ଦୀପାବଳିରେ ସ୍ବତନ୍ତ୍ର, ଶାଢ଼ୀରେ ଆଲୋକର ପର୍ବ

ସୁବର୍ଣ୍ଣପୁର: ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ଓ ବାନ୍ଧଶିଳ୍ପୀ । କେତେବେଳେ ଏଠାକାର ହାତବୁଣା ଶାଢୀ କେତେବେଳେ ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଳଟିଥିବା ବେଳେ ରାଜନେତା ମାନେ ମଧ୍ୟ ପରିଧାନ କରିଥାନ୍ତି। ତେବେ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀଙ୍କ ହାତରେ ରହିଛି ଯାଦୁ। ନିଆରା ଡିଜାଇନ କରି ବିଶ୍ବ ଦରବାରରେ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ଏବେ ମେହେର ସମ୍ପ୍ରଦାୟ ପାଳନ କରୁଥିବା ଦିପାବଳୀଙ୍କୁ ନେଇ ଆଉ ଏକ ନିଆରା ଡିଜାଇନ କରି ଚର୍ଚ୍ଚାରେ ଜଣେ କାରିଗର।

ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଜାବେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ । ହାତରେ ଆଖୁ ଦଣ୍ଡ, ଉପରେ ପିଠାରେ ତିଆରି ସ୍ବତନ୍ତ୍ର ଦୀପ । ମେହେର ସମ୍ପ୍ରଦାୟର ବଡବଡୁଆ ଡାକ ଓ ଦୀପାବଳି ପାଳନ ବେଳର ଦୃଶ୍ୟ ଶାଢୀରେ ଆଙ୍କିଛନ୍ତି ସୁବର୍ଣ୍ଣପୁରର ଜଣେ ବୁଣାକାର । ବିରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ ମନୋଜ ମେହେର ଏଭଳି ଶାଢୀ ବୁଣି ଏବେ ଚର୍ଚ୍ଚାରେ ରହିଛନ୍ତି । ଯାହାକୁ ନେଇ ସେ ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି । ଫଳରେ ବେସ ଖୁସି ଅନୁଭବ କରିଛନ୍ତି ପରିବାର ଲୋକ।

ମନୋଜଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ଡିଜାଇନକୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଥିଲେ। ପରେ ମନୋଜଙ୍କ ପୁରା ପରିବାର ଏଥିରେ ନିୟୋଜିତ ହେବା ସହ ଅକ୍ଲାନ୍ତ ପରିଶ୍ରମ କରି ଶାଢିକୁ ପ୍ରସ୍ତୁତ କରିଛନ୍ତି । ଏବେ ଏହି ଶାଢୀ ବଜାରରେ ମିଳୁଥିବାବେଳେ ଏହାର ଦାମ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଥିବା କହିଛନ୍ତି ମନୋଜ। ନିଜେ ପାଳନ କରୁଥିବା ନିଆରା ପରମ୍ପରାକୁ ଶାଢୀରେ ସ୍ଥାନ ଦେଇ ନୁଆଁ ପରିଚୟ ସୃଷ୍ଟି କରିଛନ୍ତି ମନୋଜ।