spot_img
Home Blog Page 2735

ଋଣ ଆଦାୟ କରିବାକୁ ଅଭିନବ ଉପାୟ ଆପଣାଇବ SBI, ଚକୋଲେଟ ଧରି ଘରେ ପହଞ୍ଚିବ

ଭୁବନେଶ୍ବର: ଇଏମଆଇ ଆଦାୟ ଲାଗି ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଭିନବ ଯୋଜନା । ନିର୍ଦ୍ଧାରିତ ତାରିଖରେ ଖୁଚୁରା ଋଣ ନେଇଥିବା ଗ୍ରହୀତା ଯେପରି ନିଜର କିସ୍ତି ଠିକ୍ ସମୟରେ ଦାଖଲ କରିବେ ସେଥିଲାଗି ତାଙ୍କୁ ପ୍ରବର୍ତ୍ତାଇବା ଲାଗି ଷ୍ଟେଟବ୍ୟାଙ୍କ ଆରମ୍ଭ କରିବ ନୂଆ ଯୋଜନା । କିସ୍ତି ଦାଖଲ ପୂର୍ବରୁ ଅଚାନକ ଋଣ ଗ୍ରହୀତାଙ୍କ ଘରେ ପହଞ୍ଚିବେ ବ୍ୟାଙ୍କ କର୍ମଚାରୀ ।

ତେବେ ଖାଲି ହାତରେ ନୁହେଁ, ବରଂ ଚକୋଲେଟ ପ୍ୟାକେଟ ଧରି । ଖୁଚୁରା ଋଣ ଆଦାୟ ଅର୍ଥରେ ବ୍ୟାଙ୍କର ଋଣ ପ୍ରଦାନ ଅଭିବୃଦ୍ଧି ହାର ବଢୁଥିବାରୁ ସେମାନଙ୍କୁ ଗୁରୁତ୍ବ ଦେଇଛି ଷ୍ଟେଟବ୍ୟାଙ୍କ । ଇଏମଆଇ ଦାଖଲ ନ କରିବା ଅବସ୍ଥାରେ ଥିବା ବ୍ୟକ୍ତି ଇଏମଆଇ ଦାଖଲ ଲାଗି ବ୍ୟାଙ୍କ ପକ୍ଷରୁ ଯାଉଥିବା ଫୋନ କଲକୁ ଗ୍ରହଣ ନ କରିବା ସ୍ବାଭାବିକ ।

ତେବେ ଋଣ ଗ୍ରହୀତାଙ୍କ ମନ ଧରିବା ସହ ଇଏମଆଇ ଦାଖଲ ସକାଶେ ପ୍ରବର୍ତ୍ତାଇବା ଲାଗି ଚକୋଲେଟ ପ୍ୟାକେଟ ଉପହାର ଦେବା ଲାଗି ମନନ୍ଥ କରିଛି ଷ୍ଟେଟବ୍ୟାଙ୍କ । ଚକୋଲେଟ ପ୍ୟାକେଟ ଧରି ବ୍ୟାଙ୍କ କର୍ମଚାରୀ ଇଏମଆଇ ଦାଖଲ ତାରିଖ ପୂର୍ବରୁ ଗ୍ରହୀତାଙ୍କ ଘରେ ପହଞ୍ଚିବା ଲାଗି ଷ୍ଟେଟବ୍ୟାଙ୍କ ଯୋଜନା କରିଛି । ଖୁଚୁରା ଋଣ ପରିମାଣକୁ ବଢାଇବା ଲାଗି ଷ୍ଟେଟବ୍ୟାଙ୍କ ଏହି ଆଭିମୁଖ୍ୟ ପୋଷଣ କରିଛି ।

୨୦୨୨ ଜୁନ ତ୍ରୟମାସିକରେ ଷ୍ଟେଟବ୍ୟାଙ୍କର ଖୁଚୁରା ଋଣ ପରିମାଣ ୧୦ ଲକ୍ଷ ୩୪ ହଜାର ୧୧୧ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଜୁନ ତ୍ରୟମାସିକରେ ଏହି ପରିମାଣ ହୋଇଛି ୧୨ ଲକ୍ଷ ୪ ହଜାର ୨୭୯ କୋଟି ଟଙ୍କା । ଷ୍ଟେଟବ୍ୟାଙ୍କର ଅଭିବୃଦ୍ଧି କ୍ଷେତ୍ରରେ ଖୁଚୁରା ଋଣ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଓଡିଶା ମାଟିରୁ ଆରମ୍ଭ ହୋଇଛି ମହିଳା ସଂରକ୍ଷଣ ପ୍ରକ୍ରିୟା, ସର୍ବଦଳୀୟ ବୈଠକରେ ବିଜେଡିର ଦାବି

