ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରୁ କେନ୍ଦ୍ର: ମାନସ

1 min read

ନୂଆଦିଲ୍ଲୀ: ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବାକୁ ଦାବି । ରାଜ୍ୟସଭାରେ ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଆଜି ରାଜ୍ଯସଭାର ଶୂନ୍ଯକାଳରେ ସେ ଏହି ପ୍ରସଙ୍ଗ ଉତଥାପନ କରି କହିଥିଲେ, ‘ଆଇଏମଡି ଅନୁସାରେ ଦେଶରେ ବଜ୍ରପାତ, ବାର୍ଷିକ ଅଢ଼େଇ ହଜାର ଜୀବନ ନେଉଛି । ବଜ୍ରପାତ ଯୋଗୁଁ ଅନେକ ଲୋକ ପୋଡ଼ି ହେଉଥିବା ବେଳେ ମାଂସପେଶୀ ଆଘାତପ୍ରାପ୍ତ ହେବା ଦୃଷ୍ଟିକୁ ଆସୁଛି । ସେହିପରି ଶରୀରର ଅନେକ ଅଂଶ ମଧ୍ଯ କାମ କରିନଥାଏ । ଏପରିକି ହୃଦଘାତ ଓ ହଠାତ୍ ମୃତ୍ଯୁ ମଧ୍ଯ ଆସିଥାଏ । ବଜ୍ରପାତ ଗ୍ରାମାଞ୍ଚଳରେ ବେଶୀ ହେଉଥିବା ବେଳେ ୯୬ ପ୍ରତିଶତ ଗ୍ରାମବାସୀ ଏହାର ଶିକାର ହୋଇଥାନ୍ତି । ବିଶେଷକରି ଚାଷୀ, ଗାଈ ଚରାଳି, ଧୀବର, ଜଙ୍ଗଲକୁ ଯାଉଥିବା ଲୋକ ଓ ବାହାରେ କାମ କରୁଥିବା ଦିନ ମଜୁରିଆ ଶିକାର ହୋଇଥାନ୍ତି ।’

ଆଗକୁ ସେ କହିଥିଲେ, ‘ଜଳବାୟୁରେ ପ୍ରତ୍ଯେକ ଡିଗ୍ରୀ ତାତି ବଢିବା ସହ ୧୨ ପ୍ରତିଶତ ଯାଏଁ ବଜ୍ରପାତ ବୃଦ୍ଧି ପାଇଥାଏ । ଗତବର୍ଷ ରିପୋର୍ଟ ଅନୁସାରେ, ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି । ଜଳବାୟୁର ଜଟିଳ ଭୌଗୋଳିକ ସ୍ଥିତି ଯୋଗୁଁ ବଜ୍ରପାତ ପାଇଁ ଓଡ଼ିଶା ସମ୍ବେଦନଶୀଳ । ବାତ୍ଯା, ପ୍ରାକ୍ –ମୌସୁମୀ ଓ ମୌସୁମୀ ବର୍ଷା ସମୟରେ ବଜ୍ରପାତ ତୀବ୍ର ହୋଇଥାଏ । ଏହାସତ୍ତ୍ବେ ବଜ୍ରପାତଜନିତ ମୃତ୍ଯୁ ହ୍ରାସ କରିବାରେ ଓଡ଼ିଶା ବିଶେଷ ସଫଳତା ଲାଭ କରିଛି । ୨୦୧୯-୨୦ରେ ୨୦୭ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୧୫୬କୁ ଖସି ଆସିଥିଲା । ୧ ଏପ୍ରିଲ ୨୦୧୫ ମସିହାରେ ଓଡ଼ିଶା ବଜ୍ରପାତକୁ ରାଜ୍ଯ ବିପର୍ଯ୍ଯୟ ଭାବେ ଘୋଷଣା କରିଛି । ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ଯ ସରକାର ଯୋଗାଇ ଦେଉଛନ୍ତି ।’

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବାକୁ କେନ୍ଦ୍ରକୁ ନିକଟରେ ଓଡ଼ିଶା ପ୍ରସ୍ତାବ ଦେଇଛି । ଏଥିସହ ବଜ୍ରପାତ ମୁକାବିଲା ପାଇଁ ଆବଶ୍ଯକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି । ବଜ୍ରପାତଜନିତ ମୃତ୍ଯୁ ହ୍ରାସ କରିବା ପାଇଁ ରାଜ୍ଯ ସରକାର ଜଙ୍ଗଲ ଓ କୃଷି ବିଭାଗକୁ ବହୁଳ ପରିମାଣରେ ତାଳଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଥାଇଲାଣ୍ଡ ଓ ବାଂଲାଦେଶ ବଜ୍ରପାତଜନିତ ମୃତ୍ଯୁ କମାଇବାରେ ସଫଳ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବା ପାଇଁ ଶୂନ୍ଯକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି । ଏହାଦ୍ବାରା ବଜ୍ରପାତରେ ମୃତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପାମୂଳକ ସହାୟତା ମିଳିପାରିବ । ଫଳରେ ବାର୍ଷିକ ହଜାର ହଜାର ପରିବାର ଉପକୃତ ହୋଇପାରିବେ । ବଜ୍ରପାତଜନିତ ମୃତ୍ଯୁ ଅଧିକ ହେଉଥିବା ବେଳେ ତୁରନ୍ତ ଏସବୁ ପଦକ୍ଷେପ ନେବାକୁ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି ।