ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଆସନ୍ତାକାଲି ଅପରାହ୍ମ ୩ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏହି ସମ୍ମାନୀତ କାର୍ଯ୍ୟକ୍ରମର ସିଧାପ୍ରସାରଣ ନନ୍ଦିଘୋଷ ଟିଭିରେ ହେବ ।
୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: ୨୪ ପାଇଁ ଅଙ୍କକଷା । ରାଜନୈତିକ ଖସଡ଼ା ପ୍ରସ୍ତୁତି ଜାରି । ଲକ୍ଷ୍ୟ ଘରେ ଘରେ ପହଞ୍ଚି ଭୋଟରଙ୍କ ମନ ଜିଣିବା । ବିକାଶ ବନାମ ଦରଦାମ୍ ଓ ମିଥ୍ୟା ପ୍ରତିଶ୍ରୁତି । ୨୪ରେ କିଏ ଜିଣିବ ଭୋଟରଙ୍କ ମନ ? କ’ଣ କଲେ ଘରେଘରେ ସୃଷ୍ଟି ହେବ ନିଜ ଦଳ ସପକ୍ଷରେ ଜନମତ ? ଏନେଇ ଆରମ୍ଭ ହୋଇଛି ରାଜନୈତିକ କସରତ । ନିର୍ବାଚନୀ ଅଙ୍କକଷା ଭିତରେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ନେତାଙ୍କ ବୟାନବାଜି । ବିରୋଧୀଙ୍କ ନିର୍ବାଚନ ପ୍ରସ୍ତୁତିକୁ ବିଜେଡି କଟାକ୍ଷ କରିଛି । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ଯାଉନଥିବା ଦଳ ଏବେ ଲୋକଙ୍କ ପାଖକୁ ଯିବାକୁ ଚିନ୍ତା କରୁଛନ୍ତି ।
ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ପ୍ରସ୍ତୁତି କେବଳ ନିର୍ବାଚନୀ ମାହୋଲ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି କହିଛି । ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ସବୁବେଳେ ସୁଖଦୁଃଖରେ ଲୋକଙ୍କ ସାଥୀ ହୋଇ ରହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜନସାଧାରଣଙ୍କ ମନୋବଳ ଦୃଢ଼ କରିଛି ବିଜେଡି । ବିଜେଡି ଯାହା କହେ, ତାହା କରେ । କଥା କମ୍, କାମ ବେଶିରେ ବିଜେଡି ବିଶ୍ବାସ କରେ ବୋଲି ଦେବୀପ୍ରସାଦ ମିଶ୍ର କହିଛନ୍ତି । ଅନ୍ୟପଟେ ନିର୍ବାଚନୀ ବର୍ଷରେ ଘରେଘରେ ପହଞ୍ଚି ଜନସମ୍ପର୍କ ବୃଦ୍ଧି ପାଇଁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
କେନ୍ଦ୍ରର ବିଜେପି ସରକାର ବିରୋଧରେ ଲମ୍ବା ରଣନୀତି ପ୍ରସ୍ତୁତ କରି ଭୋଟରଙ୍କ ପାଖକୁ ଯିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି କଂଗ୍ରେସ । ଦରଦାମ୍ ବୃଦ୍ଧି, ନିର୍ବାଚନ ସମୟରେ କେନ୍ଦ୍ର ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ କଂଗ୍ରେସ ଗାଁଗାଁରେ ଜନମତ ସୃଷ୍ଟି କରିବ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ଯାଏ ଘରେଘରେ କଂଗ୍ରେସ ଅଭିଯାନ ଜରିଆରେ ଯୋଡ଼ିହେବାକୁ ଚେଷ୍ଟା କରିବ ଦଳ । ବାରମ୍ବାର ଓଡ଼ିଶାବାସୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଏହାରି ଭିତରେ ଦେଶରେ ଓ ରାଜ୍ୟରେ ଧୀରେଧୀରେ ନିର୍ବାଚନୀ ବାତାବରଣ ଉଷ୍ମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିଣିବାକୁ ସବୁ ଦଳ ଏବେ ଗାଁ ମୁହାଁ ହୋଇଛନ୍ତି । ତେବେ କେଉଁ ଦଳ ସଫଳ ହେବ, ତାହା ଭୋଟରଙ୍କ ଉପରେ ନିର୍ଭର କରୁଛି ।
ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ, ସ୍ଥାନୀୟ ଲୋକଙ୍କଠୁ ଉତ୍ତମ ମଧ୍ୟମ ଖାଇଲେ ଦୁଇ ଯୁବକ
ପାରାଦୀପ: ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ । ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ ଅପହରଣକାରୀଙ୍କ ଉନ୍ମତକାଣ୍ଡ । ଗାଳି ଗୁଳଜ କରିବା ସହ ଦେଲେ ହତ୍ୟାଧମ । ହେଲେ ବି ସ୍ଥାନୀୟଲୋକ ଯୁବକ ଦୁହିଁଙ୍କୁ କାବୁ କରି ଦେଲେ ଉତ୍ତମ ମଧ୍ୟମ । ପାରାଦୀପର ନୂଆବଜାର କଲୋନିରେ ଘଟିଛି ଏଭଳି ଘଟଣା । ଯବୁତୀଙ୍କ ନିକଟରେ ଦୁଇ ଯୁବକ ପହଞ୍ଚି ଟଣାଓଟରା କରିବାକୁ ଉଦ୍ୟମ କରିଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀ ଜଣକ ବର୍ତ୍ତି ଯାଇଥିଲେ । ପରେ ଯବୁକ ଦୁହିଁଙ୍କୁ କାବୁ କରି ମାଡ଼ ମାରିଥିଲେ ଲୋକ । ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ଅଟକ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ ସଂଗଠନକୁ ମଜଭୁତ କରିବା ଉପରେ ଆଲୋଚନା
ଭୁବନେଶ୍ୱର: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଜିଲ୍ଲା ପଯ୍ୟବେକ୍ଷକ ଓ କର୍ମକର୍ତ୍ତାଙ୍କ ସହିତ ଦଳର ସଭାପତି ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରତି ଦୁଇ ତିନି ମାସରେ ଏଭଳି ସମୀକ୍ଷା କରିଥାନ୍ତି ସୁପ୍ରିମୋ । ଦଳରେ ସାଙ୍ଗଠନିକ ସ୍ଥିତିକୁ ଆହୁରି କ୍ରିୟାଶିଳ କରାଯାଇଛି । ବିଭିନ୍ନ ଜିଲ୍ଲାର ସ୍ଥିତି ପଚାରି ବୁଝିଛନ୍ତି ଦଳର ସଭାପତି । ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ଅଧିକ ଶାଣିତ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ଦଳର ଛାମୁଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଦଳର ଦୈନନ୍ଦିନ କାର୍ଯ୍ୟକ୍ରମ, ପଦଯାତ୍ରା ଓ ସାଂଗଠନିକ ସ୍ଥିତିକୁ ଆଗକୁ ନେବାକୁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରାଯାଇଛି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କଠାରୁ ଫିଡବ୍ୟାକ୍ ମଧ୍ୟ ନେଇଛନ୍ତି । ନିର୍ବାଚନ ହେଉ କି ନହେଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଲୋକଙ୍କ ସୁଖ ଦୁଖରେ ଭାଗିଦାରୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି । ଲୋକଙ୍କ ସାଙ୍ଗରେ ସବୁବେଳେ ବିଜେଡି ରହିଛି । ସାଂଗଠନିକ ପକ୍ରିୟା ସହିତ ସାମାଜିକ ପ୍ରତିବଦ୍ଧତା ଜାରି ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି ।
ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ, ବ୍ୟୋମକେଶ ରାୟ, ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ, ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ସୁଶାନ୍ତ ସିଂହଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ
ଏମ୍ସ ଭୁବନେଶ୍ୱରରେ ହର୍ଷୋଲ୍ଲାସର ସହିତ ପାଳନ ହେଲା ଚନ୍ଦ୍ରାୟନ ମହୋତ୍ସବ
ଭୁବନେଶ୍ୱର: ପରିବେଶ ଥିଲା ଅତ୍ୟନ୍ତ ପୁଲକିତ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟିଉଠୁଥିଲା ଦେଶମାତୃକାର ସେବା ନିମନ୍ତେ ତ୍ୟାଗର ଅନନ୍ୟ ନିଦର୍ଶନ। ଭାରତର ଐତିହାସିକ ଗୌରବମୟ ଚନ୍ଦ୍ର ଅଭିଯାନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହୋଇପାରିଥିଲେ ମଧ୍ୟ, ଏହି ମହନୀୟ ଯାତ୍ରାରେ ସାମିଲ ଥିବା ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରିବା ଏବଂ ଭାରତକୁ ବିଶ୍ବଗୁରୁରେ ପରିଣତ କରିବାର ପ୍ରତିବଦ୍ଧତା ଝଲସି ଉଠିଥିଲା ଏମ୍ସ ଭୁବନେଶ୍ୱର ପରିସରରେ । ଅବସର ଥିଲା ଚନ୍ଦ୍ରାୟନ ମହୋତ୍ସବ । ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ହର୍ଷ, ଉଲ୍ଲାସର ସହିତ ଆଜି ପାଳିତ ହୋଇଯାଇଛି ଚନ୍ଦ୍ରାୟନ ମହୋତ୍ସବ ।
ଚନ୍ଦ୍ରର ଦକ୍ଷିଣ ମେରୁରେ ରୋଭର୍ ଅବତରଣ ଏବଂ ପରେ ପରେ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନର ବିଚରଣ, ସମଗ୍ର ବିଶ୍ବରେ ଭାରତର ମହାକାଶ ଅଭିଯାନକୁ ଏକ ଗୌରବମୟ ଅଧ୍ୟାୟରେ ସ୍ଥାନ ଦେଇଛି । ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ମଧ୍ୟ ଏହି କାର୍ଯ୍ୟକ୍ରମକୁ ବେଶ୍ ସଫଳ କରିଥିଲା । ପ୍ରଧାନମନ୍ତ୍ରୀ ସଦାସର୍ବଦା ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳପ୍ରତି ଆଗ୍ରହୀ ହେବାକୁ ଉତ୍ସାହିତ କରିଥାଆନ୍ତି। ଭାରତର ଚନ୍ଦ୍ର ଅଭିଯାନ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଲିପିବଦ୍ଧ କରିଛି । ଏମ୍ସ ଭୁବନେଶ୍ୱରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ଡ. ବିଶ୍ବାସ ।
ସ୍ବାସ୍ଥ୍ୟସେବା, ଡିଜିଟାଲ୍ ମିସନ୍, ରେଳ ଆଦି ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରି ଛାତ୍ରଛାତ୍ରୀମାନେ ଭାରତକୁ ଉନ୍ନତିର ଶୀର୍ଷକୁ ନେବାକୁ ଡ. ବିଶ୍ବାସ ଆହ୍ବାନ କରିଥିଲେ। ବୈଜ୍ଞାନିକ ଏବଂ ବୈଷୟିକ ସଫଳତାର ଉତ୍ସବ କେବଳ ପରୀକ୍ଷାଗାର କିମ୍ବା ଅନୁଷ୍ଠାନଗୁଡ଼ିକରେ ସୀମାବଦ୍ଧ ନହୋଇ ସାଧାରଣ ଜନତାଙ୍କ ମଧ୍ୟରେ ଆଦୃତ ଏବଂ ବହୁଳ ପ୍ରସାର ଦ୍ବାରା ଏହାର ପ୍ରକୃତ ଉପଲବ୍ଧିକୁ ଅନୁଭବ କରିହେବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ସବୁବେଳେ ଉତ୍ସାହିତ କରିଥାଆନ୍ତି ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଏମ୍ସରେ ଚନ୍ଦ୍ରାୟଣ ଅଭିଯାନରେ ସାମିଲ ରକେଟ୍, ରୋଭର୍, ପ୍ରଜ୍ଞାନ୍ ଆଦିର ପ୍ରତିକୃତି ସ୍ଥାପନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଚନ୍ଦ୍ରାୟଣ ଅଭିଯାନ ରଙ୍ଗୋଲୀ ମଧ୍ୟ ଗାନ କରୁଥିଲା ଦେଶଭକ୍ତିର ମହମହ ବାସ୍ନା । ଏହି ଅବସରରେ ଡିନ୍ ଡ. ପି ଆର ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, କଲେଜ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ. ଆଶା ପି ସେଟ୍ଟୀ, ଭାରପ୍ରାପ୍ତ ଡିଡିଏ ରଶ୍ଜି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଜମ୍ମୁ କାଶ୍ମୀରର ରିୟାସୀରେ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିହତ
ଜମ୍ମୁ: ଜମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାର ଚସାନାରେ ସୋମବାର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସର୍ଚ୍ଚ ଅପରେଶନ ସମୟରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଛି । ବର୍ତ୍ତମାନ ସୁଦ୍ଧା ଜଣେ ଆତଙ୍କୀଙ୍କୁ ମାରି ଗଡ଼ାଇଛି ସେନା । ଏଥିସହିତ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ସୋମବାର ଦୁଇ ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ପୋଲିସ ଏବଂ ସେନା ପକ୍ଷରୁ ମିଳିତ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା ।
ଏହି ସମୟରେ ଆତଙ୍କବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଆହତ ଜଣେ ପୋଲିସକର୍ମୀଙ୍କୁ ଚିକିତ୍ସା ପାଇଁ ସେନା ମେଡିକାଲକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ସୁରକ୍ଷାକର୍ମୀ ଚାରି ଆତଙ୍କୀଙ୍କୁ ନିପାତ କରିଥିଲେ । ଜମ୍ମୁ କାଶ୍ମୀର ପୋଲିସ କହିଥିଲା ଯେ ପୁଞ୍ଛର ସିନ୍ଧରା ଅଞ୍ଚଳରେ ପୋଲିସ ସହ ମିଳିତ ଅପରେସନରେ ସୁରକ୍ଷାବଳ ଚାରି ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲା ।

