ଡେରାଡୁନ: ଆଜିଠୁ ବନ୍ଦ ବଦ୍ରିନାଥ ଧାମ । ଶୀତ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ ଦ୍ୱାର । ଏଥି ସହିତ ଲୋକଙ୍କ ଚାରିଧାମ ଯାତ୍ରାରେ ପଡିବ ପୂର୍ଣ୍ଣଚ୍ଛେଦ । ଦର୍ଶନ ପାଇଁ ୧୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏନେଇ ବଦ୍ରିନାଥ ଧାମକୁ ୧୫ କ୍ୱିଣ୍ଟାଲ ଗେଣ୍ଡୁଫୁଲରେ ସୁସଜ୍ଜିତ କରାଯାଇଛି । ଶେଷ ଦିନରେ ମାତା ଲକ୍ଷ୍ମୀଙ୍କ ପାଖରେ କଢେଇ ଭୋଗ ସମର୍ପିତ କରାଯାଇଛି । ଧାମରେ ପଞ୍ଚ ପୂଜା ୧୪ ନଭେମ୍ବରରେ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଧାମରେ ଗଣେଷ ମନ୍ଦିର,ଏବଂ ଦ୍ୱିତୀୟ ଦିନ କେଦାରନାଥ ମନ୍ଦିର ଏବଂ ଆଦି ଶଙ୍କରାଚାର୍ଯ୍ୟ ମନ୍ଦିର ଦ୍ୱାର ବନ୍ଦ କରାଯାଇଥିଲା । ତୃତୀୟ ଦିନ ଖଡକ ପୁସ୍ତକ ପୂଜା କରାଯାଇଥିଲା । ସେପଟେ କେରଳ ସବରିମାଳା ମନ୍ଦିର ଆଜିଠୁ ଭକ୍ତଙ୍କ ନିମନ୍ତେ ଖୋଲି ଦିଆଯାଇଛି । ମନ୍ଦିର ଦ୍ୱାର ଖୋଲିବା କ୍ଷଣିହିଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ସୁଡ଼ଙ୍ଗ ମୁହଁରେ ଅସ୍ଥାୟୀ ମନ୍ଦିର,ବିଜ୍ଞାନ ସହିତ ଭଗବାନ ଭରସା
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ନିର୍ମାଣରତ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଏବେ ଯାଏ ବି ଉଦ୍ଧାର କରାଯାଇପାରିନାହିଁ । ବିଗତ ୭ ଦିନ ଧରି ଚାଲିଥିବା ଏହି ରେସ୍କ୍ୟୁ ଅପରେସନରେ ବହୁ ଯନ୍ତ୍ରପାତି ଲଗାଯାଉଥିଲେ ବି ଆଜି ଯାଏ ଉଦ୍ଧାର ବିଫଳ ହେଉଛି । ଏତିକି ବେଳେ ଟନେଲ ଆଗରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଆହୁରି ଆଶଙ୍କା ଆଡ଼କୁ ଟାଣି ନେଉଛି ।
ଶ୍ରମିକଙ୍କୁ ଉଦ୍ଧାର ପାଇଁ ବିଜ୍ଞାନ ତ ଲାଗିଛି ତା ସହ ଏବେ ଭଗବାନଙ୍କ ଭରସାରେ ସମସ୍ତେ ଅଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏବେ ଭଗବାନଙ୍କ ସାହାରା ଲୋଡାଯାଉଛି । ସୁଡ଼ଙ୍ଗ ମୁହଁରେ ପତାକା ଲଗାଯାଇ ସେଠାରେ ଏକ ମନ୍ଦିର ସ୍ଥାପନା କରାଯାଇଛି । ପୂଜକ ଆସି ସେଠାରେ ନଡିଆ ଭାଙ୍ଗିଛନ୍ତି ।
#WATCH | Uttarakhand: Uttarkashi tunnel rescue operation | A temple has been built at the main entrance of the tunnel to pray for the stranded victims pic.twitter.com/avPwTeJQ4z
— ANI UP/Uttarakhand (@ANINewsUP) November 18, 2023
ଗୋଟିଏ ପଟେ ଭାରି ମେସିନ ସୁଡଙ୍ଗ ଭିତରକୁ ଯାଉଥିଲା ବେଳେ ଅନ୍ୟପଟେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ସୁଡ଼ଙ୍ଗ ଧସିବା ପଛରେ ସ୍ଥାନୀୟ ଦେବତାଙ୍କ ପ୍ରକୋପ ଥିବା ଲୋକେ କହୁଛନ୍ତି । ଲୋକଙ୍କ କହିବା କଥା ହେଲା ସୁଡ଼ଙ୍ଗ ତିଆରି କରିବା ପୂର୍ବରୁ ସେଠାରେ ଥିବା ମନ୍ଦିରକୁ ଧ୍ବଂସ କରିଦିଆଯାଇଥିଲା । ଏଥିପାଇଁ ଏବେ ଦୁର୍ଘଟଣା ଘଟିଛି ।

ଅନ୍ୟପଟେ ଆମେରିକାରୁ ଆସିଥିବା ମେସିନ ଖରାପ କାରଣରୁ ରେସ୍କ୍ୟୁ ଅପରେସନ ବନ୍ଦ ରହିଥିଲା ।
ବିଜେଡିରେ ମିଶିଲେ ବିଜେପି ନେତା ଭବାନୀ ଶଙ୍କର ନାଏକ
ଭୁବନେଶ୍ୱର: ଶଙ୍ଖ ଭବନରେ ମିଶ୍ରଣପର୍ବ। ବିଜେଡିରେ ମିଶିଲେ କେନ୍ଦୁଝର ପାଟଣା ବିଜେପି ନେତା ଭବାନୀ ଶଙ୍କର ନାଏକ। ଭବାନୀଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଶତାଧିକ ବିଜେପି କର୍ମୀ ଓ ସମର୍ଥକ। ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ୨୦୧୪ ଓ ୨୦୧୯ରେ ବିଧାୟକ ପ୍ରାର୍ଥୀ ଥିବା ଭବାନୀଙ୍କ ଯୋଗଦାନ ଦ୍ବାରା ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଆହୁରି ସୁଦୃଢ଼ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ପ୍ରଭାବିତ ହୋଇ ସେ ବିଜେଡିକୁ ଆସିଲେ ବୋଲି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଦଳର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିଚାରଧାରାରୁ ଓହରିଯାଇଥିବାରୁ ସେ ବିଜେପି ଛାଡିଲେ ବୋଲି କହିଛନ୍ତି। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଗଲା।
ଗୋଷ୍ଠୀବାଦ ଅଧିକ ହେବାରୁ ସେ ୨୦୨୨ ଜାନୁଆରୀରେ ବିଜେପି ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ଯେଉଁ ବିକାଶଧାରା ଚାଲିଛି ଦିନେ ଓଡ଼ିଶା ନମ୍ବର ୱାନ ହେବ ବୋଲି ସେ ଆଶା କରିଛନ୍ତି।
କାଲି ବିଶ୍ବକପ ଫାଇନାଲ୍; ମ୍ୟାଚ୍ ପୂର୍ବରୁ ଜଲୱା ଦେଖାଇବ ଭାରତୀୟ ବାୟୁସେନା
ଅହମ୍ମଦାବାଦ: ଆସନ୍ତାକାଲି ବିଶ୍ବକପ କ୍ରିକେଟର ଫାଇନାଲ। ରୋମାଞ୍ଚକର ହେବ ବିଶ୍ବକପ କ୍ରିକେଟର ଏହି ଫାଇନାଲ ମ୍ୟାଚ୍ । ଖେଳ ସାଙ୍ଗକୁ ଜମିବ ରଂଗାରଂଗ କାର୍ଯ୍ୟକ୍ରମ । ଖେଳ ଆରମ୍ଭରୁ ହେବ ବାୟୁସେନାର ଏୟାର ସୋ । ଏହାସହ ଲେଜର ଓ ଡ୍ରୋନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି । ଦିନ ସାଢେ ଗୋଟାଏରେ ହେବ ଏୟାର ସୋ। ୨୦ମିନିର ହେବ ବାୟୁସେନାର ଏହି ଏୟାର ସୋ।
ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ ଏହି ଏୟାର ସୋ କରିବେ। ଏଥିରେ ସୂର୍ଯ୍ୟକିରଣ ବିମାନ ଟିମ ସହ ସାମିଲ ଅଛି ଏମକେ ୧୩୨ ବିମାନ । ବିଶ୍ବକପରେ ଏହି ମ୍ୟାଚରେ ଭାରତର ବିଶ୍ବକପ କ୍ରିକେଟ ଜିତିଥିବା ଦୁଇ ପୂର୍ବତନ କ୍ରିକେଟ ଅଧିନାୟକ କପିଳ ଦେବ ଏବଂ ମହେନ୍ଦ୍ର ସିଂ ଧୋନି ଉପସ୍ଥିତ ରହିବେ।
ପ୍ରଥମ ଇନିଂସ ଡ୍ରିକ୍ ବିରତିରେ ଗୁଜରାଟି କଣ୍ଠଶିଳ୍ପୀ ଆଦିତ୍ୟ ଗଡ଼଼ୱି ସଂଗୀତ ପରିବେଷଣ କରିବେ। ଇନିଂସ ବିରତି ସମୟରେ ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧି, ନକାଶ ଅଜିଜ, ଅକାଶା ଯୋଶୀ, ତୁଷାର ଯୋଶୀ ଏବଂ ଅମିତ ମିଶ୍ର ସଂଗୀତ ପରିବେଷଣ କରିବେ । ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଷ୍ଟାଡିୟମରେ ଦେଖିବେ। ରଂଗାରଂଗ କାର୍ଯ୍ୟକ୍ରମରେ ମୁ୍ମ୍ବାଇର ୫ଶହରୁ ଅଧିକ ନୃତ୍ୟଶିଳ୍ପୀ ପ୍ରଦର୍ଶନ କରିବେ।
ଏହି ଅବସରରେ ବିସିସିଆଇ ପକ୍ଷରୁ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରାଯିବ। ୧୯୭୫ ବିଶ୍ବକପ ଠାରୁ ଆରମ୍ଭ କରି ୨୦୧୯ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିରେ ୱେଷ୍ଟଇଣ୍ଡିଜ କ୍ୟାପଟେନ କ୍ଲାଇଭ ଲଏଡ, ଅଷ୍ଟ୍ରେଲିଆର ଆଲାନ ବର୍ଡର, ରିକି ପଣ୍ଟିଂ, ଷ୍ଟିଭ ୱ, ଭାରତର ମହେନ୍ଦ୍ର ସିଂ ଧୋନି, ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ଓ ଇଂଲଣ୍ଡର ଇଅନ୍ ମର୍ଗାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଛି ।
ଥମିବାର ନାଁ ନେଉନି ଯୁଦ୍ଧ, ଏୟାର ଷ୍ଟ୍ରାଇକରେ ଥରିଲା ଦକ୍ଷିଣ ଗାଜା
ଗାଜା: ଉତ୍ତର ପରେ ଏବେ ଇସ୍ରାଏଲ ସେନାର ଟାର୍ଗେଟରେ ଦକ୍ଷିଣ ଗାଜା। ଦକ୍ଷିଣ ଗାଜାର ହମାଦ ସହରରେ ଗତକାଲି ଜବରଦସ୍ତ ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ ସେନା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଖାନ ୟୁନିସ ସହର ଏକ ହସ୍ପିଟାଲରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।
ଗତକାଲିର ଏୟାରଷ୍ଟ୍ରାଇକ ପରେ ୨୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଅଣାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ସେହିପରି ପାଲେଷ୍ଟାଇନରେ କିଛି ଦିନ ଧରି ବନ୍ଦ ଥିବା ମୋବାଇଲ ଓ ଇଣ୍ଟରନେଟ ସେବା ପୁଣିଥରେ ଆରମ୍ଭ କରିଛି ପାଲଟେଲ୍। ଯୋଗାଯୋଗ ଲାଗି ଇସ୍ରାଏଲ ପକ୍ଷରୁ ଇନ୍ଧନ ଯୋଗାଇବା ପରେ ଏହି ସେବା ଆରମ୍ଭ ହୋଇଛି।
