ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ରିସ୍କ୍ ନେଇଥିଲେ ମୁଖ୍ୟମନ୍ତ୍ରୀ: କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ବର: ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇର ଏକ ପୋଡକାଷ୍ଟରେ ଯୋଗ ଦେଇ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ରଖିଛନ୍ତି । ରାଜନୀତିରେ ନିଜ ଯୋଗଦାନ ସହିତ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ଓଡ଼ିଶାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ଏଏନଆଇ ସମ୍ପାଦକ ସ୍ମିତା ପ୍ରକାଶଙ୍କ ସହିତ କଥାବାର୍ତ୍ତା କାଳରେ କେମିତି ଲୋକଙ୍କ ସହିତ ମିଶିବା ତାଙ୍କୁ ରାଜନୀତିରେ ଯୋଗ ଦେବା ପାଇଁ ପ୍ରେରିତ କରିଲା ଓ ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ପ୍ରେମ କେମିତି ତାଙ୍କୁ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ରିସ୍କ ନେବାକୁ ପ୍ରେରିତ କରିଥିଲା ସେକଥା କହିଛନ୍ତି ।

ଶ୍ରୀଜଗନ୍ନାଥ କରିଡର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ

ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଉଥିବା ବେଳେ ଏହି ପ୍ରକଳ୍ପର ବିଚାର ତାଙ୍କ ମନକୁ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହିତ କାରରେ ଯାଉଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାକଡରେ ଥିବା ଶ୍ରଜଗନ୍ନାଥଙ୍କ ଚିତ୍ରକୁ ଆଖି ବନ୍ଦ କରି ପ୍ରାର୍ଥନା କରୁଥିବା ଦେଖିଥିଲେ । ଏଥିରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବୋଲି ଜାଣିବାକୁ ପାଇଥିଲେ । ପାଣ୍ଡିଆନଙ୍କ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଭକ୍ତି ଦେଖି ସେ ତାଙ୍କୁ ପରିକ୍ରମା ପ୍ରକଳ୍ପ ବାବଦରେ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଗ୍ରୀନସିଗନାଲ ପାଇବା ପରେ ସେ ପୁରୀର ସ୍ଥାନୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଅଧିକାରୀମାନେ କିନ୍ତୁ ଏହି ପ୍ରସ୍ତାବ କଥା ଶୁଣି ଆଶଙ୍କିତ ହୋଇଥିଲେ । ମନ୍ଦିର ଚାରିପାଖରୁ ୭୫ ମିଟର ଖାଲି କରିବା ଅସମ୍ଭବ ବୋଲି ସେମାନେ ଭାବିଥିଲେ । ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ବୋଲି ଅଫିସରମାନଙ୍କୁ କୁହାଯାଇଥିଲା । ଏହାପରେ ପୁରୀର ସ୍ଥାନୀୟ ବିଧାୟକ ଏହି ପ୍ରକଳ୍ପ କାରଣରୁ ପୁରୀରେ ବିଜେଡି ବିଧାନସଭା ଆସନ ହରାଇ ପାରେ ବୋଲି ଆଶଙ୍କା କରିଥିଲେ । ବିଧାୟକଙ୍କ ଆଶଙ୍କା କଥା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଯେ, ଯଦି ଆପଣ ଏହି ପ୍ରକଳ୍ପ ପାଇଁ ନିଜ ଆସନ ହରାନ୍ତି ତେବେ କିଛି ଯାଏ ଆସେ ନାହିଁ । ଏପିରିକି ମୁଁ ବି ଯଦି ମୋ ଆସନ ହରାଏ ତେବେ ବି ଚଳିବ । ବିଗତ ୫ ଶହ ବର୍ଷ ମଧ୍ୟରେ ପୁରୀରେ ହୋଇଥିବା ସବୁଠାରୁ ମହତ୍ୱାକାଂକ୍ଷୀ କାର୍ଯ୍ୟ ମଧ୍ୟରୁ ଏହା ଗୋଟିଏ ଥିଲା ବୋଲି ପାଣ୍ଡିଆନ କହିଛନ୍ତି । ସେ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଏହିଭଳି ପରିକ୍ରମା ପ୍ରକଳ୍ପକୁ ନେଇ ଇଚ୍ଛୁକ ଥିଲେ । କିନ୍ତୁ ରାଜନୈତିକ ବାଧ୍ୟବାଧକତା ପାଇଁ ତାଙ୍କୁ ହଟିବାକୁ ପଡିଥିଲା । କିନ୍ତୁ ନବୀନ ପଟ୍ଟନାୟକ ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ସବୁ ପ୍ରକାରର ରାଜନୈତିକ ରିସ୍କ ନେବାକୁ ପ୍ରସ୍ତୁତ ଥିଲେ । ଯାହାର ଫଳ ହେଉଛି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ।

