ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ

1 min read

ଖୋର୍ଦ୍ଧା: ଗ୍ରାମ ରୋଜଗାର ସେବକ- ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନବୀନ ବାଗ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ହେଲେ ଅଁଳାଯୋଡ଼ି ଗାଁର ସୌମ୍ୟ ରଞ୍ଜନ ମାହାନା। ବୟସ ୨୬ ବର୍ଷ । ସେ କଣାସ ବ୍ଲକରେ ଗ୍ରାମ ରୋଜଗାର ସେବକ ଭାବେ କାମ କରୁଥିଲେ । ସୌମ୍ୟ ନିୟମିତ ଭାବେ ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ଏକ ଆୟୁର୍ବେଦିକ କ୍ଲିନିକକୁ ଯିବା ଆସିବା କରୁଥିଲେ । ସେଇଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସେ ଆତ୍ମହତ୍ୟା କରିଥିବା ସାଙ୍ଗମାନେ ଘରକୁ ଖବର ଦେଇଥିଲେ । ତେବେ ପରିବାର ଲୋକ ପହଞ୍ଚିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହକରି ସୌମ୍ୟଙ୍କ ବାପା ସୁରେଶ ଚନ୍ଦ୍ର  ମାହାନା ଥାନାରେ ଏତଲା ଦେଇଛନ୍ତି । ଏତଲାରେ ଜଣେ ଝିଅର ନାଁ ସହ ଆଉ ଦୁଇଜଣଙ୍କ ନାଁ ଉଲ୍ଲେଖ ରହିଛି । ଜଣେ ଝିଅ ସହ ସୌମ୍ୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଚର୍ଚ୍ଚା ହେଉଛି । ପ୍ରେମ ପରେ ଝିଅ ପ୍ରତାରଣା କରିବାରୁ ସୌମ୍ୟ ବିରୋଧ କରିଥିଲେ । ଝିଅ କିଛି ଯୁବକଙ୍କ ଦ୍ବାରା ସୌମ୍ୟଙ୍କୁ ହତ୍ୟା କରିଥିବା ସୌମ୍ୟଙ୍କ ଭଉଣୀ  ଅଭିଯୋଗ କରିଛନ୍ତି। ପୋଲିସ୍ ସୌମ୍ୟଙ୍କ ମୃତଦେହ, ସ୍କୁଟି, ମୋବାଇଲ ଫୋନ, ଘରର ଚାବି, ମଦ ବୋତଲ ସହ ଅନ୍ୟ ସାମଗ୍ରୀ ଜବତ କରି ତଦନ୍ତ କରୁଛି । ତଦନ୍ତ ପରେ ସବୁ ସ୍ପଷ୍ଟ ବୋଲି ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି।