ସମ୍ବିଧାନରେ ଅହିଂସାକୁ ସାମିଲ କରିବାକୁ ଦାବି ଦୋହରାଇଲା ବିଜେଡି

ନୂଆଦିଲ୍ଲୀ: ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ରାଜ୍ଯସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରାଇବା ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିବେଦନ ମଧ୍ଯ କରିଆସୁଛନ୍ତି । ଓଡ଼ିଶା ବିଧାନସଭାରେ ମଧ୍ୟ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଏହାସତ୍ତ୍ବେ କେନ୍ଦ୍ର ଏଥିପ୍ରତି ଧ୍ଯାନ ଦେଉନଥିବାରୁ ଆଜି ପୁଣି ଥରେ ସଂସଦରେ ଦାବି ଦୋହରାଇଛନ୍ତି ସାଂସଦ ସସ୍ମିତ ପାତ୍ର ।

ବାପୁଙ୍କ ବାଣୀ ଓ କର୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଭାବିତ କରି ଆସିଛି । ସରକାରୀ ଯୋଜନା ହେଉ କି ସମାଜର ବିକାଶ ସବୁଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ । ଏହି ଶବ୍ଦ ସହ ସମସ୍ତେ ପରିଚିତ ହେବା ଆବଶ୍ଯକ ମନେ କରି ଏହାକୁ ସମ୍ବିଧାନରେ ସାମିଲ କରିବା ଲାଗି ଚିନ୍ତା କରିଥିଲେ ।

୨୦୧୮ରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୂର୍ତ୍ତି ପାଳନ ପାଇଁ ଗଠିତ ଜାତୀୟ କମିଟିର ପ୍ରଥମ ବୈଠକ । ପ୍ରଧାନମନ୍ତ୍ରୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନଙ୍କ ଏହି ଚିନ୍ତାଧାରାକୁ ସାବାସୀ ମିଳିଥିଲା । କେବଳ ଦେଶର ପରପିଢି ନୁହେଁ, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିଲେ ଭାରତୀୟ ପରମ୍ପରା, ସଂସ୍କୃତି, ଆଦର୍ଶ କଥା ବାହାର ଦେଶ ବି ଜାଣିପାରିବ ବୋଲି ନବୀନ କହିଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ୨୩ ମାର୍ଚ୍ଚ ୨୦୨୧ରେ ବଡ଼ ଧୂମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାର ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ବୋଲି ନବୀନ କହିଥିଲେ । ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ଏହି ଦିନରେ ଓଡ଼ିଶା ବିଧାନସଭା ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।