ଜାତିସଂଘ କାର୍ଯ୍ୟାଳୟ ଏବଂ ମୋବାଇଲ ଯୋଗାଯୋଗ ଲାଗି ଦୈନିକ ୨ ଟି ଇନ୍ଧନ ଟ୍ୟାଙ୍କର ଇସ୍ରାଏଲ ପଠାଉଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ ଇସ୍ରାଏଲର ବିରୋଧୀ ଦଳ ହରଦଶ ପାର୍ଟି ବିରୋଧ କରିଛି। ସେପଟେ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆହ୍ବାନ କରିଛି ଜାତିସଂଘ । ଯୁଦ୍ଧରେ ବିରତି ଦେଇ ପୀଡ଼ିତଙ୍କୁ ମାନବୀୟ ସହାୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛି ଜାତିସଂଘ। ଯୁଦ୍ଧରେ ୧୨ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ଶହ ନିଖୋଜ ଅଛନ୍ତି । ଏବେବି ୨୪୦ ପଣବନ୍ଦୀଙ୍କୁ ନିଜ କବଜାରେ ରଖିଛନ୍ତି ହମାସ ଆତଙ୍କବାଦୀ।
କାଲି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ; ବିଜୟ ପାଇଁ କିନ୍ନରଙ୍କ ପୂଜାର୍ଚ୍ଚନା
ଅହମ୍ମଦାବାଦ: କିନ୍ନରଙ୍କ ମଧ୍ୟରେ ଓ୍ବାର୍ଲଡ କପ୍ କ୍ରେଜ । କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଆସନ୍ତାକାଲିର ମ୍ୟାଚକୁ ନେଇ ଉତ୍ସାହ ରହିଥିବା ବେଳେ ପୂଜାର୍ଚ୍ଚନା କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର କିନ୍ନର । କେବେଳ ଏତିକି ନୁହେଁ ଘଣ୍ଟ ବଜାଇବା ସହ ଶଙ୍ଖ ଫୁଙ୍କି ଧୂପ ଦେଇ ପ୍ରାର୍ଥନା କରିଛନ୍ତି । କେତେକେ କିନ୍ନର ବି ମହାଆନନ୍ଦରେ ନାଚିବା ଦେଖାଯାଉଛି।
ସେମାନେ ଭାରତୀୟ ଖେଳାଳିଙ୍କ ଫଟୋ ଧରି ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଭାରତ ମାତା କୀ ଜୟ କହିବା ସହ ସମସ୍ତଙ୍କ ମନରେ ଭରିଦେଇଛନ୍ତି ଉତ୍ସାହ। ପ୍ରୟାଗରାଜର ମହାମଣ୍ଡେଳେଶ୍ୱର କୌଶଲ୍ୟା ନନ୍ଦଗିରିରେ କିନ୍ନର ୱେଲ ଫେୟାର ବୋର୍ଡ ପକ୍ଷରୁ ଧୂମଧାମରେ ଚାଲିଛି ପୂଜାର୍ଚ୍ଚନା। ସେପଟେ ଅହମ୍ମଦାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ପାରମ୍ପରିକ ପୋଷାକ ପିନ୍ଧି ସମର୍ଥକମାନେ ସେଠାରେ ପହଞ୍ଚିଛନ୍ତି।
ଆସନ୍ତାକାଲିର ହାଇଭୋଲଟେଜ ମ୍ୟାଚରେ ନିଜେ ନିଜେ ଅଂଶୀଦାର ହେବାକୁ ଆଜିଠୁ ନିଜକୁ କରିଛନ୍ତି ପ୍ରସ୍ତୁତି । ବହୁପ୍ରତୀକ୍ଷିତ ୱାଲର୍ଡ କପ ୨୦୨୩ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ। ଭାରତ ବିଜୟୀ ହେବ ବୋଲି ସାରା ଭାରତବାସୀ ଆଶା ରଖିଛନ୍ତି।
୨୧ରେ ଫିଫା ବିଶ୍ୱକପ କ୍ୱାଲିଫାୟାର ମ୍ୟାଚ, ଆରମ୍ଭ ହୋଇଗଲାଣି ଟିକେଟ୍ ବିକ୍ରି
ଭୁବନେଶ୍ୱର: ଭୁବନେଶ୍ୱରରେ ଭାରତୀୟ ଫୁଟବଲ ଟିମ୍। ଆସନ୍ତା ୨୧ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା କାତାର ବିପକ୍ଷ ଫିଫା ବିଶ୍ୱକପ କ୍ୱାଲିଫାୟାର ମ୍ୟାଚ ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ଟିମ୍। ପ୍ରଥମ ମ୍ୟାଚରେ ଭାରତ କୁଏତକୁ ପରାସ୍ତ କରିଥିବାରୁ କାତାର ବିପକ୍ଷ ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଅନ୍ୟ ପକ୍ଷରେ ଫିଫା ବିଶ୍ବକପର ପୂର୍ବ ସଂସ୍କରଣ ଆୟୋଜନ ସହ ସେଥିରେ ଅଂଶଗ୍ରହଣ କରିଥିବା କାତାର, ଭାରତ ଅପେକ୍ଷା ଶକ୍ତିଶାଳୀ ଦଳ ହୋଇଥିବାରୁ ଉଭୟ ଟିମ୍ ମଧ୍ୟରେ କଡା ଫାଇଟ ହୋଇପାରେ। ଅନ୍ୟପଟେ ମ୍ୟାଚ୍ ପାଇଁ ଟିକେଟ କାଉଣ୍ଟରରେ ଲାଗିଛି ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରର ଦର୍ଶକ ଭିଡ଼ ଲାଗିଛି।
କିଏ ୧୦ଟା ଆଉ କିଏ ୫ଟା ଟିକେଟ ନେଉଛି। ଫିଫା ବିଶ୍ବକପ ପାଇଁ ଭାରତ କ୍ୱାଲିଫାୟର ମ୍ୟାଚ ଖେଳୁଥିବାରୁ ଫୁଟବଲ ପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶ୍ୱରେ କ୍ରୀଡା କ୍ଷେତ୍ର ଓ ଭିତ୍ତିଭୂମି ଦିଗରେ ଓଡିଶା ପ୍ରସିଦ୍ଧ ଲାଭ କରିଛି । ପ୍ରାକ୍ଟିସ ପାଇଁ ୪ଟି ଫିଲଡ ଅଛି । ଖେଳାଳି ପହଞ୍ଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡିୟମ ପୂରା ପ୍ରସ୍ତୁତ ରହିଛି। ଦର୍ଶକ ମାନେ ଯେମିତି ଫୁଟବଲର ଭରପୁର ମଜା ନେବେ ସେଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ସୂଚନା ନେଇଛନ୍ତି କ୍ରୀଡ଼ା ମନ୍ତ୍ରୀ।
କେମିତି ଅଛି ଷ୍ଟାଡିୟମ ପିଚ୍? ତନ୍ନତନ୍ନ କରି ଦେଖିଲେ ଅଷ୍ଟ୍ରେଲିଆ କ୍ୟାପଟେନ
ଅହମ୍ମଦାବାଦ: ଆସନ୍ତାକାଲି ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପିଚ୍ ପରଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପେଟ୍ କମିନ୍ସ ।
ଫାଇନାଲରେ କିପରି ପିଚ୍ କାମ କରିବ ଏ ପ୍ରଶ୍ନ ସମସ୍ତଙ୍କ ମନରେ ଥିଲାବେଳେ ପେଟ ଟିକିନିଖି କରି ତଦାରଖ କରୁଥିବାର ନଜର ଆସିଥିଲେ ।

ପେଟ୍ ଏପରି ପିଚକୁ ଦେଖୁଥିଲେ, ଲାଗୁଥିଲା ଯେ, ସେ ପିଚକୁ ପଚାରୁଛନ୍ତି ଏଠି କାଲି କେତେ ରନ୍ ହେବ?

ପିଚକୁ ଦେଖି ସେ କିଛି କହିବାକୁ ଚାହୁଁଥିଲେ । ସେ ଟେନସନରେ ଥିବା ସଫା ଦେଖାଯାଉଥିଲା ।

ସେ ମୋବାଇଲରେ ଫଟୋ ଉଠାଇଥିଲେ । ଏମିତି ଲାଗୁଥିଲା ଯେ, ପରେ ନିରିଖେଇ ଦେଖିବେ ପିଚ୍ ଠିକ୍ ଅଛି ତ?

ଆପର ଜାଣିଛନ୍ତି କି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ପ୍ରସ୍ତୁତ କରାଯାଇ ପାରିବ । ଗତ ଶୁକ୍ରବାର ପିଚରେ ଭାରି ରୋଲର ଚଲାଯାଇଥିଲା । ରୋଲର ଚଲାଯାଇଥିବାରୁ ପିଚ୍ ମଜବୁତ ହୁଏ ଏବଂ ବଲ୍ ଭଲ ଥ୍ରୋ ହୋଇଥାଏ ।
କେବଳ ଏତିକି ନୁହେଁ ଭାରତ ସହ ସେ ଖେଳିବାକୁ ବହୁତ ଏକସାଇଟେଡ୍ ଥିବା କହିଛନ୍ତି ।
ହାଇଦ୍ରାବାଦରେ ଅଭାବନୀୟ ଘଟଣା, ୪ ବର୍ଷର ଝିଅ ସହ ଜୀବନ ହାରିଲେ ମା’-ବାପା
ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ୪ ବର୍ଷର ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ଦୁହେଁ କରିଛନ୍ତି ଆତ୍ମହତ୍ୟା। ହାଇଦ୍ରାବାଦର ଓ୍ବାରାସିଗୁଡା ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ଏହି ବୀଭତ୍ସ କାଣ୍ଡ ଘଟିଛି। ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା।
ଘର ଭିତରେ ୩୫ ବର୍ଷ ବୟସ୍କ କେ. ସାଇକ୍ରିଷ୍ଣା, ପତ୍ନୀ ୩୦ ବର୍ଷ ବୟସ୍କା ଚିତ୍ରଲେଖା ଓ ୪ ବର୍ଷ ବୟସ୍କା କନ୍ୟା ତେଜସ୍ବିନୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲା ପୋଲିସ। ଦମ୍ପତି କବାଟ ନଖୋଲିବାରୁ ଘର ମାଲିକ ପୋଲିସକୁ ଡାକିଥିଲା। ପରେ ପୋଲିସ ୩ଟି ଯାକ ମୃତଦେହ ଜବତ କରିଥିଲା। ଏହି ଆତ୍ମହତ୍ୟା ଲାଗି ୩ ଜଣ ଦାୟୀ ବୋଲି ସାଇକ୍ରିଷ୍ଣା ଦର୍ଶାଇବା ସହ ସେମାନଙ୍କ ନାମ କାନ୍ଥରେ ଲେଖାଥିବା ପୋଲିସ ଦେଖିବାକୁ ପାଇଛି।
ପୂର୍ବରୁ ଯେଉଁ ସଂସ୍ଥାରେ ଚିତ୍ରଲେଖା କାମ କରୁଥିଲେ ସେହି ସଂସ୍ଥାର ଲୋକଙ୍କ ନାମ କାନ୍ଥରେ ଲେଖାଯାଇଛି। ଗତ ଗୁରୁବାର ରାତିରେ ଘରୁ ଖୁବ ଜୋରରେ ଟିଭି ଶବ୍ଦ ଆସିବାରୁ ଘର ମାଲିକ ସେମାନଙ୍କୁ ଡାକିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ପରେ ଘରମାଲିକ ପୋଲିସକୁ ଜଣାଇଥିଲେ। ଆର୍ଥିକ ଅନଟନ ଏହି ଆତ୍ମହତ୍ୟା ପଛରେ ଦାୟୀ ବୋଲି ପୋଲିସ ଅନୁମାନ କରିଛି।
ବିଶ୍ୱକପ୍ କ୍ରିକେଟକୁ ନେଇ ବେଟିଂ କରୁଥିଲେ, ୧୪ ଜଣ ବନ୍ଧା ହେଲେ
ବଲାଙ୍ଗୀର: ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗୀର ପୋଲିସର କଡ଼ା ଆକ୍ସନ୍। ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗୀର ଟାଉନ ପୋଲିସ । ଗତ ୧୬ ତାରିଖ ବିଳମ୍ବିତ ରାତିରେ ମୁମ୍ବାଇର ସଟ୍ଟା ଡନ୍ ସମେତ କିଛି ଯୁବକ ବିଶ୍ୱକପ୍ କ୍ରିକେଟକୁ ନେଇ ବେଟିଂ କରୁଥିବା ଅଭିଯୋଗ ହୋଇଥିଲା ।
ଟାଉନ ପୋଲିସର ଏକ ଟିମ୍ ହୋଟେଲରେ ଚଢାଉ କରି ଡନ୍ ସହ କିଛି ଲୋକଙ୍କୁ ଉଠାଇ ଆଣିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ରର। ଅଭିଯୁକ୍ତଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା, ୮ଟି ମୋବାଇଲ୍, ଗୋଟିଏ ଇନୋଭା କାର୍, ୯ଟି ରୂପାରେ ତିଆରି କୁବେର ମୂର୍ତ୍ତି, ସଟ୍ଟା ଚାର୍ଟ ଇତ୍ୟାଦି ଜବତ କରାଯାଇଛି।
ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫ଲକ୍ଷ ୨୭ ହଜାର ୪ଶହ ଟଙ୍କା ଫ୍ରିଜ୍ କରାଯାଇଥିବା ନେଇ ଏସଡିପିଓ ତୋଫାନ ବାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

