ଲୋକଙ୍କ ସେବା କରିବାକୁ ଅନ୍ତରାତ୍ମା ଡାକିଲା, ମୁଖ୍ୟମନ୍ତ୍ରୀ ସାଜିଲେ ମୁଖ୍ୟ ପ୍ରରଣା: କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ବର: ଲୋକଙ୍କ ସେବା ପାଇଁ ଡାକିଲା ଅନ୍ତରାତ୍ମା । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଲେ ମୁଖ୍ଯ ପ୍ରେରଣା । ବିନା ବାଧାରେ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରଶାସନିକ ପଦ ଛାଡିଥିବା ଏଏନଆଇକୁ ପ୍ରଥମ ସାକ୍ଷାତକାରରେ କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏଏନଆଇ ମୁଖ୍ଯ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ବ୍ଯୁରୋକ୍ରାଟରୁ ବିଜେଡି ନେତା ହେବାର ଯାତ୍ରା ଓ ଅନୁଭୁତିକୁ ବଖାଣିଛନ୍ତି ।

ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ଯମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ଯସ୍ତ କରିଥିଲା । ଚ୍ଯାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ କ୍ଯାଡର ଛାଡ଼ି ଓଡିଶାକୁ ଆସିଥିଲେ । ସ୍ବାଧୀନ ଭାବେ କାମ କରିବାକୁ ସୁଯୋଗ ମିଳିଥିଲା । ୨୦୦୩ରେ କଳାହାଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନବୀନଙ୍କ ସହ ପ୍ରଥମ ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରଶଂସା କରିଥିଲେ ନବୀନ । କଳାହାଣ୍ଡିର ଚେହେରା ବଦଳିଛି । ମରୁଡ଼ି ଅଞ୍ଚଳର ବ୍ଯାପକ ରୂପାନ୍ତରଣ କରାଯାଇଛି । ଗ୍ରେରୁ ଗ୍ରୀନ୍ ଏରିଆ କରିଛନ୍ତି ମୁଖ୍ଯମନ୍ତ୍ରୀ । ୨୦୦୦ରେ ଖାଦ୍ଯ ନିଅଣ୍ଟ ରାଜ୍ଯ ଥିବା ଓଡ଼ିଶା ୧୧ ବର୍ଷରେ ଖାଦ୍ଯ ବଳକା ରାଜ୍ଯ ହୋଇଛି । ଲୋକଙ୍କ ପାଇଁ କାମ କରି ପ୍ରୋ ଇନକମ୍ବାନ୍ସି ପାଇଛନ୍ତି ନବୀନ । ସବୁ ନିର୍ବାଚନରେ ବଢୁଛି ଭୋଟ୍ ହାର ବୋଲି କହିଛନ୍ତି କାର୍ତ୍ତିକ ।

ଆଗକୁ ସେ କହିଛନ୍ତି, ‘ଅଫିସରଙ୍କ ଭଲ କାମକୁ ପ୍ରଶଂସା କରନ୍ତି ନବୀନ । ସ୍ବଚ୍ଛ, ଭଲ କାମ କରିଥିଲେ ପଛରେ ଠିଆ ହୁଅନ୍ତି । ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ବିଜେଡି ଯୋଗ ଦେଇଛନ୍ତି । ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଭଲ ପାଇବା ଦେଖିଛି । ଜନସେବାରେ ନିୟୋଜିତ ହେବାକୁ ରାଜନୀତିକୁ ବାଛିଛି ।’

କରୋନା ପରେ ମୁଖ୍ଯମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ଆସିବା କମିଲା । ତେଣୁ ଲୋକଙ୍କ ପାଖକୁ ଗଲା ସିଏମଓ । ଅଧିକାରୀ ଭାବେ ଲୋକଙ୍କ ପାଖକୁ ଯାଇ ହେବନି । ଜନସେବା ପାଇଁ ଅନ୍ତରାତ୍ମା ଡାକିବାରୁ ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନା କରି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି କାର୍ତ୍ତିକ । ଭାଷା ଲୋକଙ୍କ ସହ ଯୋଡ଼ି ହେବାର ମାଧ୍ଯମ । ନବୀନଙ୍କ ଭାଷା ଲୋକଙ୍କ ଭାଷା । ସେ ହୃଦୟରୁ କୁହନ୍ତି, ସ୍ବଚ୍ଛତାକୁ ଭଲ ପାଆନ୍ତି । ଯଦି ଆପଣ ଲୋକଙ୍କ ସମସ୍ଯା ସମାଧାନ କରୁଛନ୍ତି ତେବେ ଭାଷା ବାଧକ ସାଜିବନି । ଲୋକେ ଜାଣିବାକୁ ଚାହାନ୍ତି ଆପଣ କେତେ ସ୍ବଚ୍ଛ, କେତେ ଉତ୍ସର୍ଗୀକୃତ । ଲୋକଙ୍କ ଭିତରେ ନେତା ବହୁତ ଲୋକପ୍ରିୟ ହେଲେ କେହି ବିଦ୍ରୋହ କରିପାରିବେନି । ପ୍ଯାରୀମୋହନ ମହାପାତ୍ରଙ୍କ ଖରାପ ସମୟ ଥିଲା ବୋଲି ସେ ବିଦ୍ରୋହ କରିଥିଲେ । ତେବେ ନବୀନଙ୍କ ଲୋକପ୍ରିୟତା ଆଗରେ ହାର ମାନିଲା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ଯମନ୍ତ୍ରୀଙ୍କ ମଧ୍ଯରେ ସବୁବେଳେ ଭଲ ସମ୍ପର୍କ ରହିଆସିଛି । ୨୦୧୧ ପରଠୁ ଉଭୟ ପରସ୍ପରକୁ ସମ୍ମାନ ଦେଉଥିବା, ଉଭୟଙ୍କୁ ଜନତା ବିଶ୍ବାସ କରୁଥିବା ଓ ଉଭୟ ସଂଘୀୟ ବ୍ଯବସ୍ଥାକୁ ସମ୍ମାନ ଦେଉଥିବା ଦେଖିଛନ୍ତି । ବିଜେଡି ଓ ବିଜେପି ମଧ୍ଯରେ ସଂପର୍କକୁ ନେଇ ମଧ୍ଯ ମୁହଁ ଖୋଲିଛନ୍ତି କାର୍ତ୍ତିକ । ମୁଖ୍ଯମନ୍ତ୍ରୀଙ୍କ ପାଇଁ ରାଜ୍ଯ ସ୍ବାର୍ଥ ଆଗ । ସେ କାମରେ ବିଶ୍ବାସ କରନ୍ତି । ରାଜ୍ଯବାସୀଙ୍କ ହିତ ଚିନ୍ତା କରନ୍ତି । ତେବେ ଚାଷୀ ବିଲ୍, ଏନଆରସି ବିଲରେ ବିଜେଡି କେନ୍ଦ୍ରକୁ ସମର୍ଥନ କରି ନଥିଲା ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏମଜିଏନଆରଇଜିଏରେ ବ୍ଯାଙ୍କ ଆକାଉଣ୍ଟରେ ମଜୁରୀ ଦେବା, ବିଭିନ୍ନ ଚ୍ଯାଲେଞ୍ଜ ସଂପର୍କରେ ସୂଚନା ଦେଇଛନ୍ତି 5T ଅଧ୍ଯକ୍ଷ । ରାଜନୈତିକ କ୍ଯାରିୟରକୁ ବାଜିରେ ଲଗାଇ ଶ୍ରୀମନ୍ଦିର ପ୍ରକଳ୍ପ କାମ କରିଛନ୍ତି ମୁଖ୍ଯମନ୍ତ୍ରୀ । ରାଜ୍ଯର ୧୦ ହଜାର ମନ୍ଦିର ବିକାଶ ସହ ମସଜିଦ, ଚର୍ଚ୍ଚ, ଗୁରୁଦ୍ବାରର ଉନ୍ନତିକରଣ କରାଯାଉଛି । ରାଜ୍ଯରେ ସ୍ପିରିଚୁଆଲ୍ ଗଭର୍ଣ୍ଣାନ୍ସ ଚାଲିଥିବା କହିଛନ୍ତି କାର୍ତ୍ତିକ ।