spot_img
Home Blog Page 2673

ଗାଜାବାସୀଙ୍କୁ ଇସ୍ରାଏଲର ଚରମବାଣୀ

ବ୍ୟୁରୋ ରିପୋର୍ଟ: ଗାଜା ଉପରେ ଜାରି ରହିଛି ଏୟାରଷ୍ଟ୍ରାଇକ୍ । ଇସ୍ରାଏଲ ପକ୍ଷରୁ ହୋଇଥିଲା ଜୋରଦାର ହମଲା । ହମାସ ଆତଙ୍କୀ ଶିବିର ଠାବ କରି ଧ୍ବଂସ କରୁଛି ଇସ୍ରାଏଲି ସେନା।ଗାଜାର ଉତ୍ତରାଞ୍ଚଳ ଛାଡିବାକୁ ଚରମବାଣୀ ଶୁଣାଇଛି ଆଇଡିଏଫ୍। ଯେଉଁମାନେ ଛାଡ଼ି ନଯିବେ ଆତଙ୍କୀ ଭାବେ ପରିଗଣିତ ହେବେ।ଫୁଲ ଦମରେ ହମଲା କରି ଗ୍ରାଉଣ୍ଡଆଟାକର ପଥ ପରିଷ୍କାର କରୁଛି ଆଇଡିଏଫ। ସୁରକ୍ଷା ନେଇ ଦକ୍ଷିଣ ଇସ୍ରାଏଲରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରୁଛି। ସେପଟେ ଯୁଦ୍ଧ ପୀଡ଼ିତଙ୍କ ଲାଗି ପାଲେଷ୍ଟାଇକୁ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ।

ଗାଜା ଉପରେ ହେବ ପରବର୍ତ୍ତୀ ପର୍ଯ୍ୟାୟ ହମଲା । ପୂରା ପ୍ରସ୍ତୁତ ଇସ୍ରାଏଲ ଡିଫେନ୍ସ ଫୋର୍ସେସ IDF । ଜାରି ରହିଥିବା ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଇସ୍ରାଏଲ ସେନା ମୁଖପାତ୍ର। ମୋଟ ୩ଟି ପର୍ଯ୍ୟାୟରେ ହେବ ଆକ୍ରମଣ । ଗୋଟିଏ ଚାଲିଛି, ଦ୍ବିତୀୟ ପର୍ଯ୍ୟାୟ ହେବ ଗ୍ରାଉଣ୍ଡ ଆଟାକ୍ । ସୀମାରେ ହଜାର ସଂଖ୍ୟାରେ ଟ୍ୟାଙ୍କ୍ ଓ ଲକ୍ଷାଧିକ ସୈନ୍ୟ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଇସ୍ରାଏଲ କରିଥିବା ହମଲାରେ ହମାସର ୨ କମାଣ୍ଡୋ ନିହତ ହୋଇଛନ୍ତି। ୱେଷ୍ଟବ୍ୟାଙ୍କ ଅଂଚଳରେ ଥିବା ଆତଙ୍କୀ ଶିବିରକୁ ଟାର୍ଗେଟ୍ କରି ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ବାୟୁସେନା ।

ଗାଜା ସମର୍ଥନରେ ଇସ୍ରାଏଲ ଲାଗି ବିଭିନ୍ନ ପଟୁ ଯୁଦ୍ଧର ମୁଖ ଖୋଲିବାରେ ଲାଗିଛି। ଲେବାନନ ପଟୁ ହିଜବୁଲ୍ଲା ଆତଙ୍କୀ ଇସ୍ରାଏଲ ସେନାକୁ ଟାର୍ଗେଟ କରୁଛନ୍ତି। ଭିନ୍ନ ଭିନ୍ନ ୪ଟି ସ୍ଥାନରେ ଇଜ୍ରାଏଲ ସେନାକୁ ହିଜବୁଲ୍ଲା ଆତଙ୍କୀଙ୍କ ମୁକାବିଲା କରୁଛନ୍ତି । ଇରାନ, ଇଜିପ୍ଟ ଓ ଜୋର୍ଡାନ ମଧ୍ୟ ଗାଜା ସମର୍ଥନରେ ରହିଛନ୍ତି। ସେପଟେ ରୁଷ ବେଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋବ ତେହରାନ ଗସ୍ତରେ ଯାଉଛନ୍ତି। ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି ହୋଇପାରେ ।

ଇଜିପ୍ଟର ରାଫା ସିମା ଦେଇ ୨୦ ଟି ଟ୍ରକରେ ରିଲିଫ ସାମଗ୍ରୀ ପଠାଇବାକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆଗକୁ ଇଜିପ୍ଟ ଦେଇ ଯୁଦ୍ଧ ବିପନ୍ନଙ୍କୁ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଇଡେନ୍ ।ସେପଟେ ପାଲେଷ୍ଟିନୀୟଙ୍କ ଲାଗି ସହାୟତାର ହାତ ବଢାଇଛି ଭାରତ । ହିଣ୍ଡନ ଏୟାରବେସରୁ ସି-୧୭ ଏୟାରକ୍ରାଫ୍ଟରେ ଇସ୍ରାଏଲ ଅଭିମୁଖେ ଯାଇଛି ମେଡିକାଲ ଓ  ରିଲିଫ ସାମଗ୍ରୀ । ହମାସ ଆକ୍ରମଣରେ ପ୍ରାଣ ହରାଇଥିବା ୪ ନେପାଳୀ ଛାତ୍ରଙ୍କ ମରଶରୀର ଇସ୍ରାଏଲରୁ ନେପାଳକୁ ଅଣାଯାଇଛି। ଆକ୍ରମଣରେ ଗାଜାର ବର୍ତ୍ତମାନ ସୁଦ୍ଧା ୪ ହଜାର ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୮ଶହ ଶିଶୁ ରହିଛନ୍ତି ।

 

 

 

ଧରାପଡ଼ିଲା ବାଲି ମାଫିଆଙ୍କ ଚଞ୍ଚକତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧରାପଡ଼ିଲା ବାଲି ମାଫିଆଙ୍କ ଚଞ୍ଚକତା । ଖାଲି ଓ୍ବାଇ-ଫର୍ମକୁ ନୁହେଁ ତହସିଲଦାରଙ୍କ ଦସ୍ତଖତକୁ ବି ଜାଲ୍ କରି ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ କରୁଛନ୍ତି ଦଲାଲ୍ । କୋଦାଳ ଥାନା ଅଞ୍ଚଳରୁ ଗିରଫ ତିନି ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସାମ୍ନାକୁ ଆସିଛି ବାଲି ଚୋରା ଚାଲାଣ ରାକେଟର ସାଂଘାତିକ ସତ । ଅଭିଯୁକ୍ତଙ୍କୁ ପ୍ରଥମ ମାମଲାରେ କୋର୍ଟ ଜାମିନ ଦେଇଥିଲେ ସୁଦ୍ଧା ଏଯାଏ ସେମାନେ ଜେଲରୁ ମୁକୁଳି ନାହାଁନ୍ତି । ସେପଟେ ନୂଆ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଗଞ୍ଜାମରେ ବାଲି ମାଫିଆ ରାଜ୍ । ନକଲି କାଗଜପତ୍ରରେ ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ବାଲି । ନକଲି ଟ୍ରାନଜିଟ୍ ଫର୍ମ, ନକଲି ଷ୍ଟାମ୍ପ ଏମିତିକି ତହସିଲଦାରଙ୍କ ଦସ୍ତଖତ ବି ନକଲି । ଦିନ ହେଉ କି ରାତି, ଫେକ୍ ଡକ୍ୟୁମେଣ୍ଟ ଦେଖାଇ ଖୁଲମଖୁଲା ଚାଲିଛି ବାଲି ଚୋରାଚାଲାଣ। ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ବଡ଼ମାଧପୁର ବାଲିଘାଟରୁ ୫ଟି ବାଲିବୋଝେଇ ଟ୍ରକ୍ ଧରାପଡ଼ିବା ପରେ ମାଫିଆଙ୍କର ଚାଲବାଜିର ଚକ୍ରବ୍ୟୁହ ଭେଦ କରୁଛି ପୋଲିସ । ଗିରଫ ତିନି ଜଣଙ୍କୁ ପଚରାଚରା କରି ପୋଲିସ ପାଇଛି ସାଂଘାତିକ ତଥ୍ୟ । ବାଲି ଉଠାଣ ଅନୁମତି ପାଇଁ ବ୍ୟବହୃତ ଟ୍ରାନଜିଟ୍ ବା ଓ୍ବାଇ ଫର୍ମକୁ ନିଜେ ଛାପୁଥିଲେ ଅଭିଯୁକ୍ତ। ତହସିଲଦାରଙ୍କ ଦସ୍ତଖତ, ପରିବେଶ ନିୟନ୍ତ୍ରଣ ଅନୁମତି ପତ୍ର ଓ ଷ୍ଟାମ୍ପକୁ ଜାଲିଆତି କରି ନିର୍ଦ୍ଧାରିତ ପରିମାଣଠାରୁ ୬ଗୁଣା ଅଧିକ ବାଲି ଉଠାଉଥିଲେ। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ମାଲେମାଲ ହେଉଥିଲେ ବାଲି ମାଫିଆ ।

