ସଂସଦରେ ରେକର୍ଡ୍,୧୯୮୯ ପରେ ଗୋଟିଏ ଦିନରେ ନିଲମ୍ବିତ ହେଲେ ସର୍ବାଧିକ ସାଂସଦ !

ନୂଆଦିଲ୍ଲୀ: ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ପଡ଼ିଛି ମହଙ୍ଗା । ସଂସଦରେ ହୋହଲ୍ଲା କରିଥିବା ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ସାଂସଦ ସସପେଣ୍ଡରେ ସେଂଚୁରୀ ପାର। ସଂସଦରେ ନିଲମ୍ବିତ ବିରୋଧୀ ସାଂସଦଙ୍କ ସଂଖ୍ୟା ଶହେ ପାର କରିଛି । ମଙ୍ଗଳବାର ଆଉ ୪୯ ସାଂସଦ ନିଲମ୍ବିତ ହୋଇଛନ୍ତି । ସୋମବାର ସୁଦ୍ଧା ମୋଟ ୯୨ ସାଂସଦ ସସପେଣ୍ଡ ହୋଇଥିଲେ। ଆଜିର ନିଲମ୍ବିତ ସାଂସଦଙ୍କୁ ମିଶାଇ ମୋଟ ବିରୋଧୀଙ୍କ ୧୪୧ ସାଂସଦ ସସପେଣ୍ଡ ହୋଇସାରିଲେଣି। ୧୯୮୯ ମସିହାରେ ଗୋଟିଏ ଦିନରେ ୬୩ ଜଣ ସାଂସଦ ସସପେଣ୍ଡ ହୋଇଥିବାବେଳେ ସୋମବାର ଉଭୟ ଗୃହର ୯୨ ଜଣ ସାଂସଦ ନିଲମ୍ବନ ହୋଇଛନ୍ତି । ଯାହାକି ଏବେ ରେକର୍ଡ କରିଛି । ୩୪ ବର୍ଷର ରେକର୍ଡର ପୁନରାବୃର୍ତ୍ତି ହେବାକୁ ଯାଉଛି । ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା । ସେପଟେ ମନମୋହନ ସିଂଙ୍କ ସରକାର ସମୟରେ ମଧ୍ୟ ବହୁ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ଏବେ ସାଂସଦଙ୍କୁ ନିଲମ୍ବନ କରିବାର ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି ଏବେ ମଧ୍ୟ ବିରୋଧୀ ସାଂସଦମାନେ ନାରାବାଜି ଜାରି ରଖିଥିବାବେଳେ ଆଗାମୀ ଦିନରେ ଆହୁରି ସସପେଣ୍ଡ ହେବାର ଆଶାଙ୍କା ରହିଛି ।

ସୂଚନା ଥାଉକି, ନିଲମ୍ବିତ ସାଂସଦଙ୍କ ମଧ୍ୟରେ ନ୍ୟାସନାସ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା, କଂଗ୍ରେସର ଶଶୀ ଥରୁର, କାର୍ତ୍ତି ଚିଦାମ୍ବରମ, ଏନସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ପ୍ରମୁଖ ନିଲମ୍ବିତ ହୋଇଛନ୍ତି । ଲୋକସଭା ସାଂସଦ ଓମ ବିର୍ଲା ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି । ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ତେଜୁଛି ବିରୋଧ। ଏହାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ। ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ସାଂସଦ । ଆଗକୁ ଶୀତକାଳୀନ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସକୁ ବହିଷ୍କାର କରିବାକୁ ବିରୋଧୀ ସାଂସଦ ଯୋଜନା କରୁଥିବା ଜଣାପଡିଛି। ଦିନକରେ ଗତକାଲି ସର୍ବାଧିକ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ। ଗତ ସପ୍ତାହରେ ଆରମ୍ଭ ହୋଇଥିଲା ନିଲମ୍ବନର ଧାରା । ଗତ ସପ୍ତାହରେ ୧୩ ଜଣ ଲୋକସଭା ସାଂସଦଙ୍କ ସହ ଜଣେ ରାଜ୍ୟ ସଭା ସାଂସଦ ନିଲମ୍ବିତ ହୋଇଥିଲେ । ଗତକାଲି ଉଭୟ ଗୃହରୁ ୭୯ ସାଂସଦ ନିଲମ୍ବିତ ହୋଇଥିଲେ । ଆଜି ଏଥିରେ ଆଉ ୪୭ ସାଂସଦଙ୍କ ନାଁ ସାମିଲ ହୋଇଛି ।