୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ୨୪ ପାଇଁ ଅଙ୍କକଷା । ରାଜନୈତିକ ଖସଡ଼ା ପ୍ରସ୍ତୁତି ଜାରି । ଲକ୍ଷ୍ୟ ଘରେ ଘରେ ପହଞ୍ଚି ଭୋଟରଙ୍କ ମନ ଜିଣିବା । ବିକାଶ ବନାମ ଦରଦାମ୍‌ ଓ ମିଥ୍ୟା ପ୍ରତିଶ୍ରୁତି । ୨୪ରେ କିଏ ଜିଣିବ ଭୋଟରଙ୍କ ମନ ? କ’ଣ କଲେ ଘରେଘରେ ସୃଷ୍ଟି ହେବ ନିଜ ଦଳ ସପକ୍ଷରେ ଜନମତ ? ଏନେଇ ଆରମ୍ଭ ହୋଇଛି ରାଜନୈତିକ କସରତ । ନିର୍ବାଚନୀ ଅଙ୍କକଷା ଭିତରେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ନେତାଙ୍କ ବୟାନବାଜି । ବିରୋଧୀଙ୍କ ନିର୍ବାଚନ ପ୍ରସ୍ତୁତିକୁ ବିଜେଡି କଟାକ୍ଷ କରିଛି । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ଯାଉନଥିବା ଦଳ ଏବେ ଲୋକଙ୍କ ପାଖକୁ ଯିବାକୁ ଚିନ୍ତା କରୁଛନ୍ତି ।

ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ପ୍ରସ୍ତୁତି କେବଳ ନିର୍ବାଚନୀ ମାହୋଲ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି କହିଛି । ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ସବୁବେଳେ ସୁଖଦୁଃଖରେ ଲୋକଙ୍କ ସାଥୀ ହୋଇ ରହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜନସାଧାରଣଙ୍କ ମନୋବଳ ଦୃଢ଼ କରିଛି ବିଜେଡି । ବିଜେଡି ଯାହା କହେ, ତାହା କରେ । କଥା କମ୍‌, କାମ ବେଶିରେ ବିଜେଡି ବିଶ୍ବାସ କରେ ବୋଲି ଦେବୀପ୍ରସାଦ ମିଶ୍ର କହିଛନ୍ତି । ଅନ୍ୟପଟେ ନିର୍ବାଚନୀ ବର୍ଷରେ ଘରେଘରେ ପହଞ୍ଚି ଜନସମ୍ପର୍କ ବୃଦ୍ଧି ପାଇଁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

କେନ୍ଦ୍ରର ବିଜେପି ସରକାର ବିରୋଧରେ ଲମ୍ବା ରଣନୀତି ପ୍ରସ୍ତୁତ କରି ଭୋଟରଙ୍କ ପାଖକୁ ଯିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି କଂଗ୍ରେସ । ଦରଦାମ୍‌ ବୃଦ୍ଧି, ନିର୍ବାଚନ ସମୟରେ କେନ୍ଦ୍ର ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ କଂଗ୍ରେସ ଗାଁଗାଁରେ ଜନମତ ସୃଷ୍ଟି କରିବ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ଯାଏ ଘରେଘରେ କଂଗ୍ରେସ ଅଭିଯାନ ଜରିଆରେ ଯୋଡ଼ିହେବାକୁ ଚେଷ୍ଟା କରିବ ଦଳ । ବାରମ୍ବାର ଓଡ଼ିଶାବାସୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଏହାରି ଭିତରେ ଦେଶରେ ଓ ରାଜ୍ୟରେ ଧୀରେଧୀରେ ନିର୍ବାଚନୀ ବାତାବରଣ ଉଷ୍ମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିଣିବାକୁ ସବୁ ଦଳ ଏବେ ଗାଁ ମୁହାଁ ହୋଇଛନ୍ତି । ତେବେ କେଉଁ ଦଳ ସଫଳ ହେବ, ତାହା ଭୋଟରଙ୍କ ଉପରେ ନିର୍ଭର କରୁଛି ।