ପରୀ ହତ୍ୟା ମାମଲାକୁ ଦିଗହରା କରିବାକୁ ବିଜେପି ନେତା ଓ ତାଙ୍କ ଅନୁଗତଙ୍କ ହୀନ ରାଜନୀତି ଫେଲ୍ ମାରିଲା

ଭୁବନେଶ୍ବର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ଅନୁଗତ ଏବଂ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ୫ ବର୍ଷ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ନେଇ ଧର୍ମେନ୍ଦ୍ର ଏବଂ ତାଙ୍କ ଅନୁଗତ ଯେମିତି ରାଜନୀତି କଲେ ସେଥିପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ପ୍ରେସମିଟ ଜରିଆରେ କହିଛନ୍ତି ଦଳୀୟ ନେତ୍ରୀ ସ୍ନେହାଙ୍ଗିନି ଛୁରିଆ ।

ସେ କହିଛନ୍ତି, ‘ନାବାଳିକା ପରୀର ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରି ହାଇକୋର୍ଟଙ୍କୁ ତଦାରଖ ଲାଗି ଅନୁରୋଧ କରିଥିଲେ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ।  ଫଳରେ ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ସହ ପରୀକୁ ନ୍ୟାୟ ମିଳିଛି । ଘଟଣାକୁ ନେଇ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ବିଜେପିର କିଛି ନେତା ମାମଲାର ରାଜନୀତିକରଣ କରି ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ଧର୍ମେନ୍ଦ୍ର ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।  ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ । ଏଥିରେ ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା । ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ । ୫ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ତାଙ୍କର ଅନୁଗତ ମାନେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।’

ଏଭଳି ସ୍ପର୍ଶକାତର ମାମଲାରେ ସର୍ବଦା ଓଡିଶା ବିଜେପି ରାଜନୀତି ହିଁ କରେ । କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ଓଡିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କଲେ । କିଡନୀ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଚକ୍ରାନ୍ତ କରାଯାଇଥିବା ଭଳି ଡାହା ମିଛ କହିଥିଲେ । ଅଭିଯୁକ୍ତକୁ କିଭଳି ଜାମିନ୍ ମିଳିବ ବ୍ୟକ୍ତିମାନେ ସେ ନେଇ ବହୁ ଚେଷ୍ଟା କରିଥିଲେ । ହାଇକୋର୍ଟରେ ପ୍ରତ୍ୟାଖାତ ହୋଇଥିଲା । ଜଣେ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ଏଭଳି ହୀନ ରାଜନୀତି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତ ଗୋଷ୍ଠୀଙ୍କୁ ଲଜ୍ଜା ଲାଗିବା ଦରକାର । ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ହୀନ ରାଜନୀତି କରୁଥିବା ଏହି ଗୋଷ୍ଠୀଙ୍କୁ ରାତିରେ ନିଦ କେଉଁ ଭଳି ହେଉଛି ? ସେମାନଙ୍କ ଅନ୍ତର ଆତ୍ମା ଏଭଳି କାର୍ଯ୍ୟ କରିବାକୁ କ’ଣ ବାଧା ଦେଉନି ? ପରୀକୁ ଆଜି ନ୍ୟାୟ ମିଳିଛି, ତା’ର ଆତ୍ମା ଶାନ୍ତି ପାଉ । ମହାପ୍ରଭୁ ତାକୁ ନିଜ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।