ମତଦାନ ଚାଲିଥିଲାବେଳେ ପାକିସ୍ତାନରେ ବିସ୍ଫୋରଣ, ୫ ପୋଲିସ୍ କର୍ମଚାରୀ ସହିଦ

ଇସଲାମାବାଦ: ପାକିସ୍ତାନରେ ଚାଲିଛି ମତଦାନ । ମତଦାନ ଚାଲିଥିଲାବେଳେ ଆସିଛି ଏକ ବଡ଼ ଖବର । ଭୋଟ ବେଳେ ପାକିସ୍ତାନରେ ହୋଇଛି ବିସ୍ଫୋରଣ । ଆତଙ୍କବାଦୀମାନେ ପୋଲିସର ମୋବାଇଲ ଭ୍ୟାନକୁ ଟେର୍ଗେଟ କରିଛନ୍ତି ।
ଆତଙ୍କବାଦୀମାନେ ପ୍ରଥମେ ଆଇଡି ବ୍ଲାଷ୍ଟ କରିଥିଲେ । ପୋଲିସ ମୋବାଇଲ ଭ୍ୟାନରେ ସେମାନେ ବିସ୍ଫୋରକ ଲଗାଇଥିଲେ । ଏହା ଫାଟିବା ମାତ୍ରେ ଗାଡ଼ିଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହାପରେ ସେମାନେ ଗୁଳିମାଡ଼ କରିଥିଲେ । ଗୁଳିଗୋଳା ଶବ୍ଦ ଶୁଣି ଆଖପାଖରେ ଥିବା ଲୋକେ ଦୌଡ଼ାଦୌଡ଼ି କରିଥିଲେ ।
ଏହି ଗୁଳିମାଡ଼ରେ ୫ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ୩୦ ମିନିଟରୁ ଅଧିକ ସମୟ ଯାଏ ଗୁଳିମାଡ଼ ହୋଇଥିଲା ।
ଗତ କାଲି ମଧ୍ୟ ପାକିସ୍ତାନରେ ବିସ୍ଫୋରଣ ହୋଇଥିଲା । ଆଜି ପୁଣି ନିର୍ବାଚନ ବେଳେ ଏପରି ଆତଙ୍କବାଦୀ କାର୍ଯ୍ୟକଳାପ ପାକିସ୍ତାନରେ ଅସ୍ତିରତା ସୃଷ୍ଟି କରିଛି ।

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ସାଧାରଣ ଲୋକ ନିଜର ମତ ସାବ୍ୟସ୍ଥ କରୁଛନ୍ତି । ମତଦାନ ଥିବାରୁ ସାରା ଦେଶରେ ଆଜି ଛୁଟି ଘୋଷଣା କରାଯାଇଛି । ମତଦାନ ସରିବା ପରେ ତୁରନ୍ତ ଗଣନା ଆରମ୍ଭ ହେବ ।
ସେଠାରେ ମୋବାଇଲ ସେବା ବି ବନ୍ଦ ରହିଛି । ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ଏପରି କରାଯାଇଥିବା କୁହାଯାଇଛି ।