ଆତଙ୍କ ଖେଳାଇଛି ଅଜଣା ପୋକ

ସିମୁଳିଆ: ଆତଙ୍କ ଖେଳାଇଛି ଅଜଣା ପୋକ । ହସୁଥିବା ସୁନାର ଫସଲରେ ଲାଗିଯାଇଛି କାହାର ନଜର। ହେକ୍ଟର ହେକ୍ଟର ଜମିରେ ଚାଷ କରିଥିବା ଚାଷୀଙ୍କୁ ଘାରିଛି ଅଜଣା ପୋକଙ୍କ ଚିନ୍ତା । ଫସଲ ବଞ୍ଚାଇବା ପାଇଁ ଚାଷୀ ବିଭିନ୍ନ ପରିଶ୍ରମ କରୁଛି ହେଲେ ସବୁ ବିଫଳ । ଏବେ ସରକାର ସହାୟତାକୁ ଚାତକ ପରି ଅନାଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଚାଷୀ ।

ଦାଉ ସାଧୁଛି ଅଜଣା ପୋକ । ସୁନାର ଫସଲରେ ପଡିଯାଇଛି କାହା ନଜର  । ଉଜୁଡି ଯାଇଛି ହଜାର ହଜାର ହେକ୍ଟର ଚାଷ । ଏବେ ଧାରକରଜ ସୁଝିବା ଓ ବର୍ଷ ଯାକର ପେଟ ପାଟଣ ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଂଚାୟତର ଶତାଧିକ ଚାଷୀ । ପୋକ ଲାଗିବା ଦ୍ଵାରା ଧାନ ନଫଳି ଲାଲ ପଡ଼ି ମରି ଯାଉଛି । ବାରମ୍ବାର ଚାଷୀମାନେ ଧାନରେ ଔଷଧ ସିଞ୍ଚନ କରୁଥିଲେ ବି କିଛି ସୁଫଳ ମିଳୁ ନାହିଁ । ସରକାର ସହାୟତା ପାଇଁ ଏବେ  ଅନୁରୋଧ କରିଛନ୍ତି ଚାଷୀକୁଳ ।

ସେପଟେ ଫସଲ କ୍ଷୟକ୍ଷତି ଅଭିଯୋଗ ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ବ୍ଲକ କୃଷି ଅଧିକାରୀ । ତେବେ ଔଷଧ ସିଞ୍ଚନ ପରେ ବି ଫସଲ କାହିଁକି ରୋଗ ପୋକ ଦାଉରୁ ରକ୍ଷା ପାଇଲା ନାହିଁ ତାହାର ଅନୁଧ୍ୟାନ କରାଯାଇଛି । ସେପଟେ କ୍ଷୟକ୍ଷତିର ସଠିକ ରିପୋର୍ଟ ମିଳିବା ପରେ କ୍ଷତିପୂରଣ ଦିଆଯିବା ନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି ।