ପାନଗୁଆ ଦେଇ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ପୁରୀ ସେବାୟତ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ । ଏଥିପାଇଁ ଆଜିଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି । ପ୍ରଥମ କରି ଶ୍ରୀକ୍ଷେତ୍ରରୁ ସେବାୟତ ତଥା ପ୍ରଶାସନିକ ଅଧିକାରୀଙ୍କୁ ନେଇ ୩୦ଟି ଦଳ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ବଣ୍ଟନ କରିଛନ୍ତି । ଏହି ସେବାୟତ ପ୍ରତିନିଧି ଦଳଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ଝୋଟି ଚିତା ସହ ଫୁଲ ଏବଂ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ପରେ ସେବାୟତମାନେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ସେବାୟତ ସହ ପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମହାପ୍ରଭୁଙ୍କ ଏହି ଭବ୍ୟ ଉଦଘାଟନ ଉତ୍ସବରେ ଯୋଗଦାନ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ଲିଙ୍ଗରାଜ ଗସ୍ତ ଐତିହାସିକ ବୋଲି ବିବେଚନା କରାଯାଏ ।

ପରମ୍ପରା ଅନୁଯାୟୀ ନିମନ୍ତ୍ରଣ ପତ୍ର ସହ ମହାପ୍ରଭୁଙ୍କ ଲାଗି ବସ୍ତ୍ର, ତୁଳସୀ, ପାନ, ଗୁଆ ଆଦି ଲିଙ୍ଗରାଜଙ୍କୁ ପ୍ରଦାନ କରାଯାଇଛି । ଏଭଳି ଉତ୍ସବ ପାଇଁ ଆଜି ଅଦିନରେ ହରିହର ଭେଟ ହେବାର ସୌଭାଗ୍ୟ ମିଳିଛି ବୋଲି ସେବାୟତମାନେ କହିଛନ୍ତି ।