spot_img
Home Blog Page 2551

୯ ତାରିଖ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ

ଭୁବନେଶ୍ୱର: ଓଡ଼ିଶାରୁ ଫେରିଯିବ ମୌସୁମୀ। ୯ ତାରିଖ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ । ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ବଢିବ ପାରଦ । ଆଜି ଓ କାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖରୁ ସାରା ଓଡ଼ିଶାରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକା ବର୍ଷା ହେବ। ୭ ତାରିଖରୁ ବର୍ଷାର ପରିମାଣ କମିବା ସହ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ। ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଫଳରେ ଆସନ୍ତା ୯ ତାରିଖରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ହୋଇଛି। ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି। ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

ବଣ୍ଡାଘାଟି ଅଞ୍ଚଳରେ ଗଡ଼ିଲା ଲକ୍ଷ୍ମୀ ବସ୍

ମାଲକାନଗିରି: ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍। ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବା ପୂର୍ବରୁ ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସର ଟେଷ୍ଟ ଡ୍ରାଇଭ୍‌ କରାଯାଇଛି। ପ୍ରଥମ ଥର ପାଇଁ ବସରେ ବସି ଘାଟି ଚଢ଼ିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକ। ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଛି ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସର ପ୍ରଥମ ଯାତ୍ରା ସମୟରେ କୌଣସି ସମସ୍ୟା ଦେଖାଦେଇନଥିଲା। ଲୋକମାନେ ଉତ୍କଣ୍ଠାର ସହିତ ବସରେ ବସି ଯାତାୟାତ କରିଥିଲେ।

ରାଜ୍ୟ ସରକାର ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି। ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ବିଧିବଦ୍ଧ ଭାବେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯିବ। ପ୍ରଥମ ଦଫାରେ ମାଲକାନଗିରିରେ ୩୪ଟି ବସ ଗଡ଼ିବ। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା।

ଏହି ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ। ଅନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ହେବ ଯୋଗାଯୋଗ ସୁବିଧା। ଏଥିପାଇଁ ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ।

ଶୁକ୍ରବାର ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ। ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ।

ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବୈଠକରେ ଯୋଗଦେବେ। ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା କରାଯିବ। ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ପ୍ରଶଂସନୀୟ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗୁଆ। ମାଓ ଦମନ, ମାଓ ପ୍ରଭାବିତ ଅଞ୍ଚଳର ଲୋକଙ୍କର ପ୍ରଶାସନ ଉପରେ ବିଶ୍ବାସ ସୃଷ୍ଟି କରିବାରେ ରାଜ୍ୟ ସରକାର ଭଲ କାମ କରିଛନ୍ତି। ପୋଲିସର ଆଧୁନିକୀକରଣ, ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଫଳରେ ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଆକ୍ରମଣ ମାମଲା ୩୦ ପ୍ରତିଶତ ହ୍ରାସ ପାଇଛି। ଗୁଳି ବିନିମୟ ଓ ମୁହାଁମୁହିଁ ଘଟଣା ୩୨ ପ୍ରତିଶତ କମିଥିବା ବେଳେ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ ୫୬ ପ୍ରତିଶତ ହ୍ରାସ ପାଇଛି।

୨୦୧୨ରେ ଓଡ଼ିଶାରେ ୧୯ଟି ଜିଲ୍ଲା ମାଓ ପ୍ରବଣ ଥିବା ବେଳେ ୨୦୨୨ରେ ୧୦ଟି ଜିଲ୍ଲା ସରକାରୀ ଭାବେ ମାଓ ପ୍ରବଣ ଜିଲ୍ଲା ରହିଛି। ହେଲେ ଏହି ୧୦ଟି ଜିଲ୍ଲା ମଧ୍ୟରୁ ୨-୩ଟି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିବା ବେଳେ ବାକି ସବୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନକ୍ସଲ ଦମନ ନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରାଉଣ୍ଡ ଜିରୋରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ କେନ୍ଦ୍ର ଓଡ଼ିଶାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛି।