ଗତ ୧୪ତାରିଖ ରାତିରେ ବାଲି ମାଫିଆଙ୍କ କାରସାଦିକୁ ଧରିଥିଲା କୋଦଳା ଥାନା ପୋଲିସ । ୫ଟି ବାଲି ବୋଝେଇ ଟ୍ରକକୁ ଜବତ କରି ଖୋଳତାଡ଼ କରାଯାଇଥିଲା । ଓ୍ବାଇ-ଫର୍ମ ଫର୍ଜରୀ ହୋଇଥିବା ସନ୍ଦେହ ପରେ ତହସିଲଦାରଙ୍କ ମତାମତ ନେଇଥିଲା ପୋଲିସ । ପରେ ଜବତ ୫ଟି ଓ୍ବାଇ-ଫର୍ମ ନକଲି ବୋଲି ସ୍ପଷ୍ଟ ହୋଇଥିଲା। ମାମଲାରେ ବ୍ରହ୍ମପୁରର କୃପାସିନ୍ଧୁ ମୁଦୁଲି, ରାୟଗଡା ଜିଲ୍ଲା ପଦ୍ମପୁରର ଗୋଷ୍ଠ ଚନ୍ଦ୍ର ପାଢୀ ଓ ପୁରୁଷୋତ୍ତମପୁର କୁମାରୀ ଗାଁର ମଙ୍ଗରାଜ ବେହେରାଙ୍କୁ ଗିରଫ କରାଯାଇଛି। ପ୍ରଥମ ମାମଲାରେ ତିନି ଜଣଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ମାତ୍ର ବେଲ୍ ବଣ୍ଡ ଦାଖଲ ହୋଇନଥିବାରୁ ଅଭିଯୁକ୍ତ ମୁକୁଳି ପାରିନଥିଲେ । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଉ ୪ଟି ମାମଲା ରୁଜୁ କରିଥିବାବେଳେ ଗୋଟିଏ ମାମଲାକୁ ଗ୍ରହଣ କରିଛନ୍ତି କୋର୍ଟ ।

ବାଲି ମାଫିଆ କୃପାସିନ୍ଧୁ ମୁଦୁଲି ନାଁରେ ପୂର୍ବରୁ ପୁରୁଷୋତ୍ତମପୁର ଥାନାରେ ୨ଟି ଓ ହିଞ୍ଜିଳି ଥାନାରେ ଆର୍ମସ ଆକ୍ଟ ଭଳି ଗୋଟିଏ ଏବଂ ଏବେ କୋଦଳା ଥାନାରେ ୫ଟି ସହିତ ମୋଟ ୮ଟି ମାମଲା ରହିଛି । ତେବେ ଏହି ବାଲି ଚୋରାଚାଲାଣ ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ ।

 

 

 

ରାଜ୍ୟରେ ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ

ଭୁବନେଶ୍ବର: ପାର୍ବଣ ଉପଲକ୍ଷେ ଚାଷୀ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି,  ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି ।

ଫୋକସରେ ପନିପରିବା ଚାଷୀ । ପରିବା ପଚିସଢି ନଷ୍ଟ ହେବା ଭଳି ସ୍ଥିତି ଆଉ ସୃଷ୍ଟି ହେବନି  । କମଦାମରେ ବିକି କ୍ଷତି ସହିବେନି ଚାଷୀ । ରାଜ୍ୟ ସରକାର ଖୋଲିବେ କୋଲ୍ଡ ରୁମ୍ । ରାଜ୍ୟରେ ପନିପରିବା ଓ ଫଳଚାଷର ରହିଛି ପର୍ଯ୍ୟାପ୍ତ ସୁଯୋଗ । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିରବାବେଳେ ପନିପରିବା ଚାଷ ଦ୍ଵାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ସଂରକ୍ଷଣ ଅଭାବରୁ ସେ ସବୁ ଅନେକ ସମୟରେ ନଷ୍ଟ ହୋଇଯାଏ । ନହେଲେ ବାଧ୍ୟ ହୋଇ କମ୍ ଦାମରେ ବିକି କ୍ଷତି ସହନ୍ତି ଚାଷୀ ।

ଏବେ ପନିପରିବାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତାବିଶିଷ୍ଟ ଏକ ହଜାରରୁ ଊର୍ଦ୍ଧ୍ବ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ ଆଳୁ ଚାଷ କରାଯାଇଥିବାବେଳେ ରବିଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି । ବହୁ ଦିନରୁ ବିଧାୟକମାନେ କୃଷି ସଶକ୍ତିକରଣ ପାଇଁ ଅନେକ ପରାମର୍ଶ ଦେଇଥିଲେ । ଯାହାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର ।

ପନିପରିବା ଚାଷରେ ସ୍ବାବଲମ୍ବୀ ହେବାରେ ଲାଗୁଛି ଓଡ଼ିଶା । ସ୍ବତନ୍ତ୍ର ଯୋଜନା ଅଧୀନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ପରି ଚାଷ ବି ବ୍ୟାପକ ଭାବେ ଆରମ୍ଭ ହେଲାଣି । ଏପରି ସ୍ଥିତିରେ କୋଲଡ୍ ରୁମ୍ ପ୍ରତିଷ୍ଠା କରି ଚାଷର ସୁରକ୍ଷା ସହ ଚାଷୀର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଯାହା ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି ।

ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଫାର୍ମ ପଣ୍ଡ ପ୍ଲସ୍ ଯୋଜନା କରାଯାଉଛି । ଯେଉଁଥିରେ ସମନ୍ବିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ଚାରା ରୋପଣ କାର୍ଯ୍ୟକ୍ରମ, ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା, କଫିଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂପ ଖନନ, ଜାତୀୟ ହର୍ଟିକଲଚର ମିଶନରେ ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ କରାଯାଉଛି ।

 

 

 

ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼

ଭୁବନେଶ୍ବର: ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼। କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି ଗହମ। ଫଳରେ ଅଟା, ସୁଜି, ମଇଦା ସମେତ ଗହମଜାତ ଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି। ଖାଲି ଏତିକି ନୁହେଁ, ସୀମା ପାର କରିବାକୁ ଯାଉଛି ସୁନା ଦର। ଏବେ ୨୪କ୍ୟାରେଟ୍ ସୁନା ଦର ୬୨ ହଜାର ୬୦୦ ଟଙ୍କା। ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁ ଲୋକେ ଷ୍ଟକ୍ ମାର୍କେଟରେ ଟଙ୍କା ନଲଗାଇ ସୁନା କିଣିଚାଲିଛନ୍ତି। ଆସନ୍ତା ଦୀପାବଳୀକୁ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୫ହଜାର ଟପିବ ବୋଲି ଆକଳନ କରାଯାଉଛି।

