spot_img
Home Blog Page 2250

ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବାଲେଶ୍ବର: ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ। ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ସିଂଲା ଥାନା କାଦରାୟାଁ ଗାଁରେ। କାଦରାୟାଁ ଗ୍ରାମର କସିମୁଦ୍ଦିନ ଏବଂ ତାଙ୍କ ସ୍ତ୍ରୀ ୱ୍ବାସେମୁନ ବିବିଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହେବା ସହ ବିବାଦ ଉଗ୍ରରୂପ ନେଇଥିଲା। ଫଳରେ ସ୍ବାମୀ ସ୍ତ୍ରୀ ମାରଣାସ୍ତ୍ରରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ।

ଏଥିରେ ସ୍ତ୍ରୀ ୱ୍ବାସେମୁନଙ୍କର ମୃତ୍ୟୁ ହୋଇଥିବା ବେଳେ କସିମୁଦ୍ଦିନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ସ୍ବାମୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି। ସେପଟେ ୱ୍ବାସେମୁନଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ।

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସନ୍ଧ୍ୟା ୬ ରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ମାଘ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ । କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।

ସମଲେଇ ପ୍ରକଳ୍ପ ମହାଯଜ୍ଞରେ ଆଜି ପଡ଼ିବ ପୂର୍ଣ୍ଣାହୁତି

ସମ୍ୱଲପୁର : ସମଲେଇ ପ୍ରକଳ୍ପ ମହାଯଜ୍ଞରେ ଆଜି ପଡ଼ିବ ପୂର୍ଣ୍ଣାହୁତି। ଐତିହାସିକ ପ୍ରକଳ୍ପ ଲୋକାର୍ପଣ ପାଇଁ ଯଜ୍ଞ ଆୟୋଜନ କରାଯାଇଥିଲା। ୨୬ ତାରିଖରେ କଳସ ଯାତ୍ରା ପରେ ଅଧିବାସ ସହ ମୁଖ୍ୟ ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ୧୧ଟି ଜିଲ୍ଲାର ୫୦ରୁ ଅଧିକ ପଣ୍ଡିତ ଯଜ୍ଞ କରୁଛନ୍ତି। ଗତ ୨୭ ତାରିଖରେ ମୁଖ୍ଯମନ୍ତ୍ରୀ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ତେବେ ଆଜି ଯଜ୍ଞର ଶେଷ ଦିନରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଛି ।

ମୁଖ୍ୟ ଯଜ୍ଞସ୍ଥଳରେ ହୋମ ସାଙ୍ଗକୁ ଚାରିଦ୍ବାରରେ ପୂଜାର୍ଚ୍ଚନା କରାଯାଉଛି। ମନ୍ତ୍ରଧ୍ବନିରେ ମୁଖରିତ ହେଉଛି ସାରା ପରିବେଶ । ଆଧ୍ୟାତ୍ମିକ ମାହୋଲରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରକଳ୍ପ ବୁଲିବା ସହ ମାଆଙ୍କୁ ଦର୍ଶନ କରି ସିନ୍ଦୂର ଓ ଚୁନରୀ ଦେଉଛନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ଆୟୋଜନ ହେଉଛି ମହାନଦୀ ସଂଧ୍ୟା ଅଳତୀ। ମାଆଙ୍କୁ ଦର୍ଶନ କରିବା ସହ ମହାନଦୀ ସଂଧ୍ୟା ଅଳତୀଙ୍କୁ ଦେଖି ଦିବ୍ୟ ଅନୁଭୂତି ନେଉଛନ୍ତି ଶ୍ରଦ୍ଧାଳୁ। ଖଣ୍ଡୋଲାଇଟ୍ ପଥରରେ ନିର୍ମିତ ଭବ୍ୟ ସମଲେଇ ପ୍ରକଳ୍ପ ଏବେ ଖାଲି ସମ୍ବଲପୁବାସୀ ନୁହନ୍ତି ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପ୍ରଶଂସା ସାଉଁଟୁଛି।

ଆଜିଠୁ ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍

ଆଜି ଯୋଗାଯୋଗର ନବୀନ ଅଧ୍ଯାୟରେ ପ୍ରବେଶ କରିବ ଆଉ ତିନି ଜିଲ୍ଲା । ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍। ଦିନ ୧୧ଟାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଢେଙ୍କାନାଳରେ ୫୫ଟି ବସ ଗଡ଼ିବାକୁ ଥିବା ବେଳେ ଅନୁଗୁଳରେ ୨୬ ଓ ଦେବଗଡ଼ରେ ୧୭ଟି ଲକ୍ଷ୍ମୀ ବସ ଚଳାଚଳ କରିବ। ପ୍ରାଥମିକ ପର୍ଯ୍ୟାୟରେ ଗାଁରୁ ବ୍ଲକ୍ ମୁଖ୍ୟାଳୟକୁ ଚାଲିବ ଲକ୍ଷ୍ମୀ।

ସେହିଭଳି ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ୬ଟି ଜିଲ୍ଲାରେ ବସ୍ ଗଡୁଛି। ଲକ୍ଷ୍ମୀ ବସ୍ ସେବା ଗ୍ରାମାଞ୍ଚଳର ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀଙ୍କୁ ବେଶ୍ ସହାର୍ଯ୍ୟ ହେଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍। ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରି କରୁଛନ୍ତି। ଛାତ୍ରଛାତ୍ରୀମାନେ ସ୍ବଳ୍ପ ମୂଲ୍ୟରେ କଲେଜକୁ ଯାଇପାରୁଛନ୍ତି। ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗମାନେ ମାତ୍ର ୫ ଟଙ୍କା ଦେଇ ଗାଁରୁ ବ୍ଲକକୁ ଯିବାର ବ୍ୟବସ୍ଥା ହୋଇଛି ।

ଆଜିଠୁ ବଦଳିବ ପାଗ, ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହେବ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଦଳିବ ପାଗ । ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହେବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ଆଜିଠୁ ପଶ୍ଚିମା ଝଡ ପ୍ରଭାବରେ ପାଗ ପରିବର୍ତ୍ତନ ହେବ। ପ୍ରଭାବରେ କାଲିଠୁ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ବାକି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ସଂଲଗ୍ନ ଜିଲ୍ଲାଗୁଡିକରେ କୋହଲା ପାଗ ରହିବ।

ସେପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଆଜି ଘନ କୁହୁଡି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ, କନ୍ଧମାଳ, ସୋନପୁର, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ବର, କଟକ, ବୌଦ୍ଧ ଏବଂ କଳହାଣ୍ଡିକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ। ଘନ କୁହୁଡି ସମୟରେ ଦୃଶ୍ୟମାନ କ୍ଷମତା କମ୍ ରହୁଥିବାରୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 

ଆଜି ଇଡି ଅଫିସରେ ହାଜର ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଝାଡଖଣ୍ଡ: ଆଜି ଇଡି ଅଫିସରେ ହାଜର ହେବେ ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ତା ପୂର୍ବରୁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହେମନ୍ତ ସୋରେନ। ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ। ଜମି ଦୁର୍ନୀତି ମାମଲର ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବ । ଯଦି ହେମନ୍ତ ସୋରେନ୍ ଇସ୍ତଫା ଦିଅନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି।

ଅନ୍ୟପଟେ ଦୁଇ ଦିନ ଧରି ହେମନ୍ତ ସୋରେନ୍ ଗାଏବ ଥିଲେ। ହଠାତ୍ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଇଡି ସମନ୍ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବର୍ଷିଛି। ଜେଏମ୍ଏମ୍ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମ୍ଏମ୍ କହିଛି ।

ଆଜି ସଂସଦରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବ ବିଜେଡି। ବିଜେଡି ପକ୍ଷରୁ ଜାତୀୟ ରାଜପଥ ପ୍ରସଙ୍ଗକୁ ଫୋକସ କରାଯାଇଛି। କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଦୀର୍ଘ ୯ବର୍ଷ ହେବ ଚାଲିଛି। ମାତ୍ର ଏଯାଏଁ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ସହ କୋଷ୍ଟାଲ ହାଇୱେ କାର୍ଯ୍ୟ ବି ଆରମ୍ଭ ହୋଇନାହିଁ। ସେହିପରି  ଭୁବନେଶ୍ଵର ଆଉଟର ରିଂରୋଡ କାର୍ଯ୍ୟରେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ଏସବୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସଂସଦର ବଜେଟ୍ ଅଧିବେଶନରେ ଦାବି କରାଯିବ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଆହୁରି  ୭ଲକ୍ଷ ଘର ପାଇବା କଥା କିନ୍ତୁ ତାହା ମିଳିନାହିଁ । ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତିନିଟି ପ୍ରସଙ୍ଗ ରହିଛି। ୧୬୯ଟି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ଅଛି। ହୋ, ମୁଣ୍ଡାରୀ, କୁଇ ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରାଯିବା ଦାବି ପୁନର୍ବାର ସଂସଦରେ ଉତ୍ଥାପନ କରାଯିବ। କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼, ଫସଲ ବୀମା ଯୋଜନାରେ କେନ୍ଦ୍ର ନିକଟରେ ଥିବା ରାଜ୍ୟର ବଳକା ରାଶି ପ୍ରଦାନ କରିବାକୁ ଦାବି କରାଯିବ। ଏମଏସପି ବୃଦ୍ଧି, ଅହିଂସା ଶବ୍ଦକୁ ସମ୍ବିଧାନ ମୁଖବନ୍ଧରେ ସ୍ଥାନ ଦେବା, ଓଡ଼ିଶା ବିଧାନ ପରିଷଦ ଗଠନ ଆଦି ଦାବି  ବିଜେଡି ସାଂସଦମାନେ ସଂସଦର ବଜେଟ ଅଧିବେଶନରେ ଉଠାଇବେ।

ଆଜିଠୁ ସଂସଦର ବଜେଟ ଅଧିବେଶନ, ଆସନ୍ତାକାଲି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ

ଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଗୃହରେ ନିଜର ଅଭିଭାଷଣ ରଖିବେ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏହା ଉପରେ ଆଲୋଚନା ମଧ୍ୟ କରାଯିବ। ପ୍ରଥମ ଦିନରେ ଗୃହରେ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିବ ନାହିଁ।

ଆସନ୍ତାକାଲି ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା କେନ୍ଦ୍ର ସରକାରଙ୍କ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ହେବ । ବଜେଟ ଅଧିବେଶନ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଥିଲେ କେନ୍ଦ୍ର ସରକାର। ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଛି । ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବିରୋଧୀ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ପୂରା ଅଧିବେଶନ ପାଇଁ ନିଲମ୍ବିତ କରିଥିଲେ।

ଦରଦାମ୍ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯିବ ?

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ କେନ୍ଦ୍ରୀୟ ବଜେଟ । ବଜେଟରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବା ଆଶା ରହିଛି । ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଲୋକ ଶୃଙ୍ଖଳିତ ନାଗରିକ ଭାବେ ଠିକ୍ ସମୟରେ ଟିକସ ଦିଅନ୍ତି। କିନ୍ତୁ ଅନ୍ଯମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଫାଇଦା ଏମାନେ  ପାଆନ୍ତି ନାହିଁ । ତେଣୁ ଚାକିରିଆ ବର୍ଗ ଟିକସ ରିହାତି ଆଶାରେ ଅଛନ୍ତି । ନିଯୁକ୍ତି ଉପରେ ବି ଫୋକସ ରହିବ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବା କରୁରୀ । କାରଣ ବୃହତ ଶିଳ୍ପ ଅପେକ୍ଷା ଏସବୁ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ରହିଛି। ଆସନ୍ତୁ ନଜର ପକାଇବା କେନ୍ଦ୍ରୀୟ ବଜେଟକୁ ନେଇ କ’ଣ ରହିଛି ଚାକିରିଆ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ଆଶା।

ଫେବୃଆରୀ ପହିଲାରେ ଆସିବ କେନ୍ଦ୍ରୀୟ ବଜେଟ । ଅନ୍ତରୀଣ ବଜେଟ ହୋଇଥିଲେ ବି ନିର୍ବାଚନୀ ବର୍ଷ ହୋଇଥିବାରୁ ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀଙ୍କ ଉପରେ । ଏଥର ବଜେଟରେ ସାଧାରଣ ବର୍ଗଙ୍କ ପାଇଁ ଖୁସି ଖବର ଦେବେ କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ? ଆୟକର ସ୍ଲାବରେ ହେବ କି ପରିବର୍ତ୍ତନ ? ଦରଦାମ୍ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯିବ ? ବଜେଟକୁ ନେଇ ସବୁଠାରୁ ବେଶି ଆଶାବାଦୀ ଚାକିରିଆ ବର୍ଗ। ସରକାରୀ ଚାକିରିଆ ହୁଅନ୍ତୁ କି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ସମସ୍ତଙ୍କ ନଜର ଟିକସ ରିହାତି ଉପରେ ଅଛି । ଅର୍ଥମନ୍ତ୍ରୀ ଏହା ଉପରେ ନଜର ଦେବେ ବୋଲି ଚାକିରିଆ ବର୍ଗ ଆଶା ବାନ୍ଧିଛନ୍ତି।

ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ଗତବର୍ଷ ଭଳି ଏଥର ବି ରହିବ ବୋଲି ଆଶା କରାଯାଉଛି । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସବସିଡି ସାଙ୍ଗକୁ ସହଜ ଋଣ ବ୍ୟବସ୍ଥା ଜରୁରୀ। କରୋନା ମହାମାରୀ ପରେ ସ୍ଥିତି ସୁଧୁରିଥିଲେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଚିନ୍ତାରେ ଅଛନ୍ତି। ଋଣ ପାଇଁ ବ୍ୟାଙ୍କଗୁଡ଼ିକ ଗ୍ୟାରେଣ୍ଟି ଉପରେ ଜୋର୍ ଦେଉଥିବା ବେଳେ ଏହା ଉପରେ ବଜେଟରେ ଅର୍ଥମନ୍ତ୍ରୀ ଗୁରୁତ୍ବ ଦେବେ ବୋଲି ଆଶା ରହିଛି।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମୀନାକ୍ଷୀ ବାହିନୀପତି

ଭୁବନେଶ୍ବର: ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ମୀନାକ୍ଷୀ ବାହିନୀପତି । ଏନେଇ ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଆଇସିସି ସାଧାରଣ ସମ୍ପାଦକ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦେଇଛନ୍ତି । ମିନାକ୍ଷୀ ବାହିନୀପତି କୋରାପୁଟ ମୁନିସିପାଲିଟିର ଅଧ୍ୟକ୍ଷl ଭାବେ ୨ ଥର ନିର୍ବାଚିତ ହୋଇଥିଲେ । ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବେ ୨୦୧୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏବେ ସେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ହେଉଛନ୍ତି ମୀନାକ୍ଷୀ ।