ନବଜାତ ଶିଶୁ ଅଦଳବଦଳ ଘଟଣା; ପୁଅ ନୁହେଁ ଝିଅ ଜନ୍ମ ହୋଇଥିବା ଡିଏନଏ ରିପୋର୍ଟରେ ସ୍ପଷ୍ଟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା। ଆସିଲା ଡିଏନଏ ରିପୋର୍ଟ । ପୁଅ ନୁହେଁ ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ । ଅଭିଯୋଗକାରୀ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ଚାଲିଥିଲା ବିବାଦ। ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ସତ ପଦାକୁ ଆସିଛି। ସେପଟେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଡାକ୍ତରୀ ଟିମ୍।

ଝିଅ ହୋଇଥିବାବେଳେ ଭୁଲ ରିପୋର୍ଟ ଦେଇଥିଲେ ଆଟେଣ୍ଡାଣ୍ଟ। ହସ୍ତାନ୍ତର ପରେ ଝିଅ ଦେଖି କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ ପ୍ରାଣକୃଷ୍ଣ। ଡିଏନଏ ଟେଷ୍ଟ ପାଇଁ ସେ ଦାବି କରିଥିଲେ । କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

ଏଣିକି ହସ୍ପିଟାଲ ଆଇସିୟୁରେ ବାଜିବ ଭଜନ

କଟକ: ଏଣିକି ହସ୍ପିଟାଲ ଆଇସିୟୁରେ ବାଜିବ ଭଜନ। ଏହାସହ ବାଜିବ ମଧୂର ଯନ୍ତ୍ର ସଙ୍ଗୀତ। ଏଭଳି ନିଷ୍ପତ୍ତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ଏହାଦ୍ବାରା ଉଭୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ICU ଭିତରେ ଆଧ୍ୟାତ୍ମିକ ପରିବେଶ ବି ସୃଷ୍ଟି ହେବ । ଆସନ୍ତା ସପ୍ତାହେ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ମେଡିକାଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ବେଳେ ଆଗକୁ ସବୁ ବିଭାଗରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଯେଉଁମାନେ ମସ୍ତିଷ୍କ ଆଘାତପ୍ରାପ୍ତ କିମ୍ବା ରୋଗ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି ସେମାନଙ୍କର ମସ୍ତିଷ୍କକୁ ଉଜ୍ଜିବୀତ କରିବାକୁ ହେଲେ ଷ୍ଟିମୁଲେଟ କରିବାକୁ ପଡ଼େ । କାନ ଭିତର ଦେଇ ଯେତେବେଳେ ମ୍ୟୁଜିକ ମସ୍ତିଷ୍କକୁ ଯାଇଥାଏ, ସେଠାରେ ସମ୍ବେଦନ ସୃଷ୍ଟି ହୋଇଥାଏ । ଆଉ ଏହି ସମ୍ବେଦନର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡେ ।

ହାଲକା ସାଉଣ୍ଡରେ ମ୍ୟୁଜିକ ସିଷ୍ଟମ ବାଜିବା ଦ୍ବାରା ICU ରେ ରୋଗୀଙ୍କ ସହ ଏଠାରେ କାମ କରୁଥିବା ଡାକ୍ତର, କର୍ମଚାରୀଙ୍କୁ ମଧ୍ୟ ଚାପ କମ କରିବାରେ ସହାୟକ ହେବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ବର୍ତ୍ତମାନ ଏସସିବିରେ ମେଡ଼ିସିନ, ଟ୍ରମା, ସେଣ୍ଟ୍ରାଲ ICU ଭଳି ୧୦ଟି ବିଭାଗରେ 200 ରୁ ଅଧିକ ICU ବେଡ଼ ରହିଛି।

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ରାତି ୧୨ଟା ଯାଏଁ ମେଲୋଡିକୁ ଅନୁମତି

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି। ଭୁବନେଶ୍ୱରରେ ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା, ପୂଜା ସୁବ୍ୟବସ୍ଥିତ କିଭଳି ହେବ ତାହାକୁ ନେଇ ଆଲୋଚନା ହୋଇଛି।

ଭୁବନେଶ୍ୱରରେ ୧୮୩ଟି ପୂଜା ମଣ୍ଡପ ରହିଛି। କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮। ଏଥର ପୂଜାରେ ମେଲୋଡି ପ୍ରୋଗ୍ରାମ ରାତି ୧୦ ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ହେବାକୁ ନିଷ୍ପତି ନିଆଯାଇଛି।

ପ୍ରେମ ପାଇଁ ଜର୍ମାନୀରୁ ଓଡ଼ିଶା ଆସିଲେ ବିଦେଶିନୀ

ସାେନପୁର: ସେ ବିଦେଶିନୀ। ହେଲେ ନିଜ ଜୀବନ ସାଥୀ ପାଇଁ ସାତ ସମୁଦ୍ର ତେର ନଈ ଡେଇଁ ଜର୍ମାନୀରୁ ଆସିଛନ୍ତି ଓଡ଼ିଶା। ଓଡ଼ିଆ ଘରେ ଓଡ଼ିଆ ଖାଦ୍ୟ ରାନ୍ଧି ପରିବାର ମନ ମୋହୁଛନ୍ତି। ସ୍ବାମୀଙ୍କୁ ମାନି ନେଇଛନ୍ତି ଇହକାଳ ପରକାଳର ଦେବତା। ଏବେ ସେ ତାଙ୍କ ପାଇଁ ସବୁକିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ମୂକ ବଧିର ‘ଶିବାଜୀ ପଣ୍ଡା’ ଙ୍କୁ ବିବାହ କରିଛନ୍ତି ଜର୍ମାନୀ ଝିଅ ‘ଉଲରିକ୍ ଜେସନ’।

ଉଲରିକ ଜଣେ ସାଙ୍କେତିକ ଭାଷାର ପ୍ରଫେସର। ଶିବାଜୀ ମଧ୍ୟ ଇଂଲଣ୍ଡର ସେଣ୍ଟ୍ରାଲ ଲଙ୍କାସାୟାର ୟୁନିଭର୍ସିଟିରେ ପ୍ରଫେସର ଭାବେ କାମ କରୁଥିଲେ। ଦୀର୍ଘ ୨୦ବର୍ଷ ଧରି ଉଭୟେ ସାଙ୍କେତିକ ଭାଷାରେ ଏକା ସାଙ୍ଗରେ କାମ କରିବା ବେଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏବେ ଓଡ଼ିଶାର ସଂସ୍କୃତି ପରମ୍ପରା, ପରିବେଶ, ଖାଦ୍ୟପେୟରେ ଆକର୍ଷିତ ହୋଇ ଉଭୟ ପରିବାରର ସହମତିରେ ଶିବାଜୀଙ୍କୁ ଲଣ୍ଡନର ଏକ କୋର୍ଟରେ ବିବାହ କରିଥିଲେ ଉଲରିକ୍।  ଏବେ ନିଜ ଜନ୍ମ ମାଟି ଉଲୁଣ୍ଡା ବ୍ଲକ ଲକ୍ଷ୍ମଣପୁର ଗାଁ ନିକଟରେ ଶିବାଜୀ ନିର୍ମାଣ କରିଥିବା ଇକୋଭିଲେଜରେ ଉଭୟେ ରହୁଛନ୍ତି । ଘର କାମଧାମ ସାଙ୍ଗକୁ ହାପିହେଣ୍ଡସ ସ୍କୁଲରେ ଶିକ୍ଷକ ମାନଙ୍କୁ ସାଙ୍କେତିକ ଭାଷାରେ ତାଲିମ ଦେଉଛନ୍ତି ଉଲରିକ୍ ।

ତାଙ୍କର ଏହି ଇକୋଭିଲେଜ ନଦୀ ତଟରେ ରହିଛି। ମନୋରମ ପରିବେଶ ସାଙ୍ଗକୁ ଜଙ୍ଗଲୀ ପରିବେଶ। ଏଠାକୁ ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ଶିବାଜୀଙ୍କ ପଦକ୍ଷେପକୁ ଦେଖି ବହୁ ପ୍ରଶଂସା ମଧ୍ୟ କରୁଛନ୍ତି। ବିଦେଶରେ ପ୍ରଫେସର ଭାବେ କାମ କରୁଥିବା ଶିବାଜୀ ଚାକିରି ଛାଡି ନିଜ ଜନ୍ମ ମାଟିରେ ଚାଷ କରି ସୁନାର ଫସଲ ଫଳାଇପାରୁଛନ୍ତି । ଜୈବିକ ପଦ୍ଧତିରେ ପନିପରିବାଠୁ ଆରମ୍ଭକରି ବିଭିନ୍ନ ପ୍ରକାର ଫଳଗଛ ଲଗାଇଛନ୍ତି। ସେପଟେ ଶିବାଜୀ ଓ ଉଲରିକ ଭାରି ମେଳାପି ବୋଲି କହିଛନ୍ତି ଜଣେ କର୍ମଚାରୀ।

 

ସିକିମରେ ଓଡ଼ିଆ ଯବାନ ଶହୀଦ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସିକିମ: ସିକିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ

ନୂଆଦିଲ୍ଲୀ: ସାହିତ୍ୟ ଲାଗି ନୋବେଲ ପୁରସ୍କାର ଘୋଷଣା। ସମ୍ମାନଜନକ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ ଓ ନାଟ୍ୟକାର ଜନ ଫୋସେ । ସାହିତ୍ୟରେ ନୂତନତ୍ବର ପ୍ରୟୋଗ, ନାଟକ ଓ ଗଳ୍ପ ସାହିତ୍ୟରେ ଆଧୁନିକତା ଶୈଳୀ ଲାଗି ଫୋସେଙ୍କୁ ମିଳିବ ଏହି ସମ୍ମାନ। ସାହିତ୍ୟ ଜରିଆରେ ଜନସମାଜକୁ ଜାଗ୍ରତ କରିବା କ୍ଷେତ୍ରରେ ନିଜର ସୃଜନଶୀଳତାର ପ୍ରୟୋଗ କରି ଉଲ୍ଲେଖନୀୟ କୃତି ସୃଷ୍ଟି କରିଥିଲେ ଫୋସେ। ପୁରସ୍କାର ବାବଦରେ ମିଳିବ ପ୍ରାୟ ୧ ନିୟୁତ ଡଲାର।

୧୨ ବର୍ଷୀୟ କନିଆଁଙ୍କୁ ୨୨ ବର୍ଷର ବର; ବାହାଘର ଚାଲିଥିବା ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ। ୧୨ ବର୍ଷୀୟ ନାବାଳିକାଙ୍କୁ ବିବାହ କରୁଥିଲେ ୨୨ ବର୍ଷୀୟ ଯୁବକ। କୁଆଖାଇ ନଦୀକୂଳ ତାରିଣୀ ମନ୍ଦିରରେ ବିବାହ ଚାଲିଥିବାବେଳେ ବାହାଘରକୁ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି ମଞ୍ଚେଶ୍ବର ଥାନା ପୋଲିସ।

ନାବାଳିକାର ବିବାହ ହେବା ସମୟରେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ଝିଅ ଓ ବରଘର ପରିବାରଙ୍କୁ ପଚରାଉଚରା କରୁଛି । ସେପଟେ ଏନେଇ ଚାଇଲଡ ଲାଇନ ପକ୍ଷରୁ ଏକ କେସ୍ ରୁଜୁ କରାଯାଇଛି । ଖବର ପାଇ ସିଡିପିଓ, ବିଏମସି ଓ ରୁଚିକା ସମାଜମଙ୍ଗଳ ସଂଗଠନର କର୍ମକର୍ତ୍ତା ମାନେ କୁଆଖାଇ ନଦୀ ପଠାରେ ଥିବା ରାଧାକୃଷ୍ଣ ମନ୍ଦିରଠାରେ ଏହି ବାଲ୍ୟ ବିବାହକୁ ରୋକିଛନ୍ତି।

ଜୋରଜବରଦସ୍ତ ବାଲ୍ୟ ବିବାହ ନେଇ ପ୍ରମାଣ ମିଳିବା ପରେ ବାଲ୍ୟବିବାହ ନିରୋଧ ଆଇନ ଧାରା ୯, ୧୦, ୧୧ ଅନୁସାରେ ଅପରାଧୀକ ମାମଲା ରୁଜୁ କରାଯାଇଛି। ତଦନ୍ତବେଳେ ଜଣାପଡ଼ିଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ନାବାଳିକା ଜଣକୁ ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ୨୨ ବର୍ଷର ଯୁବକ ବଳପୂର୍ବକ ବିବାହ କରୁଥିଲେ । କନ୍ୟା ନାବାଳିକା ହୋଇଥିବାରୁ ତାଙ୍କୁ ଭୁବନେଶ୍ବରର ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇଛି।