ଭାରତରେ ବଢୁଛି ଆତ୍ମହତ୍ୟା : ୨୦୧୯- ୨୦୨୧ରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :   ଭାରତରେ ବଢୁଛି ଆତ୍ମହତ୍ୟା । କେବଳ ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏ. ନାରାୟଣସ୍ବାମୀ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟକୁ ଆଧାର କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଦେଶରେ ସାମାଜିକ ବୈଷମ୍ୟ କାରଣରୁ ଏସସି ଓ ଏସଟି ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ମନ୍ତ୍ରୀ । ତେବେ ସାମାଜିକ ବୈଷମ୍ୟ କାରଣରୁ କେତେ ସଂଖ୍ୟକ ଏସସି ଓ ଏସଟି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ସେ ସମ୍ପର୍କରେ ସୂଚନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ତଥ୍ୟ ଅନୁସାରେ ୨୦୧୯ରେ ୧୦ ହଜାର ୩୩୫, ୨୦୨୦ରେ ୧୨ ହଜାର ୫୨୬ ଓ ୨୦୨୧ରେ ୧୩ ହଜାର ୮୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସାମାଜିକ ବୈଷମ୍ୟ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାଉନସେଲିଂ ସେଲ ପ୍ରତିଷ୍ଠା ସହ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।