଁବ, ବିଶେଷ କରି ଉପକୂଳ ଅଞ୍ଚଳରେ କୁଢ଼କୁଢ଼ ଶବ । ସବୁଆଡ଼େ ଥିଲା ଆର୍ତ୍ତ ଚିତ୍କାର । ଯାତନାକୁ ଆହୁରି ଭୟଙ୍କର କରିଥିଲା ଭୋକ । ସେହି ପ୍ରଳୟଙ୍କରୀ ୯୯ ମହାବାତ୍ୟାକୁ ପୂରିଛି ୨୪ ବର୍ଷ। ହେଲେ ସେହି କ୍ଷତ ଆଜି ବି ଅଭୁଲା ଅଲିଭା ।
ମହାବାତ୍ୟା ମିଟାଇ ଦେଇଥିଲା ଉପକୂଳ ଓଡ଼ିଶାର ଅସ୍ତିତ୍ୱ । ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ସତେ ଯେମିତି ନକ୍ସାରୁ ହଜିଯାଇଥିଲା ଏରସମା । ଘର ନାହିଁ, ବିଦ୍ୟୁତ ନାହିଁ କି ଟେଲିଫୋନ ନାହିଁ । ଚାରିଆଡ଼େ ରାସ୍ତା ବି ବନ୍ଦ । ଜୁଆର ପାଣି ଘେରରେ ହଜାର ହଜାର ଗାଁ । ସେତେବେଳେ ଓଡ଼ିଶାରେ ଥିଲା କଂଗ୍ରେସ ସରକାର । ଗିରିଧର ଗମାଙ୍ଗ ଥାଆନ୍ତି ମୁଖ୍ୟମନ୍ତ୍ରୀ । ପ୍ରସାଦ ହରିଚନ୍ଦନ ଗୃହ ମନ୍ତ୍ରୀ । ପାଣିପାଗ ବିଭାଗ ଅବଗତ କରିବା ସତ୍ତ୍ବେ ମହାବାତ୍ୟା ଆସିବାର ଆକଳନ କରିପାରି ନଥିଲେ ସରକାର । ଯେଉଁଥି ପାଇଁ ଧନ ଜୀବନକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଚାଲିଯାଇଥିଲା ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ।
ମହାବାତ୍ୟା ପରେ ପରେ ରାଜ୍ୟବାସୀଙ୍କ ଭରସା ଜିତିଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେବା ପରେ ଉଜୁଡ଼ା ଓଡ଼ିଶାକୁ ସଜାଡ଼ିବାର ସଂକଳ୍ପ ନେଇ ନବୀନ ଆଙ୍କିଥିଲେ ନବ ଓଡିଶାର ବ୍ଲୁପ୍ରିଣ୍ଟ । ବିପର୍ଯ୍ୟୟ ପରିଚାଳନା ପାଇଁ ଗଠନ ହୋଇଥିଲା ଓସଡମା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଓ ମୁକାବିଲା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ । ବହୁମୁଖୀ ଆଶ୍ରୟସ୍ଥଳୀ ସହିତ ମିଶନ ଜିରୋ କାଜୁଆଲଟି ଓଡିଶାକୁ କରିଛି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ରୋଲ ମଡେଲ୍ ।
ଏହା ଭିତରେ ଓଡିଶା ସାମ୍ନା କରିଛି ଅନେକ ବାତ୍ୟା । ହୁଦହୁଦ, ଫାଇଲିନ, ତିତଲି, ଫନି, ୟସ୍, ଅମ୍ପନ ଓ ଜଓ୍ବାଦ ପରି ବାତ୍ୟା ଆସିଛି । ହେଲେ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି, ମିଶନ ଜିରୋ କାଜୁଆଲଟି ଓ ନୂତନ ଜ୍ଞାନକୌଶଳରେ ମୁକାବିଲା ଯୋଗୁଁ ଧନ ଜୀବନ ସୁରକ୍ଷିତ ରହିଛି ।
ଭି.କେ. ପାଣ୍ଡିଆନଙ୍କ ମେଟ୍ରୋ ରେଳ ପ୍ରକଳ୍ପ ସମୀକ୍ଷା, ନୂଆବର୍ଷରେ ଶିଳାନ୍ୟାସ
କଟକ: ନୂଆବର୍ଷରେ ଶିଳାନ୍ୟାସ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରସ୍ତାବିତ ମେଟ୍ରୋ ଟର୍ମିନାଲ ଓ ତ୍ରିଶୁଳିଆ ଡିପୋରେ ପହଞ୍ଚି ସମୀକ୍ଷା କରିଛନ୍ତି । ଭୁବନେଶ୍ବର ଓ କଟକ ପାଇଁ ତ୍ରିଶୁଳିଆ ହେବ ପରିବହନର ହବ୍ । ଏହି ଅବସରରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 5T ନୀତି ଆଧାରରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଡିପିଆରକୁ ମଞ୍ଜୁରୀ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ପ୍ରକଳ୍ପ ପରବର୍ତ୍ତି ସମୟରେ ଖୋର୍ଦ୍ଧା ଓ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆଗାମୀ ଦିନରେ ତ୍ରିଶୂଳିଆ, ଟୁଇନ୍ ସିଟି କଟକ ଓ ଭୁବନେଶ୍ବର, ବାଙ୍କି ଓ ଆଠଗଡ଼ ମଧ୍ୟରେ ଏକ ଗେଟ୍ ଓ୍ବେ ଭାବେ କାର୍ଯ୍ୟ କରିବ ।
ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୂଳିଆରେ ପ୍ରତିଷ୍ଠା ହେବ । ତ୍ରିଶୂଳିଆରେ ମେଟ୍ରୋ ରେଳର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହ ମରାମତି ସୁବିଧା ରହିବ । ଏଥିପାଇଁ ତ୍ରିଶୂଳିଆରେ ଏକ ବସଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହି ବସଷ୍ଟାଣ୍ଡ ମେଟ୍ରୋ ରେଳ ଷ୍ଟେସନ ସହ ସଂଯୋଗ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ନେଇ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ 5T ନୀତି ଆଧାରରେ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ।
