ବିରୋଧୀ ଦଳ ବିକାଶ ବିରୋଧୀ, ଅପପ୍ରଚାରରେ ଲାଗିଛନ୍ତି: ଅରୁଣ

ଭୁବନେଶ୍ବର: ବିକାଶର ବିରୋଧୀ ହେଉଛନ୍ତି ବିରୋଧୀ ଦଳ । ଗଣତନ୍ତ୍ର ପ୍ରକ୍ରିୟାରେ ବିକାଶକୁ ବିରୋଧ କରିବା ଯୁକ୍ତିଯୁକ୍ତ ନୁହେଁ । ଓଡ଼ିଶାର ବିରୋଧୀ ଦଳ ସବୁବେଳେ ବିକାଶକୁ ବିରୋଧ କରିବା ପାଇଁ ଖିଅ ବାହାର କରୁଛନ୍ତି । ବିରୋଧୀ ଏପରି ଆଭିମୁଖ୍ଯ ଗ୍ରହଣ କରୁଥିବାରୁ ଆଗାମୀ ଦିନରେ ସେମାନେ ବିରୋଧୀ ଦଳର ଯୋଗ୍ଯତା ହରାଇବେ । ଶୂନ୍ଯକାଳରେ ଏପରି କହି ଉଭୟ କଂଗ୍ରେସ ଓ ବିଜେପି ସଦସ୍ଯଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

କେନ୍ଦ୍ରମନ୍ତ୍ରୀଙ୍କୁ ନିଜ ବନ୍ଧୁ ବୋଲି କହି କଡ଼ା କଟାକ୍ଷ କରିଛନ୍ତି ଅରୁଣ । ସେ କହିଛନ୍ତି, ‘ମୋ ବନ୍ଧୁ ପ୍ରଧାନଙ୍କ ଅନୁଗତ ମାନେ ଅପପ୍ରଚାରରେ ଲାଗିଛନ୍ତି । ଆରମ୍ଭରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ଏବେ କାମ ସରିବା ପରେ ଭଲ ହୋଇଥିବା ଅନୁଭବ କରି ବି ବିରୋଧ କରିଥିଲେ ।’

ଆଗକୁ ସେ କହିଛନ୍ତି, ‘ଗାଁ ଗାଁରେ ବିକାଶ ହେଉଥିବାରୁ ବିରୋଧୀ ଅସ୍ଥିତ୍ବ ହରାଇବେ ବୋଲି ଜାଣି ଗଲେଣି । ତେଣୁ ସବୁ କଥା ଖିଅ ବାହାର କରି ବିରୋଧ କରୁଛନ୍ତି । ଓଡ଼ିଶାର ବିକାଶ ବିରୋଧୀ, ଓଡ଼ିଶାର ଉନ୍ନତି ବିରୋଧୀ ଓ ଓଡ଼ିଶା ପ୍ରଗତିର ବିରୋଧୀ ସାଜିଛନ୍ତି ବିରୋଧୀ ଦଳ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା, ବିଏସକେୱାଇ ପରି ଲୋକପ୍ରିୟ ଯୋଜନା ବିରୋଧୀଙ୍କୁ କଷ୍ଟ ହେଉଛି । ତେଣୁ ବିରୋଧୀ ଏବେ ପଶ୍ଚାତାପ କରନ୍ତୁ । ନହେଲେ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ । ବିକାଶକୁ ବିରୋଧ କରି ଭାରତବର୍ଷରେ କେହି ବି ଲୋକଙ୍କ ହୃଦୟ ଜିଣିପାରିନାହାନ୍ତି ।‘