ଉତ୍ତରକାଶୀ: ଟନେଲ୍ ଭିତରୁ ଶୁଭିଲା ସ୍ବର, ଆଶ୍ବସ୍ତ ହେଲେ ପରିବାର। ନିଜେ ଭଲ ଥିବା କହିଛନ୍ତି ଓଡ଼ିଶାର ମହାଦେବ। ଗତ ୫ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀର ଟନେଲ୍ ଭିତରେ ଫସି ରହିଛନ୍ତି ମହାଦେବ। ଓ୍ବାକିଟକିରେ ମାମୁଙ୍କ ସହ ମହାଦେବଙ୍କ ବାର୍ତ୍ତାଳାପ ଅଡିଓ ସାମନାକୁ ଆସିଛି। ଏଥିରେ ମହାଦେବ ଭଲ ଥିବା କହିଛନ୍ତି । ପରିବାର ଲୋକଙ୍କୁ ନିଜେ ଭଲ ଥିବା କହିବାକୁ ମହାଦେବଙ୍କୁ କହୁଛନ୍ତି ମାମୁ । ଆଉ ଟନେଲ୍ ଭିତରୁ ମହାଦେବଙ୍କ ସ୍ବର ଶୁଣି ପରିବାର ଲୋକେ ଆଶ୍ବସ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି ଓ ମହାଦେବ ଖୁବ୍ ଶୀଘ୍ର ସୁରକ୍ଷିତ ଉଦ୍ଧାର ହେବେ ବୋଲି ବିଶ୍ବାସ ରଖିଛନ୍ତି । ୨୨ବର୍ଷୀୟ ମହାଦେବ ମାମୁଙ୍କ ସହ ଟନେଲ ନିର୍ମାଣ ସାଇଟରେ କାମ କରୁଥିଲେ। ମହାଦେବ ଭିତରେ ଫସି ରହିଥିବା ବେଳେ ତାଙ୍କ ମାମୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟନେଲ ଭିତରେ ୭ରାଜ୍ୟର ୪୦ଜଣ ଶ୍ରମିକ ଫସି ରହିଛନ୍ତି । ଘଟଣାକୁ ଶହେ ଘଣ୍ଟା ବିତିଥିବା ବେଳେ ରେସକ୍ୟୁ ଅପରେସନ୍ ଜୋରଦାର କରାଯାଇଛି ।
କାହିଁକି ଟସ୍ ଦୂରକୁ ପକାନ୍ତି ରୋହିତ ? ପାକିସ୍ତାନୀ କ୍ରିକେଟରଙ୍କ ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ: ସରିଆସୁଛି ବିଶ୍ବକପ ୨୦୨୩ କ୍ରିକେଟ । ଆଉ ମାତ୍ର ଦୁଇଟି ମ୍ୟାଚ ପରେ ବିଜେତା ଟିମ୍ ହାତେଇବ ବିଶ୍ବକପ ଟ୍ରଫି । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ହରାଇ ପ୍ରଥମ ଫାଇନାଲିଷ୍ଟ ସାଜିଛି ଭାରତ । ଗୋଟିଏ ପଟେ କ୍ରିକେଟ ପ୍ରେମୀ ଭାରତର ବିଜୟରେ ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ ପାକିସ୍ତାନ । ପଡେଶୀ ଦେଶ ପାକିସ୍ତାନ ଟିମ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଲାଣି । କିନ୍ତୁ ଏକଥାକୁ ହଜମ କରିପାରୁ ନାହାନ୍ତି ପାକ୍ ଖେଳାଳୀ । ପ୍ରତିଦିନ ପାକିସ୍ତାନର ପୂର୍ବତନ କ୍ରିକେଟର ଭିନ୍ନ ଭିନ୍ନ ବୟାନ ଦେଇ ଆସୁଛନ୍ତି । କିଛି ଦିନ ପୂର୍ବରୁ ଜଣେ ପୂର୍ବତନ ଖେଳାଳୀ ଅଭିଯୋଗ କରିଥିଲେ ଯେ ଭାରତୀୟ ବୋଲରଙ୍କୁ ଅଲଗା ବଲ୍ ଦିଆଯାଉଛି । ଏବେ ପୁଣି ଥରେ ଆଉ ଜଣେ କ୍ରିକେଟର ସଙ୍ଗୀନ ଅଭଇଯୋଗ ଆଣିଛନ୍ତି । ତାଙ୍କ କହିବା କଥା ଯେ ଟସ୍ ପଡିବା ସମୟରେ ଅଧିନାୟକ ରୋହିତ ଶର୍ମା ଜାଣିଶୁଣି ଦୂରକୁ ଟସ୍ ପକାଇଥାନ୍ତି । ଯାହା ଫଳରେ ଟସ୍ ରେଜଲ୍ଟ ତାଙ୍କ ସପକ୍ଷରେ ହେବ । ଅନ୍ୟ ଅଧିନାୟକଙ୍କୁ ଏ ବିଷୟରେ କିଛି ଜଣାପଡିବ ନାହିଁ ।
ସିକନ୍ଦର ବଖ୍ତ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କପରି କହିଛନ୍ତି ରୋହିତ ଶର୍ମା ଟସ୍ ଫିଙ୍ଗିବା ସମୟକେ ଜାଣିଶୁଣି ଦୂରକୁ ଫିଙ୍ଗିଥାନ୍ତି । ଯାହା ଅନ୍ୟ ଅଧିନାୟକଙ୍କୁ ସହଜରେ ଦେଖାଯିବ ନାହିଁ । ଏଭଳି ସ୍ଥଳରେ ଟସ୍କୁ ପାଖରୁ ଦେଖାଯିବା ଉଚିତ୍ ବୋଲି ସେ ଅଭିଯୋଗ କରିଛନ୍ତି । ସେହିଭଳି ଆଉ ଜଣେ ଖେଳାଳୀ ମହମ୍ମଦ ହଫିଜ ଟସ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା କଥା ଯେ ଟସ୍ର ରେଜଲ୍ଟ ସ୍ପାଇଡର କ୍ୟାମେରାରେ ଦେଖାଇବା ଉଚିତ ।
Very strange the way Rohit Sharma throw the coin at toss, far away, don’t let other Captains to see, compare to other Captains in the WC , any reason?? @BCCI @TheRealPCB @CricketAus @CricketSouthAfrica #sikanderbakht #WorldCup23 #IndiaVsNewZealand @ImRo45 @ICC pic.twitter.com/KxhR2QyUZm
— Sikander Bakht (@Sikanderbakhts) November 15, 2023
ଏହା ପୂର୍ବରୁ ପୂର୍ବତନ କ୍ରିକେଟକର ହସନ ରାଜା କହିଥିଲେ ଭାରତୀୟ ଟିମ୍କୁ ଅଲଗା ପ୍ରକାର ବଲ୍ ଦିଆଯାଉଛି । ସେ କହିଛନ୍ତି ଚଳିତ ବର୍ଷ ଭାରତକୁ ଜାଣିଶୁଣି ଆଗକୁ ବଢିବାକୁ ଦିଆଯାଇଛି । ସେ ରିଭ୍ୟୁ ହେଉ କି ଆଉ କିଛି । ମହମ୍ମଦ ସାମି ଆଉ ସିରାଜ କିଭଳି ବୋଲିଂ କରୁଛନ୍ତି ? ଆମେ ବି ପୂର୍ବରୁ ଖେଳି ସାରିଛୁ ଯ ସେତେବେଳେ ବଲ ରିଭର୍ସ ସ୍ବିଙ୍ଗ ହେଉଥିଲା । କିନ୍ତୁ ଏବେ ସେମିତି କିଛି ହେଉନାହିଁ । ଲାଗୁଛି ଯେମିତି ବଲ୍ ବଦଳାଇ ଦିଆ ଯାଉଛି । ଜଣାପଡୁନି ଯେ ଭାରତୀୟ କ୍ରିକେଟରଙ୍କୁ ICC ନା BCCI ବଲ୍ ଯୋଗାଉଛି । ICC ଏହି ଘଟଣାରେ ହସ୍ତକ୍ଷେପ କରିବା ଉଚିତ ।