ନିର୍ଦ୍ଧାରିତ ୪ ବର୍ଷ ସମୟସୀମା ମଧ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଜନ ହୋଇଥିବାରୁ ଶିଳାନ୍ୟାସ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏକ ବିଶ୍ବସ୍ତରୀୟ ସହରାଞ୍ଚଳ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଯନ୍ତ୍ରପାତିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଭି.କେ. ପାଣ୍ଡିଆନ୍ । ଯାତ୍ରୀଙ୍କ ସୁବିଧା ପାଇଁ ଟୁଇନ୍ ସିଟିର ସବୁ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହ ସଂଯୋଗ କରାଯିବ । ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଏବେଠୁ ଆଗୁଆ ପ୍ରସ୍ତୁତି କରିବାକୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।
ସେହିପରି ନବ ନର୍ମିତ ନେତାଜୀ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ଯାତ୍ରୀ, ବସ ଚାଳକ ଓ ସେବା ପ୍ରଦାନକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବସ୍ ସେବା କିପରି ଚାଲିଛି ସେନେଇ ମତାମତ ନେଇଥଲେ ଭି.କେ. ପାଣ୍ଡିଆନ୍ । ଟର୍ମିନାଲରେ ସମନ୍ବିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ ।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ରୂପାନ୍ତରୀତ ତାଳଦଣ୍ଡା କେନାଲ ବୁଲି ଦେଖିଥିଲେ । କେନାଲର ସୌନ୍ଦର୍ଯ୍ୟକରଣ ଓ ଯାତ୍ରୀଙ୍କ ପାଇଁ ଥିବା ଆମୋଦ ପ୍ରମୋଦ କେନ୍ଦ୍ରର ନିୟମିତ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେଇଥିଲେ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ବିଶ୍ବକପ୍: ଆଜି ଭାରତ-ଇଂଲଣ୍ଡ ଟକ୍କର, ମ୍ୟାଚ୍ ଜିତି ଟେବୁଲ ଟପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଲକ୍ଷ୍ନୌ: ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି ଇଂଲଣ୍ଡକୁ ଟକ୍କର ଦେବ ଭାରତ । ଲକ୍ଷ୍ନୌରେ ଆଜିର ମ୍ୟାଚ ଖେଳାଯିବ । କ୍ରମାଗତ ୫ଟି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ଅପରାଜୟ ରହିଥିବା ବେଳେ ଲଂଲଣ୍ଡ ଦଳ ସଂଘର୍ଷ କରୁଛି । ଏପରିକି ଇଂଲଣ୍ଡ ଟିମ୍ ସେମିଫାଇନାଲ ରେସରୁ ବାହାର ହୋଇ ସାରିଛି । ଅନ୍ୟପକ୍ଷେ ଆଜିର ମ୍ୟାଚ୍ ଜିତି ଭାରତ ପୁଣି ଟେବୁଲ ଟପ୍ପର ହେବାର ଲକ୍ଷ୍ୟ ରଖିଛି ।
ପ୍ରାୟ ଏକ ସପ୍ତାହ ବ୍ରେକ୍ ପରେ ଭାରତ ପଡ଼ିଆକୁ ଓହ୍ଲାଉଛି । ବିଶ୍ରାମ ଓ ଅଭ୍ୟାସ ପାଇଁ ଭାରତୀୟ ଖେଳାଳି ପ୍ରଚୁର ସମୟ ପାଇଛି । ସେପଟେ ଆଜିର ମ୍ୟାଚରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ନଜର ଶୁବମନ ଗିଲଙ୍କ ଉପରେ ରହିବ । ଡେଙ୍ଗୁ ଆକ୍ରାନ୍ତ ହେବା ପରେ ଗିଲ୍ ବିଶ୍ବକପର ଶେଷ ଦୁଇଟି ମ୍ୟାଚ୍ ଖେଳିପାରି ନଥିଲେ ।
ଇଂଲଣ୍ଡ ଦଳ ଖରାପ ଫର୍ମରେ ଥିଲେ ମଧ୍ୟ ଦିନିକିଆ ବିଶ୍ବକପ୍ ଇତିହାସରେ ଭାରତ ବିପକ୍ଷରେ ଦଳ ସାମାନ୍ୟ ଆଗୁଆ ରହିଛି । ମୋଟ ୮ ମୁକାବିଲାରୁ ଇଂଲଣ୍ଡ ୪-୩ରେ ଅଗ୍ରଣୀ ଥିବାବେଳେ ଗୋଟିଏ ମୁକାବିଲା ଟାଇ ରହିଥିଲା । ତେବେ ଦିନିକିଆ ଇତିହାସରେ ଉଭୟ ଦେଶ ୧୦୬ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୫୭-୪୪ରେ ଆଗୁଆ ରହିଛି । ୨ଟି ମ୍ୟାଚ୍ ଟାଇ ଓ ୩ଟିରୁ ଫଳାଫଳ ବାହାରି ନଥିଲା ।

