spot_img
Home Blog Page 2495

ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ବଢୁବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିବା ବେଳେ, ଜଣେ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ କେସ ୧୮ ରହିଛି ।

ଆସନ୍ତାକାଲି ନୂଆବର୍ଷ  । ଏଥିପାଇଁ ଲୋକଙ୍କୁ ପୂର୍ବରୁ ସତର୍କ କରାଇଛି ସ୍ବାସ୍ଥ୍ୟ ବିଭାଗ । ଭିଡ ସ୍ଥାନକୁ ନଯାଇ ଘରେ ସେଲିବ୍ରେସନ କରିବାକୁ କୁହାଯାଇଛି । ଏଥିସହ ଥଣ୍ଡା, ଜ୍ବର, କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ ଓ ଡିସିଏମଓଙ୍କୁ ଏନେଇ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରକୁ ଥିବା ସମସ୍ତ ମେଡିକାଲରେ ସର୍ଭେଲାନ୍ସ ବୃଦ୍ଧି କରିବା ଉପରେ ଗୁରୁଦ୍ବ ଦିଆଯାଇଛି । କୋଭିଡ୍ ପଜିଟିଭ୍ ହେଉଥିବା ଆକ୍ରାନ୍ତଙ୍କ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସେହିପରି ବୟସ୍କ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ କୁହାଯାଇଛି ।

କେନ୍ଦ୍ର ଲଗାଉନି ILS ମେସିନ, ରାଉରକେଲାରୁ ଉଡ଼ି ପାରୁନି ବିମାନ

ରାଉରକେଲା: ରାଉରକେଲା ବିମାନ ବନ୍ଦର ବିକାଶ ପାଇଁ କେନ୍ଦ୍ରର ଅବହେଳା ପୁଣି ପଦାରେ ପଡ଼ିଛି । ବିମାନ ଵନ୍ଦରରେ ଆଇଏଲଏସ ମେସିନ ଲଗାଯାଉ ନଥିବାରୁ ବାରମ୍ବାର ବିମାନ ସେବା ବାତିଲ ହେଉଛି । ସାମାନ୍ୟ ପାଗ ଖରାପ ହେଲେ ବିମାନ ଉଡ଼ାଣ ଭରି ପାରୁନାହିଁ । ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଏପରି ସ୍ଥିତିରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଜଣାଯାଇଛି ।

ଡିସେମ୍ବର ୨୬ ଓ ୨୮ ତାରିଖ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଥିଲେ ମଧ୍ୟ କୁହୁଡି ଯୋଗୁଁ ସେବା ବାତିଲ । କେନ୍ଦ୍ର ଅବହେଳା ପରେ ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ କୋଲକାତାକୁ ବିମାନ ସେବା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେନ୍ଦ୍ର ସରକାରଙ୍କ ଆଇଏଲଏସ ମେସିନ ଲଗାଇ ନଥିବାରୁ ବିମାନ ବାତିଲ ହେଉଥିବା ଅଭିଯୋଗ ହୋଇଛି ।

ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଲୋକେ । ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏକ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଉରକେଲା ବିମାନ ବନ୍ଦରକୁ 3-C କାଟାଗୋରୀ କରାଯାଇ ବିମାନ ବନ୍ଦର ଭିତ୍ତିଭୂମିର ବିକାଶ କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରାଉରକେଲା ବିମାନ ବନ୍ଦରରୁ କୋଲକାତା, ଭୁବନେଶ୍ବର ସହିତ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ନିୟମିତ ବିମାନ ଚଳାଚଳ ପାଇଁ ନିବେଦନ କରିଛନ୍ତି ଯାତ୍ରୀ ।

ଅବସର ନେବେ ସୁନୀଲ ବଂଶଲ, ଅରୁଣ ଷଡ଼ଙ୍ଗୀ ହେବେ ଅନ୍ତରୀଣ ଡିଜିପି

ଭୁବନେଶ୍ବର: ଆଜି ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳର ଶେଷ ଦିନ । ଆଜି ଅବସର ନେଉଛନ୍ତି ସୁନୀଲ । ଅରୁଣ ଷଡ଼ଙ୍ଗୀ ହେବେ ଅନ୍ତରୀଣ DGP । ପୋଲିସ ଡିଜି ଦାୟିତ୍ବରେ ରହିବେ ଅରୁଣ ।

୧୯୯୦ ବ୍ୟାଚ ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଅଛନ୍ତି । ନିୟମିତ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅରୁଣ । ତାଳଚେର SDPO ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ SP ଥିଲେ ଅରୁଣ ଷଡ଼ଙ୍ଗୀ । ଏହାସହ ଭୁବନେଶ୍ବର ଓ ରାଉରକେଲା SP ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଆଇଜି ଆଇନଶୃଙ୍ଖଳା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ପୋଲିସ ନଜରରେ ରାଜଧାନୀର ଗଳିକନ୍ଦି, ମଦୁଆ ଓ ଅମାନିଆଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର: ବର୍ଷର ଶେଷ ଦିନ । ରାତି ୧୨ଟାରେ ୨୦୨୪କୁ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ଜାକଜମକରେ ପାଳନ କରିବାକୁ ସମସ୍ତେ ଲାଗି ପଡ଼ିଛନ୍ତି ପ୍ରସ୍ତୁତିରେ । ଏହାର ସୁଯୋଗ ନେଇ ମଦୁଆ ଓ ଅମାନିଆ ରାସ୍ତାରେ ଚରୁଛନ୍ତି ରାଜୁତି । ହେଲେ ନୂଆବର୍ଷ ପୂର୍ବରୁ ଏମାନଙ୍କୁ ସାବାଡ଼ କରିବାକୁ କମିସନରେଟ ପୋଲିସ ବି ପ୍ରସ୍ତୁତ ।

ନିଶାଡ଼ି ଓ ଅମାନିଆ ଡାଳେ ଡାଳେ ଗଲେ କମିସନରେଟ୍ ପୋଲିସ ଯାଉଛି ପତରେ ପତରେ ।  ନୂଆବର୍ଷ ପୂର୍ବରୁ ରାଜଧାନୀରେ ଆକ୍ଟିଭ୍ ମୋଡରେ ପୋଲିସ । ବିଭିନ୍ନ ଛକରେ ବ୍ଲକିଂ କରି ଚାଲିଛି ଚେକିଂ । ମଦ୍ୟପ ଓ ଅମାନିଆ ଗାଡି ଚାଳକଙ୍କୁ କରାଯାଉଛି ଜରିମାନା । କଟକ ରୋଡ, କଳ୍ପନା, ଝାରପଡ଼ା ଛକ, ନନ୍ଦନକାନନ ରୋଡ୍, କିଟ୍ ଛକ୍, ଡେଲଟା ଛକରେ କମିସନରେଟ ପୋଲିସ ଚେକିଂକୁ କରିଛି ଜୋରଦାର । ବରିଷ୍ଠ ଅଧିକାରୀଙ୍କ ସହ ୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇ ଚେକିଂ କରିଥିଲେ । ଆଗକୁ ଭୁବନେଶ୍ବରରେ ସେଫ୍ ସିଟି ଡ୍ରାଇଭ୍ ଜୋରଦାର ହେବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

କମିଲା ଶୀତ, ୩ ଦିନ କୁହୁଡ଼ି କରିବ କଲବଲ

ଭୁବନେଶ୍ବର: ହାଡ଼ ଭଙ୍ଗା ଶୀତରୁ ସାମାନ୍ୟ ଆସ୍ବସ୍ତି । ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖରୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବାୟୁ ଚଳାଚଳରେ ନିଷ୍କ୍ରିୟତା ଓ ନିର୍ମଳ ଆକାଶ ପାଇଁ କୁହୁଡ଼ିର ପ୍ରକୋପ ବଢୁଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

କିଛିଦିନ ହେବ ରାଜଧାନୀ ଭୁବନେଶ୍ବର ସମେତ ପୂରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତୁଆ ସକାଳକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଦାରିଙ୍ଗବାଡ଼ିରେ ତୁଷାରପାତରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ରାସ୍ତାରେ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଥୋଇ ଚାଲିଗଲେ ବିନେଶ ଫୋଗାଟ୍

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ବିନେଶ ଫୋଗାଟ୍ ପେରାଇ ଦେଲେ ଅର୍ଜୁନ ପୁରସ୍କାର । ତେବେ ସେ ତାଙ୍କ ପୁରସ୍କାରକୁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଥୋଇ ଦେଇ ଘରକୁ ଫେରି ଯାଇଛନ୍ତି ।

ପୁରସ୍କାର ଫେରାଇବା ପାଇଁ ବିନେଶ ପିଏମଓକୁ ଯାଉଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଏହା ପରେ ସେ ନିଜ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ଛାଡି ଦେଇଥିଲେ । ଫୋଗଟ ତିନି ଦିନ ତଳେ ପୁରସ୍କାର ଫେରସ୍ତ କରିବା ସମ୍ପର୍କରେ ଘୋଷଣା କରିଥିଲେ । ଯୁବ କଂଗ୍ରେସ ଏହି ଘଟଣାକୁ ଦେଶ ପାଇଁ ଲଜ୍ଜାଜନକ ଦିନ ବୋଲି ବର୍ଣ୍ଣନା କରିଛି । ଯୁବ କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛି, ଦେଶ ପାଇଁ ଲଜ୍ଜାର ଦିନ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ପରେ ବିନେଶ ଫୋଗାଟ ତାଙ୍କ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ରଖିଛନ୍ତି ।

ପୂର୍ବରୁ ଭାରତୀୟ କୁସ୍ତି ମହାସଂଘକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବିନେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସମଗ୍ର ଘଟଣା ଏବଂ ସଞ୍ଜୟ ସିଂହଙ୍କୁ ଡବ୍ଲ୍ୟୁଏଫ୍ଆଇର ନୂତନ ସଭାପତି ଭାବେ ନିର୍ବାଚିତ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଚିଠିରେ ବିନେଶ ଫୋଗାଟ ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ନ ମିଳିବା ପାଇଁ ଦୁଃଖ ପ୍ରକାଶ କରିବା ସହ ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ଫେରା ଇଦେବେ ବୋଲି ଲେଖିଥିଲେ ।

ଷ୍ଟେଜ ରେଡ୍ଡି, ରାତିକୁ ଅପେକ୍ଷା: ସବୁଠି ଜିରୋନାଇଟ୍ ସେଲିବ୍ରେସନ ପାଇଁ ଉତ୍ସାହ

ଭୁବନେଶ୍ବର: ୨୦୨୩ର ଶେଷ ଦିନ । ଘଡିରେ ଯେତେବେଳେ ୩ଟି କଣ୍ଟା ୧୨ ଉପରକୁ ଚାଲି ଆସିବ ସାରା ବିଶ୍ବ ପାଳିବ ଜିରୋ ନାଇଟ୍ ସେଲିବ୍ରସନ । ରଙ୍ଗୀନ ଆଲୋକକୁ ଆତସବାଜିରେ ନୂଆବର୍ଷକୁ ସ୍ବାଗତ କରିବେ ସମସ୍ତେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଓଡ଼ିଶାରେ ବି ଜିରୋନାଇଟ୍ ସେଲିବ୍ରେସନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ ।

ଗାଁଠୁ ସହର ଏବେ ସମସ୍ତେ ଜିରୋନାଇଟ୍ ସେଲିବ୍ରେସନ ପ୍ରିପାରେସନରେ ଲାଗିଛନ୍ତି । କେଉଁଠି ନାଜଗୀତର ଆଓର ଜମିବ ତ ଆଉ କେଉଁଠି ଭୋଜି ଭାତର । ଠିକ ରାତି ୧୨ଟାରେ ନାଚି, ଗାଇ ସାଙ୍ଗ ସାଥି, ବନ୍ଧୁ ପରିଜନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇ ଆଗାମୀ ଭବିଷ୍ୟତର ମଙ୍ଗଳ କାମନା କରିବେ ଲୋକେ ।

ଷ୍ଟେଜ୍ ରେଡ୍ଡ, ସାଉଣ୍ଡ ସେଟ ବି ହୋଇ ସାରିଛି । କେବଳ ରାତିକୁ ଅପେକ୍ଷା । ବିଳମ୍ବିତ ରାତି ଯାଏଁ ଚାଲିବ ସେଲିବ୍ରେସନ । ଟୁଇନସିଟିରେ ଜିରୋନାଇଟ୍ ଉତ୍ସବ ପାଳନ ଲାଗି ବ୍ୟାପକ ଆୟୋଜନ ହେଉଛି । ହୋଟେଲରୁ ଆରମ୍ଭ କରି ବିଭିନ୍ନ କ୍ଲବ୍ ପକ୍ଷରୁ ଆୟୋଜନ ହୋଇଛି । ଶୃଙ୍ଖଳାର ସହ ଉତ୍ସବ ପାଳନ ଲାଗି ଭୁବନେଶ୍ବର ସମେତ କଟକରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ମଦ୍ୟପଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯିବ । ନିଶା ଖାଇ ଧରାପଡିଲେ ସିଧା ଯିବେ ଥାନାକୁ । ଏଥିସହ ବାହାରେ କାର୍ଯ୍ୟକ୍ରମ ଆୟୋଜନ ଲାଗି ମଧ୍ୟ ରହିଛି କଟକଣା । ରାତି ୧୦ଟା ଯାଏଁ ଉଚ୍ଚ ଶବ୍ଦକାରୀ ସଂଗୀତ ବ୍ୟବହାର କରିପାରିବେ । ରାତି ୧୦ଟା ପରେ ସବୁକିଛି ବନ୍ଦ ହେବ । କଟକର ସମସ୍ତ କ୍ଲବ, ହୋଟେଲ ଓ ସାମାଜିକ ଅନୁଷ୍ଠାନଗୁଡିକୁ ଏନେଇ ସୂଚନା ଦେଇଛି ପୋଲିସ ।

ଗାଜା ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ୧୬୫ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ

ଗାଜା: ଥମିବାର ନାଁ ନେଉନି ଇସ୍ରାଏଲ ହାମସ ଯୁଦ୍ଧ । ଦିନ ଗଡ଼ିବା ସହ ବଢୁଛି ଯୁଦ୍ଧର ଘମାଘଟା । ନା ହମାସ ମାନୁଛି, ନା ଇସ୍ରାଏଲ ଛାଡୁଛି । କତୃତ୍ବ ଜାହିରର ଏହି ରକ୍ତରଞ୍ଜିତ ଖେଳରେ ପେଶି ହୋଇ ଜୀବନ ହରାଉଛନ୍ତି ସାଧାରଣ ଜନତା । ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି । ୨୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ୧୪ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଟକ ରଖିଛି ।

ଆଇଡିଏଫ ହଠାତ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଆକ୍ରମଣ କରିବା ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିଛି  । ଅକ୍ଟୋବର ୭ ପରେ ଇସ୍ରାଏଲ ଗାଜାରେ କରିଥିବା ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୨୧ ହଜାର ୬୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ହମାସ କରିଥିବା ଆକ୍ରମଣରେ ଇସ୍ରାଏଲର ୧ ହଜାର ୧୩୯ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏପଟେ ଇସ୍ରାଏଲର ଏଭଳି ବର୍ବର ଆକ୍ରମଣ ପାଇଁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଆବେଦନ କରାଯାଇଛି  । ଇସ୍ରାଏଲକୁ ଏହି ଯୁଦ୍ଧ ପାଇଁ ଦାୟୀ କରିବା ସହ ଦଣ୍ଡାଦେଶ ପାଇଁ ଆବେଦନ କରାଯାଇଛି  । ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ନରସଂହାର ବୋଲି କହିଛି ଦକ୍ଷିଣ ଆଫ୍ରିକା ।

ନବରଙ୍ଗପୁରରେ ଦୁଇଟି ଜଳସେଚନ ପ୍ରକଳ୍ପର ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧ ହଜାର ୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ ।

ସେହିପରି ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍‌ ନିର୍ମାଣ କରାଯିବ ।  ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷ ଜମିକୁ ପାଣି ମିଳିପାରିବ । ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପ୍‌ ଲାଇନ୍‌ ମାଧ୍ୟମରେ ଜଳସେଚନ କରାଯିବ ।

ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯୋଗୁଁ କୌଣସି ବିସ୍ଥାପନର ଆବଶ୍ୟକତା ନାହିଁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର ଜିଲ୍ଲା ପାଇଁ ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ମାର୍ଚ୍ଚ ମାସରେ ମୋ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ନବରଙ୍ଗପୁର ଯାଇଥିଲେ । ଆପଣମାନଙ୍କ ସହିତ ମିଶିଥିଲେ । ବିଭିନ୍ନ ବିକାଶ କାମ ବୁଲି ଦେଖିଥିଲେ । ଆପଣମାନଙ୍କ ଯାହା ସବୁ ପ୍ରସ୍ତାବ ଅଛି, ସବୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ ରୂପାନ୍ତର ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛିଦିନ ତଳେ ଲକ୍ଷ୍ମୀ ଯୋଜନା ଆରମ୍ଭ ସମୟରେ ମୁଁ ଆପଣମାନଙ୍କୁ ଭେଟିଥିଲି । ମୋର ବିଶ୍ବାସ, ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ । କୃଷି ଆମ ଅର୍ଥନୀତିର, ଆମ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ । ସେଥିପାଇଁ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ସାରା ରାଜ୍ୟରେ ଅନେକ ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହୀନ ଋଣ ଆଦି ଅନେକ ସୁବିଧା କରାଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଆମେ ଗାଁର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ । କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ନବରଙ୍ଗପୁର ଗସ୍ତ କଥା ମନେ ପକାଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆମ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ପଞ୍ଚାୟତ ସ୍ତରରେ ହେବ ସଚେତନତା ଶିବିର, ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରର ଆୟୋଜନ କରାଯିବ । ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପୂର୍ବରୁ ଆରମ୍ଭ କରିଥିଲେ । ଏହି ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା, ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବର୍ତ୍ତମାନର ପଦକ୍ଷେପକୁ ଆଧାର କରି ବିକାଶ ତ୍ବରାନ୍ବିତ ଓ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏକାନ୍ତ କାମ୍ୟ । ଏହି କ୍ରମରେ ରାଜ୍ୟ ସରକାର ବର୍ତ୍ତମାନ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ରାଜ୍ୟର ୬୭୯୪ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏହି ପ୍ରକଳ୍ପକୁ ସମ୍ପୃକ୍ତ ଗ୍ରାମ ବାସିନ୍ଦା, ନିର୍ବାଚିତ ପଞ୍ଚାୟତିରାଜ ପ୍ରତିଷ୍ଠାନ ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବିଭିନ୍ନ ଗୋଷ୍ଠୀ ସଙ୍ଗଠନର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଗ୍ରହଣ କରାଯାଇ ଗ୍ରାମପଞ୍ଚାୟତ ସହ ପରାମର୍ଶ କରି ଏହାକୁ ସଙ୍କଳନ କରାଯିବ  । ଏହାକୁ ଚୂଢ଼ାନ୍ତ ରୂପ ଦେବା ପାଇଁ ପଞ୍ଚାୟତ ସ୍ତରୀୟ ବୈଠକରେ ଅନୁମୋଦିତ କରାଯିବ ।

ଶ୍ରୀକ୍ଷେତ୍ର ରୂପାନ୍ତରଣରେ ସାମିଲ ହେବେ ଜନସାଧାରଣ । ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ । ଜାନୁଆରୀ ୫ ତାରିଖରୁ ସବୁ ଘରୁ ସଂଗ୍ରହ ହେବ ଗୁଆ ଚାଉଳ ନଡ଼ିଆ । ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିର, ଭଗବତ ପୀଠ, କୋଠ ଘରେ ଏହାକୁ ରଖାଯିବ । ସେଠୁ ବ୍ଲକସ୍ତରକୁ ଅଣାଯିବ । ପ୍ରତି ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାରୋହ ଲାଇଭ୍ ଷ୍ଚ୍ରିମିଂ କରାଯିବ । ବ୍ଲକସ୍ତରରେ ବି ଏଲଇଡି ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ । ୧୭ ତାରିଖରେ ଲୋକାର୍ପଣ ସମାରୋହରେ ପ୍ରତି ପଞ୍ଚାୟତରୁ ଲୋକ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଞ୍ଚାୟତ ଓ ବ୍ଲକସ୍ତରରେ ବିଭିନ୍ନ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ୧୩୫ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୭ ତାରିଖ ପରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରି ପଞ୍ଚାୟତସ୍ତରରୁ ବଛା ବଛା ବ୍ୟକ୍ତିଙ୍କୁ ପୁରୀ ଆଣି ପ୍ରକଳ୍ପ ବୁଲାଇ ଦେଖାଇବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଂଶଗ୍ରହଣ ଆମ ଓଡିଶା ନବୀନ ଓଡ଼ିଶା ପ୍ରୟାସର ଅନ୍ତର୍ଗତ । ଏଥିପାଇଁ ପୂର୍ବ ଅନୁମୋଦିତ ବଜେଟ୍ ୪ ହଜାର କୋଟି ଟଙ୍କାରୁ ୪୨୧୪କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।