ଏମସିସି ନିୟମ ଅନୁସାରପେ ମ୍ୟାଚ୍ର ୩୦ ମିନିଟ୍ ପୂର୍ବରୁ ଦୁଇ ଟିମର ଅଧିନାୟକ ମ୍ୟାଚ ରେଫରୀର ଉପସ୍ଥିତିରେ ଟସ ପାଇଁ ଯିବେ । କେହି ଜଣେ ଅଧିନାୟକ କଏନ୍ ଫିଙ୍ଗିବା ପରେ ଅନ୍ୟ ଜଣେ ଅଧିନାୟକ ହେଡ୍ ବା ଟେଲ୍ କହିବ । ଏହା ପରେ ରେଫରୀ ଟସ୍ର ରେଜଲ୍ଟ କମେଣ୍ଟେଟରକୁ ଜଣାଇବେ । ଏଭଳି କ୍ଷେତ୍ରରେ ସିକନ୍ଦର ବଖ୍ତ ଙ୍କ ବୟାନ ବିବାଦକୁ ଡାକି ଆଣିଛି । ଏଠାରେ କହି ରଖୁଛୁ ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ମ୍ୟାଚ ରେଫରୀ ଜିମ୍ବାୱେର ଏଣ୍ଡି ପେନକ୍ରାଫ୍ଟ ରହିଥିଲେ ।
ପରାଜୟ ପରେ ନ୍ୟୁଜିଲାଣ୍ଡ ଗଣମାଧ୍ୟମରେ କ’ଣ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଫାଇନାଲ ଆଶା ଧୂଳିସାତ ହୋଇଛି । ସେମିଫାଇନାଲରେ ଭାରତଠାରୁ ୭୦ ରନରେ ପରସ୍ତ ହୋଇଛି ନ୍ୟୁଜିଲାଣ୍ଡ । ଭାରତରେ ଅନୁଷ୍ଠିତ ବିଶ୍ବକପରେ ଘରୋଇ ଦଳର ଦମଦାର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଉଛି ପାକିସ୍ତାନ । ବଲଠାରୁ ଆରମ୍ଭ କରି ପିଚ୍ ବଦଳାଯିବା ପର୍ଯ୍ୟନ୍ତ ଅଭିଯୋଗ ଆଣୁଛି । ଏପରିକି ଆଇସିସି ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏଭଳି କିଛି ଦେଖିବାକୁ ମିଳିଥିଲା । ତେବେ ନ୍ୟୁଜିଲାଣ୍ଡ ପରାଜୟ ପରେ ତାଙ୍କ ଦେଶରେ ପରାଜୟକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଭାରତର ବ୍ୟାଟିଂ ଏବଂ ବୋଲିଂକୁ ପ୍ରଂଶସା କରାଯାଉଛି । ତେବେ ଏକ ନ୍ୟୁଜିଲାଣ୍ଡ ଗଣମାଧ୍ୟମରେ ପ୍ରକାଶ କରାଯାଇଛି କି, ଶେଷ ସମୟରେ ପିଚ୍ ବଦଳାଇବା କାରଣରୁ ଭାରତର ବିଜୟ ହୋଇଛି । ସେମିଫାଇନାଲ ନୂଆ ପିଚରେ ଖେଳାଯିବାକୁ ଥିବାବେଳେ ପୂର୍ବରୁ ଦୁଇ ମ୍ୟାଚ୍ ସେହି ପିଚରେ ଖେଳାଯାଇଥିବା ଅଭିଯୋଗ ଆଣିଛି । ଘରୋଇ ଦଳକୁ ବିଜୟ କରାଇବା ପାଇଁ ପିଚକୁ ବାରମ୍ବାର ବଦଳା ଯାଉଥିବା ମଧ୍ୟ ଖବରରେ ପ୍ରକାଶ ପାଇଛି । ସେପଟେ ଆଇସିସି ପକ୍ଷରୁ କୁହାଯାଇଛି କି, ସେମିତି କୌଣସି ବଦଳାଯାଇନାହିଁ ।
ସେପଟେ ନ୍ୟୁଜିଲାଣ୍ଡର ଆଉ ଏକ କବର କାଗଜରେ ପ୍ରକାଶ କରାଯାଇଛି, ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ କରିବା ସହ ସଂଘର୍ଷ କରୁଥିବାବେଳେ ଶେଷ ସମୟରେ ବିପର୍ଯ୍ୟୟ ପଛରେ କିଛି ଅଲଗା କାରଣ ରହିଛି କି? ପିଚ ବଦଳାଇବା ଭଳି ଅଭିଯୋଗ ମଧ୍ୟ ଆସିଛି । ଏଣୁ ଏହାର ଯାଞ୍ଚ ହେବା ଆବଶ୍ୟକ ବୋଲି ଲେଖାଯାଇଛି । କିନ୍ତୁ ନ୍ୟୁଜିଲାଣ୍ଡର ବହୁ ଖବର କାଗଜରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଂଶସା କରାଯାଇଛି । ସାମିଙ୍କ ଘାତକ ବୋଲିଂ ଏବଂ ବିରାଟଙ୍କ ବିଶ୍ବ ରେକର୍ଡକୁ ନେଇ ସ୍ବତନ୍ତ୍ର ରିପୋର୍ଟ ମଧ୍ୟ ପ୍ରକାଶ କରାଯାଇଛି । ସୂଚନା ଥାଉକି, ପାକିସ୍ତାନର ପରାଜୟ ପରେ ଭାରତୀୟ ଆୟୋଜନକୁ ନେଇ ପ୍ରଥମେ ପ୍ରଶ୍ନ ଉଠାଇଥିଲେ । ଦିଗଜ କ୍ରିକେଟରମାନେ ପିଚ୍ ଏବଂ ବଲକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହା ଉପରେ ଆଇସିସି ମଧ୍ୟ ଧ୍ୟାନ ଦେଇଛି ।
ଗାଜାର ହସ୍ପିଟାଲ୍ ଯୁଦ୍ଧ କ୍ଷେତ୍ର ଭାବେ ବ୍ୟବହୃତ
ଗାଜା: ଗାଜାର ହସ୍ପିଟାଲଗୁଡିକ ଯୁଦ୍ଧ କ୍ଷେତ୍ର ଭାବେ ହେଉଛି ବ୍ୟବହୃତ। ଗାଜାର ସର୍ବବୃହତ ଅଲ ଶିଫା ହସ୍ପିଟାଲରୁ ମିଳିଛି ହମାସର କମାଣ୍ଡ ସେଣ୍ଟର ଓ ବିପୁଳ ଅସ୍ତ୍ରଶସ୍ତ୍ର। ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଚାଲିଥିବା ରେଡରେ ଏହି ସୂଚନା ମିଳିଛି। ଏହି କାରଣ ଯୋଗୁ ହସ୍ପିଟାଲକୁ ଆଇଡିଏଫ ପ୍ରମୁଖ ଟାର୍ଗେଟ କରିଛି। ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ କରିଛନ୍ତି ଘେରାବନ୍ଦୀ।
ହସ୍ପିଟାଲ ପରିସରରେ ରହିଥିବା ଏକ କୋଠାରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଗୋଳାବାରୁଦ, ସୈନ୍ୟଙ୍କୁ ସୁରକ୍ଷା ଦେବାରେ ବ୍ୟବହୃତ ହେଉଥିବା ଜ୍ୟାକେଟ ଆଦି ଜବତ କରାଯାଇଛି। ଏହି କୋଠାରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବାେଳେ ବିଭିନ୍ନ ପ୍ରଯୁକ୍ତିଗତ ଯନ୍ତ୍ରପାତି ରହିଥିଲା। ହସ୍ପିଟାଲ ଉପରେ ହୋଇଥିବା ରେଡକୁ ବି ସମର୍ଥନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାାହୁ।
ବର୍ତ୍ତମାନ ସୁଦ୍ଧା ୧୧ ହଜାର ୫୦୦ ପାଲେଷ୍ଟିନୀୟଙ୍କ ମୃତ୍ଯୁ ଘଟିଲାଣି ବୋଲି କହିଛି ହମାସ। ସେପଟେ ହସ୍ପିଟାଲ ଉପରେ ଆକ୍ରମଣ ଲାଗି ଆମେରିକା ସବୁଜ ସଙ୍କେତ ଦେଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମେରିକା ନିରାପତ୍ତା ପରିଷଦ ମୁଖପାତ୍ର ଜନ କିର୍ବି।
କଥା ଦେଇ କଥା ରଖିଲେ 5T ଅଧ୍ୟକ୍ଷ
