କେରଳରେ ସଂକ୍ରମଣ ପରେ କରାଯିବ ସମୀକ୍ଷା

ଭୁବନେଶ୍ବର: ପୁଣି କଡ ଲେଉଟାଉଛି କୋଭିଡ । କେରଳରେ ସଂକ୍ରମଣ ବଢୁଥିବା ଦେଖି କେନ୍ଦ୍ର ସରକାର ଏକ ସମୀକ୍ଷା ବୈଠକ ଡକାଇଛନ୍ତି  । ରାଜ୍ୟମାନଙ୍କର ପ୍ରସ୍ତୁତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସମୀକ୍ଷା କରିବେ । ଡିସେମ୍ବର ପହିଲାରୁ ୧୭ ତାରିଖ ମଧ୍ୟରେ କେରଳରେ ୧୦ ଜଣଙ୍କର ମୃତ୍ୟ ହେବା ପରେ କେନ୍ଦ୍ର ସରକାର ତତ୍ପର ହୋଇଉଠିଛନ୍ତି । ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଗତକାଲି ଏ ନେଇ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି କେନ୍ଦ୍ର ସରକାର । ସେପଟେ କର୍ଣ୍ଣାଟକ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛି । କର୍ଣ୍ଣାଟକର କେରଳ ସୀମାରେ ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି । କାଶ ଥଣ୍ଡା ହେଉଥିଲେ ୬୦ ବର୍ଷର ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । କେରଳର ସାବିରିମାଲାରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ସତର୍କ ନଜର ରଖାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ମଧ୍ୟ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଟେଷ୍ଟ ପୁଣି ଆରମ୍ଭ କରିବା ସହ ମାକ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋମର୍ବିଡ  ଓ ୬୦ରୁ ଅଧିକ ବୟସ୍କ ଲୋକମାନେ ଅଧିକ ସତର୍କ ରହିବାକୁ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ବୟସ୍କ ବ୍ୟକ୍ତି ବର୍ତ୍ତମାନ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। ଆଗକୁ ଖ୍ରୀଷ୍ଟମାସ୍, ନୂଆବର୍ଷ ଆସୁଥିବାରୁ ଗହଳିକୁ ଲକ୍ଷ୍ୟ ରଖି ସାବଧାନ ରହିବା ଆବଶ୍ୟକ । କ୍ୟାପିଟାଲ ହସ୍ପିଟାଲ କୋଭିଡ ମୁକାବିଲା ପାଇଁ ପୁଣି ଥରେ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।