ନକରାତ୍ମକ ପ୍ରଚାର ହେଉଥିଲା

ପରିକ୍ରମା ପ୍ରକଳ୍ପକୁ ନେଇ କିଛି ବ୍ୟକ୍ତି ନକରାତ୍ମକ ପ୍ରଚାର କରୁଥିଲେ ବୋଲି ପାଣ୍ଡିଆନ କହିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିର ଭୁଷୁଡ଼ି ପଡିବ ବୋଲି ଗୁଜବ ଉଡା ଯାଇଥିଲା । ଯଦିଓ ସବୁକିଛି ବୈଜ୍ଞାନିକ ପଦ୍ଧତି ଓ ବିଶେଷଜ୍ଞଙ୍କ ନୀରିକ୍ଷଣରେ ହେଉଥିଲା । ସେ କହିଥିଲେ ଯେ, ଶ୍ରୀମନ୍ଦିରର ଯେପରି କିଛି କ୍ଷତି ହେବ ନାହିଁ ସେଥିପାଇଁ ଆମେ ଗ୍ରାଉଣ୍ଡ୍ ପେନେଟ୍ରେଟିଂ ରାଡାର ଷ୍ଟଡି କରିଥିଲୁ । ଗୁଜୁରାଟର ଏକ ସଂସ୍ଥା ଏହା କରିଥିଲା । ଆଇଆଇଟି ୨୪ ଘଣ୍ଟା ପ୍ରକଳ୍ପ କାର୍ଯ୍ଯକୁ ମନିଟର କରୁଥିଲା । କିଛି ଲୋକ ନକରାତ୍ମକ ପ୍ରଚାର କରୁଥିଲେ । ତଥାପି ମୁଖ୍ୟମନ୍ତ୍ରୀ ରାଜନୈତିକ ରିସ୍କ ନେବାକୁ ପଛାଇ ନଥିଲେ ।

ମୁଖ୍ୟମନ୍ତ୍ରୀ ସପୋର୍ଟିଭ୍

ମୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ରାଜନୀତିରେ ଯୋଗ ଦେଇଥିଲି । ମୋ ବ୍ୟାଚମେଣ୍ଟ୍ ଏକଥାକୁ ନେଇ ହସୁଛନ୍ତି କାରଣ ଏମିତି କିଛି ମୋ ଯୋଜନାରେ ନଥିଲା । ଏଭଲି କିଛି ପୋଡକାଷ୍ଟରେ କହିଥିଲେ ପାଣ୍ଡିଆନ । ସର୍ବଭାରତୀୟ ପ୍ରଶାସନିକ ସେବା ଛାଡି କ’ଣ ପାଇଁ ରାଜନୀତିରେ ଯୋଗଦେଲେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କୋଭିଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିଲା । ତେଣୁ ମୁଖ୍ୟମନନ୍ତ୍ରୀ ନିଜ ଅଫିସକୁ ଲୋକଙ୍କ ପାଖକୁ ନେବାକୁ ଚାହିଁଥିଲେ । ଯାହା ଦେଶରେ କୌଣସି ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଥିଲା । ଆମେ ୧୪୭ ଆସନକୁ ଯାଇଥିଲୁ । ଏହି ସମୟରେ ମୁଁ ହଜାର ହଜାର ଲୋକଙ୍କ ସହିତ ମିଶିଥିଲି । ସେତେବଳେ ମୁଁ ରାଜନୀତିକୁ ଆସିବା କଥା ଭାବିଥିଲି । ମୁଖ୍ୟମନ୍ତ୍ରୀ ସେହି ସମୟର ଭିଡିଓ ଦେଖିଥିଲେ । ତେଣୁ ମୁଁ ତାଙ୍କୁ ରାଜନୀତିରେ ମିଶିବା କଥା କହିବା ପରେ ସେ ରାଜି ହୋଇଥିଲେ ।