ପାର୍ବଣ ଋତୁରେ ମହଙ୍ଗା ମାଡ଼। ବଢିଲାଣି ରୁଟି ରେଟ୍ । ଖାଇବା ସାମଗ୍ରୀ ଦର ଆକାଶଛୁଆଁ। ହାଣ୍ଡିଶାଳରେ ଚଡ଼କ, ବିଗିଡ଼ିଲାଣି ମାସିକିଆ ବଜେଟ୍। ଦଶହରାରେ ଖାଉଟି କଲବଲ। ଖାଇବାରୁ ପିନ୍ଧିବା, ଯେଉଁଠି ହାତ ଲଗାଇଲେ ବି ରେଡ୍ ଚଢା। କର୍ପୋରେଟ୍ ସଂସ୍ଥାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ଖୋଲା ଛୁଟ୍ ଦେଇଛନ୍ତି କେନ୍ଦ୍ର ସରକାର। ଦୁଇଦିନ ତଳେ ଗହମ କ୍ବିଣ୍ଟାଲ ପିଛା ଥିଲା ୨୩୦୦ ଟଙ୍କା, ଏବେ ହେଲାଣି ୨୭୦୦ ଟଙ୍କା। ଗହମ ଦର ବୃଦ୍ଧି ଯୋଗୁଁ ଅଟା, ମଇଦା, ସୁଜି ସମେତ ଗହମ ଜାତ ଦ୍ରବ୍ୟ ଦର ବି ବୃଦ୍ଧି ଦେଖି ଖାଉଟିଙ୍କ ହୋସ୍ ଉଡିଲାଣି।

ଦର ବଢ଼ିବା ସହିତ ଯୋଗାଣ ବି କମ୍ । ମାନେ ବୋଝ ଉପରେ ନଳିତା ବିଡ଼ା। କେତେବେଳେ ଡାଲି ତ କେତେବେଳ ଖାଇବା ତେଲ । ହୁ ହୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀ ଦର। ଓଡ଼ିଶା ବଜାରକୁ ବାର୍ଷିକ ୨୫ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଶ୍ୟକ। ଦୁଇଦିନ ତଳେ ୨୫ କିଲୋ ଅଟା ମୂଲ୍ୟ ଥିଲା ୮୫୦ ଟଙ୍କା । ଏବେ ୯୦୦ ଟଙ୍କାରେ ପହଞ୍ଚିଲାଣି । ଖୋଲାରେ ଅଟା କିଲୋ ଏବେ ହେଲାଣି ୩୬ ଟଙ୍କା । ଗହମ ସହିତ ପ୍ୟାକେଟ୍ ମସଲା ଦର ବି କର୍ପୋରେଟ୍ ସଂସ୍ଥା ବଢାଇ ଚାଲିଛନ୍ତି। ଏପରିକି ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି କର୍ପୋରେଟ୍ ସଂସ୍ଥା ଜାଣିଶୁଣି ଏସବୁ ଜିନିଷର ଆବଶ୍ୟକତାଠାରୁ ହୋର୍ଡିଂ କରି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଖୁଚୁରା ବେପାରୀଙ୍କ ବେଉସା ବୁଡ଼ାଇବାକୁ ଏକ ପ୍ରକାର ଚକ୍ରାନ୍ତ କରାଯାଉଛି । ଆଉ କେନ୍ଦ୍ର ସରକାର ନୀରବ ରହି ଏପରି ଅସାଧୁ ବ୍ୟବସାୟକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

