spot_img
Home Blog Page 2606

ବିଶ୍ବ ପାଇଁ ଓଡ଼ିଶାର ମେଗା ମିଲେଟ୍‌ ପ୍ଲାନ୍‌: ଆସନ୍ତା ୯ ଓ ୧୦ରେ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ

ଭୁବନେଶ୍ବର: ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ବଡ଼ ମଡେଲ ସାଜିଛି । ଆସନ୍ତା ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଓ ଜଳବାୟୁ ପରିବର୍ତ୍ତନ ସମୟରେ ମିଲେଟ୍‌ କିପରି ବରଦାନ ସାଜିଛି, ସେ ନେଇ ଆଲୋଚନା ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ପ୍ରତିବର୍ଷ ଓଡ଼ିଶାରେ ବଢୁଛି ମାଣ୍ଡିଆ ଚାଷ

୨୦୨୩କୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଲକ୍ଷ୍ୟ, ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଓ ଘରେ ଘରେ ମିଲେଟ୍‌ ଆଦର ବୃଦ୍ଧି । ମିଲେଟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଛି ।    ଭୁବନେଶ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବ୍ୟବସାୟୀ, ମିଲେଟ୍‌ ଉପରେ କାମ କରୁଥିବା ସଂସ୍ଥା ଭାଗ ନେବେ । ମିଲେଟରେ ଉପକାରିତା ନେଇ ଆଲୋଚନା ହେବ । ବିଶ୍ବରେ ମିଲେଟ୍‌ ଚାହିଦା ବୃଦ୍ଧି ପାଇଁ ସମ୍ମିଳନୀରେ ଫୋକସ୍‌ କରାଯିବ । ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଣ୍ଟା ଭିଡ଼ିଛି । ବୈଜ୍ଞାନିକ ପଦ୍ଧତି ଓ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ କିପରି ସଂପ୍ରସାରଣ କରାଯାଇଛି ମିଲେଟ, ତା’ର ସଫଳତା ଶୁଣିବ ବିଶ୍ବ । ମାଣ୍ଡିଆରେ ଭରପୂର ଆଇରନ ଓ ପ୍ରୋଟିନ ଅଛି । ଖାଇଲେ ଶରୀର ସୁସ୍ଥ ଓ ସତେଜ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳୁଛି । ତେଣୁ ଦିନକୁ ଦିନ ମିଲେଟ ମିଶନ ସଫଳତା ସାଉଣ୍ଟୁ ଥିବା କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ସମୟରେ ମାଣ୍ଡିଆ ଚାଷ ଲାଭଦାୟକ ହୋଇଛି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମାର୍କେଟ, ମିଶନ ଶକ୍ତି କ୍ୟାଫେ, ଚାଷୀଙ୍କୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏମଏସପି ବ୍ୟବସ୍ଥା କରିବା ସହ ଆୟ ଦୁଇଗୁଣା କରିବା ଏବଂ ପିଡିଏସରେ ଚାଉଳ ସହ ୧ ଟଙ୍କାରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଆମ ହସ୍ପିଟାଲରେ ମିଲେଟ୍‌ କ୍ୟାଫେ ସହ ମଧ୍ୟାହ୍ନ ଭୋଜନରେ ମିଲେଟ ସାମିଲ କରାଯିବ । ଓଡ଼ିଶାରେ ପ୍ରତିବର୍ଷ ମିଲେଟ ଚାଷ ବୃଦ୍ଧି ପାଉଛି  ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ।

୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ମିଲେଟ୍‌ ମିଶନ ଆରମ୍ଭ କରିଥିଲେ । ୨୦୨୭ ମସିହା ପର୍ଯ୍ୟନ୍ତ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନେଇଛି କୃଷି ବିଭାଗ ।  ଆନ୍ତର୍ଜାତିକ ସମ୍ମିଳନୀରେ ବୈଷୟିକ ଅଧିବେଶନ, ବି ଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ । ସେଥିପାଇଁ ଏବେ ସଭିଁଙ୍କ ମୁହଁରେ ଗୋଟିଏ କଥା ‘ଥରେ ଖାଇଲେ ଖାଇବୁ ନୀତି, ରାତି ହେଉ କି ଦିନ; ଆମ ଗର୍ବ ଆମ ସମ୍ମାନ ମିଲେଟ ମିଶନ୍‌’ ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି: କନ୍ଦାଉଛି ପିଆଜ, ଦୀପାବଳି ସୁଦ୍ଧା ଶହେ ଛୁଇଁବ

