ମଦୁଆ ଡ୍ରାଇଭର ସାମଧାନ: ଆଉ ଫାଇନ ନେଇ ଛାଡ଼ିବନି ପୋଲିସ, ଗିରଫ କରି କୋର୍ଟ ପଠାଇବ

ଭୁବନେଶ୍ବର: ଯେତେ ଯାହା କଲେ ବି ସାବାଡ଼ ହେବାର ନାଁ ନେଉ ନାହାନ୍ତି ଅମାନିଆ । ମଦ ପିଇ ଗାଡି ଚଲାଇବା ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର । ଯଦି ମଦୁଆ ଗାଡି ଚାଳକ ଏମିତି ଭାବୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ମଦ ପିଇ ଧରା ପଡ଼ିଲେ ଆଉ ଫାଇନ୍ ନେଇ ଛାଡି ଦେବନି ପୋଲିସ । ଏଧର ଗିରଫ କରି ଜେଲ ହାଜତକୁ ପଠାଇ ଦେବ । କୋର୍ଟ ଜାମିନ ନଦେବା ପର୍ଯ୍ୟନ୍ତ, ଜେଲରେ କାଟିବାକୁ ପଡ଼ିବ ରାତି ।

ନୂଆ କରି କମିଶନର ଭାବେ ସଞ୍ଜୀବ ପଣ୍ଡା ଯୋଗଦେବା ପୂରା ଆକ୍ସନ ମୋଡକୁ ଆସିଛି ପୋଲିସ । ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଇଛି । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚେକିଂ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ରୋଡ଼ ନିକଟରୁ କାର ସହ ଚାରି ଜଣଙ୍କୁ କାବୁ କରିଥିଲା ପୋଲିସ । ଅତ୍ୟଧିକ ମଦ୍ୟପାନ କରିବା ସହ ସେମାନେ ପୋଲିସକୁ ଗାଳି ଗୁଳଜ କରୁଥିବା ଦେଖାଯାଇଥିଲା । ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ୪ଟି କାର ଜବତ କରାଯାଇଛି ।