ସେପଟେ ସୁନାଦର ବି ଆକାଶଛୁଆଁ। ସପ୍ତାହ ତଳେ ୨୪ କ୍ୟାରେଟ୍ ସୁନାଦର ୧୦ଗ୍ରାମ୍ ପିଛା ୫୮ ହଜାର ଥିଲା। ଏବେ ବଢି ୬୨ ହଜାର ୬୦୦ ଟଙ୍କାରେ ପହଞ୍ଚିଲାଣି । ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ୍ରେ ଆଉ ଲୋକେ ପୁଞ୍ଜି ନଲଗାଇ ସୁନା କିଣାରେ ଖର୍ଚ୍ଚ କରୁଛନ୍ତି। ଲୋକେ ଅଧିକ ସୁନା କିଣୁଥିବାରୁ ଚାହିଦା ଆହୁରି ବୃଦ୍ଧି ପାଇବ। ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିଚାଲିଛି। ଏସବୁ କାରଣ ଯୋଗୁଁ ଦୀପାବଳି ବେଳକୁ ୧୦ ଗ୍ରାମ ଓଜନର ୨୪ କ୍ୟାରେଟ୍ ସୁନା ଦର ୬୫ ହଜାର ଟଙ୍କା ପାର୍ କରିଯିବ ବୋଲି ଆକଳନ କରାଯାଉଛି। ସେପଟେ ୨୨କ୍ୟାରେଟ୍ ସୁନାଦର ୫୬ ହଜାର ୬୦୦ରୁ ୫୬ ହଜାର ୯୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ୨୨କ୍ୟାରେଟ୍ ସୁନା ଦର ୫୮ ହଜାର ପାର୍ କରିଯିବ ବୋଲି ଜୁଏଲରର୍ସ୍ ଆକଳନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁ ମହଙ୍ଗା ମାଡ଼ର ଶିକାର ହୋଇଚାଲିଛନ୍ତି ଖାଉଟି । ପେଟ୍ରୋଲ-ଡିଜେଲ ଦର ଯୋଗୁ ଖାଉଟିଙ୍କ ପକେଟ୍ ଖାଲି ହୋଇଚାଲିଛି। ଖାଲିସେତିକି ନୁହେଁ ବର୍ଷ ସାରା ଖାଦ୍ୟ ସାମଗ୍ରୀ ଦର ବି ଚଢା ରହୁଛି। ଅଟା, ଡାଲି, ଚାଉଳ ପରେ ମସଲା ଦର ବି ବଢୁଛି। କେନ୍ଦ୍ର ସରକାରଙ୍କ ଆଚ୍ଛେଦିନକୁ ଏବେ ମନେପକାଉଛନ୍ତି ଖାଉଟି ଓ ବିରୋଧୀ ।

 

 

 

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ନେଉଛି ଗଭୀର ଅପବାତର ରୂପ

ବ୍ୟୁରୋ ରିପୋର୍ଟ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅବପାତ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ପାରାଦୀପ ଠାରୁ ଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ  ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଏକ ଦୁର୍ବଳ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ବାଂଲାଦେଶ ମୁହାଁ ହେବ। ପ୍ରଭାବରେ ସୋମବାରଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଓଡ଼ିଶା ଉପରେ ନାହିଁ ବଡ ପ୍ରଭାବ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ  ଘନୀଭୂତ ହେବା ପରେ ନେବ ଗଭୀର ଅବପାତର ରୂପ । ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ପୂର୍ବରୁ ବଦଳାଇବ ଦିଗ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍। ୨୬ ତାରିଖରେ ଛୁଇଁବ ସ୍ଥଳଭାଗ । ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ କରିବ ଗତି । ସ୍ଥଳଭାଗ ଠାରୁ ଦେଢ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଯିବ ବାତ୍ୟା । ପ୍ରଭାବରେ କାଲିଠୁ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ବହିବ ୬୦ ରୁ ୭୦ କିମି ବେଗରେ ପବନ। ସମୁଦ୍ର ଅଶାନ୍ତ  ରହୁଥିବାରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ଅକ୍ଟୋବର ମାସ ହୋଇଥିବାରୁ ବାତ୍ୟା ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି।