ଭୁବନେଶ୍ବର: କେତେବେଳେ ଚକମା ଦେଉଛି କଞ୍ଚା ପରିବା ତ କେତେବେଳେ କନ୍ଦାଇଲାଣି ପିଆଜ । ସପ୍ତାହକରେ ପିଆଜ ଦର ବଢିଲାଣି ୩ ଗୁଣ । ଗତ ସପ୍ତାହରେ ୨୦ ଟଙ୍କା ଥିବା ପିଆଜ ଦର ଏବେ ଖୁଚୁରା ବଜାରରେ ୭୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଖାଉଟିଙ୍କ ଉପରେ ପଡ଼ିଛି ଚଡକ । ଦୀପାବଳି ସୁଦ୍ଧା ଦର ୧୦୦ ଛୁଇଁବ ବୋଲି କହିଲେଣି ବ୍ୟବସାୟୀ । କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଓ ଆମଦାନୀ-ରପ୍ତାନୀ ନୀତିରେ ତ୍ରୁଟି ପାଇଁ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ପିଆଜ ମହରଗ ପାଲଟିଛି । ଚାଷୀ ଉପଯୁକ୍ତ ମୂଲ୍ୟ ପାଉ ନଥିବା ବେଳେ କର୍ପୋରେଟ ମାଲାମାଲ ହେଉଥିବା ବ୍ୟବସାୟୀ ମହାସଂଘ କହିଛି ।

କାର୍ତ୍ତିକ ମାସରେ ବି ମହରଗ ପିଆଜ । ଗତ ସପ୍ତାହରେ ୨୦ରୁ ୨୫ଟଙ୍କା ଥିବା ପିଆଜ ଦର ଆଜି ହୋଲସେଲ୍ ଦର ୫୫ରେ ପହଞ୍ଚିଛି । ଖୁଚୁରା ମାର୍କେଟରେ ୭୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ପିଆଜ ଦର ବୃଦ୍ଧିର ପ୍ରଭାବ ରୋଷେଇ ଘରେ ପଡିଛି । ଫଳରେ ଦୁଇ କେଜି ପିଆଜ ନେଉଥିବା ଗ୍ରାହକ ଏବେ କେଜିଏରେ କାମ ଚଳାଉଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଆମଦାନୀ, ରପ୍ତାନୀ ନୀତିରେ ତ୍ରୁଟି ସହ କର୍ପୋରେଟ୍ ପ୍ରୀତି ପାଇଁ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ପିଆଜ ଦର ବୃଦ୍ଧି ହୋଇଥିବା କହିଛି ବ୍ୟବସାୟୀ ମହାସଂଘ । ଚାଷୀଠାରୁ ବଡ ବଡ କର୍ପୋରେଟ୍ କମ୍ପାନୀ କମ୍ ଦରରେ ପିଆଜ କିଣି ମହଜୁଦ୍ ରଖିବା ଯୋଗୁଁ ମାର୍କେଟରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି । ଆବଶ୍ୟକତା ଅନୁସାରେ ଯୋଗାଣ କମିବାରୁ ଦର ବଢୁଥିବା ରାଜ୍ୟ ବ୍ୟବସାୟୀ ସଂଘ କହିଛି ।

ସେପଟେ ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ଉପରକୁ ଦୋଷ ଠେଲିଛି ରାଜ୍ୟ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ବଢ଼ିଛି ପିଆଜ ଦର । ପିଆଜ ଦର ବୃଦ୍ଧି ଏବେ ଜାତୀୟ ପ୍ରସଙ୍ଗ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ପିଆଜ ଦର ଉପରେ କେନ୍ଦ୍ର ଦୃଷ୍ଟି ଦେବା ଆବଶ୍ୟକ । ଏ ଦିଗରେ କେନ୍ଦ୍ର ପଦକ୍ଷେପ ନେଲେ ହିଁ ଦର କମିବ । ନାସିକରୁ ମଧ୍ୟ ପିଆଜ ବାହାରିନଥିବା କେନ୍ଦ୍ର ସରକାର କହିଛନ୍ତି। ପିଆଜ ଦର ଉପରେ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ। ରାଜ୍ୟ ସରକାରଙ୍କ କାମ କେବଳ କଳାବାଜାରୀ ରୋକିବା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଓଡ଼ିଶାକୁ ମହାରାଷ୍ଟ୍ରର ନାସିକ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ତାଡ଼ାପଲ୍ଲୀଗୁଡ଼ମ୍ ଓ ମଧ୍ୟପ୍ରଦେଶରୁ ପିଆଜ ଆମଦାନୀ ହୁଏ । ସେଠାରେ ଅଦିନିଆ ବର୍ଷା ବି କିଛି ଚାଷ ଉଜାଡି ଦେଇଛି । ଏଭଳି ସ୍ଥଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ସ୍ଥାନରେ କମ୍ ଦରରେ ପିଆଜ ବିକ୍ରି କରୁଛନ୍ତି । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛି ବ୍ୟବସାୟୀ ସଂଘ ।

ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ବିଭାଗର ମାଟ୍ରିକ ଟିପ୍ସ: କ’ଣ କରିବେ, କ’ଣ କରିବେ ନାହିଁ ?

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ଟିପ୍ସ । ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାବେଳେ କେମିତି ଛାତ୍ରଛାତ୍ରୀ ଚାପମୁକ୍ତ ରହିବେ । କେମିତି ସଫଳତା ହାସଲ କରିବେ, ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଭାବନା ମୁଖ୍ୟ ଉପାଦେୟ । ପାଠ ପଢିବା ସମୟରେ ବ୍ରେକ୍ ନିଅନ୍ତୁ । ଦୀର୍ଘ ସମୟ ଧରି ପଢନ୍ତୁ ନାହିଁ ଏଥିରେ ମାନସିକ ଚାପ ବୃଦ୍ଧି ପାଇଥାଏ । ସାଙ୍ଗସାଥିଙ୍କ ସହ ପଢ଼ିବା ବେଳେ ପାଠ କମ କଥାବାର୍ତ୍ତା ଅଧିକ ହୋଇଥାଏ । ତେଣୁ ସାଙ୍ଗଙ୍କ ସହ ଏକାଠି ପଢ଼ନ୍ତୁ ନାହିଁ, ଯଦି ପଢ଼ୁଛନ୍ତି ପାଠ ବ୍ୟତୀତ ଅନ୍ୟ ବିଷୟରେ କଥା ହୁଅନ୍ତୁ ନାହିଁ ।

ସୁଷମ ଖାଦ୍ୟ ଖାଇବା ସହ ବିଶ୍ରାମ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଶିକ୍ଷା ବିଭାଗ । ୧୦ରୁ ୧୪ ଘଣ୍ଟା ପାଠ ପଢି ଅତି କମରେ ୬ରୁ ୭ ଘଣ୍ଟା ଭଲ ନିଦରେ ଶୋଇବା ଉଚିତ । ପାଠ ପଢିବାକୁ ସମୟ ନିର୍ଘଣ୍ଟ କରିବାକୁ ପରାମର୍ଶ ଦେଇଛି ବିଭାଗ । ସକାଳେ ୧୦ଟାରୁ ମଧ୍ୟାହ୍ନ ସାଢେ ଗୋଟାଏ । ଅପରାହ୍ନ ସାଢେ ୨ଟାରୁ ସାଢେ ୪ଟା । ସଂଧ୍ୟା ସାଢେ ୫ଟାରୁ ରାତି ୯ଟା । ରାତିରେ ସାଢେ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପଢିବାକୁ ପରାମର୍ଶ ଦିଆଯାଇଛି । ସମସ୍ୟା ହେଲେ ଘର ଲୋକଙ୍କ ସହିତ ଆଲୋଚନା କରନ୍ତୁ।