ଭୁବନେଶ୍ବର: ମହିଳାଙ୍କୁ ସଂସଦ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପ୍ରକ୍ରିୟା ଓଡିଶା ମାଟିରୁ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରିଛନ୍ତି । ପ୍ରଥମତଃ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ ।

ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ଏହି ସଂକଳ୍ପ ଆଧାରରେ ବିଜେଡିର ଏକ ପ୍ରତିନିଧି ଦଳ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟ ଗସ୍ତ କରି ସଂପୃକ୍ତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାକ୍ଷାତକରି ଏହି ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ।

କେବଳ କଥାରେ କଥାରେ ଏହାକୁ ନରଖି ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରଥମେ ଏହାକୁ ନିଜ ଦଳ କ୍ଷେତ୍ରରେ ଲାଗୁ କରିବାକୁ ଘୋଷଣା କରିଥିଲେ । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେବ ।

ଦଳୀୟ ଟିକେଟ ପ୍ରଦାନ ବେଳେ ସେୟା ହିଁ ହେଲା । ବିଜୁ ଜନତା ଦଳ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା । ମହିଳାଙ୍କ ବିକାଶ ଏବଂ ମହିଳାଙ୍କ ସଶକ୍ତିକରଣ ଦିଗରେ ଅହରହ କାର୍ଯ୍ୟ କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଏହି ସଂରକ୍ଷଣ ବାବଦରେ ସ୍ବର ଉଠାଇ ଆସୁଛନ୍ତି । ସଂସଦର ଅଧିବେଶନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ବିଜୁ ଜନତାଦଳର ସାଂସଦମାନେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ ଆଗତ କରିବା ଲାଗି ଦାବି ଦୋହରାଇଛନ୍ତି ।

ସଂସଦର ସ୍ବତନ୍ତ୍ର ଅଧିବେଶନରେ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଇଣ୍ଡିଆ ମେଣ୍ଟର ୨୪ ଦଳ ନେବେ ଭାଗ

ନୂଆଦିଲ୍ଲୀ: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

କାଲିଠୁ ପୁରୁଣା ସଂସଦ ଭବନ ବଦଳରେ ନୂଆ ସଂସଦ ଭବନରେ ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ । ସେହିପରି ଜାତି ଗଣନା, ମଣିପୁର ହିଂସା, ସାମ୍ପ୍ରଦାୟିକ ହିଂସା, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସଂସଦର ସ୍ବତନ୍ତ୍ର ଅଧିବେଶନର କାରଣ ସ୍ପଷ୍ଟ କରିବା ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ।

ସାଧାରଣତଃ ସଂସଦର ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସୁଥିବାବେଳେ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ଯକତା ପଡିଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଅଦିନିଆ ଅଧିବେଶନକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଥିବାବେଳେ ଏହି ଅଧିବେଶନର କାର୍ଯ୍ୟକ୍ରମ ନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ସରକାର । ଶେଷ ଥର ଲାଗି ଗତ 2017 ଜୁନ 30ରେ ଏକ ସ୍ବତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି ।

ମହମ୍ମଦ ସିରାଜଙ୍କ ବଦାନ୍ୟତା, ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କଲେ ପୁରସ୍କାର ରାଶି

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ସିରାଜ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ୬ ୱିକେଟ୍ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ । ମହମ୍ମଦ ସିରାଜ ଖେଳ ସରିବା ପରେ ମହାନତା ଦେଖାଇଛନ୍ତି । ପ୍ଲେୟାର ଅଫ୍ ଦ ମ୍ୟାଚ୍ ବାବଦକୁ ମିଳିଥିବା ପୁରସ୍କାର ରାଶିକୁ ସେ ଦାନ କରି ଦେଇଛନ୍ତି । ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ସେ ତାଙ୍କର ପୁରସ୍କାର ରାଶି ସମର୍ପିତ କରିଦେଇଛନ୍ତି । ସିରାଜଙ୍କୁ ପ୍ରାୟ ୪ ଲକ୍ଷ ୧୫ ହଜାର ଭାରତୀୟ ଟଙ୍କା ମିଳିଥିଲା । ସିରାଜ ଏହି ଅବସରରେ କହିଛନ୍ତି, ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ହୋଇଛି । ସେଥିପାଇଁ ମୁଁ ଏହାକୁ ସେମାନଙ୍କୁ ସମର୍ପିତ କରୁଛି ।

ତେବେ ସେ ଏହି ପୁରସ୍କାର ରାଶି ପ୍ରଦାନ କରି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କର ଏହି ମହାନତା ପାଇଁ ସବୁଆଡ଼ୁ ଶୁଭେଚ୍ଛା ଜଣାଯାଇଛି । ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସିରାଜ ସର୍ବାଧିକ ୬ଟି ୱିକେଟ୍ ଅକ୍ତିଆର କରିଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଲଆଉଟ୍ ହୋଇଯାଇଥିଲା । ୬.୨ ଓଭରରେ ଭାରତ ବିନା ୱିକେଟ୍ ହରାଇ ୫୧ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଏଥିସହିତ ଭାରତ ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଛି ।

ରକ୍ତ ଶିକୁଳୀ ରୋଗରେ ପୀଡିତ କିରଣର ଦୁଃଖ ବୁଝିଲେ 5T ସଚିବ, ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୌଣସି ସମସ୍ୟାର ସମ୍ମୁଖୀନ ହେବେନି କେହିବି ଅନାଥ । ବାପା ମା ଛେଉଣ୍ଡ ୯ ବର୍ଷର କିରଣଙ୍କୁ ମିଳିଲା ବଞ୍ଚିବା ପାଇଁ ଆଶାର କିରଣ । କିରଣ ମୁଣ୍ଡାଙ୍କ ଦୁଃଖ ବୁଝିଲେ 5T ସଚିବ । ରକ୍ତ ଶିକୁଳୀ ରୋଗରେ ପୀଡିତ କିରଣଙ୍କର ଚିକିତ୍ସା ଓ ପାଠପଢ଼ା ବାବଦରେ ସମସ୍ତ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । 5T ସଚିବଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ସଦର ବ୍ଳକ ଶଙ୍କିରୀ ପଞ୍ଚାୟତର ଜିଆରଏସ୍ କିରଣଙ୍କ ନିକଟରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ଶଙ୍କିରୀ ମୁଣ୍ଡା ସାହିର ଶ୍ୟାମସୁନ୍ଦର ମୁଣ୍ଡା ଓ ମା ଇନ୍ଦୁମତୀଙ୍କର କିରଣ ହେଲେ ଏକମାତ୍ର ସନ୍ତାନ ।

ସେ ୪ ବର୍ଷ ବୟସରୁ ରକ୍ତ ଶିକୁଳୀ ରୋଗରେ ପୀଡ଼ିତ ଥିବା ଜାଣିବା ପରେ ବାପା ମା ପୁଅକୁ ରକ୍ତ ଦେଇ ଯଥାସମ୍ଭବ ଚିକିତ୍ସା କରାଉଥିଲେ । ହେଲେ, ଶ୍ୟାମସୁନ୍ଦର ବର୍ଷେ ତଳେ ଅଜଣା ରୋଗରେ ଆରପାରିକୁ ଚାଲିଯିବା ପରେ, ମା ଇନୁମତୀ ପର ଘରେ କାମ କରି ପୁଅ ମୁହଁରେ ଖାଦ୍ୟ ଦେବା ସହିତ ପ୍ରତିମାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେଉଥିଲେ । ହେଲେ ଗତ କିଛି ଦିନ ପୂର୍ବରୁ ଇନ୍ଦୁମତୀ ଜଣ୍ଡିସରେ ପ୍ରାଣ ହରାଇଛନ୍ତି । ମା’ଙ୍କ ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଅସହାୟ ହୋଇ ପଡ଼ିଥିଲେ କିରଣ । ଏ ବିଷୟରେ ଜାଣିବା ପରେ 5T ସଚିବ ଭି.କେ. ପାଣ୍ଡିଆନ୍ କିରଣକୁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ସଦର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଖେଳ ଦେଖିବା ଖୁସି ପାଲଟିଗଲା କାଳ, ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ

ରାଉରକେଲା: ଖେଳ ଦେଖିବା ଖୁସି ପାଲଟିଗଲା କାଳ । ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଵିରୱଲ ଗାଁରେ ଘଟିଛି ଅଘଟଣ । ଗାଁ ନିକଟସ୍ଥ ପଡିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ସାଙ୍ଗମାନଙ୍କ ସହ ତିନି ଯୁବକ ଖେଳ ଦେଖୁଥିଲେ । ବର୍ଷା ହେବାରୁ ଏକ ଗଛ ମୂଳକୁ ଚାଲଯାଇଥିଲେ ତିନି ଯୁବକ । ଏହି ସମୟରେ ବଜ୍ରପାତ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ଜଣା ପଡିଛି ।