ଅବପାତ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରରେ ଦଶହରା ସାମାନ୍ୟ ଫିକା ପଡିପାରେ । କିନ୍ତୁ ତୋରଣ ପ୍ରତି ବିପଦ ନଥିବା ପାଣିପାଗ କେନ୍ଦ୍ର କହିଛି । ୨୪ ଓ ୨୫ରେ ସର୍ବାଧିକ ରହିବ ବାତ୍ୟାର ପ୍ରଭାବ । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଲରେ କଟାହୋଇ ପଡିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।

ନଜର ପକାନ୍ତୁ କ’ଣ ରହିଛି ସାମୁଦ୍ରିକ ଝଡ଼ ’ତେଜ୍’ ଅପଡେଟ୍

ନୂଆଦିଲ୍ଲୀ: ଆସୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାମୁଦ୍ରିକ ଝଡ଼ ‘ତେଜ୍’ରେ ପରିଣତ ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ  ବା ଆଇଏମଡି । ଆଇଏମଡିର ସୂଚନା ଅନୁଯାୟୀ ଅକ୍ଟୋବର ୨୨ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ଅକ୍ଟୋବର ୨୫ରେ ୟେମେନ-ଓମାନ ଉପକୂଳ ଅତିକ୍ରମ କରିବ ଏହି ବାତ୍ୟା । ଏହି କାରଣରୁ ଏହି ବାତ୍ୟାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ । ଅକ୍ଟୋବର ୨୫ ତାରିଖ ସକାଳେ ଏହି ବାତ୍ୟା ଅଲ ଗୈଦା (ୟେମେନ) ଏବଂ ସାଲାଲାହ (ଓମାନ) ମଧ୍ୟରେ ୟେମେନ-ଓମାନ ଉପକୂଳ ଅତିକ୍ରମ କରିବ।

ତେବେ ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି ଯେ ବେଳେବେଳେ ବାତ୍ୟାଗୁଡ଼ିକ ଆନୁମାନିକ ଗତିପଥରୁ ବିଚ୍ୟୁତ ହୋଇଯାଆନ୍ତି, ଯାହା କି ବାତ୍ୟା ବିପର୍ଯ୍ୟୟ’ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଜୁନ୍ ମାସରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ’ ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା, କିନ୍ତୁ ଏହା ପୁଣି ଥରେ ଦିଗପରିବର୍ତ୍ତନ କରି ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ଆଡ଼କୁ ଗତି କରିଥିଲା।

ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ଫସଲ ନଷ୍ଟକାରୀ ପୋକ

ବାଲେଶ୍ବର: ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଧାନ କ୍ଷେତରେ ସୁନାର ଫସଲ ଫଳାଇଥିଲେ ଚାଷୀ। ଏବେ ଧାନରେ ଥୁଡ଼ ଧରିବା ବେଳକୁ ଫସଲ ନଷ୍ଟକାରୀ ପୋକ ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କ୍ଷେତରେ ଯେତେ ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ନିରୁପାୟ ଚାଷୀ ଫସଲ ଅମଳ ହେବା ଆଗରୁ ଧାନଗଛକୁ କାଟି ପକାଉଛନ୍ତି । ବାଲେଶ୍ବର ଜିଲ୍ଲାର ନୀଳଗିରି ଉପଖଣ୍ଡରେ ଏଭଳି ଚାଷୀମାନେ ପୋକ ପାଇଁ ଚିନ୍ତାରେ ରହିଛନ୍ତି ।

