ଏଣିକି କଟକ SCB ମେଡିକାଲରେ କରାଯିବ ଲିଭର ପ୍ରତିରୋପଣ

1 min read

କଟକ: କଟକ SCB ମେଡିକାଲରେ ଏଣିକି କରାଯିବ ଲିଭର ପ୍ରତିରୋପଣ । ଏଥିପାଇଁ ହାଇଦ୍ରାବାଦ ସ୍ଥିତ ଏସିଆ ଇନଷ୍ଟିଚ୍ୟୁଟ୍ ଅଫ ଲିଭର ଟ୍ରାନ୍ସପ୍ଲାଣ୍ଟ ସହ ହୋଇଛି ବୁଝାମଣା । ଏହା ସମ୍ଭବ ହେଲେ ରୋଗୀ ତାଙ୍କ ସମ୍ପର୍କୀୟଙ୍କୁ ଆଉ ବାହାର ରାଜ୍ୟର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସମ୍ପୂର୍ଣ୍ଣ ମାଗଣାରେ ଏଠାରେ ହେବ ବ୍ୟୟବହୁଳ ଲିଭର ପ୍ରତିରୋପଣ । ୫ ତାରିଖରେ ହାଇଦ୍ରାବାଦରୁ ବିଶେଷଜ୍ଞ ଟିମ ଆସି ଭିତ୍ତିଭୂମିର ସମୀକ୍ଷା କରିବେ ।

ଆହୁରି ଆଗକୁ ବଢୁଛି କଟକ SCB ବଡମେଡିକାଲ । ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି କରୁଛି ନୂଆ ମାଇଲଷ୍ଟୋନ । କିଡନୀ ପରେ ଏଣିକି କରାଯିବ ଲିଭର ପ୍ରତିରୋପଣ । ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ବ୍ୟବହୁଳ ଚିକିତ୍ସା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨୦୨୩ରୁ ଏହି ପକ୍ରିୟା ଆରମ୍ଭ କରାଯାଇଛି । ଏଥିପାଇଁ ହାଇଦ୍ରାବାଦ ସ୍ଥିତ ଏସିଆ ଇନଷ୍ଟିଚ୍ୟୁଟ ଅଫ ଲିଭର ଟ୍ରାନ୍ସପ୍ଲାଣ୍ଟ ସହିତ ଅନୁବନ୍ଧିତ ହୋଇଛି ଏସସିବି । ଏକ ଡାକ୍ତରୀ ଟିମ ହାଇଦ୍ରାବାଦ ଯାଇ ପ୍ରତିରୋପଣ ବ୍ୟବସ୍ଥାର ସମସ୍ତ ସୋପାନକୁ ଅନୁଶୀଳନ କରିଛନ୍ତି । ସେହି ଅନୁଯାୟୀ ଏସସିବିରେ ପ୍ରତିରୋପଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ୫ ତାରିଖ ଦିନ ହାଇଦ୍ରାବାଦରୁ ଏକ୍ସପର୍ଟ ଟିମ ଆସି ଏସସିବିର ଭିତ୍ତିଭୂମି ଯାଞ୍ଚ କରିବା ପରେ ଆରମ୍ଭ ହେବ ପ୍ରକ୍ରିୟା ।

ଏସସିବି ମେଡିକାଲ ରେଫରାଲ ହସ୍ପିଟାଲ ହେବା ସାଙ୍ଗକୁ ଏଠାରେ ଚିକିତ୍ସା ସେବା ସମ୍ପୂର୍ଣ ମାଗଣା ହୋଇଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି । ପ୍ରତି ମାସରେ ୧୫ ଶହରୁ ୨ ହଜାର ଲିଭର ରୋଗୀ ଏସସିବି ଆସୁଛନ୍ତି । ୬୦ ପ୍ରତିଶତ ରୋଗୀ ନିଶା ପାନୀୟ ପାଇଁ ରୋଗର ଶିକାର ହୋଇଥିବା ଜଣାପଡୁଛି । ସେମାନଙ୍କ ମଧ୍ୟରୁ ବି କାଟାଗୋରୀ ଅର୍ଥାତ ପ୍ରତିରୋପଣ ସମ୍ଭବ ଥିବା ରୋଗୀଙ୍କ ସଂଖ୍ୟା ୧୦ ରୁ ୧୨ ପ୍ରତିଶତ । ତେବେ ଏହି ପକ୍ରିୟା ଉଭୟ ଲିଭର ଦାନ କରୁଥିବା ଓ ପ୍ରତିରୋପଣ ହେଉଥିବା ବ୍ୟକ୍ତିଙ୍କ ପାଇଁ ବେଶ ଜଟିଳ ଓ ବିପଦପୂର୍ଣ୍ଣ । ତେଣୁ ସ୍ଥିତିକୁ ଦେଖି ଏସସିବିରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ ପରେ ଯାଇ ଏହାକୁ ଆରମ୍ଭ କରାଯିବ ବୋଲି କହିଛନ୍ତି ଡାକ୍ତର ।