ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍‌

ଭୁବନେଶ୍ବର: ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍‌ । ବିକାଶ ପ୍ରସଙ୍ଗ ନେଇ ସବୁବେଳେ ଦଳ ଲୋକଙ୍କ ପାଖକୁ ଯାଉଛି । ଏହି ପଥରେ ବିଜେଡି ଲଗାତାର ପାଞ୍ଚ ପାଞ୍ଚ ଥର ପାଇଛି ନିରଙ୍କୁଶ ସଫଳତା । ୨୦୧୯ ଅପେକ୍ଷା ୨୦୨୪ରେ ଅଧିକ ଆସନ ହାତେଇବାକୁ ଆହୁରି ପରିଶ୍ରମ କରିବାରେ ଲାଗିପଡ଼ିଛି ଦଳ । ବିଭିନ୍ନ କାର୍ଯ୍ୟକ୍ରମ ସହ କର୍ମୀଙ୍କୁ ଦିଗଦର୍ଶନ ଓ ଟ୍ରେନିଂ, ଦଳୀୟ କାର୍ଯ୍ୟଧାରାକୁ ଆଗେଇ ନେବାରେ ଅଧିକ ସହାୟକ ହେଉଛି ।

ଦୀପାବଳି : ଅନ୍ଧକାର ଉପରେ ଆଲୋକର ବିଜୟ । ଏହି ଅବସରରେ ରାଜ୍ୟର ବିକାଶ ଧାରାକୁ ଆହୁରି ସୁଗମ କରିବା ପାଇଁ ବିଜେଡି କସରତ ଆରମ୍ଭ କରିଛି । ଗାଁ ଗାଁରେ ବିକାଶ । ଯାହା ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଜାରି ରହିଛି । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦୀପାବଳିରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଯୋଗୁ ହିଁ ଲୋକ ପାଞ୍ଚ ପାଞ୍ଚଥର ବିଜେଡିକୁ ଲଗାତାର ଭୋଟ୍‌ ଦେଇଆସିଛନ୍ତି । ଉପନିର୍ବାଚନ, ପୌର ଓ ପଞ୍ଚାୟତ ନିର୍ବାଚନରେ ବି ଶୀର୍ଷ ସଫଳତା ପାଇଛି ବିଜେଡି । ଯାହା ୨୦୨୪ରେ ରିପିଟ୍ କରି ଅଧିକ ଆସନ ହାସଲ ଲକ୍ଷ୍ୟରେ ବିଜେଡି କାମ ଚଲାଇଛି । ଗଣିତଠାରୁ ବହୁ ଆଗକୁ ଯାଇ ବିପୁଳ ବିଜୟର ଆଶା ରଖିଛି ବିଜେଡି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଯୋଜନା ହିଁ ବିଜେଡିର ଅସଲ ପୁଞ୍ଜି । କେନ୍ଦ୍ରର ବାରମ୍ବାର ଅବହେଳାକୁ ବି ଖାତିର କରିନାହାନ୍ତି ନବୀନ । ତାଙ୍କ ଯୋଜନା ଓ ଆଦର୍ଶ ସମ୍ପର୍କରେ ବିଜେଡି କର୍ମୀମାନଙ୍କୁ ଟ୍ରେନିଂ ମାଧ୍ୟମରେ ଦିଗଦର୍ଶନ ଦିଆଯାଉଛି । ରାଜ୍ୟ ସରକାରଙ୍କ ସଫଳତା ଓ ବିକାଶର ରୂପାନ୍ତରଣ କାହାଣୀ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ସକ୍ରିୟ ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି । ଯାହାକୁ ସେମାନେ ଓ୍ବାର୍ଡ, ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲା ପରିଷଦ ଜୋନରେ ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରୁଛନ୍ତି । ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଉଛି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଶାଣିତ ସ୍ବର ଉଠାଇବା ପାଇଁ ଦଳୀୟ କର୍ମୀଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ଘରେ ଘରେ ଶଙ୍ଖ ଓ ସୋସିଆଲ ମିଡିଆର ସକାରାତ୍ମକ ବ୍ୟବହାର ଜରିଆରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଲୋକଙ୍କ ପାଖରେ ବିକାଶର ବାର୍ତ୍ତା ପହଞ୍ଚାଉଛି ।