ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ପୋଲିସର ଖୋଳତାଡ଼ ଜାରି

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ପୋଲିସର ଖୋଳତାଡ଼ ଜାରି। ମାଷ୍ଟରମାଇଣ୍ଡ ଲଳିତ ଝା ସହାୟତାରେ ପୋଡ଼ା ଯାଇଥିବା ୪ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଅଧିକ ପ୍ରମାଣ ସଂଗ୍ରହ ଲାଗି ୬ ରାଜ୍ୟରେ ତନାଘନା ଚଳାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ,  ମହାରାଷ୍ଟ୍ର ଓ ପଶ୍ଚିମବଂଗରେ ଚାଲିଛି ଖୋଳତାଡ଼ । ଅଭିଯୁକ୍ତଙ୍କ ବ୍ୟାଙ୍କ୍ କାରବାର ଲିଙ୍କ୍ ଯାଞ୍ଚ କରିବାକୁ ଅଲଗା ଅଲଗା ୫୦ଟି ଟିମ କରି ଚାଲିଛି ତଦନ୍ତ। ଅଭିଯୁକ୍ତଙ୍କ ସାଥିରେ ନେଇ ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସାକେତ ଦକ୍ଷିଣ ରେଂଜ ଟିମ୍ ଅଭିଯୁକ୍ତ ସାଗର ଶର୍ମାକୁ ଜେରା କରୁଛି । ସେହିପରି ଜନକପୁରୀରେ ଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମାଷ୍ଟରମାଇଣ୍ଡ ଲଳିତ ଝାକୁ ନେଇ ତଦନ୍ତ ଜାରି ରଖିଛି।

ଲଳିତ ପୋଡ଼ିଥିବା ୪ ସାଥିଙ୍କ ମୋବାଇଲ ଫୋନ ଜବତ କରିଛି ଦିଲ୍ଲୀ ପୋଲିସ । ରାଜସ୍ଥାନର ନାଗୁରରୁ ପୋଡି ଯାଇଥିବା ଅବସ୍ଥାରେ ମୋବାଇଲ ଫୋନ ଜବତ ହୋଇଛି । ସେହିପରି ଅଭିଯୁକ୍ତ ମନୋରଂଜନ ଡି. କୁ ଦିଲ୍ଲୀ ପୋଲିସର ନ୍ୟୁଡେଲି ରେଂଜ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ନୀଲମକୁ ନ୍ୟୁ ଫ୍ରେଣ୍ଡସ କଲୋନୀ ସ୍ଥିତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜେରା କରୁଛି । ମାମଲାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅଲଗା ଅଲଗା ତଦନ୍ତକାରୀ ଟିମକୁ ଜେରା ପାଇଁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ଟିମ ଜେରା କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଏନଏଫସି ସ୍ପେଶାଲ ସେଲ୍ ଟିମ୍ ପୁଣିଥରେ ଜେରା କରିବ ବୋଲି ଜଣାପଡିଛି ।