ଆଜିଠୁ ଶ୍ରୀମନ୍ଦିରରୁ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିବେ ୩୦ ସ୍ବତନ୍ତ୍ର ଦଳ

ପୁରୀ: ଶ୍ରୀକ୍ଷେତ୍ରରେ ହେବ ଦିବ୍ୟମିଳନ । ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ଦାଣ୍ଡରେ ଏକାଠି ହେବେ ଦେବତା, ସାଧୁସନ୍ଥ ଓ ଭକ୍ତ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହେବ ପରିକ୍ରମା ନିମନ୍ତ୍ରଣ । ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ ।

ସକାଳ ୮ଟାରେ ଶ୍ରୀମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିବେ ୩୦ଟି ସ୍ବତନ୍ତ୍ର ଦଳ । ୯ଟା ୧୫ରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବେ । ଦେବାଧିଦେବ ଏକାମ୍ର ପୀଠାଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ଏହାପରେ ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରି  ଲିଙ୍ଗରାଜ ମନ୍ଦିର ପରିସରକୁ ଫେରିବେ ।

ସେଠାରୁ ୧୩ଟି ଟିମ୍ ରାଜ୍ୟର ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗସ୍ତ କରିବେ । ଅବଶିଷ୍ଟ ୧୭ଟି ଟିମ୍ ସର୍କିଟ ହାଉସ ଓ ଷ୍ଟେଟ ଗେଷ୍ଟ ହାଉସକୁ ଆସି ପର୍ଯ୍ୟାୟକ୍ରରେ ରାଜ୍ୟବାହାରର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ଦେବାକୁ ଗସ୍ତ କରିବେ ।