ଭାରତୀୟ ବରକୁ ବାହା ହେବାକୁ ଓ୍ବାଘା ବର୍ଡର ଡେଇଁଲେ ପାକିସ୍ତାନୀ କନିଆଁ

ନନ୍ଦିଘୋଷ ଡିଜିଟାଲ: ଓ୍ବାଘା ବର୍ଡର ଡେଇଁ ଆସିଲା ପ୍ରେମ । ଭାରତୀୟ ପ୍ରେମ ପାଇଁ ବର୍ଡର ଡେଇଁଲେ ପାକିସ୍ତାନୀ ମହିଳା । ହଁ ଆଜ୍ଞା ପ୍ରେମ କୌଣସି ସୀମା ସରହଦ ମାନେନି ବୋଲି ଆପଣ ଜାଣିଥିବେ । ହେଲେ ଏଇ କଥା ଏବେ ସତ ହୋଇଛି । ପାକିସ୍ତାନର ଜଣେ ଯୁବତୀ ସୀମା ଡେଇଁ ଭାରତ ଆସିଛନ୍ତି । ଏବେ ଏହି ଦୁହିଁଙ୍କ ବିବାହ ପାଇଁ କନ୍ୟାଙ୍କୁ ଅନୁମତି ଦେଇଛନ୍ତି ଭାରତ ସରକାର ।

ପାକିସ୍ତାନ କରାଚିରେ ରୁହନ୍ତି ଜାଭରିୟା ଖାନମ୍ । ସେ ଭାରତର ସମୀର ଖାନଙ୍କୁ ବିବାହ କରିବେ । ଆଜି ସେ ଓ୍ବାଘା ବର୍ଡର ଡେଇଁ ଭାରତ ଆସିଛନ୍ତି । ଏଥିପାଇଁ ଭାରତ ସରକାର ତାଙ୍କୁ ୪୫ ଦିନର ଭିସା ଦେଇଛି । ପୂର୍ବରୁ ଭିସା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭିସା ମିଳି ନଥିଲା । ଏଥିପାଇଁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ ।

ଭାରତର ବର ସମୀର କୋଲକାତାରେ ରୁହନ୍ତି । କନ୍ୟା ଜାଭରିୟାଙ୍କୁ ସ୍ବାଗତ କରିବାକୁ ସମୀର ଏବଂ ତାଙ୍କ ବାପା ମହମ୍ମଦ କମଲ ଖାନ୍ ୟୁସୁଫଜାଇଙ୍କ ସହ ଅମୃତସର ଓ୍ବାଘା ବର୍ଡରରେ ପହଞ୍ଚିଥିଲେ । ସେଠାରୁ ସେ ତାଙ୍କର ଭାବି ବୋହୂକୁ ଘରକୁ ପାଛୋଟି ଆଣିଥିଲେ ।

ପୂର୍ବରୁ ଦୁହିଁଙ୍କର ବିବାହ ତାରିଖ ଠିକ୍ ହୋଇ ସାରିଥିଲା । କିନ୍ତୁ ଭାରତ ସରକାର ଜାଭରିଆଙ୍କ ଭିସା କ୍ୟାନସେଲ କରି ଦେଇଥିଲେ । ଏଥିପାଇଁ ତାଙ୍କ ପରିବାର ନିରାଶ ହୋଇ ପୁଣି ଆବେଦନ କରିଥିଲେ । ଏହା ମଧ୍ୟ କ୍ୟାନସେଲ ହୋଇଯାଇଥିଲା । ଏବେ ତାଙ୍କୁ ମାତ୍ର ୪୫ ଦିନ ପାଇଁ ଭିସା ମିଳିଛି । ଏହି ଦିନରେ ଦୁହେଁ ବିବାହ କରିବେ ଏବଂ ପୁଣି ଭିସା ପାଇଁ ଜାଭରିଆ ଆବେଦନ କରିବେ ବୋଲି ଜଣାପଡ଼ିଛି ।