ବାଲେଶ୍ବର: କଥା ଦେଇ କଥା ରଖିଲେ ରାଜ୍ୟ ସରକାର । ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବାବା ବକ୍ରେଶ୍ବରପୀଠକୁ ରାସ୍ତା ପାଇଁ ହେଲା ଶୁଭ ଶିଳାନ୍ୟାସ । ପୂର୍ବରୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଏନେଇ ଜଣାଇଥିଲେ ସିମୁଳିଆବାସୀ । ବକ୍ରେଶ୍ବରପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ସେଠାକୁ ଯିବାକୁ ଭଲ ରାସ୍ତା ନଥିଲା । ଏଣୁ ପର୍ଯ୍ୟଟକ ମାନେ ଅସୁବିଧା ଭୋଗୁଥିଲେ । 5T ଅଧ୍ୟକ୍ଷ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଭଦ୍ରକ ସାଂସଦ ମଞ୍ଜୁଳତା ମଣ୍ଡଳ ଓ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ୫ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରାଯିବ। ଝିଙ୍କିରିଆଠାରେ ୫ କୋଟି ଟଙ୍କାରେ ଦୁଇଟି ପୋଲ ମଧ୍ୟ ନିର୍ମାଣ କରାଯିବ । ଦୀର୍ଘବର୍ଷର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।
5T ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା
ଭୁବନେଶ୍ବର: 5T ଓ ଆମ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ। ନବୀନ ନିବାସରେ ଭି.କେ ପାଣ୍ଡିଆନଙ୍କୁ ଭେଟି ନୂଆ ଦାୟିତ୍ବ ପାଇଁ ଜଣାଇଛନ୍ତି ଅଭିନନ୍ଦନ। ଗୁରୁବାର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ କର୍ମଚାରୀ ସଂଗଠନ, ଆଶା କର୍ମୀ ସଙ୍ଗଠନ, ବିଡିଏ କର୍ମଚାରୀ ସଂଘ, ରାଜ୍ୟ ଅଣ ଗେଜେଟେଡ଼ କର୍ମଚାରୀ ସମନ୍ବୟ ସମିତି ସହ ବିଭିନ୍ନ ସାମ୍ବାଦିକ, ରାଜନେତା,ବିଧାୟକ, ବିଭିନ୍ନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ରାଜ୍ୟର ରୂପାନ୍ତରଣରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ନବୀନ ଓଡ଼ିଶାର ନିର୍ମାଣରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । କିଛି ବର୍ଷ ଭିତରେ ରାଜ୍ୟରେ ଦ୍ରୁତ ବିକାଶ ଆସିଛି । ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ବି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନେଇଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଏଥିପାଇଁ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ସହ ଓଡ଼ିଶାର ରୂପାନ୍ତରଣକୁ ଆଗେଇ ନେବାକୁ ଆହ୍ବାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।
ଭାଇରାଲ୍ ଭିଡ଼ିଓ ପରେ କ୍ଷମା ମାଗିଲେ ଭେଟେରାନ୍ ଅଭିନେତା ନାନା ପାଟେକର, ଜାଣନ୍ତୁ କ‘ଣ ଥିଲା ଘଟଣା?
ନୂଆଦିଲ୍ଲୀ: ନିକଟରେ ବଲିଉଡର ଭେଟେରାନ ଅଭିନେତା ନାନା ପାଟେକର ଜଣେ ଯୁବକଙ୍କୁ ଚାପୁଡା ମାରୁଥିବାର ଭିଡ଼ିଓ ଭାଇରାଲ୍ ହୋଇଛି। ଯାହା ପରେ ସେ ଏକ ଭିଡ଼ିଓ କରି ଘଟଣା ସମ୍ପର୍କରେ ସଫେଇ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।
ସୂଚନା ଅନୁଯାୟୀ, ବର୍ତ୍ତମାନ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂ ବାରାଣାସୀରେ ଚାଲିଛି। ଯେଉଁଥିରେ ନାନା ପାଟେକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା, ଜଣେ ବାଳକ ନାନାଙ୍କ ସହ ସେଲଫି ନେବାକୁ ଆସିଥିଲା ବେଳେ ଅଚାନକ ଅଭିନେତା ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଖୁବ୍ ଟ୍ରୋଲ୍ କରିଛନ୍ତି ନେଟିଜେନ୍ସ। ଯାହା ପରେ ନାନା ପାଟେକର ଏହି ଘଟଣାରେ ସ୍ପଷ୍ଟୀକରଣ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।
ନାନା ପାଟେକର ନିଜେ ଏକ ଭିଡିଓ ଜାରି କରି ସୁଟିଂ ସେଟରେ ପ୍ରକୃତରେ କ’ଣ ଘଟିଥିଲା ସେନେଇ ପ୍ରକାଶ କରିଛନ୍ତି। ଏହି ଭିଡିଓରେ ନାନା କହିଛନ୍ତି, ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁଁ ଏକ ଯୁବକଙ୍କୁ ଚାପୁଡା ମାରିଛି। ଯଦିଓ ଏହି ସିନ୍ ଆମ ଚଳଚ୍ଚିତ୍ରର ଏକ ଅଂଶବିଶେଷ । ଏହି ଘଟଣା ପୂର୍ବରୁ ଆମେ ଏକ ରିହର୍ସଲ୍ କରିଥିଲୁ, ଯେଉଁଥିରେ ମୁଁ ଟୋପି ପିନ୍ଧି ଛିଡା ହୋଇଥାଏ ଏବଂ ଜଣେ ଯୁବକ ମୋତେ କମେଣ୍ଟ ମାରିବା ସହ ଏ ବୁଢା ଟୋପି ବିକ୍ରି କରିବୁ କି ପଚାରୁଛି। ଯାହାପରେ ମୁଁ ତାକୁ ପିଟିବାସହ ଏମିତି ବଦମାସି କରନି ବୋଲି କହୁଥାଏ । ଏହିଭଳି ଆମର ପ୍ରଥମ ରିହର୍ସଲ ସରିଯାଇଥିବା ବେଳେ ନିର୍ଦ୍ଦେଶକ ପୁଣିଥରେ ରିହର୍ସଲ କରିବାକୁ କହିଥିଲେ।
ଦୁର୍ଭାଗ୍ୟବଶତଃ ଠିକ୍ ସେହି ସମୟରେ ସମ୍ପୃକ୍ତ ଯୁବକ ସେଲଫି ନେବାକୁ ଆସିଥିଲେ। ଆଉ ମୁଁ ତାଙ୍କୁ ଟିମ୍ ମେମ୍ବର ଭାବି ଆକ୍ସନ ଆରମ୍ଭ କରିଥିଲି । ହେଲେ ମୋତେ ଜଣାନଥିଲା ଯେ ସେ ଆମ ଟିମ୍ ମେମ୍ବର ନୁହେଁ ବୋଲି, ନଚେତ୍ ମୁଁ ଏଭଳି କରିନଥାନ୍ତି।
ଚାପୁଡ଼ା ମାରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆମର ଟିମ୍ ମେମ୍ବର ନୁହଁନ୍ତି। ଘଟଣା ଜାଣିବା ପରେ ଆମେ ତାଙ୍କୁ ଖୋଜିଥିଲେ ବି ପାଇଲୁନି । ଯଦିଓ ଏହା ଏକ ଭୁଲ ବୁଝାମଣା । ଦୟାକରି ଆମକୁ କ୍ଷମା କରନ୍ତୁ| ମୋ ସହ ବହୁ ଲୋକ ଫଟୋ ଉଠେଇଛନ୍ତି, ମୁଁ କେବେବି ଏମିତି ବ୍ୟବହାର କାହାସହ କରିନି ବୋଲି କହିଛନ୍ତି ଅଭିନେତା ।
ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ବର୍ବରତା
ନୟାଗଡ଼: ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ବର୍ବରତା । ଜବରଦଖଲ ଉଚ୍ଛେଦ ନାଁରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ । ଜୋରଜବରଦସ୍ତ ଘର ଭାଙ୍ଗିବା ସହ ପରିବାର ଲୋକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦେଉଳୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁସାରେ ଭାସ୍କର ସାହୁ ଗାଁ କୋଠ ଜମିରେ ଆଇସକ୍ରିମ ଫ୍ୟାକ୍ଟ୍ରି କରିଥିଲେ । ଗାଁ ଜାଗାରେ ଫ୍ୟାକ୍ଟ୍ରି କରିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।
ପରେ ଗ୍ରାମବାସୀ ଭାସ୍କରଙ୍କର ଆଇସକ୍ରିମ ଫାକ୍ଟ୍ରିଙ୍କୁ ଭାଙ୍ଗିଦେଇଥିଲେ। ଭାସ୍କରଙ୍କ ଅଭିଯୋଗ ଅନୁସାରେ ସୋସିଆଲ ମିଡିଆରେ ତାଙ୍କର ଝିଅର ଏକ ଫଟୋ ଭାଇରାଲ ହୋଇଥିଲା । ଏନେଇ ସେ ସଦର ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ କରିଥିବାରୁ ଗାଁ ଲୋକ ତାଙ୍କୁ ବିରୋଧ କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଘର ଉପରକୁ ଟେକା ପଥର ମାଡ଼ କରାଯାଇଥିବା ଥାନାରେ ଅଭିଯୋଗ କରିବା ସହ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି । ପୋଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ଚେତାବନୀ
ବ୍ୟୁରୋ ରିପୋର୍ଟ: ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ଯୋଗାଅ ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଚେତାବନୀ ଦେଇଛନ୍ତି ଚୀନ ପ୍ରତିପକ୍ଷ ସି ଜିନପିଙ୍ଗ । ସାନଫ୍ରାନ୍ସିକୋରେ ଅନୁଷ୍ଠିତ ଆପେକ୍ ସମ୍ମିଳନୀ ଅବସରରେ ଦୁଇ ସୁପରପାଓ୍ବାର ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଅବସରରେ ବାଇଡେନଙ୍କୁ ଏହା କହିଛନ୍ତି ଜିନପିଙ୍ଗ । ସେପଟେ ଦୁଇ ନେତାଙ୍କ ଆଲୋଚନା ପରେ ଜିନପିଙ୍ଗଙ୍କୁ ଜଣେ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି ବାଇଡେନ । ଚୀନର ସରକାର ଅନ୍ୟ ସମସ୍ତ ସରକାରଙ୍କଠାରୁ ଭିନ୍ନ ବୋଲି ସେ କହିଛନ୍ତି ।
ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନ, ତାଇଓ୍ବାନ, ଭାରତ-ପ୍ରଶାନ୍ତ ଅର୍ଥନୈତିକ ପ୍ରସଙ୍ଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ଡ୍ରଗ୍ସ, ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ମତପାର୍ଥକ୍ଯ ଦୂର କରି ପାରସ୍ପରିକ ବୁଝାମଣା ଦିଗରେ କାର୍ଯ୍ୟ କରିବା । ଜୋ ବାଇଡେନଙ୍କୁ ଏହା କହିଛନ୍ତି ଚୀନ ପ୍ରତିପକ୍ଷ ନପିଙ୍ଗ । ସାନଫ୍ରାନ୍ସିକୋଠାରୁ ୩୦ ମାଇଲ ଦୂର ଫିଲୋଲି ଏଷ୍ଟେଟରେ ଦୁଇ ନେତାଙ୍କ ମଧ୍ଯରେ ଆଲୋଚନା ହୋଇଥିବାବେଳେ ବିଶ୍ବରେ ଆମେରିକା ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କେବଳ ଦୁଇ ଦେଶର ଦେଶବାସୀ ନୁହନ୍ତି, ସାରା ବିଶ୍ବ ଓ ଇତିହାସ ଲାଗି ଦୁଇ ରାଷ୍ଟ୍ର କାନ୍ଧକୁ କାନ୍ଧ ମିଳାଇ ଦାୟିତ୍ବସମ୍ପନ୍ନ ହେବା ଆବଶ୍ଯକ ବୋଲି କହିଛନ୍ତି ଜିନପିଙ୍ଗ । ବାଇଡେନ କହିଛନ୍ତି- ବିଭିନ୍ନ ପ୍ରସଙ୍ଗରେ ରହିଥିବା ମତପାର୍ଥକ୍ୟ ସଂଘର୍ଷରେ ପରିଣତ ହେବା ଅନୁଚିତ ।
ଅପରପକ୍ଷକୁ ଭିନ୍ନ ଦୃଷ୍ଟିରେ ଦେଖିବା ଅବାସ୍ତବ ଏବଂ କୌଣସି ପ୍ରକାର ବିବାଦ ଓ ସଂଘର୍ଷ ଉଭଯ ପକ୍ଷ ଲାଗି କ୍ଷତିକାରକ ବୋଲି କହିଛନ୍ତି ଜିନପିଙ୍ଗ । ଏହା ସହ ଦୁଇ ନେତାଙ୍କ ମଧ୍ୟରେ ତାଇଓ୍ବାନ, ୟୁକ୍ରେନ ଓ ମଧ୍ୟପ୍ରାଚ୍ଯ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ଶେଷ ଥର ଲାଗି ଗତ ୨୦୨୨ ନଭେମ୍ବରରେ ବାଲିରେ ଦୁଇ ନେତାଙ୍କ ମଧ୍ଯରେ ଭେଟଘାଟ ହୋଇଥିଲେ ମଧ୍ଯ ଚୀନର ସ୍ପାଏ ବେଲୁନକୁ ଆମେରିକା ଖସାଇଦେବା ପରେ ଦୁଇ ରାଷ୍ଟ୍ର ମଧ୍ଯରେ କୂଟନୈତିକ ଉତ୍ତେଜନା ପ୍ରକାଶ ପାଇଥିଲା ।
ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଜାଳିଦେଲେ
କଳାହାଣ୍ଡି: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଜାଳିଦେଲେ ଦୁର୍ବୃତ୍ତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କସାକେନ୍ଦୁ ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ କାଣ୍ଡ । ଗୁରୁତର ଯୁବକ ହେଲେ ଅଞ୍ଜନ ପାଢ଼ୀ । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ ଅଞ୍ଜନ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଧାର ଦେଇଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଟଙ୍କା ଫେରସ୍ତ ଦେଉନଥିଲେ । ଗତକାଲି ବିଳମ୍ବିତ ଧାର ଟଙ୍କା ଫେରାଇବାକୁ କହି ଅଭିଯୁକ୍ତ ଅଞ୍ଜନଙ୍କୁ ଡାକିଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଅଞ୍ଜନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପରିବାର ଲୋକ ଅଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

