ପ୍ରେମିକକୁ ଦେଖାକରିବାରୁ ଜୀବନରୁ ମାରିଦେଲା ବାପା

ଉତ୍ତରପ୍ରଦେଶ:ଝିଅକୁ ମାରିଦେଲା ନୃଶଂସ ବାପା । ବୟଫ୍ରେଣ୍ଡ ସହ ଦେଖାକରିବାକୁ ଯାଇଥିବା ଜାଣି ଝିଅକୁ ମାରିଦେଲେ ବାପା । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଡାନ୍ ଜିଲ୍ଲାରେ । ସୂଚନା ଅନୁସାରେ ଝିଅ ବୟଫ୍ରେଣ୍ଡ ସହ ଦେଖାକରିବାକୁ ଭୋର୍ ୪ଟାରେ ଘରୁ ବାହାରିଥିଲା ବେଳେ ବାପା ମଧ୍ୟ ଝିଅର ପଛେ ପଛେ ଯାଇଥିଲେ। ଝିଅ ବୟଫ୍ରେଣ୍ଡ ସହ ଦେଖାକରିବାର ଦେଖି ବ୍ୟକ୍ତି ଜଣକ ଉଭୟଙ୍କୁ କୋଦାଳରେ ପିଟି ପିଟି  ମାରିଦେଲେ । ପରେ ସେ ସେହି କୋଦାଳକୁ ନେଇ ପୋଲିସ୍ ଷ୍ଟେସନ୍ ରେ ପହଞ୍ଚି ଆତ୍ମସର୍ମପଣ କରିଥିଲେ  । ବୁଡାନ୍ ର ସିନିୟର୍ ସୁପରିଟେଣ୍ଡେଡ୍ ଅଫିସର୍ କହିଛନ୍ତି ଯେ , ଗୋଟେ ୧୯ ବର୍ଷୀୟା ଝିଅ ଏବଂ ତାର ୨୦ ବର୍ଷୀୟ ବୟଫ୍ରେଣ୍ଡକୁ ଝିଅର ବାପା ଏବଂ ସମ୍ପର୍କୀୟ ମିଳିମିଶି ହତ୍ୟା କରିଛନ୍ତି  । ଅଭିଯୁକ୍ତ ବାପା ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସର୍ମପଣ କଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଆମେ ଆଇପିସି ଧାରା ୩୦୨ରେ ହତ୍ୟା, ୧୪୭ରେ ଦଙ୍ଗାରେ ମାମଲା ରୁଜୁ କରାଯାଇଛି  । ଝିଅର ବାପା, ମାଆ ଏବଂ ଝିଅର  ସମ୍ପର୍କୀୟଙ୍କୁ ଗିରଫ କରାଯାଇଛି  । ଝିଅ ,ପୁଅ ଦୁଇଜଣ ଯାକ ଏକା ଜାତିର ହୋଇଥିବା ବେଳେ ଉଭୟେ ଉଭୟଙ୍କୁ ୨ବର୍ଷ ହେଲା ଜାଣିଥିଲେ। ଦୁଇଜଣଙ୍କ ମୃତଦେହକୁ ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠେଇଦେଇଛି । ଅଭିଯୁକ୍ତ ଝିଅର ବାପାକୁ ଜେରା କଲାବେଳେ ସେ ପୋଲିସ୍ କୁ କହିଥିଲେ ଯେ, ତାଙ୍କ ଝିଅ ପଡୋଶୀଙ୍କ ପୁଅ ସହ ଲୁଚି ପଳେଇଯାଇ  ବାହାହୋଇଯିବ ବୋଲି ଜାଣିବାକୁ ପାଇଥିଲେ । ସେଥିପାଇଁ ସେ ଉଭୟଙ୍କ ଉପରେ ନଜର ରଖିଥିଲେ  । ମଙ୍ଗଳବାର ଭୋର୍ ୪ଟାରେ ତାଙ୍କ ଝିଅ ଯେତେବେଳେ ବୟଫ୍ରେଣ୍ଡ ସହ ଦେଖାକରିବାକୁ ଯାଇଥିଲା । ଅଭିଯୁକ୍ତ ବାପା ତା ପଛେ ପଛେ ଯାଇଥିଲେ  । ଏବଂ ଉଭୟଙ୍କୁ ଧରି ପକାଇ କୋଦାଳରେ ପିଟି ପିଟି ମାରିଦେଇଥିଲେ  ।