ଭଲ ଫସଲ ଅମଳ ହେବ । ଧାର କରଜ ସବୁ ଶୁଝିବ। ଭଲରେ ବର୍ଷକର ପେଟପାଟଣ ଚଳିବ। ସୁନାର ଫସଲ ଦେଖି ସ୍ବପ୍ନ ଦେଖିଥିବା ଚାଷୀ ଏବେ ହତାସ । ଚାଷ ପାଇଁ ଦାଉ ସାଧିଛି ଚକଡା ପୋକ। ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକରେ ମୋଟ୍ 10ହଜାର 240 ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ୨୫ଟି ପଂଚାୟତର ୧୫୬ ଗୋଟି ଗାଁର ୧୨୬ ହେକ୍ଟର ଚାଷ ଜମିରେ ବ୍ୟାପିଯାଇଛି ମାଟିଆ ଗୁଣ୍ଡି ପୋକ  । ସେହି ପରି ଔପଦା ବ୍ଲକ୍ର ମୋଟ ୯ ହଜାର ୫୮୩ ହେକ୍ଟର ଜମିରେ ହୋଇଥିବା ଧାନ ଚାଷରେ ବି ପୋକ ଲାଗିଛି । ଯେତେ ପ୍ରକାର ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଫସଲକୁ ସୁରକ୍ଷା ଦେବାପାଇଁ ନିରୁପାୟ ଚାଷୀ । ସେପଟେ ଫସଲ ନଷ୍ଟ ନେଇ ଉପଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେ ଅତିଶୀଘ୍ର ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ସ୍ଥାନୀୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚାଷୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

 

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ

ଧର୍ମଶାଳା: ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସାମନା ସାମନି ହେଉଥିଲେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତୀୟ ବୋଲର ମହମ୍ମଦ ସାମି ଆଜିର ମ୍ୟାଚରେ ଖେଳିଥିବାବେଳେ ସେ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି ।  ଡେରିଲ ମିଚେଲ ନ୍ୟୁଜଲାଣ୍ଡ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ସେ ୧୨୭ ବଲ ଖେଳି ୧୩୦ ରନ କରିଛନ୍ତି । ଏହାସହ ରଚିନ୍ ରିବନ୍ଦ୍ର ୮୭ଟି ବଲ ଖେଳି ୭୫ ରନ କରିଥିଲେ । ଗ୍ଲେନ୍ ଫିଲିପ୍ସ ୨୩ ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ସାମୀ ସର୍ବାଧିକ ୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ମାଳଦ୍ବୀପରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ମହାକାଳପଡ଼ା: ମାଳଦ୍ବୀପରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ମୃତ। ଗ୍ୟାସ ଟାଙ୍କି ଫାଟିବାରୁ ଚାଲିଗଲା ଜୀବନ। କେନ୍ଦ୍ରାପଡା ମହାକାଳପଡା ବ୍ଲକ ଅଳାଇଲୋର ସୁଧୀରଙ୍କର ବିୟୋଗରେ ଭାଙ୍ଗିପଡିଛନ୍ତି ପରିବାର । ସୁଧୀର ମାଳଦ୍ବୀପର ଏକ କମ୍ପାନୀରେ କାମ କରୁଥିଲେ । ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ତାଙ୍କ ମୃତ୍ୟୁ ହୋଇଥିବା ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଟେଲିଫୋନ ଯୋଗେ ପରିବାରକୁ ଜଣାଇଥିଲେ। ସୁଧୀରଙ୍କ ମୃତ ଦେହକୁ ଜନ୍ମମାଟିକୁ ଫେରାଇ ଆଣିବାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ମୁତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା । ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ ।

ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

ଢ଼େଙ୍କାନାଳ: ଲଜ୍ଜା । ପୁଣି ଲଜ୍ଜା । ଅଭିଯୁକ୍ତଙ୍କ ବିରୋଧରେ ଯେତେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ସୁଦ୍ଧା ଯୌନ ପିପାଶୁମାନେ ଚେତୁ ନାହାନ୍ତି । ପୁଣି ରାଜ୍ୟରେ ଏକ ଲଜ୍ଜା ଖବର ସାମନାକୁ ଆସିଛି । କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଅଞ୍ଚଳରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ଆଗରେ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ କାଜୁ ଜଙ୍ଗଲରେ ୫ ଜଣ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଭୁବନ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଛାତ୍ରୀଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ସହିତ ଅଭିଯୁକ୍ତମାନେ ତାଙ୍କ ସ୍ଵାମୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି ।