କ୍ରିକେଟ ପ୍ରତି ବଢ଼ିଛି ଆଗ୍ରହ, ଯୁବପିଢ଼ୀଙ୍କୁ କରିଛି କିମିଆ

ଚଣ୍ଡିଖୋଲ: ଯୁବ ପିଢିଙ୍କୁ କିମିଆ କରିଛି କ୍ରିକେଟ । କ୍ରିକେଟ ପ୍ରତି ପ୍ରାୟ ସମସ୍ତଙ୍କ ଆଗ୍ରହ । ଯୁବ ପିଢ଼ିଙ୍କୁ କ୍ରିକେଟ ପ୍ରତି ଆଗ୍ରହ ସୃଷ୍ଟି କରୁଛନ୍ତି କୋଚ ନବ କିଶୋର ଭଞ୍ଜ. ସେ ଝାରଖଣ୍ଡ ରୁ ଫେରି ନିଜ ଅଂଚଳ ରେ ଥିବା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ସହ ଆଗାମୀ ଦିନରେ ଭଲ ଖେଳାଳି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଖେଳ ପଡିଆରେ ଚାଲିଛି ଖେଳାଳିଙ୍କ ଜୋରଦାର ଅଭ୍ୟାସ । କ୍ରିକେଟ ଖେଳ ପ୍ରତି ମନ ବଳାଉଛନ୍ତି ଯୁବୁପିଢି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଳ୍ପତରୁ ଦାସ ଷ୍ଟାଡିୟମରେ ଧର୍ମଶାଳା ଅଂଚଳର ବହୁ ଖେଳାଳି କ୍ରିକେଟ ଖେଳରେ ନିଜକୁ ସାମିଲ କରୁଛନ୍ତି । ଏହି ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି ଯାଜପୁର ବରୀ ଅଂଚଳର କୋଚ ନବ କିଶୋର ଭଞ୍ଜ । ସେ ଝାରଖଣ୍ଡରେ ନିଜଶ୍ବ ଏକ ଏକାଡେମୀ କରି ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ନବ କିଶୋର ଅନେକ ଖେଳାଳିଙ୍କୁ ଆଗକୁ ନେଇ ବେଶ ସଫଳତା ପାଇ ପାରିଛନ୍ତି । ସେ 15 ବର୍ଷ ଧରି ଝାରଖଣ୍ଡରେ ରହିବା ପରେ ଏବେ ସେ ନିଜ ଅଂଚଳକୁ ଫେରି ସ୍ଥାନୀୟ ଅଂଚଳରେ ଥିବା କ୍ରିକେଟ ପ୍ରତି ଆଗ୍ରହ ଥିବା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ମୋଟ 50 ଜଣ ଖେଳାଳି ଏଠାରେ ପ୍ରଶିକ୍ଷଣ ନେଉଥିବା ବେଳେ ବିନା ପାରିଶ୍ରମିକରେ ସେ ସମସ୍ତ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ଖେଳାଳି ମାନେ କେଉଁଭଳି ଫିଜିକାଲ ଫିଟ ରହିବେ ଏନେଇ ସେମାନଙ୍କୁ ବ୍ୟାୟାମ ସହ ଜିମ କରାଉଛନ୍ତି ନବ କିଶୋର । କ୍ରିକେଟ ଖେଳ ପାଇଁ ଆବଶ୍ୟକୀୟ ଟିପ୍ସ ଖେଳାଳି ମାନଙ୍କୁ ଦେଉଛନ୍ତି । ପ୍ରତି ରବିବାର ପିଲା ମାନଙ୍କ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । କୋଚଙ୍କ ଠୁ ପ୍ରଶିକ୍ଷଣ ପାଇଁ ଖେଳାଳିମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରୁଛନ୍ତି ।