ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ମୁହଁରେ ହସ, ପରିଦର୍ଶନ କରିବେ ରାଜ୍ୟର ବିଭିନ୍ନ ସ୍ଥାନ

ସୁନ୍ଦରଗଡ଼: ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ମୁହଁରେ ହସ । ସୁନ୍ଦରଗଡ ଦୃଷ୍ଟିହୀନ ବଧିର ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିବେ । ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ ପକ୍ଷରୁ ସେମାନଙ୍କ ବୁଲାବୁଲିର ସମସ୍ତ ଖର୍ଚ୍ଚ ବହନ ହୋଇଛି । ପିଲାଙ୍କ ମୁହଁରେ ହସ ।

କିଏ ଶୁଣି ପାରେ ନାହିଁ , ଆଉ କିଏ କହିପାରେ ନାହିଁ । ହେଲେ ସାଧାରଣ ମଣିଷଟେ ପରି ତାଙ୍କର ବି ଇଚ୍ଛା କେବଳ ପାଠପଢା ନୁହେଁ ପିକନିକ ଋତୁର ମଜାନେବେ । ବୁଲାବୁଲି କରି ନୂଆନୂଆ ସ୍ଥାନ ଦେଖିବେ । ତାଙ୍କର ଏହି ଇଚ୍ଛା ପୂରଣ ହେଉଛି । ସୁନ୍ଦରଗଡ ଦୃଷ୍ଟିହୀନ ବଧିର ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୫ ଦିନ ଧରି ରାଜ୍ୟର ବଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିବେ । ଦେବଗଡ, ଘଟଗାଁ , ଭୁବନେଶ୍ୱର , ପୁରୀ , କୋଣାର୍କ ଏବଂ ଚିଲିକା ଆଦି ସ୍ଥାନ ପରିଦର୍ଶନ କରି ଆସନ୍ତା ୭ ତାରିଖ ସୁନ୍ଦରଗଡ ଫେରିବେ । ଯେଉଁଥିପାଇଁ ବେଶ୍ ଖୁସି ଅଛନ୍ତି ଶିକ୍ଷାର୍ଥୀ ।

ରାଜବାଟୀ ସ୍ଥିତ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଏକ ସ୍ୱତନ୍ତ୍ର ବସରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହିତ ଯାତ୍ରା ଆରମ୍ଭ କରିଥିଲେ । ଏହାକୁ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନର ସଭାପତି ସଞ୍ଜୟ ନନ୍ଦ ସବୁଜ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଯାତ୍ରାର ସମସ୍ତ ଖର୍ଚ୍ଚ ଆସୋସିଏସନ ବହନ କରିବ ବୋଲି କହିବା ସହିତ ଏପରି ଅସହାୟଙ୍କ ପ୍ରତି ସବୁବେଳେ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବ ବୋଲି କହିଛନ୍ତି ସଭାପତି ସଞ୍ଜୟ ନନ୍ଦ।