ଜଣେ ମୃତକ ଲାଠିକଟା କର୍ଲାଖମନ ଗ୍ରାମର ୧୭ ଵର୍ଷୀୟ ଵିଶାଲ ବିଲୁଙ୍ଗ ଵୋଲି ଚିହ୍ନଟ କରାଯାଇଛି। ଅନ୍ୟଜଣେ ଵଣେଇ ନାଲଘାଟି ଗ୍ରାମର ୧୬ ଵର୍ଷୀୟ ସୁନିତ ଓରାମ ବୋଲି ଚିହ୍ନଟ କରାଯାଇଛି । ଅନ୍ୟ ଜଣେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସମସ୍ତଙ୍କୁ ରାଉରକେଲା ହସ୍ପିଟାଲ ନିଆଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର ।ତିନି ଜଣଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି।

ରାଜ୍ୟରୁ ଟଳିଲା ବନ୍ୟା ଆଶଙ୍କା, ଧୀରେ ଧୀରେ କମୁଛି ଜଳସ୍ତର

ଭୁବନେଶ୍ୱର: ଚଳିତଥର ଭଲ ବର୍ଷା ହୋଇଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବାରୁ କିଛି ସ୍ଥାନରେ ଜଳସ୍ତର ବଢ଼ିଥିଲା । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ । ଉପର ମୁଣ୍ଡରେ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ରହିଛି । ଏସବୁ ଅଞ୍ଚଳରୁ ଆଉ ଦିନେ ଦୁଇ ଦିନ ଭିତରେ ପାଣି ଛାଡ଼ିଯିବ । ହୀରାକୁଦ ଜଳଭଣ୍ଡାର ଜଳସ୍ତର କମୁଛି । ଏବେ ଆଉ ଅଧିକ ଗେଟ୍‌ ଖୋଲିବ ନାହିଁ । ବୌଦ୍ଧ ଜିଲ୍ଲାରେ ଗତ ୫ ଦିନ ହେଲା ବର୍ଷା ହୋଇ ନଥିବାରୁ ହୀରାକୁଦରୁ ଛଡ଼ାଯାଇଥିବା ପାଣିର ପ୍ରଭାବ ପଡ଼ିନାହିଁ ।

ତେବେ ହରଭଙ୍ଗା ବ୍ଲକ୍‌ କୃଷ୍ଣମୋହନପୁର ବାଲାଟ ନାଳ ସେତୁ କାମ ଚାଲିଥିବାରୁ ଉପରେ ୨ ଫୁଟ୍‌ ବନ୍ୟାପାଣି ଚାଲୁଛି । ଜଗନ୍ନାଥ ସଡ଼କର ବିଭିନ୍ନ ସ୍ଥାନରେ ଚାଲୁଛି ବନ୍ୟାପାଣି । ବାଙ୍କୀରେ ମହାନଦୀ ପାଣି ହ୍ରାସ ପାଇଛି । ହେଲେ ମହାନଦୀର ଶାଖା ରଣନଦୀରେ ବନ୍ୟାଜଳ ପ୍ରବେଶ କରିବାରୁ ବାଙ୍କୀ ତାଳବସ୍ତ ମୁଖ୍ୟ ରାସ୍ତାରେ ୨ – ୩ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ବିଲିପଡ଼ା, ଶିମିଳିପୁର, ତାଳବସ୍ତ ପଞ୍ଚାୟତର ଚାଷଜମିରେ ମାଡ଼ି ଯାଇଛି ପାଣି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ପଞ୍ଚାୟତର ମଣିପୁର ଗାଁ ଗତକାଲି ରାତିରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଭାପୁର ବ୍ଲକର ଫତେଗଡ଼, ମଣିପୁର ଗାଁ ସମେତ ମାଣିତ୍ରୀ, ଗୁଡୁପଡ଼ା ଓ ବଡ଼ବର ଗାଁ ହୋଇଛି ଜଳବନ୍ଦୀ । ଗଣିଆ ବ୍ଲକର ରାସଙ୍ଗରୁ ଛାମୁଣ୍ଡିଆ ଓ ବଡ଼ମୂଳକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ୨-୩ ଫୁଟ୍‌ ପାଣି ପ୍ରବାହିତ ହେଉଛି । ଆଗକୁ ପୁଣି ବର୍ଷା ବଢ଼ିପାରେ । ତେବେ ବନ୍ୟା ହେବ ନାହିଁ । ଜଳସମ୍ପଦ ବିଭାଗ ସତର୍କ ଅଛି । ଖାସ୍ କରି ତଳିଆ ଅଞ୍ଚଳ ଉପରେ ରଖାଯାଇଛି ବିଶେଷ ନଜର।

ରାଜ୍ୟରେ କାଲିଠୁ ପୁଣି ବଡ଼ବର୍ଷା, ଉପାନ୍ତରୁ ଉପକୂଳ ସବୁଠି ନିର୍ଦ୍ଧୁମ କାଚିବ

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ବଡ଼ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ନିର୍ଦ୍ଧୁମ କାଚିବ । କାଲି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ଢେଙ୍କାନାଳକୁ ସତର୍କତା । ୨୧ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଅଧିକାଂଶ ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସକ୍ରିୟ ମୌସୁମୀ ନିମ୍ନଚାପରେଖା ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ ।

ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ସ୍ଥାନରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କାଲି ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ୧୯ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୨୨ଟି ଏବଂ ୨୧ ତାରିଖରେ ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ସହ ଦକ୍ଷିଣ-ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶ ଉପରେ ରହିଛି । ଜୁନ୍ ୧ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡା, ପୁରୀ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨୦ ରୁ ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କଟକ ବାଙ୍କୀରେ ସର୍ବାଧିକ ୮୫ ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦୁଝର ଚମ୍ପୁଆରେ ୬୮.୮ ମିମି ଏବଂ ଭୁବନେଶ୍ବରରେ ୪୭.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ବ୍ଲାକମେଲର ନେତାଙ୍କ ସପକ୍ଷରେ ଜନବିରୋଧୀ ନେତା: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ବ୍ଲାକମେଲର ନେତାଙ୍କ ସପକ୍ଷରେ ଜନବିରୋଧୀ ନେତା । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବୟାନକୁ କଟାକ୍ଷ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ଅନୁଭବ କହିଛନ୍ତି, ଲଗାତାର ଭାବେ ବ୍ଲାକମେଲ୍ କରି ଆସୁଥିବା ଜଣେ ନେତାଙ୍କ ସମର୍ଥନରେ ଆଉ ଜଣେ ଜନବିରୋଧୀ ନେତା ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବାକୁ କହି ଗରିବ ବେକାର ଯୁବକଙ୍କଠାରୁ ଟଙ୍କା ଠକିଥିଲେ । ଆଉ ସୌମ୍ୟରଞ୍ଜନ ନିଜ କର୍ମଚାରୀଙ୍କୁ ଧମକ୍, ନାଲିଆଖି ଦେଖାଇ ସେମାନଙ୍କ ନାଁରେ ଋଣ ଉଠାଇ ନିଜର ସାମ୍ରାଜ୍ୟ ବିସ୍ତାର କରୁଥିଲେ । ଉଭୟ ଜନବିରୋଧୀ ନେତା ନିଜ ସ୍ବାର୍ଥ ପାଇଁ ଏକାଠି ହେବାରେ କିଛି ନୂତନତ୍ବ ନାହିଁ । ଏହା ଅତ୍ୟନ୍ତ ସ୍ବାଭାବିକ କଥା ବୋଲି ଅନୁଭବ କହିଛନ୍ତି ।

ସର୍ବଦଳୀୟ ବୈଠକରେ ଉଠିଲା ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ବିଜେଡି ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ଦାବି । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ । ବିଜେଡିର ସସ୍ମିତ ପାତ୍ର ଓ ପିନାକୀ ମିଶ୍ର ଏହି ବୈଠକରେ ଯୋଗଦେଇ ଦଳର ଦାବି ଉପସ୍ଥାପନ କରିଛନ୍ତି । ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନକୁ ସୁଚାରୂ ରୂପେ ସମ୍ପାଦନ ଲାଗି ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା ।

ଆଜିର ଏହି ବୈଠକରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ନେତାମାନେ ସାମିଲ ହୋଇଥିଲେ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାରେ ଉପନେତା ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମସି ନେତା ଡେରେକ ଓ ବ୍ରିଏନ, ଏନସିପି ନେତା ବନ୍ଦନା ଚଭନ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଡିଏମକେ ନେତା ଟି. ଶିବା, ଏମଡିଏମକେ ନେତା ଭାଇକୋ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଓ୍ବାଇଆସିପି ନେତା ଭି. ରେଡୀ, ସମାଜବାଦୀ ପାର୍ଟି ନେତା ଏସଟି ହାସନ ବି ଉପସ୍ଥିତ ଥିଲେ ।