ପାକିସ୍ତାନରେ ପୁଣି ଅଜ୍ଞାତ ଆତତାୟୀର ଗୁଳିରେ ଶିକାର ହେଲା ଆଉ ଜଣେ ଲସ୍କର ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ :  ପାକିସ୍ତାନରେ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଟାର୍ଗେଟ୍ କିଲିଂର ଶିକାର ଆଉ ଜଣେ ଲସ୍କର ଆତଙ୍କବାଦୀ ହୋଇଛି । ନିହତ ଆତଙ୍କବାଦୀ ଜଣକ ୨୦୧୫ ଓ ୨୦୧୬ରେ ଉଦ୍ଦମପୁର ତଥା ପମ୍ପୋରରେ ସୁରକ୍ଷାବାହିନୀ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା । ନିହତ ଆତଙ୍କବାଦୀରନ ନାମ ହଂଜଲା ଅଦନାନ ଓ ସେ ଲସ୍କର ଇ ତୋଇବାର ସିନିୟର କମାଣ୍ଡର ଥିଲା । ହଂଜଲା ଲସ୍କର ମୁଖ୍ୟ ହାଫିଜ୍ ସଇଦର ନିକଟତର ଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ କରାଚୀରେ ଡିସେମ୍ବର ୩ ତାରିଖରେ ହଂଜଲା ଉପରେ ଆକ୍ରମଣ ହୋଇଥିଲା ।
୩ ଡିସେମ୍ବର ରାତିରେ ହଂଜଲାକୁ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରିଥିଲେ । ତାକୁ ତା’ ଘର ଆଗରେ ଗୁଳି କରାଯାଇଥିଲା । ଗୁଳିକାଣ୍ଡ ପରେ ହଂଜଲାକୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା । ହଂଜଲାର ହତ୍ୟାକୁ ଲସ୍କର ଓ ହାଫିଜ ପାଇଁ ବଡ଼ ଧରଣର ଝଟକା ବୋଲି କୁହାଯାଉଛି । ତେବେ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ସେନେଇ ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ । ପୋଲିସ ଅନୁସାରେ ହଂଜଲାକୁ ୪ଟି ଗୁଳି ମରାଯାଇଥିଲା ।

ବିଏସଏଫ୍ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ୍
ହଂଜଲା ଅଦନାନ ୨୦୧୫ରେ ଜମ୍ମୁକାଶ୍ମୀରର ଉଦ୍ଧମପୁରର ବିଏସଏଫ ଉପରେ ହୋଇଥିବ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ସେହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିଲେ । ୧୩ ଜଣ ଆହତ ହୋଇଥିଲେ । ସେହିଭଲି ୨୦୧୩ରେ ପାମ୍ପୋରରେ ସିଆରପିଏଫର ଏକ ଦଳ ଉପରେ ହୋଇଥିବା ଆକ୍ରମଣର ଷଡ଼ଯନ୍ତ୍ର ମଧ୍ଯ ହଂଜଲା ରଚିଥିଲା । ଯେଉଁଥିରେ ୮ ଜଣ ଯବାନ ସହିଦ ହୋଇଥିଲେ । ହାଫିସ ସହିତ ମିଶି ହଂଜଲା ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଚଳାଉଥିଲା ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଗତ କେଇ ମାସ ଲସ୍କର ,ଜୈଶ ଭଳି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନର ନେତାଙ୍କୁ କେହି ଟାର୍ଗେଟ୍ କରୁଛି । ଯାହାକୁ ନେଇ ପାକିସ୍ତାନ ସରକାର ଚୁପ ଥିବା ବେଳେ ସ୍ଥାନୀୟ ମିଡିଆ ଓ ପୋଲିସ ଏହାକୁ ଟାର୍ଗେଟ୍ କିଲିଂ ବୋଲି କହୁଛି । ଆଫଗାନିସ୍ତାନଠାରୁ ପାକିସ୍ତାନର ବିଭିନ୍ନ ସହରରେ ଲସ୍କର ଆତଙ୍କବାଦୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଛି । ହଂଜଲା ଉପରେ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିବା ସାଜିଦ ମୀରକୁ ଜେଲ ଭିତରେ କେହି ବିଷ ଦେଇଥିବା ଜଣା ପଡିଥିଲା । ମାଜିଦକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଏବେ ମଧ୍ୟ ମାଜିଦର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେହିଭଳି ସୋମବାର ଦିନ ପାକିସ୍ତାନରେ ଶରଣ ନେଇଥିବା ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ରୋଡେର ମଧ୍ୟ ହତ୍ୟା ହୋଇଥିଲା ।