କେବେ କମିବ ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ?

1 min read

ଭୁବନେଶ୍ବର: କେବେ କମିବ ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ? ଦେଢ଼ ବର୍ଷ ହେଲା ମହଙ୍ଗା ମାଡ଼ରେ ଲୋକେ ହତାଶ । ଅଶୋଧିତ ତୈଳ ଦର ଆଧାରରେ ଡାଇନାମିକ ଦର ନିର୍ଦ୍ଧାରଣ ବ୍ୟବସ୍ଥା ଅକାମି । ଲାଭ ଉପରେ ଲାଭ କରିଚାଲିଛନ୍ତି ତୈଳ ବିପଣନ କମ୍ପାନୀ । ଚଳିତ ବର୍ଷ ପ୍ରଥମ ଦୁଇ ତ୍ରୈୟମାସିକରେ ୩ ତୈଳ କମ୍ପାନୀଙ୍କ ଲାଭ ହେଲାଣି ୬୨ ହଜାର କୋଟି ।  ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧ ଡଲାରକୁ ଖସିଲେ ବି ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର ଏବେ କମିବାର ନାହିଁ ।

ଲାଭ । ଲାଭ ଉପରେ ଡବଲ ଲାଭ । ଓ୍ବିଣ୍ଡ୍ ଫଲ୍ ଗେନ କରି ମାଲାମାଲ ତୈଳ କମ୍ପାନୀ  । ହାତ ଚିକ୍କଣ କରୁଛି କେନ୍ଦ୍ର  । ଏପଟେ ପଇସା ଗଣି ଗଣି ଗ୍ରାହକଙ୍କ ହାତ ଶୁଖି ଫାଟିଲାଣି । ଅଶୋଧିତ ତୈଳ ଦର ବୃଦ୍ଧି ଓ ହ୍ରାସକୁ ଆଳକରି କେନ୍ଦ୍ର ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଦେଢ଼ବର୍ଷ ହେଲାଣି ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ୯୪ ଟଙ୍କା ୮୬ ପଇସା ରହିଛି । ଗତ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ କିଛି ଦିନ ପାଇଁ ଅଶୋଧିତ ତୈଳ ଦର ୯୦ ଡଲାର ପାର୍ କରିଥିଲା । ଏବେ ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ରବିବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ରହିଛି ୮୧.୬୪ ଡଲାର ।

ଆଶା କରାଯାଉଥିଲା ଅଶୋଧିତ ତୈଳ କମୁଥିବାରୁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବ । କିନ୍ତୁ କମିବାର ଆଶା ଦେଖାଯାଉନି । ୨୦୧୭ରୁ ୨୦୨୨ ଭିତରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ IOCL, BPCL, HPCL ବାର୍ଷିକ ଲାଭ କରିଛନ୍ତି ୬୦ ହଜାର କୋଟି । ଗତ ଆର୍ଥିକ ବର୍ଷ ପ୍ରଥମ ଓ ଦ୍ବିତୀୟ ତ୍ରୈୟମାସିକରେ ୩ଟି ଯାକ ତୈଳ କମ୍ପାନୀ କ୍ଷତି ସହିଲେ ୨୩ ହଜାର ୮୭୦ କୋଟି ୧୯ ଲକ୍ଷ । ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ, ରୁଷିଆର ଶସ୍ତା ଅଶୋଧିତ ତୈଳ ଯୋଗୁ ଶେଷ ଦୁଇ ତ୍ରୟମାସିକରେ କ୍ଷତି ଭରଣା ହୋଇ ଲାଭ କଲେ ୩୩ ହଜାର କୋଟି ।

ବଡ଼ କଥା ହେଉଛି, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ହିଁ ତୈଳ କମ୍ପାନୀଙ୍କ ଚାନ୍ଦି ହିଁ ଚାନ୍ଦି । ଲାଭ ଉପରେ ଡବଲ ବୋନାଞ୍ଜା । ୨୦୨୩-୨୪ ଆର୍ଥିକ ବର୍ଷର ଦୁଇ ତ୍ରୟମାସିକରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲାଭ କଲେଣି ୬୨ ହଜାର କୋଟି । ତୃତୀୟ ଓ ଚତୁର୍ଥ ତ୍ରୟମାସିକରେ ଏହି ଲାଭ ପରିମାଣ ସହଜରେ ୧ ଲକ୍ଷ କୋଟି ପାର୍ କରିଯିବ ବୋଲି ଆକଳନ କରାଯାଉଛି ।

ଅଶୋଧିତ ତୈଳ ଦର କମିବା ବଢିବା ସହିତ ଖୁଚୁରା ଦର ବଦଳିବ । ଏବର କେନ୍ଦ୍ର ସରକାର ଏଥିପାଇଁ ଡାଇନାମିକ ପ୍ରାଇସ୍ ମେକାନିଜିମ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଯେଉଁ ବ୍ୟବସ୍ଥାକୁ ଏବେ ସଂପୂର୍ଣ୍ଣ ଅକାମି କରିଦିଆଯାଇଛି । ପେଟ୍ରୋଲ ଓ ଡିଜେଲକୁ ଦୁହାଁଳିଆ ଗାଈ ବୋଲି କେନ୍ଦ୍ର ସରକାର ଧରି ନେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ସବୁ ଜିନିଷର ଦର ବି ମହଙ୍ଗା ହୋଇଛି । ରୋଜଗାର ବି ସଂକୁଚିତ ହେଉଛି । ଲୋକଙ୍କ କ୍ରୟ ଶକ୍ତିର ବଡ଼ ଅଂଶ ପେଟ୍ରୋଲ ଓ ଡିଜେଲରେ ଖର୍ଚ୍ଚ ହେଉଥିବାରୁ ଆର୍ଥିକ ଅବସ୍ଥା ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥିତି ଏ ଦେଶରେ କେବେ ବି ଦେଖିବାକୁ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।