ଭଲ ମାର୍କ ନଆସିଲେ ଭାଙ୍ଗି ନପଡ଼ି ଜୀବନର ପରବର୍ତ୍ତୀ ସୋପାନକୁ କିପରି ସୁଦୃଢ କରିବେ ସେଥିପ୍ରତି ଯୋଜନା କରନ୍ତୁ । ସୁସ୍ଥ ରହିବାକୁ ଯୋଗାଭ୍ୟାସ କରନ୍ତୁ । ଯୋଗାଭ୍ୟାସ ମାନସିକ ଚାପ କମାଇବାରେ ସହାୟକ ହୁଏ । ମୋବାଇଲର ସଦୁପଯୋଗ କରନ୍ତୁ । ଅଯଥା ଗେମ ଖେଳନ୍ତୁ ନାହିଁ । ଟାଇମ ଟେବୁଲ କରି ପଢନ୍ତୁ । ପରୀକ୍ଷା ପୂର୍ବରୁ ପାଠପଢା ଶେଷ କରନ୍ତୁ । ଦୁର୍ବଳ ବିଷୟକୁ ଅଧିକ ସମୟ ଧ୍ୟାନ ଦିଅନ୍ତୁ । ତେଲଯୁକ୍ତ ଖାଦ୍ୟ ଖାଅନ୍ତୁ ନାହିଁ । ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଚାକିରି ଯିବା ପରେ ୬ ମହଲା ଉପରେ ମଦ ଫ୍ୟାକ୍ଟ୍ରିର ୨୫୦ କର୍ମଚାରୀଙ୍କ ଧାରଣା, କହିଲେ- ଡେଇଁକି ମରିବୁ

ଶାହାଜାହାନପୁର: ଉତ୍ତର ପ୍ରଦେଶ ଶାହାଜାହାନପୁରରେ ଏକ ମଦ ଫ୍ୟାକ୍ଟ୍ରିର ୬ ମହଲା କୋଠା ଉପରକୁ ଚଢ଼ି ୨୫୦ କର୍ମଚାରୀଙ୍କ ଧାରଣା । ଦାବି ପୂରଣ ନହେଲେ ୬ ମହଲାରୁ ଡେଇଁ ସମୂହ ଆତ୍ମହତ୍ୟା କରିବାର ଧମକ । କମ୍ପାନୀରେ ଉତ୍ପାଦନ ବନ୍ଦ ଓ କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ଏମିତି ପ୍ରତିବାଦ କରିଛନ୍ତି । ଦାବି ପୂରଣ ନହେଲେ ଜଣ ଜଣ କରି ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଏମିତି ଘଟଣା ପୂରା ରାଜ୍ୟରେ ହଟ୍ଟଚମଟ ସଅେ୍ଟି କରିଥିବା ବେଳେ ଜିଲ୍ଲା ପ୍ରଶାସନର ଗୋଡ଼ ତଳୁ ମାଟି ଖସିଯିବା ପରି ହୋଇଛି । ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ।

ସୂଚନା ଅନୁସାରେ, ରୋଜା ଥାନା କ୍ଷେତ୍ରର ୟୁନାଇଟେଡ ସ୍ପିରିଟ ଲିମିଟେଡ ମଦ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ପୂର୍ବରୁ ଉତ୍ପାଦନ ବନ୍ଦ କରି ଦେଇଥିଲେ । ଏହାସହ ପ୍ରାୟ ୨୫୦ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛି । ଆଜି କର୍ମଚାରୀଙ୍କ ପାଖକୁ ବହିଷ୍କାର ନୋଟିସ ଆସିବା ପରେ ଅସନ୍ତୋଷ ପ୍ରକାଶ ପାଇଥିଲା । କମ୍ପାନୀ ନିଷ୍ପତ୍ତିର ପ୍ରତିବାଦରେ କର୍ମଚାରୀମାନେ ଏଭଳି ପ୍ରତିବାଦ କରିଛନ୍ତି ।

ଉତ୍ପାଦନ ବନ୍ଦ ପରଠାରୁ ୨୫୭ ଦିନ ହେଲା ଧାରଣାରେ ବସିଛନ୍ତି । ଫ୍ୟାକ୍ଟ୍ରିକୁ ପୁଣି ଚାଲୁ କରିବାକୁ କର୍ମଚାରୀମାନେ ଦାବି କରୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଦାବି ଶୁଣୁନାହାନ୍ତି । ଏମିତି ସ୍ଥିତିରେ ଯେବେ ବହିଷ୍କାର ନୋଟିସ ଆସିଲା କର୍ମଚାରୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା ।

ଆନ୍ଦୋଳନରତ କର୍ମଚାରୀ କହିଛନ୍ତି ଦୀର୍ଘବର୍ଷ ହେଲା ସେମାନେ ବ୍ରାଣ୍ଡେଡ କମ୍ପାନୀର ମଦ ପ୍ରସ୍ତୁତ କରୁଛନ୍ତି । ହଠାତ ଆମକୁ ବହିଷ୍କାର କରାଯିବା ଫଳରେ ଆମେ ପରିବାର ପ୍ରତିପୋଷଣ କେମିତି କରିବୁ । ଆଜି ଯଦି ଆମେ ଆତ୍ମହତ୍ୟା କରିବୁ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ଲକ୍ଷ୍ମୀ ବସର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି କଳାହାଣ୍ଡି । କାଲି କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲ୍ଲାବାସୀଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି ।

ଏହାସହ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀ ଦେଖିଥିବା ବହୁ ପ୍ରତିକ୍ଷୀତ ସ୍ବପ୍ନ ପୂରଣ ହେବ । ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରସ୍ତୁତି ସାରି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଗ୍ରହଣ କରାଯାଇଛି । ଏହାସହ କଳାହାଣ୍ଡିରେ ଲକ୍ଷ୍ମୀ ବସର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ

ଭୁବନେଶ୍ବର: ଓଡିଶା ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାଗା ମିଶନ ଅଧୀନରେ ଭୁବନେଶ୍ବର ମହାନଗର ନିଗମରେ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ । ଆଜି ୩ଟି ଜୋନରେ ୫ ହଜାର ୫୪୨ ପରିବାରଙ୍କୁ ଏଲ୍‌ଆର୍‌ସି ବଣ୍ଟନ କରାଯାଇଛି । ଭୂମି ଅଧିକାର ପତ୍ର ବଣ୍ଟନ ବେଳେ ସମସ୍ତ ଜୋନରେ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ । ସେପଟେ ଏଲଆରସି ପତ୍ର ପାଇବା ପରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ହୃଦୟରୁ ଧନ୍ୟବାଦ ।

ଲୋକଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ତାଳି ସାଙ୍ଗକୁ ହୁଳହୁଳି । ସିଭିଙ୍କ ମନରେ ଖୁସିର ଲହରୀ । ଗରିବ ବସ୍ତି ବାସିନ୍ଦା ପାଇଲେ ଭୂମି ପ୍ରମାଣ ପତ୍ର । ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ ସ୍ଥିତ ବଡଗଡ ବ୍ରିଟ୍ କୋଲନୀ ନେତାଜୀ ପଡିଆରେ ମନ୍ତ୍ରୀ ଅଶୋକଙ୍କ ପଣ୍ଡା, ବିଏମସି କମିଶନର ଓ ବିଭିନ୍ନ ୱାର୍ଡର କୋର୍ପେରେଟରଙ୍କ ଉପସ୍ଥିତିରେ ୧୪୨୧ଟି ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ।

ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ଓ୍ବାର୍ଡ ନମ୍ବର ୪୭ର ୟୁନିଟ୍ ୮ ସ୍ଥିତ କମ୍ୟୁନିଟ୍ ସେଣ୍ଟରରେ ୧୯୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ବଣ୍ଟନ ବେଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତ ରହିଥିଲେ ।  । ସେହିଭଳି ଉତ୍ତର ଜୋନର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ବିଧାୟକ ଶୁଶାନ୍ତ ରାଉତଙ୍କ ଉପସ୍ଥିତରେ ୨୧୭୧ ଜଣଙ୍କୁ ଭୂମି ଅଧିକାର ପତ୍ର ବଣ୍ଟନ କରାଯାଇଥିଲା । ବଣ୍ଟନ ବେଳେ ଯେପରି ସମସ୍ୟା ନହେବ ସେ ନେଇ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା । ଆଗମୀ ଦିନରେ ବିଏମସି ଅଞ୍ଚଳରେ ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କୁ ଭୂମି  ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

ଗତ ୨୮ ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାଗା ମିଶନ ଅଧୀନରେ ଭୁବନେଶ୍ବରରେ ୫୧ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ବର: ପ୍ରସ୍ତାବିତ ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ୧୦ ଜିଲ୍ଲାରେ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି । ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଦେଲେ ସୂଚନା ।

ସୂଚନାଯୋଗ୍ୟ ଦଶହରା ସମୟରେ ଘରୋଇ ବସ୍ ମାଲିକ ସଙ୍ଘ ଧର୍ମଘଟ ଡାକରା ଦେଇଥିଲା । ଫଳରେ ଯାତ୍ରୀ ସେବାରେ ସମସ୍ୟା ଉପୁଜିଥିଲା । ଦଶହରା ଛୁଟିରେ ଲୋକେ ଘରକୁ ଯିବାକୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗତ ୨୦ ତାରିଖରେ ବସ୍ ଧର୍ମଘଟକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ସଙ୍ଘ । ଏହାସହ ପାର୍ବଣରେ ଧର୍ମଘଟ ଯୋଗୁଁ ସମସ୍ୟା ହୋଇଥିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଥିଲା ଘରୋଇ ବସ୍ ମାଲିକ ସଙ୍ଘ ।

ଆଇପିଏସ ସ୍ତରରେ ଅଦଳବଦଳ: ଅରୁଣଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ ଦାୟିତ୍ବ

ଭୁବନେଶ୍ବର: ଆଇପିଏସ ସ୍ତରରେ ହୋଇଛି ଅଦଳବଦଳ । ଅରୁଣ ରାୟ ହେଲେ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ । ଏ.ଏମ. ପ୍ରସାଦ ହେଲେ ଜେଲ ଡିଜି । ଲଳିତ ଦାସଙ୍କୁ ଏଚଆରପିସି ଅତିରିକ୍ତ ଡିଜି ଦାୟିତ୍ବ । ସେହିପରି ଉମାଶଙ୍କର ଦାଶ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ଡିଆଇଜି । ବ୍ରିଜେଶ କୁମାର ରାୟ ହେଲେ କମିଶନରେଟ ପୋଲିସର ଅତିରିକ୍ତ ସିପି ।

ଆମ ଓଡ଼ିଶା, ନବୀନ ଓଡ଼ିଶାରେ ଯୋଡ଼ି ହେଲା ବଲାଙ୍ଗୀର

ବଲାଙ୍ଗୀର: ବାଲେଶ୍ବର ପରେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବଲାଙ୍ଗୀର ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଶୁଭାରମ୍ଭ । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯକ୍ରମ ଜରିଆରେ ବଲାଙ୍ଗୀରର ସମସ୍ତ ୧୪ଟି ବ୍ଲକର ଜନ ପ୍ରତିନିଧି ଓ ଜନତାଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପଣ୍ଡିଆନ ।

ବଲାଙ୍ଗୀର ଜିଲ୍ଲାକୁ ମିଳିଛି ୧୫୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ଜିଲ୍ଲାର ୩ ହଜାର ୯୧୧ଟି ଉନ୍ନୟନ ପ୍ରକଳ୍ପ ପାଇଁ ବିନିଯୋଗ ହେବ ଏହି ଅର୍ଥ ରାଶି । ହରିଶଙ୍କର ମନ୍ଦିରର ରୁପାନ୍ତରିକରଣ ପାଇଁ ୭ କୋଟି ଟଙ୍କା ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ତୁଷୁରା ତେଲାନଦୀରେ ହେବ ଦୁଇଟି ଲିଫ୍ଟ ଇରିଗେସନ ପ୍ରକଳ୍ପ । ବଲାଙ୍ଗୀର ସମଲେଶ୍ଵରୀ ମନ୍ଦିର ଉନ୍ନତି ପାଇଁ ୩ କୋଟି ୪୦ ଲକ୍ଷ ଟଙ୍କା ସହ ପାଟଣେଶ୍ବରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଉନ୍ନତି ପାଇଁ ଅର୍ଥରାଶି ଘୋଷଣା ହୋଇଛି ।

ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ବି ଅର୍ଥ ଘୋଷଣା ହୋଇଛି । ଏହାସହ ବିଭିନ୍ନ ବ୍ଲକରେ ଧର୍ମପୀଠ, ଜଳସେଚନ, ଗ୍ରାମାଞ୍ଚଳ ରାସ୍ତା ପ୍ରଶସ୍ତିକରଣ, ବିଭିନ୍ନ ସ୍ଥାନରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ସହ ଶିକ୍ଷା ଭିତ୍ତଭୂମିର ବିକାଶ ପାଇଁ ବି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥରାଶି ଘୋଷଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ।

ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ମଧ୍ୟରେ ରହିଛି ତୁସୁରାରେ ଏୟାର ଷ୍ଟ୍ରିପ୍,  ୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, ସମଲେଇ ମନ୍ଦିର ସୌନ୍ଦର୍ଯ୍ୟକରଣ, ସ୍କୁଲ, କଲେଜ ରୂପାନ୍ତରଣ ।

ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା, ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟ ପୋଷ୍ଟ ଇତ୍ୟାଦି । ଖପ୍ରାଖୋଲରେ ଏକ ନୂଆ ସଡକ ନିର୍ମାଣ ଓ କେତେକ କଲେଜର ଉନ୍ନତିକରଣ ।

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ମା’ ସମଲେଶ୍ବରୀଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର ସିଏନଆଇ ଚର୍ଚ୍ଚର ଉନ୍ନତୀକରଣ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ । ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ ।

ସ୍ତ୍ରୀ ବ୍ୟୁଟି ପାର୍ଲରରେ ଆଇବ୍ରୋ ବନାଇବାରୁ ଫୋନରେ ତଲାକ ଦେଇ ଦେଲା ସ୍ବାମୀ

କାନପୁର: ଉତ୍ତର ପ୍ରଦେଶର କାନପୁର ପୁଣି ଥରେ ତିନି ତଲାକ ମାମଲାକୁ ତାଜା କରି ଦେଇଛି । ଜଣେ ମହିଳା ବ୍ୟୁଟି ପାର୍ଲର ଯାଇ ଆଇବ୍ରୋ ବନାଇବାରୁ ଫୋନରେ ହିଁ ତିନ୍ ତଲାକ୍ (ଛାଡ଼ପତ୍ର) ଦେଇ ଦେଲେ ସ୍ବାମୀ । ଶ୍ବଶୁର ଘରୁ ନିରାଶ ହେବା ପରେ ମହିଳା ଜଣଙ୍କ ସ୍ବାମୀ ଏବଂ ଶ୍ବଶୁର ଘରର ୫ ଜଣ ଲୋକଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଘଟଣା କାନପୁର କୁଲି ବଜାର ଅଞ୍ଚଳର । ୨୦୨୨ରେ ଅଞ୍ଚଳର ଲାଲି ଗୁଲସବାଙ୍କ ପ୍ରୟାଗରାଜ ବାସିନ୍ଦା ସଲିମଙ୍କ ସହ ବିବାହ ହୋଇଥିଲା । ସଲିମ ସାଉଦୀ ଆରବରେ ଚାକିରି କରନ୍ତି । ଗୁଲସବାଙ୍କ ଅଭିଯୋଗ ଅନୁସାରେ ଅଗଷ୍ଟ ୩୦ରେ ସାଉଦୀ ଆରବ ଚାଲିଯିବା ପରେ ଶ୍ବଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲେ । କିଛିଦିନ ହେବ ସେ ବାପଘରକୁ ପଳାଇ ଆସିଥିଲେ । ଏଠାରେ ଭିଡିଓ କଲ୍ ଜରିଆରେ ସଲିମ ସହ କଥା ହେଉଥିଲେ । ଅକ୍ଟୋବର ୪ରେ ସଲିମ ଭିଡିଓ କଲ କରିଥିବା ବେଳେ ଆଇବ୍ରୋ ବନାଇଛ କି ବୋଲି ପଚାରିଥିଲା । ଗୁଲସବା ହଁ କହିବା ପରେ ସଲିମ ରାଗି ଯାଇ ଫୋନ କାଟି ଦେଇଥିଲେ । ଏହାର କିଛିଦିନ ପରେ ଗୁଲସବା ଯେବେ ଫୋନରେ କଥା ହୋଇଥିଲେ, ସେହି କଥାକୁ ନେଇ ସଲିମ ତାଙ୍କ ସହ ଝଗଡ଼ଶ କରିଥିଲେ ଓ ଫୋନରେ ହିଁ ତିନ୍ ତଲାକ୍ ଦେଇ ଦେଇଥିଲେ । ଏହାପରେ ସଲିମ ଫୋନ କାଟି ଦେିଥିଲେ ଓ ଯେତେ ଫୋନ କଲେ ବି ଫୋନ ଉଠାଇ ନଥିଲେ । ଏନେଇ ଶ୍ବଶୁର ଘର ଲୋକଙ୍କୁ କହିବା ପରେ ସେମାନେ ସମସ୍ୟାର ସମାଧାନ ନକରି ସଲିମଙ୍କ ପକ୍ଷ ନେିଥିଲେ ଓ ସେ ଯାହା କରିଛି ଠିକ୍ କରିଛି କହିଥିଲେ ।

ଶ୍ବଶୁର ଘରୁ ନିରାଶ ହେବା ପରେ ଗୁଲସବା ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ଏତଲା ଆଧାରରେ ପୋଲିସ ସ୍ବାମୀ ସଲିମ ଓ ପରିବାରର ୫ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।